ଚିନ୍ତାରେ ମୟୂରଭଞ୍ଜ ଜିଲ୍ଲାପାଳ ପାଟିଲ‍୍‌!

0
22

ବାରିପଦା,(ଓଟି): ମୟୂରଭଞ୍ଜ ଜିଲ୍ଲାପରିଷଦ ନିର୍ବାଚନ ଫଳାଫଳ ରାଜନୈତିକ ଦୃଷ୍ଟିରୁ ବିଜେଡ଼ିକୁ ଶକ୍ତ ଧକ୍କା  ଦେଇଛି। ଜିଲ୍ଲାର ସମସ୍ତ ବିଧାୟକ ବିଜେଡ଼ିର । ସୁଦାମ ମନ୍ତ୍ରୀ ଓ ସାନନ୍ଦ ଉପବାଚସ୍ପତି, ସରୋଜିନୀ ରାଜ୍ୟସଭା ସାଂସଦ ଥିବାବେଳେ ବିଜେଡ଼ି ଜିଲ୍ଲା ପରିଷଦ ନିର୍ବାଚନରେ ଦୁଇ ଅଙ୍କ ଛୁଇଁ ପାରିଲା ନାହିଁ।

ମୟୂରଭଞ୍ଜର ମତଦାତାମାନଙ୍କୁ ଅଭିନେତାମାନଙ୍କର ପ୍ରଚାର କାଟୁ କଲା ନାହିଁ। ବ୍ୟୟବହୁଳ ନିର୍ବାଚନ ପ୍ରଚାର ମଧ୍ୟ ବିଜେଡ଼ିକୁ ସଫଳତା ଦେଇପାରିଲା ନାହିଁ। ୫୬ଟି ଜିଲ୍ଲାପରିଷଦ ଆସନ ମଧ୍ୟରୁ ବିଜେଡ଼ି ମାତ୍ର ୫ଟି ଆସନ ପାଇବା ଚର୍ଚ୍ଚାର ବିଷୟ ହୋଇଛି।

ଅପର ପକ୍ଷରେ ୨୦୧୨ ମସିହା ନିର୍ବାଚନରେ ଗୋଟିଏ ମାତ୍ର ଆସନ ପାଇଥିବା ବିଜେପି ଚଳିତ ନିର୍ବାଚନରେ ୪୯ଟି ଆସନ ଦଖଲ କରି ବଡ଼ ସଫଳତା ହାସଲ କରିଛି। ଆଗାମୀ ୨୦୧୯ ମସିହା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏହା ବିଜେଡ଼ିକୁ ସତର୍କ ଘଣ୍ଟି ଦେଇଛି। ଜିଲ୍ଲାରେ ବାସ୍ତବ ଚିତ୍ର ଭିନ୍ନ ଥିବାବେଳେ ଚଞ୍ଚକତା କରି ମିଥ୍ୟା ସରକାରୀ ସଫଳତା ରିପୋର୍ଟ ଦେଖାଇ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ପୁରସ୍କାର ପାଇବା ବିଜେଡ଼ିକୁ ମହଙ୍ଗା ପଡ଼ିଲା। ୪ ବର୍ଷ ୮ମାସ ଧରି ଜିଲ୍ଲାପାଳ ଭାବେ କାଯ୍ର୍ୟ କରି ପାଟିଲ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛନ୍ତି।

ବାରମ୍ୱାର ପାଟିଲ ଶ୍ରେଷ୍ଠ ଜିଲ୍ଲାପାଳ ପୁରସ୍କାର ପାଇଥିବାବେଳେ ଆଦିବାସୀ ବହୁଳ ମୟୂରଭଞ୍ଜ ପଛୁଆ ଜିଲ୍ଲା ହୋଇ ରହିବା ବିଡମ୍ୱନାର ବିଷୟ ହୋଇଛି। ଜିଲ୍ଲାପାଳ ପାଟିଲ ବିଜେଡ଼ିର ଜିଲ୍ଲା ସଭାପତି ବୋଲି ଖୋଲା ଆଲୋଚନାର ବିଷୟ ହୋଇଛି। ସମସ୍ତ ବିରୋଧୀ ଦଳ ବିଭିନ୍ନ ସଭାରେ ଜିଲ୍ଲାପାଳ ପାଟିଲ ବିଜେଡ଼ି ପାଇଁ କାର୍ଯ୍ୟ କରୁଥିବା ଖୋଲା ମନ୍ତବ୍ୟ ଦେଇଥାନ୍ତି।

ମୟୂରଭଞ୍ଜ ଜିଲ୍ଲା ଇତିହାସରେ ଜଣେ ଜିଲ୍ଲାପାଳଙ୍କୁ ଶାସକ ଦଳର ଜିଲ୍ଲା ସଭାପତି ଆଖ୍ୟା ମିଳିବା ପ୍ରଥମ ଘଟଣା। ବାସ୍ତବରେ ବିଜେଡ଼ି ଜିଲ୍ଲା ସଭାପତି ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କର ଦଳୀୟ ସଂଗଠନରେ କୌଣସି ଭୂମିକା ନାହିଁ। ଲକ୍ଷ୍ମଣ ଅସହାୟ ଓ ଅଚଳ।

ଜିଲ୍ଲାପରିଷଦ ନିର୍ବାଚନ ଫଳାଫଳ ବିଜେଡ଼ିକୁ ଯେତିକି ଧକ୍କା  ଦେଇଛି ତାଠାରୁ ଅଧିକ ଶକ୍ତ ଧକ୍କା  ପାଇଛନ୍ତି ଜିଲ୍ଲାପାଳ ପାଟିଲ। ମୟୂରଭଞ୍ଜ ଜିଲ୍ଲାପରିଷଦ ବିଜେଡ଼ି ନିଶ୍ଚିତ ଗଠନ କରିବ ବୋଲି ଜିଲ୍ଲାପାଳ ପାଟିଲ ତୃତୀୟ ମହଲାକୁ ସମ୍ପୂର୍ଣ୍ଣ ଭରସା ଦେଇଥିଲେ। ଏହା ବିଜେଡ଼ି ନେତାଙ୍କ ମଧ୍ୟରେ ଖୋଲା ଆଲୋଚନାର ବିଷୟ ହୋଇଛି।

୨୦୧୨ ମସିହାରୁ ୫ ବର୍ଷ ଧରି ବିଜେଡ଼ି ଜିଲା ପରିଷଦ ରହିଥିଲା। ଜିଲା ପରିଷଦରେ ବିରୋଧୀ ଦଳ ପ୍ରତ୍ୟାବର୍ତ୍ତନ ରହିଥିଲା। ବିଜେପିର ଜଣେ, କଂଗ୍ରେସର ୨ଜଣ ଓ ଝାମୁମୋର ୪ଜଣ ସଦସ୍ୟ ଥିଲେ। ୫ ବର୍ଷ କାର୍ଯ୍ୟକାଳ ମଧ୍ୟରୁ ୪ବର୍ଷ ୮ ମାସ ଧରି ଜିଲ୍ଲାପାଳ ପାଟିଲ ନିଜ ନିୟନ୍ତ୍ରଣରେ ରଖିଥିଲେ ଜିଲ୍ଲାପରିଷଦକୁ।

ଜିଲା ପରିଷଦ ସଭାପତିଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଓ ସମ୍ୱିଧାନିକ କ୍ଷମତା ଦିଆଯାଇଥିଲେ ମଧ୍ୟ ଜିଲାପରିଷଦ ସଭାପତି ବଜେଡ଼ିର ପ୍ରକାଶ ସୋରେନ‍୍‌ଙ୍କୁ ଅସହାୟ ଓ ପ୍ରଭାବ ଶୂନ୍ୟ କରି ରଖିଥିଲେ ଜିଲ୍ଲାପାଳ ପାଟିଲ। ଜିଲ୍ଲାପରିଷଦ ବୈଠକ ସଭାପତି ଭାବେ ପ୍ରକାଶ ସୋରେନ ଅଧ୍ୟକ୍ଷତା କରିବାର ନିୟମ ରହିଥିଲେ ମଧ୍ୟ ବୈଠକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜିଲ୍ଲାପାଳ ପାଟିଲ ଅଧ୍ୟକ୍ଷତା କରିଥାନ୍ତି। ବୈଠକରେ ଜିଲ୍ଲାପରିଷଦ ସଭାପତି ପ୍ରକାଶ ସୋରେନ‍୍‌ ନୀରବରେ ବସିଥାନ୍ତି।

ବୈଠକରେ ସଦସ୍ୟମାନେ ବିଭିନ୍ନ ବିଭାଗର ବିଫଳତା ଓ ଦୁର୍ନୀତି ସମ୍ପର୍କରେ ପ୍ରଶ୍ନ କରିଲେ ଚତୁରତାର ସହିତ ଜିଲ୍ଲାପାଳ ପାଟିଲ ତାହା ଏଡ଼ାଇ ଦିଅନ୍ତି। ଜିଲ୍ଲାରେ ମନରେଗା, କେନ୍ଦ୍ର ସରକାରଙ୍କ ପଛୁଆ ଅଞ୍ଚଳ ବିକାଶ ପାଣ୍ଠି ବିନିଯୋଗରେ ମହାଦୁର୍ନୀତି ହୋଇଛି। ଫଳ ଚାଷ, ରବର ଚାଷ, ହାଇବ୍ରିଡ ମକା ଚାଷ, ମୃତ୍ତିକା ସଂରକ୍ଷଣ କାର୍ଯ୍ୟକ୍ରମ, ସର୍ବଶିକ୍ଷା ଅଭିଯାନରେ ମହାଦୁର୍ନୀତି ହୋଇଛି।

ଆସନ୍ତା ୧୨ ତାରିଖ ଦିନ ଜିଲ୍ଲା ପରିଷଦର ବିଜେପି ସଦସ୍ୟ ଅଧ୍ୟକ୍ଷା ହେବେ। ୫୬ଟି ଆସନରୁ ୪୯ଟି ଆସନ ବିଜେପି ଦଖଲ କରିଥିବାରୁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ନାହିଁ। ବିଜେପି ପକ୍ଷରୁ ମନୋନୀତ ସଦସ୍ୟା ଔପଚାରିକ ଭାବେ ଜିଲ୍ଲାପରିଷଦର ଅଧ୍ୟକ୍ଷା ହେବେ।

୪ବର୍ଷ ୮ମାସ ଧରି ବିଜଦ ଜିଲ୍ଲାପରିଷଦକୁ ନିଜ ନିୟନ୍ତ୍ରଣରେ ରଖିଥିବା ଜିଲାପାଳ ପାଟିଲ ବିଜେପି ଜିଲ୍ଲାପରିଷଦକୁ ନିଜ ନିୟନ୍ତ୍ରଣ ରଖିପାରିବେ ନାହିଁ ବୋଲି ଭଲ ଭାବେ ଜାଣିଛନ୍ତି। ବିଜେପି ଜିଲ୍ଲାପରିଷଦ ୫ବର୍ଷ ମଧ୍ୟରେ ଜିଲ୍ଲାରେ ହୋଇଥିବା ମହାଦୁର୍ନୀତିର ସ୍ୱତନ୍ତ୍ର ତଦନ୍ତ କରିବେ ବୋଲି ସୂଚନା ମିଳିଛି।

ବିଜେପି ଜିଲ୍ଲାପରିଷଦ ଏପରି ସ୍ୱତନ୍ତ୍ର ତଦନ୍ତ କଲେ ଅଧିକ ଅସୁବିଧାର ସମ୍ମୁଖିନ ହେବେ ଜିଲପାଳ ପାଟିଲ। ବିଜେପି ଜିଲ୍ଲାପରିଷଦକୁ ଜିଲ୍ଲାପାଳ ପାଟିଲ ଭୟ କରି ବିଚଳିତ ଥିବା ଜଣାପଡ଼ିଛି। ଜିଲ୍ଲାପରିଷଦର ବିଜେପି ଜିଲ୍ଲା ସଭାପତି ଆସନ୍ତା ୧୨ ତାରିଖ ଦିନ ହେବା ପରେ ଜିଲାପାଳ ପାଟିଲ ମୟୂରଭଞ୍ଜରୁ କିପରି ସସମ୍ମାନେ ବିଦା ହେବେ ସେହି ଚିନ୍ତାରେ ଅଛନ୍ତି ।