ଗଡ଼ଜାତରେ ଜଗନ୍ନାଥ : ଗାଙ୍ଗପୁରରେ ଶ୍ରୀ ଜଗନ୍ନାଥ

0
294
advertisement

ଓଡ଼ିଶା ଗଡ଼ଜାତ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରେ ଗାଙ୍ଗପୁର ଅଥବା ବର୍ତ୍ତମାନର ସୁନ୍ଦରଗଡ଼। କୁହାଯାଏ ଆର୍ଯ୍ୟମାନେ ଓଡ଼ିଶାକୁ ଏହି ଦିଗ ଦେଇ ପ୍ରବେଶ କରିଥିଲେ। ପୁଣି ଇତିହାସ ପୃଷ୍ଠାରେ ଇବ‌୍‍ ନଦୀ ଉପତ୍ୟାକାରେ ଥିବା ଏହି ରାଜ୍ୟ କଳାଚୁରୀ, ଚୌହାନ‌୍‍, କେଶରୀ ତଥା ଗଙ୍ଗ ବଂଶ ଶାସନରେ ଏକ ପ୍ରମୁଖ ଅଂଶ ବିଶେଷ ଥିଲା। ହେଲେ ଜଗନ୍ନାଥ ପୂଜାର୍ଚ୍ଚନା ଏଠାରେ ବେଶ‌୍‍ ପରେ ଆରମ୍ଭ ହୋଇଛି। ଯାହାକି ଇଂରେଜ ଶାସନର ପାଖାପାଖି ୧୦୦ ବର୍ଷ ପରେ ବୋଲି ଅନୁମାନ କରାଯାଏ। ବିଶ୍ୱାସ କରାଯାଏ ଗଡ଼ଜାତ ରାଜାମାନଙ୍କ ଦ୍ୱାରା ନିର୍ମିତ ଜଗନ୍ନାଥ ମନ୍ଦିର ଗୁଡ଼ିକ ଭିତରେ ଏହି ମନ୍ଦିର ହେଉଛି ସର୍ବ ଶେଷ।

SONY DSC
ସୁନ୍ଦରଗଡ଼ ଜଗନ୍ନାଥ

ଏଗାରଶ’ ଶତାବ୍ଦୀର ଶେଷ ଭାଗ। ଉତ୍କଳରେ ଶାସନ କରୁଥାନ୍ତି ସୋମବଂଶୀ ରାଜା ଦ୍ୱିତୀୟ ଜନ୍ମେଜୟ କେଶରୀ। ତ୍ରିକଳିଙ୍ଗାଧିପତି ଆଉ କୋଶାଳାଧିପତି ବୋଲି କୁହାଯାଉଥିବା ଏ ରାଜବଂଶକୁ କିନ୍ତୁ ସେତେବେଳକୁ ଗଙ୍ଗ ଆଉ କଳାଚୁରୀ ରଜାମାନଙ୍କ ନଜର ଲାଗିଯାଇଥିଲା। ଅର୍ଥାତ‌୍‍ କେଶରୀ ଶାସନର ସୂର୍ଯ୍ୟ ଅସ୍ତ ହେବାକୁ ଆଉ ଅଳ୍ପ ଦିନ ବାକି ଥାଏ। ଏହି ସମୟରେ କଳାଚୁରୀ ରଜା ପୃଥ୍ୱୀଦେବ ଦ୍ୱିତୀୟ ଜନ୍ମେଜୟ କେଶରୀଙ୍କ ପରାସ୍ତ କରି ନିଜକୁ ସକଳ କୋଶାଳାଧିପତି ବୋଲି ଘୋଷଣା କଲେ। ଫଳରେ ଏବେର ପଶ୍ଚିମ ଓଡ଼ିଶାର ଗଡ଼ଜାତଗୁଡ଼ିକ କଳାଚୁରୀ ସାମ୍ରାଜ୍ୟର ଅଧୀନସ୍ଥ ହୋଇଥିଲା। ସେଠାରେ ଥିବା କେଶରୀ ବଂଶର କିଛି ମୁଖିଆ ସେମାନଙ୍କ ବଶତା ସ୍ୱୀକାର କରି କିଛି ଅଞ୍ଚଳରେ ନିଜ ଆଧିପତ୍ୟକୁ ରକ୍ଷା କରିବାରେ ସମର୍ଥ କରିଥିଲେ। ଆଉ ଅନେକ ସ୍ଥାନରେ ସେମାନଙ୍କ ପତନ ଘଟିଥିଲା। ଯେଉଁ କିଛି ସ୍ଥାନରେ ପୁରୁଣା କେଶରୀ ବଂଶ ନିଜର ଅସ୍ଥିତ୍ୱ ବଜାୟ ରଖିଥିଲେ ତା’ ଭିତରେ ମୁଣ୍ଡ ଟେକିଥିଲା ଗାଙ୍ଗପୁର ରାଜ୍ୟ। ଯାହା ଅଧୁନା ସୁନ୍ଦରଗଡ଼ ଜିଲା ଭାବେ ପରିଚିତ। ହେଲେ ଆଧୁନିକ ଇତିହାସରେ ଗାଙ୍ଗପୁରର ଗଡ଼ଜାତରେ ଶେଖର ରାଜ ବଂଶର ପ୍ରାଧାନ୍ୟ ଦେଖିବାକୁ ମିଳେ। ସେମାନଙ୍କ ସୃଷ୍ଟିରେ ଅନେକ ଲୋକ କଥା ରହିଛି। ଯାହାକୁ ଏଠାର ଆଲୋଚନା କରିବାର ପ୍ରୟୋଜନ ନାହିଁ। କିନ୍ତୁ ସେହି ରାଜ ବଂଶର ୧୮ତମ ରାଜା ଯାହାଙ୍କ ଅମଳରେ ଏରାଜ୍ୟରେ ଏକ ଅତ୍ୟାଧୁନିକ ଶାସନର ମୂଳଦୁଆ ପଡ଼ିଥିଲା ସେ ହେଉଛନ୍ତି ମହାରାଜା ରଘୁନାଥ ଶେଖର ଦେଓ। ଯଦିଓ ଶାସନର ପ୍ରାରମ୍ଭରେ ସେ ଜଣେ ସଂକୀର୍ଣ୍ଣମନା, କୁସଂସ୍କରୀ, ଅନ୍ଧ ବିଶ୍ୱସୀ ଶାସକ ଭାବେ ପରିଚିତ ହୋଇ ଇଂରେଜମାନଙ୍କ ଦ୍ୱାରା ଦଣ୍ଡିତ ହୋଇଥିଲେ କିନ୍ତୁ ଧୀରେ ଧୀରେ ସେ ଜଣେ ମାର୍ଜିତ ଶାସକର ପରିଚୟ ଦେଇଥିଲେ। ତାଙ୍କରି ସମୟରେ ଗାଙ୍ଗପୁରରେ ଜଗନ୍ନାଥ ପୂଜାର୍ଚ୍ଚନା ପାଇଁ ମୂଳଦୂଆ ପଡ଼ିଲା। ଏକ ସ୍ୱତନ୍ତ୍ର ମନ୍ଦିର ତିଆରି ହେଲା। ପାଖାପାଖି ୧୯୧୬ ମସିହାରେ। ସେତେବେଳେ ଏହି ମନ୍ଦିର ରାଜ ପ୍ରାସାଦର ଏକ ପ୍ରମୁଖ ଅଂଶ ବିଶେଷ ଥିଲା ଏବେ ଏହା ପ୍ରାସାଦ ବାହାରେ ରହିଛି। ସବୁ ବର୍ଗର ଲୋକଙ୍କୁ ଆକୃଷ୍ଟ କରି ଶକ୍ତି ପୂଜାର ପ୍ରାଧାନ୍ୟରେ ଥିବା ପଶ୍ଚିମ ଓଡ଼ିଶାରେ ଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହନ ଦେଉଛି।
୧୮୭୧ ମସିହାରେ ଜଣେ ସାବାଳକ ଶାସକଭାବେ ରାଜ୍ୟର ମଙ୍ଗ ଧରିବାର ୩ ବର୍ଷ ପରେ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ପଡ଼ିଲା। ତାଙ୍କ ରାଜ୍ୟରେ ଥିବା ବୈଷ୍ଣବ ଭକ୍ତମାନେ ପୁରୀ ଯାତ୍ରା କଲେ। ସେମାନଙ୍କଠାରୁ ଶ୍ରୀ ଜଗନ୍ନାଥଙ୍କ ମହିମା ସବୁ ଶୁଣି ବେଶ‌୍‍ ପ୍ରଭାବିତ ହେଲେ। ତାଙ୍କ କାନରେ ପଡ଼ୁଥାଏ। ଜଗତର ନାଥ ଜଗନ୍ନାଥଙ୍କ ମହିମା ପ୍ରତି ସେ ଆକୃଷ୍ଟ ହେଲେ। ଇବ‌୍‍ ନଦୀକୂଳରେ ରାମ‌୍‍ଜୀ ମଠଠାରେ ପୂଜା ପାଉଥିବା ରାମ ଲକ୍ଷ୍ମଣ ଓ ସୀତାଙ୍କ ମନ୍ଦିରରେ ଦାନ ଦେଇ ବୈଷ୍ଣବମାନଙ୍କ ପ୍ରିୟପାତ୍ର ହୋଇଥିଲେ। ଏହାର ୧୯ ବର୍ଷ ପରେ ପୁଣି ଶ୍ରୀକ୍ଷେତ୍ରରେ ନବକଳେବର ହେଲା। ଗଜପତିଙ୍କ ଅନୁରୋଧକ୍ରମେ ବିଭିନ୍ନ ଗଡ଼ଜାତର ରାଜାମାନେ ମକ୍ତଙ୍କ ସୁରକ୍ଷା ତଥା ଜଗନ୍ନାଥଙ୍କ ନୀତି ନିୟମ ପାଳନ ନିମନ୍ତେ ସହାୟତା ଦେଲେ। ଶାସନର ବୃଦ୍ଧାବସ୍ଥାରେ ଅର୍ଥାତ‌୍‍ ୧୯୧୨ ମସିହାରେ ତୃତୀୟଥର ପାଇଁ ନବକଳେବର ବିଷୟରେ ସୂଚିତ ହୋଇଥିଲେ ମହାରାଜା ରଘୁନାଥ ଶେଖର ଦେଓ। ସେତେବେଳେ ମୁକୁନ୍ଦ ଦେବ ଗଜପତି ଭାବେ ପୁରୀଠାରେ ମନ୍ଦିରର ମୁଖ୍ୟ ପରିଚାଳକଭାବେ ପରିଚିତ ଥାଆନ୍ତି। ବୃଦ୍ଧ ବୟସରେ ଥିବା ରଘୁନାଥ ଏଥର ସ୍ୱୟଂ ଯିବାକୁ ଚାହିଲେ ନବକଳେବରର ସାକ୍ଷୀ ହେବାକୁ। କଳା, ସଂସ୍କୃତି ଓ ଧର୍ମ ପ୍ରେମୀ ମହାରାଜା ପୁରୀ ମନ୍ଦିର ଦ୍ୱାରା ଏତେ ପ୍ରଭାବିତ ହେଲେ ଯେ ସେ ଚାହିଲେ ନିଜ ପ୍ରାସାଦ ଭିତରେ ଏକ ଜଗନ୍ନାଥ ମନ୍ଦିର ସ୍ଥାପନ କରିବା ପାଇଁ। ହେଲେ କେମିତି ବା କରାଯାଇ ପାରିବ। ଏହି କ୍ରମରେ ପୁରୀ ଶ୍ରୀ ମନ୍ଦିର ସହ ସାମଞ୍ଜସ୍ୟ ରକ୍ଷା କରିବା ପାଇଁ ମଧ୍ୟ ଚିନ୍ତା କରାଗଲା। ଏହି କ୍ରମରେ ସେ ନିଜେ ପ୍ରତିଷ୍ଠା କରିଥିବା ମଧ୍ୟ ଇଂରାଜୀ ସ୍କୁଲର ଚିତ୍ରକଳା ଶିକ୍ଷକ ଭକ୍ତ ଚରଣ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଲେ। ଭକ୍ତ ଚରଣ ପୁରୀ ଯାଇ ମନ୍ଦିରର ନକ୍ସା ପ୍ରସ୍ତୁତ କଲେ। ଆଉ ସେଇ ଚିତ୍ର ଅନୁସାରେ ଗାଙ୍ଗପୁର ପ୍ରାସାଦରେ ତିଆରି ହେଲା ଶ୍ରୀ ଜଗନ୍ନାଥ ମନ୍ଦିର।

SONY DSC
ପାଖାପାଖି ୧୯୧୬ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଦାରୁ ବିଗ୍ରହ ପ୍ରତିଷ୍ଠା ହେଲେ। ସେଇ ବିଗ୍ରହ ଆଜି ଯାଏଁ ଏଠାରେ ପୂଜା ପାଉଛନ୍ତି। ଆକାରରେ ଛୋଟ ହେଲେ ବି ଏହି ମନ୍ଦିର ପୁରୀ ଶ୍ରୀ ମନ୍ଦିରର ଏକ ପ୍ରତିକୃତି ବୋଲି କୁହାଯାଏ। ରାଜ ନଅରର ପାଖରେ ଥିବା ଏହି ଧଳା ରଙ୍ଗର ମନ୍ଦିରର ବାହାରେ କିନ୍ତୁ ଅରୁଣ ସ୍ତମ୍ଭ ନାହିଁ। ପ୍ରଥମ ବେଢ଼ା ପାଚେରୀ ଭିତରେ ଏହାକୁ ରାଖାଯାଇଛି। ରାଜ ପ୍ରାସାଦକୁ ଯିବା ଲାଗି ଉଦ୍ଦିଷ୍ଟ ମୁଖ୍ୟ ରାଜ ଦାଣ୍ଡର ପାର୍ଶ୍ୱରେ ଏହି ମନ୍ଦିର ଥିବାରୁ ସମ୍ଭବତଃ ମନ୍ଦିର ବାହାର ରାସ୍ତାରେ ଅରୁଣ ସ୍ତମ୍ଭକୁ ପ୍ରତିଷ୍ଠା କରାଯାଇ ନାର୍ହି। ମନ୍ଦିର ବାହାରେ ମନ୍ଦିରର ପ୍ରତିଷ୍ଠା ବିଷୟ ଉଲ୍ଲେଖ କରାଯାଇଛି। ବେଢ଼ା ଭିତରକୁ ପ୍ରବେଶ କଲେ ବେଶ‌୍‍ ସାତ୍ତ୍ୱିକ ପରିବେଶ ଅନୁଭୂତ ହୁଏ। ଲ୍ମବା ଲମ୍ୱା ପାହାଚ ସବୁ ତିଆରି କରାଯାଇଛି ମୁଖ୍ୟ ମନ୍ଦିରକୁ ଯିବା ଲାଗି। ସିଂହଦ୍ୱାର ପଟେ ବାଇସି ପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ଯିବାର ପରିବେଶ ସୃଷ୍ଟି କରେ। ନାଟ ମଣ୍ଡପଟି ବେଶ‌୍‍ ଆକର୍ଷଣୀୟ। ଏବେ ବିଭିନ୍ନ ପ୍ରକାର ରଙ୍ଗରେ ଏହାକୁ ରଙ୍ଗା ଯାଇଛି। ସେଠାରେ ଗରୁଡ଼ ସ୍ତମ୍ଭ ସ୍ଥାପନ କରାଯାଇଛି। ଭକ୍ତଙ୍କୁ ସେଠାରେ ଠିଆ ହୋଇ ଆଶୀଷ ମାଗିବାର ଅଛି। ତା ପରେ ଗର୍ଭ ଗୃହ। ଆଉ ସେଠାରେ ପୂଜିତ ହେଉଛନ୍ତି ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା। ପଥର ସିଂହାସନ ଉପରେ ଦାରୁର ଏ ମୂର୍ତ୍ତି ସବୁ ବେଶ‌୍‍ ସୁନ୍ଦର ଦେଖା ଯାଆନ୍ତି। ଆକାରରେ ଛେଟ ହେଲେ ମଧ୍ୟ ଏହା ଯେ, ଆମ ପରମ୍ପରା ଓ ସଂସ୍କଢତିର ଏକ ମୂକ ବାହକ ଏଥିରେ ସନ୍ଦେ ଉପୁଜେ ନାହିଁ।
ମହାରାଜା ରଘୁନାଥ ଶେଖରଙ୍କ ପରେ ତାଙ୍କ ପୁଅ ଉଦିତ‌୍‍ ପ୍ରତାପ ଶାସନ ଶାସନ ଡୋରୀକୁ ବିଧି ଅନୁସାରେ ସମ୍ଭାଳିଲେ ୧୯୧୯ ମସିହାରେ। କିନ୍ତୁ ସେ ଜଣେ ପାଗଳ ରାଜାର ଆଖ୍ୟାଜ୍ର୍ଜନ କରିଥିଲେ। ତାଙ୍କ ସମୟରେ ଏହି ମନ୍ଦିର ଶାସନ ଦୃଷ୍ଟିର ଆଢ଼ୁଆଳରେ ରହିଥିଲା। ପରେ ଶାସନରେ ସମସ୍ୟା, ପ୍ରଜା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମର ବିଷୟ ତଳେ ଚାପି ହୋଇଥିଲା ଧର୍ମୀୟ ସଂହସ୍କୃତିକୁ ପ୍ରେୟାତ୍ସାହନ ଦେବାର ପରମ୍ପରା। ହେଲେ ଏବେ ଏହାର ପୁନୋରୁଦ୍ଧାର ପାଇଁ ଚେଷ୍ଟା ଚାଲିଛି।
ଜଣେ ପୂଜକଙ୍କୁ ଏଠାରେ ପୂଜାର୍ଚ୍ଚନାର ପାଇଁ ଦାୟିତ୍ୱ ଦିଆଯାଇଛି। ହେଲେ କେତେଦୂର ଏଠାରେ ଉତ୍କଳୀୟ ବିଧିରେ ପୂଜା କରାଯାଉଛି ସେଥିରେ ପ୍ରଶ୍ନ ବାଚୀ ସୃଷ୍ଟି ହୁଏ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ଗଡ଼ଜାତ ମନ୍ଦିରଗୁଡ଼ିକରେ ସମାନ ପୂଜା ବିଧି ପାଇଁ ପଦକ୍ଷେପ ନିଆଯାଉଛି ସେଥିରେ ଏହି ମନ୍ଦିରକୁ ଅନ୍ତଭୁର୍କ୍ତ କରିବାର ଆବଶ୍ୟକତା ରହିଛି। ଯାହାଫଳରେ ଏହି ହିନ୍ଦୀ ମିଶ୍ରିତ ଭାଷର ଭାଷୀ ଅଞ୍ଚଳରେ ଓଡ଼ିଆ ସଂସ୍କୃତିକୁ ଅଧିକ ପ୍ରୋତ୍ସାହିତ କରାଯାଇପାରିବ।

[author title=”ହରିହର ପଣ୍ଡା” image=”https://pbs.twimg.com/profile_images/3342912387/3f4b201989de3c274647e14feb4f7b9b.jpeg”], ଏମ‌୍‍ଆଜି ୫୧, ଅନନ୍ତ ବିହାର ପୋଖରୀପୁଟ ଭୁବନେଶ୍ୱର-୨୦[/author]