ଧର୍ମ ସଂକଟରେ ନବୀନ

0
47
advertisement

ଭୁବନେଶ୍ୱର,(ଓଟି): ଆମେ ଏକ ନମ୍ୱର ଥିଲୁ, ଏକ ନମ୍ୱର ଅଛୁ ଏବଂ ଏକ ନମ୍ୱରରେ ରହିବୁ ବୋଲି ବିଜେଡ଼ି ନେତାମାନଙ୍କ ଦମ୍ୱୋକ୍ତିର ଦମ ଆଜି ବାହାରିଯାଇଛି । ଅନେକ ଜିଲାରେ ଭାରତୀୟ ଜନତା ପାର୍ଟି ଖାତା ଖୋଲିପାରି ନାହିଁ ବୋଲି ଗୁରୁବାର ଦିନ କିଛି ବିଜଦ ନେତା ମନକୁ ସାନ୍ତ୍ୱନା ଦେବା ପାଇଁ ଏବଂ ବିଜେପିକୁ ଛିଗୁଲାଇବା ଲାଗି କହିଥିଲେ । ମାତ୍ର ଶୁକ୍ରବାର ଦିନ ତୃତୀୟ ପର୍ଯ୍ୟାୟ ଭୋଟ ଫଳାଫଳ ଆସିବା ପରେ ବିଜଦର ଏଭଳି ଆତ୍ମସନ୍ତୋଷ ପାଣିରେ ମିଳେଇ ଯାଇଥିଲା ।

advertisement

ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁରରେ ପ୍ରଥମ ଦୁଇ ପର୍ଯ୍ୟାୟରେ ଅବଶ୍ୟ ବିଜେପି ଜିଲା ପରିଷଦ ନିର୍ବାଚନରେ ଖୋଲି ପାରିନଥିଲା ଖାତା । ମାତ୍ର ଆଜି ସେହି ଚିତ୍ର ବଦଳିଛି । ବାଲେଶ୍ୱରରୁ ଆରମ୍ଭ କରି ଜଗତସିଂହପୁର ଯାଏ ବିଜେପି ଜିଲା ପରିଷଦ ଆସନ ଜିଣି ଚମକାଇ ଦେଇଛି ପ୍ରତିପକ୍ଷ ଦଳକୁ ।

କିନ୍ତୁ ଅନ୍ୟପକ୍ଷରେ କଳାହାଣ୍ଡିରେ ତୃତୀୟ ପର୍ଯ୍ୟାୟରେ ମଧ୍ୟ ଖାତା ଖୋଲିପାରିନାହିଁ ଶାସକ ବିଜୁ ଜନତା ଦଳ । ଏଭଳି ଚିତ୍ର ଓ ଅବସ୍ଥା ମୁଖ୍ୟମନ୍ତ୍ରୀଙ୍କୁ କେମିତି ଲାଗୁଥିବ ତାହା ଚିନ୍ତା କରିବାର କଥା । ସେଥିପାଇଁ ମୁଖ୍ୟମନ୍ତ୍ରୀ ଅସମ୍ଭବ ନିରବତା ଅବଲମ୍ୱନ କରିଛନ୍ତି ।

ଗୁରୁବାର ପର୍ଯ୍ୟନ୍ତ ଯେଉଁ ବିଜେଡ଼ି ନେତାମାନେ ଖୁବ ଦମ୍ଭ ଦେଖାଇ ଆସୁଥିଲେ ଏବେ ସେମାନଙ୍କର ସେହି ଦମ୍ଭ ନାହିଁ । ଓଲଟି ସେମାନେ ବିଜେପିର ନିର୍ବାଚନ ପ୍ରଚାର କୌଶଳକୁ ସମାଲୋଚନା କରିଛନ୍ତି । ମାତ୍ର ଏହାଦ୍ୱାରା ବାକିଥିବା ଅନ୍ୟ ଦୁଇ ପର୍ଯ୍ୟାୟର ନିର୍ବାଚନ ଫଳ ପ୍ରଭାବିତ ହେବାର ସମ୍ଭାବନା ମଧ୍ୟ ନାହିଁ ।

ରାଜ୍ୟରେ ଯେଉଁ ଅପ୍ରତ୍ୟାଶିତ ପରିବର୍ତନର ହାୱା ବୋହିବା ଆରମ୍ଭ କରିଛି ସେଥିରେ ବିଜୁ ଜନତା ଦଳକୁ ବିବ୍ରତ ବା ବିଚଳିତ ହେବାର ଯଥେଷ୍ଟ କାରଣ ରହିଛି । ମୁଖ୍ୟମନ୍ତ୍ରୀ ଖୁବ ବିଚଳିତ ମଧ୍ୟ ।

୨୦୧୨ ପଂଚାୟତ ନିର୍ବାଚନ ପରେ ମ୍ୟୁନିସିପାଲିଟି ଓ ମହାନଗର ନିର୍ବାଚନ ହୋଇଥିଲା । ବିଧାନସଭା ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ସବୁ ନିର୍ବାଚନ ପ୍ରାୟ ଏକପାଖିଆ ହୋଇଯାଇଥିଲା । କିନ୍ତୁ ସବୁ ନିର୍ବାଚନରେ କଂଗ୍ରେସ ଥିଲା ଦ୍ୱିତୀୟ ସ୍ଥାନରେ ।

୨୦୧୪ ନିର୍ବାଚନରେ ଲୋକସଭାର ୨୦ଟି ଆସନ ଜିଣିଥିଲା ବିଜଦ । ସାରା ଦେଶରେ ମୋଦୀ ହାୱା ସତ୍ୱେ ଲୋକସଭାର ୨୧ରୁ ୨୦ ଆସନ ସହ ବିଧାନସଭାର ୧୧୭ଟି ଆସନ ବିଜେଡ଼ି ପାଖକୁ ଯାଇଥିଲା ।

ମାତ୍ର ଅଢ଼େଇବର୍ଷ ଭିତରେ ଚିତ୍ର ଓଲଟି ଯିବ ଏବଂ କିଛି ଜିଲାରେ ଶଙ୍ଖ ମୂଳପୋଛ ହୋଇଯିବ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ କଳ୍ପନା ବି କରିନଥିବେ । ହାରିବା ତାଙ୍କ ଜାତକରେ ନାହିଁ ବୋଲି ସେ ଏବଂ ତାଙ୍କ ଦଳ ଧରିନେଇଥିଲା । ସେ ବହୁ ଲୋକପ୍ରିୟ ବୋଲି ବରାବର କହିଆସୁଥିଲେ ଦଳର ନେତାମାନେ ।

ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ସେ ସବୁ ଜିଲା ଗସ୍ତ କରି ପ୍ରଚାର ସହ ଅନେକ ପ୍ରକଳ୍ପର ଶୁଭ ଦେଇଥିଲେ । ସେତେବେଳେ ଅନ୍ୟ କୌଣସି ଦଳ ବିଜଦର ପାସଙ୍ଗରେ ନାହାନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଲା । କିନ୍ତୁ ଭୋଟ ପ୍ରଚାର ଯେତିକି ଜମିଲା, ବିଜେଡ଼ି ବିରୋଧରେ ଜନଆକ୍ରୋଶ ବିଜେପି ପାଇଁ ଗେରୁଆ ଲହରରେ ପରିଣତ ହୋଇଗଲା ।

ପ୍ରତିଟି ପର୍ଯ୍ୟାୟରେ ବିଜେପି ଚମତ୍କାର ପ୍ରଦର୍ଶନ କରିବା ସହ କଡ଼ା ଟକÑର ଦେଲା ଶାସକ ଦଳକୁ । ପ୍ରଥମଥର ପାଇଁ ୫୦୦ ସଂଖ୍ୟାରୁ ତଳକୁ ବିଜେଡ଼ି ଖସିବ ବୋଲି ଧାରଣା ସୃଷ୍ଟି ହେଲା ବେଳେକୁ ଗତ ପଂଚାୟତ ନିର୍ବାଚନରେ ମୋଟ‍୍‌ ୩୬ଟି ଆସନ ପାଇଥିବା ବିଜେପି ୩ଶହ ଡେ଼ଇଁବ ବୋଲି ସ୍ପଷ୍ଟ ହୋଇଗଲାଣି ।

ଏଭଳି ପରିବର୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି ଚକମା ଦେଖାଇଲା ଭଳି ପଦକ୍ଷେପ ନେବାକୁ ବାଧ୍ୟ କରିବ ।

କ’ଣ କରିପାରିବେ ନବୀନ?

ନିର୍ବାଚନ ପୂର୍ବରୁ ସେ ଦଳର ଜିଲା ସଭାପତି, ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ବୈଠକ ଡାକିଥିଲେ । ପ୍ରତି ଜିଲାୱାରୀ ସମୀକ୍ଷା କରିଥିଲେ । ପର୍ଯ୍ୟବେକ୍ଷକମାନଙ୍କର ବୈଠକରେ ସେ ସଫଳତାର ମନ୍ତ୍ରପାଠ କରାଇଥିଲେ । କେନ୍ଦ୍ର ଅବହେଳା ଓ ମହାନଦୀକୁ ପ୍ରସଙ୍ଗ କରିବା ବିଷୟ ଘୋଷଣା କରାଯାଇଥିଲା ।

ଟଙ୍କିକିଆ ଚାଉଳ ସହିତ ୫ଟଙ୍କିଆ ଆହାର ବ୍ୟବସ୍ଥା କରି ଭୋଟରଙ୍କୁ ଜିଣିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଥିଲେ । କିନ୍ତୁ କିଛି କାମ ଦେଲାନାହିଁ ।

ବିଜେଡ଼ି ଏକନମ୍ୱରରେ ଦଳ ରହିବ ସତ, ମାତ୍ର ମୁଖ୍ୟମନ୍ତ୍ରୀଙ୍କର ଓ ଶଙ୍ଖର ଚମକ ଯେଭଳି କମିଛି, ଆଉ ବିଜେପିକୁ ଛୋଟ ଖେଳାଳି ବୋଲି ଭାବିପାରିବେ ନାହିଁ ନବୀନ ।

ଜେଟଲୀ କିମ୍ୱା ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ସମ୍ପର୍କ ତାଙ୍କୁ ବିଜେପି ଚାପରୁ ମୁକୁଳାଇ ପାରିବ ନାହିଁ ।

ତେଣୁ କି ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବେ ନବୀନ?

ତାଙ୍କ ମନ୍ତ୍ରିମଣ୍ଡଳର ଅନେକ ମନ୍ତ୍ରୀ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି । ଏହି ତାଲିକା ଛୋଟ ନୁହେଁ । ଦେବୀ ମିଶ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ, ଯୋଗେନ୍ଦ୍ର ବେହେରା, ନିରଞ୍ଜନ ପୂଜାରୀ, ସୁଦାମ ମାରାଣ୍ଡି, ପ୍ରଫୁଲ ମଲ୍ଲିକଙ୍କୁ ଲୋକେ ଗ୍ରହଣ କରିନାହାନ୍ତି । ଏମାନଙ୍କୁ ଆଉ ଅଧିକ କାଳ ବୋହିପାରିବେ କି ମୁଖ୍ୟମନ୍ତ୍ରୀ?

ଯୁବମନ୍ତ୍ରୀଙ୍କ ବିରୋଧରେ କର୍ମୀ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ରାସନ କାର୍ଡ କେଳେଙ୍କାରୀ ଏବଂ ବିଜୁ ପକÑାଘର ଭେଳିକି ରାଜ୍ୟସାରା ବିଜେଡ଼ି ବିରୋଧରେ ଏକ ପ୍ରତିକ୍ରିୟା ସୃଷ୍ଟି କରିଛି ।

ସୁତରାଂ ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ଏକ ବଡ଼ଧରଣର ଅଦଳବଦଳ କରିବାକୁ ପଡ଼ିବ । ମାତ୍ର ଏଭଳି ରିସ୍କ ତାଙ୍କ ଶାରୀରିକ ଅସୁସ୍ଥତା ଭିତରେ ସେ ନେଇପାରିବେ କି?

ଏଥର ପ୍ରାର୍ଥୀ ମନୋନୟନ ଓ ଟିକଟ ବଂଟନବିଧାୟକମାନଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । କିନ୍ତୁ ପର୍ଯ୍ୟବେକ୍ଷକ ନିଯୁକ୍ତିରେ ଟଙ୍କା ଦିଆନିଆ କାରବାର ଉଠିଥିଲା ।

ନିର୍ବାଚନ ପରିଚାଳନା ଓ ରଣକୌଶଳ ନିର୍ଦ୍ଧାରଣ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ କାର୍ତିକ ପାଣ୍ଡିଆନ ନିର୍ବାହ କରୁଥିଲେ ବୋଲି ଦଳରେ ଆଲୋଚନା ହେଉଛି । ଦାମବାବୁଙ୍କ ପରି ଅନେକ ନେତା ଅଭିଯୋଗ କଲେଣି ଯେ ଅମଲାତନ୍ତ୍ର ଉପରେ ଅଧିକ ଭରସା ରଖିବା କାରଣରୁ ଏଭଳି ବିପର୍ଯ୍ୟୟ ଘଟିଲା ।

ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ପ୍ରମୁଖ ସଚିବ ପ୍ୟାରୀ ମହାପାତ୍ରଙ୍କ ବିରୋଧରେ ମଧ୍ୟ ଏଭଳି ଅଭିଯୋଗ ଜନତା ଦଳ ଭିତରୁ ଉଠିବାରୁ ତାଙ୍କୁ ହଟାଇ ଦିଆଯାଇଥିଲା ।

ଆଦର୍ଶ ପୁରୁଷ ବିଜୁଙ୍କ ଏହି ଫର୍ମୁଲା ଗ୍ରହଣ କରିବେ କି ନବୀନ?

ନବୀନ ବିରୋଧୀ ଦଳ ନେତା ଆସନରେ ବସିପାରିବେ କି? ମୁଖ୍ୟମନ୍ତ୍ରୀ ଭାବେ ଯେଉଁ ନେତା ବିଧାନସଭାରେ ଅଧଘଂଟାଏ ବି ବସିପାରୁନାହାନ୍ତି, ସେହି ନେତା ବିରୋଧୀ ଦଳ ଆସନରେ ବସିବା ସମ୍ଭବ ନୁହେଁ । ସେହି ଅବସ୍ଥା ଆସିବା ପୂର୍ବରୁ ତାଙ୍କୁ କିଛି କଠୋର ପଦକ୍ଷେପ ନେବାକୁ ପଡ଼ିବ ।