ଜଣେ ରାଣୀ ଥିଲେ: ଗାଙ୍ଗପୁରର ରିଜେଣ୍ଟ ରାଣୀ- ରାଜମାତା ଜାନକୀରତ୍ନା ୟମାର୍ଜୀ

0
94
Rani Janakirathnayamarjee with English Officials at Gangpur Palace.

janakirathna

ପ୍ରକୃତ ଘର ତାଙ୍କର ୱାଲଟେୟର। ସେତେବେଳେ ଏହା ମାନ୍ଦ୍ରାଜ୍‌ ପ୍ରଦେଶରେ ଆସୁଥିଲା। ପୁଣି ୱାଲ‍୍‌ଟେୟର ଥିଲା ବିଶାଖାପାଟଣମ‍୍‌ ଜିଲା କୁରୁପମ‍୍‌ ଜମିଦାରଙ୍କ ସଦର ମହକୁମା। ଜନକୀ ରତ୍ନା ୟମାର୍ଜୀ ହେଉଛନ୍ତି କୁରୁପମ‍୍‌ ଜମିଦାରଙ୍କ କନ୍ୟା। ୱଲ‍୍‌ଟେୟରରେ ସ୍କୁଲ‍୍‌ଶିକ୍ଷା ଶେଷ କରି ସେ ରାଜସ୍ଥାନ ମେୟୋ କଲେଜରେ ପାଠ ପଢ଼ା ଶେଷ କରିଥିଲେ। ଜଣେ ବୁଦ୍ଧିମତୀ, ଶିକ୍ଷିତ ଏବଂ ଚାଲାକ ଝିଅ ଭାବରେ ଜଣାଶୁଣା ଜାନକୀରତ୍ନା ଗାଙ୍ଗପୁର ଯୁବରାଜ ଭବାନୀଶଙ୍କର ଶେଖର ଦେଓଙ୍କୁ ବିବାହ କଲାପରେ ପାଲଟିଗଲେ ଗାଙ୍ଗପୁରର ଯୁବରାଣୀ। ଆଉ ଯୁବାବସ୍ଥାରେ ଭବାନୀଙ୍କ ମୃତ୍ୟୁ ହେବାରୁ ସେ ପାଲଟିଥିଲେ ଗାଙ୍ଗପୁରର ରିଜେଣ୍ଟ ରାଣୀସହିବା। ୨୦ ଡିସେମ୍ୱର ୧୯୩୫ରୁ ନଭେମ୍ୱର୨୭ ୧୯୪୪ ଯାଏଁ ସେ ବ୍ରିଟିଶ‍୍‌ ଭାରତ ପାଇଁ ଗାଙ୍ଗପୁରର ପ୍ରତିନିଧିତ୍ୱ କରିଥିଲେ।

ଉଚ୍ଚଶିକ୍ଷା ଲାଭ କରିବା ସେତେବେଳେ ଗାଙ୍ଗପୁର ପାଇଁ ଏକ ସୌଭାଗ୍ୟଥିଲା। ଏମିତିକି ମହାରାଜା ମଧ୍ୟ ଆଧୁନିକ ଶିକ୍ଷା ବ୍ୟବସ୍ଥାଠାରୁ ଦୂରରେ ଥିବାରୁ ଇଂଲିଶ‍୍‌ ଅଧିକାରୀଙ୍କ ସହ କଥାବାର୍ତ୍ତା ହେବାରେ କଷ୍ଟ ଅନୁଭବ କରୁଥିଲେ। ପରମ୍ପରା ଓ ବିଶ୍ୱାସରେ ମହାରାଜା ରଘୁନାଥ ଶେଖର ଦେଓ ୧୮ତମ ଶାସକ ଭାବେ ଗାଙ୍ଗପୁରରେ ଶାସନ ସିନା କରୁଥିଲେ କିନ୍ତୁ ଇଂଲିଶ‍୍‌ ଅଧିକାରୀଙ୍କ ବିଶ୍ୱସନୀୟ ହୋଇପାରୁ ନଥିଲେ। ଏମିତିକି ନିଜ ଶାସନରେ ତ୍ରୁଟିଥିବା ଦର୍ଶାଇ ବ୍ରିଟିଶ‍୍‌ ଅଧିକାରୀମାନେ ରଘୁନାଥଙ୍କୁ ଜେଲ‍୍‌ ବି ପଠାଇଥିଲେ। ମହାରାଜା ନିଜେ ଜେଲ‍୍‌ ଯିବା ରାଜ୍ୟରେ ସେତେବେଳେ ଗୁଞ୍ଜରଣ ସୃଷ୍ଟି କରିଥିଲା। ହେଲେ ଅନୁଭବୀ ଶାସକ ଭାବେ ମହାରାଜା ଚାହିଁଥିଲେ ନିଜ ପରବର୍ତ୍ତୀ ପିଢ଼ିଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବାଲାଗି। ଏଣୁ ନିଜ ପୁତୁରା ତଥା ରାଜ୍ୟର ଉତ୍ତରାଧିକାରୀ ଭବାନୀଶଙ୍କର ଶେଖର ଦେଓଙ୍କୁ ସେ ସେତେବେଳେ ଉଚ୍ଚଶିକ୍ଷା ପାଇଁ ବାହାରକୁ ପଠାଇଲେ। ସେତେବେଳେ ଭାରତର ରାଜପୁତ୍ରଙ୍କ ଶିକ୍ଷା ପାଇଁ ବେଶ‍୍‌ ନାଁ କରିଥିଲା ରାଜସ୍ଥାନର ମେୟୋ କଲେଜ୍‌। ଏକମାତ୍ର କଲେଜ୍‌ ଭାବେ ସେତେବେଳେ ଏହାର ଖ୍ୟାତି ବହୁତ ଥିଲା। ଯୁବ ସୁଲଭ ଭବାନୀଶଙ୍କର ସେତେବେଳେ ପ୍ରେମରେ ପଡ଼ିଲେ ଜାନକୀରତ୍ନାଙ୍କର। ଏକା ଶ୍ରେଣୀରେ ପଢ଼ୁଥିବାରୁ ଦୁହିଁଙ୍କ ପ୍ରେମ ବ୍ୟାପାର ମଧ୍ୟ ନିବିଡ଼ ହେଲା। ଆଉ ପରେ ବିବାହ ବନ୍ଧନରେ ଆବଦ୍ଧ ହେଲେ।
ସେତେବେଳେ ଲେଖା ହୋଇଥିବା ବିଭିନ୍ନ ପୁସ୍ତକ ତଥା ଗାଙ୍ଗପୁରର ପୁରୁଣା ଲୋକମାନେ କହନ୍ତି ରାଣୀ ଜାନକୀରତ୍ନା କୁଆଡେ଼ ଭବାନୀଶଙ୍କରଙ୍କୁ ବେଶ‍୍‌ ଭଲ ପାଉଥିଲେ। ଭବାନୀଶଙ୍କର କମ‍୍‌ ବୟସରେ ରାଜଗାଦି ହାସଲକଲେ, ପାଖାପାଖି ୧୯ ବର୍ଷ ବୟସରେ। ଚପଳାମୀ ଓ ଯୁବ ସୁଲଭତାରେ ସେ ଅନେକ ଭୁଲ ନିଷ୍ପତ୍ତି ନେଉଥିଲେ। ପରେ ସେଗୁଡ଼ିକୁ ଠିକ୍ କରିବାଲାଗି ମଧ୍ୟ ଚେଷ୍ଟା କରୁଥିଲେ। କେତେବେଳେ କାହାକୁ ଦଣ୍ଡ ଦେଉଥିଲେ ତ କାହାକୁ ଦଣ୍ଡରୁ ବାଦ‍୍‌ ଦେଉଥିଲେ। ନିଷ୍ୱତ୍ତି ନେବାରେ ଏମିତି ପାଗଳାମୀ ଯୋଗୁ ତାଙ୍କୁ କେହି କେହି ମୋଗଲ ବାଦ‍୍‌ଶାହ ମହମ୍ମଦ‍୍‌ ବିନ‍୍‌ ତୁଘଲକ୍ଙ୍କ ସହ ତୁଳନା କରୁଥିଲେ। ହେଲେ ସେ ଯେ ପ୍ରଜାନୁରାଗୀଥିଲେ ଏହା ନିଃସନ୍ଦେହ। କିନ୍ତୁ ବିଧି କିଛି ଅଲଗା ଚାହୁଥିଲା। ଗାଙ୍ଗପୁରକୁ ଜଣେ ମହିଳା ଶାସକଙ୍କ ହାତରେ ଦେଖିବାକୁ ଚାହୁଥିଲା। ବୋଧହୁଏ ସେଇଥିପାଇଁ ଭବାନୀଶଙ୍କରଙ୍କ ମୃତ୍ୟୁଘଟିଲା। ମାତ୍ର ୩୦ ବର୍ଷ ବୟସରେ। କୁନିକୁନି ଦୁଇ ପୁଅ ସେତେବେଳେ ଶାସନ ଗାଦିରେ ବସିବାକୁ ଯୋଗ୍ୟ ନଥିଲେ। ଯଦିଓ ପରପରା ଅନୁସାରେ ରାଜପୁତ୍ର ବୀରମିତ୍ର ପ୍ରତାପଙ୍କୁ ୧୦ ବର୍ଷ ବୟସରେ ରାଜା ବୋଲି ଘୋଷଣା କରାଗଲା କିନ୍ତୁ ଶାସନ କ୍ଷମତା ଦିଆଗଲା ନାହିଁ। ବ୍ରିଟିଶ‍୍‌ ଶାସକମାନେ ଶାସନ ଅକ୍ତିଆର କଲେ। କୋର୍ଟରେ ମାମଲା ଚାଲିଲା। ପୁରୀରେ ଯେମିତି ଗଜପତି ବୀରକିଶୋର ଦେବଙ୍କ ମୃତ୍ୟୁ ପରେ ହୋଇଥିଲା ଠିକ୍ ସେମିତି। ପରେ ୫ବର୍ଷ ମାମଲା ଚାଲିଲା ପରେ ରାଣୀ ଜାନକୀରତ୍ନାଙ୍କୁ ଡିକ୍ରୀ ମିଳିଲା। ଆଉ ସେ ରିଜେଣ୍ଟ ରାଣୀସାହିବା ଭାବେ ଡିସେମ୍ୱର୧୨ ତାରିଖରେ କ୍ଷମତା ପାଇଲେ। ସମସ୍ତ କ୍ଷମତା ପାଇଲା ବେଳକୁ ଆହୁରି ବର୍ଷେ ଲାଗିଲା। ନଭେମ୍ୱ ୧ ତାରିଖ ୧୯୩୬ ମସିହାରେ ରାଜମାତା ଜନକୀରତ୍ନାଙ୍କ ହାତରେ ସମସ୍ତ ଦାୟିତ୍ୱ ନ୍ୟସ୍ତ ହେଲା।

ଉଚ୍ଚଶିକ୍ଷା ଓ ଜ୍ଞାନ ଗାରିମା ତାଙ୍କୁ ପରବର୍ତ୍ତୀ ସମୟରେ ଗାଙ୍ଗପୁର ଶାସନ ପରିଚାଳନାରେ ସହାୟକ ହୋଇଥିଲା। ରିଜେଣ୍ଟ ଶାସକ ଭାବେ ସେ ଗାଙ୍ଗପୁରରେ ବେଶ‌୍‍ ଆଦୃତ ମଧ୍ୟ ହୋଇଥିଲେ। ତାଙ୍କରି ସମୟରେ ରାଜ୍ୟରେ ଆୟ ବୃଦ୍ଧି ହୋଇଥିଲା। ବିଭିନ୍ନ ସ୍ଥାନରେ ଦକ୍ଷ ଅଧିାକରୀଙ୍କୁ ନିଯୁକ୍ତି କରିବା ଦ୍ୱରାା ଶାସନକାର୍ଯ୍ୟ ସୁରୁଖୁରୁ ହୋଇପାରିଥିଲା। ଅନେକ ଲୋକ ହିତକର କାର୍ଯ୍ୟ ମଧ୍ୟ ସମ୍ପାଦିତ ହୋଇଥିଲା। ଆଧୁନିକଧରଣର ଚିକିତ୍ସାଳୟ ତାଙ୍କରି ଶାସନକାଳରେ ସୃଷ୍ଟି ହୋଇଥିଲା। ଏବେ ଏହା ସୁନ୍ଦରଗଡ଼ ଜିଲା ହସ‍୍‌ପିଟାଲ‍୍‌ ଭାବେ ପରିଚିତ। ତାଛଡ଼ା ସରକାରୀ କାର୍ଯ୍ୟ ପରିଚାଳନା ପାଇଁ ସେ ଗାଙ୍ଗପୁର ରାଜ୍ୟରେ ଅନେକ କୋଠାଘର ତିଆରି କରିଥିଲେ। ଭବାନୀ ଶଙ୍କରଙ୍କ ନାଁରେ ସ୍କୁଲ ଘର ତିଆରି କରିଥିଲେ ଯାହା ଆଜି ବି ଗାଙ୍ଗପୁରରେ ଏକ ଗୁରୁତ୍ୱପୂର୍ଣ୍ଣସ୍ଥାନ ଗ୍ରହଣ କରୁଛି। ଲୋକଙ୍କ ସର୍ବନିମ୍ନ ସୁବିଧା ପାଇଁ ରାଜଧାନୀରେ ବିଜୁଳି ଓ ପାଣିର ବ୍ୟବସ୍ଥା ସେ କରିଥିଲେ। ଯେଉଁ କଲେକ୍ଟୋରେଟ‍୍‌ ଏବେ ସୁନ୍ଦରଗଡ଼ ଜିଲାର ମୁଖ୍ୟ ଆକର୍ଷଣ ରହିଛି ତାହା ତାଙ୍କରି ଅବଦାନ ବୋଲି କୁହାଯାଏ। ଏହାକୁ ସୁନ୍ଦର ଭାବେ ତିଆରି ପାଇଁ ସେ ଉଦ୍ୟମ କରିଥିଲେ। ତାଙ୍କରି ସମୟରେ ରାଜ ଶାସନରେ ପ୍ରଜାଙ୍କ ଭାଗୀଦାରୀକୁ ବଢ଼ାଇବା ପାଇଁ ଏକ ଶାସନ ପରିଷଦ ଗଠନ କରାଯାଇଥିଲା। ଅବଶ୍ୟ ଏହା ସେତେବେଳେ ବ୍ରିଟିଶ‍୍‌ ଶାସନ ପାଇଁ ଆବଶ୍ୟକତା ଥିଲା। ବଢ଼ୁଥିବା ପ୍ରଜାଅସନ୍ତୋଷକୁ ରୋକିବା ଲାଗି ଏହା ଏକ ଉଦ୍ୟମ ଥିଲା। ୧୯୪୪ ଅକ୍ଟୋବର ୧୦ ତାରିଖରେ ଏହି ପାରିଷଦ ସଭା ତିଆରି କରାଯାଇଥିଲା। ଗାଙ୍ଗପୁର ଯେ ଏକ ପ୍ରଜାଭିମୁଖୀ ରାଜ୍ୟ ତାହାର ପ୍ରମାଣ ଦେବା ଏହାର ଉଦ୍ଦେଶ୍ୟ ଥିଲା। ଏଥିରେ ରାଣୀ ଜାନକୀ ରତ୍ନା ସଭା ନେତ୍ରୀ ରହିଥିଲେ। ଆଉ ଦିୱାନ ଥିଲେ ଉପସଭାପତି। ରାଜ ନଅରକୁ ଲାଗି କରି ଏହି ପରିଷଦ ରହିଥିଲା। ଏବେ ତାହା ଆଉ ରାଜ ପରିବାର ସମ୍ପତ୍ତି ହୋଇ ନାହିଁ।
ଶାସନ କାର୍ଯ୍ୟର ବିକେନ୍ଦ୍ରୀ କରଣ ପାଇଁ ଜାନକୀରତ୍ନା ସେତେବେଳେ ବିଭିନ୍ନ ବିଭାଗ ଗଠନ କରାଯାଇଥିଲା। ପୂର୍ତ୍ତ ବିଭାଗ ତିଆରି କରି ଜଣେ ଇଞ୍ଜିନିୟରଙ୍କୁ ଏହା ଦାୟିତ୍ୱରେ ରଖାଯଇିଥିଲା। ସେ ବିଭିନ୍ନ ନିର୍ମଣ କାର୍ଯ୍ୟର ପରିଚାଳନା କରୁଥିଲେ। ସେହିପରି ତହସିଲଦାର, ନାଏବ ତହସିଲଦାର, ପ୍ରଥମ ଶ୍ରେଣୀ, ଦ୍ୱିତୀୟଶ୍ରେଣୀ ମାଜିଷ୍ଟ୍ରେଟ‌୍‍ ପଦବୀ ମଧ୍ୟ ସୃଷ୍ଟି କରାଯାଇଥିଲା।
ସେତେବେଳେ ରାଜା ଭବାନୀ ଶଙ୍କର ହାଇସ୍କୁଲ ଏକ ମଧ୍ୟ ଇଂରାଜୀ ସ୍କୁଲ ଭାବେ ପରିଚିତ ଥିଲା। ଏହାବାଦ‌୍‍ ଏ ରାଜ୍ୟରେ ୭ଟି ୟୁପି ସ୍କୁଲ ଏବଂ ୧୯ଟି ଲୋୟର ପ୍ରାଇମେରୀ ସ୍କୁଲ ମଧ୍ୟ ଖୋଲାଯାଇଥିଲା। ଏହାଛଡ଼ା ବ୍ରିଟିଶ‌୍‍ ସାମ୍ରାଜ୍ୟରୁ ଶିକ୍ଷା , ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆସୁଥିବା ପାଣ୍ଠିକୁ ମଧ୍ୟ ଏଠାରେ ଉପଯୋଗ କରାଯାଉଥିଲା। ‘ଳରେ ବିଭିନ୍ନ ପ୍ରକାରର ଭିତ୍ତିଭୂମି ସୃଷ୍ଟି ହୋଇପାରିଥିଲା। ପୋଲିସ‌୍‍ ସେବା, ଜେଲ‌୍‍ ବ୍ୟବସ୍ଥା ସବୁ କିଛି ଏଠାରେ ସୃଷ୍ଟି ହୋଇପାରିଥିଲା। ଇଂରେଜ ପ୍ରଶାସକମାନେ ରାଣୀଙ୍କ ଏହି ପଦକ୍ଷେପରେ ବେଶ‌୍‍ ପ୍ରସନ୍ନ ହୋଇଥିଲେ। ୧୯୪୫ରେ ତାଙ୍କୁ ସମ୍ମାନଜନକ ସିଇବି ଉପାଧି ମଧ୍ୟ ଦେଇଥିଲେ।
ଏହାପୂର୍ବରୁ ରାଣୀ ଜାନକୀରତ୍ନା ବ୍ରିଟିଶ‌୍‍ ପ୍ରଶାସକମାନଙ୍କ ସହ ସମ୍ପର୍କ ବଢ଼ାଇବା ପାଇଁ ଦ୍ୱିତୀୟବିଶ୍ୱଯୁଦ୍ଧ ସମୟରେ ଢେର ସହାୟତା ଦେଇଥିଲେ। ଯାହାକି ବ୍ରିଟିଶ‌୍‍ ସାମ୍ରାଜ୍ୟ ସହ ଗାଙ୍ଗପୁରର ସମ୍ପର୍କକୁ ମଜଭୂତ କରିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ‌୍‍ ସେନାବାହିନୀକୁ ସହାୟତା ଦେବାକୁ ଯାଇ ପାଖାପାଖି ୨୦ହଜାର ଟଙ୍କା ଗାଙ୍ଗପୁର ପକ୍ଷରୁ ଇମ୍ପେରିଆଲ‌୍‍ ରିଲିଫ‌୍‍ ଫଣ୍ଡ୍କୁ ଦାନ କରାଯାଇଥିଲା। ୱାର ବଣ୍ଡ କିଣି ଇଂରେଜମାନଙ୍କ ହାତ ମୁଠାକୁ ଶକ୍ତ କରିଥିଲେ। ଏଠାରୁ ସାଧାରଣ ଲୋକେ ଯାଇ ଫ୍ରାନ୍ସରେ ଇଂରେଜ ସେନାଙ୍କୁ ସହାୟତା କରିଥିଲେ।
ନିଜର ଶାସନ କାଳରେ ରାଜମାତା ଅନେକ ଦୁଃଖ ମଧ୍ୟ ପାଇଛନ୍ତି। ବଡ଼ ପୁଅବୀରମିତ୍ରଙ୍କୁ ଶାସନ କ୍ଷମତା ଦେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଲଣ୍ଡନରେ ବୀରମିତ୍ରଙ୍କ ମୃତ୍ୟୁ ଘଟିଲା। ସେ ନିମୋନିଆରେ ଆକ୍ରାନ୍ତ ଥିଲେ। ପାଠ ପଢ଼ିବା ଲାଗି ସେ ଲଣ୍ଡନଗସ୍ତ କରିଥିଲେ। ଦୀର୍ଘଦିନ ଜଳପଥରେ ଯାତ୍ରା କରିବା ଦ୍ୱାରା ତାଙ୍କ ଦେହ ଅଧିକ ଖରାପ ହୋଇଥିଲା। ଏଣୁ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା ସାନପୁଅର ସାବାଳକ ପ୍ରାପ୍ତ ବୟସକୁ। ନଭେମ୍ୱର୨୭ ୧୯୪୪ରେ ଯେତେବେଳେ ସାନପୁଅ ବୀର ଉଦିତ ପ୍ରତାପ ଶେଖରଦେଓ ସାବାଳକତ୍ୱ ହାସଲ କରିଥିଲେ ସେ ତାଙ୍କୁ ରାଜସଭାରେ ଶାସନ ଦାୟିତ୍ୱ ହସ୍ତାନ୍ତର କରିଥିଲେ।

 

ହରିହର ପଣ୍ଡା ,ଏମ‍୍‌ଆଇଜି, ୫୧, ଅନନ୍ତ ବିହାର ପୋଖରୀପୁଟ
ଭୁବନେଶ୍ୱର-୨୦
————-

 

Loading...