ଗଡ଼ଜାତରେ ଜଗନ୍ନାଥ- ଖଣ୍ଡପଡ଼ାରେ ଦଧିବାମନ

0
87
ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିରର ବାହାର ଦୃଶ୍ୟ

ନୟାଗଡ଼ଠାରୁ ବିଚ୍ଛିନ୍ନ ହୋଇ ଏ ରାଜ୍ୟ ଯେତେବେଳେ ପ୍ରତିଷ୍ଠା ହେଲା ସେତେବେଳେ ନୟାଗଡ଼ ରାଜ୍ୟର କନିଷ୍ଠ ପୁତ୍ର ଅର୍ଥାତ‌୍‍ ଖଣ୍ଡପଡ଼ାର ପ୍ରତିଷ୍ଠାତା ଯଦୁନାଥ ମଙ୍ଗରାଜ ରାଜ୍ୟର ପରିସୀମାକୁ ଚିହ୍ନଟ କରିବାର ପ୍ରକ୍ରିୟା ଆରମ୍ଭ କଲେ। ଉତ୍କଳ ଦେଶର ଅଂଶ ବିଶେଷ ହୋଇଥିବାରୁ ଏଠାରେ ମଧ୍ୟ ଜଗନ୍ନାଥଙ୍କୁ ପରମ ଆରାଧ୍ୟଭାବେ ସ୍ୱୀକାର କରାଯାଇଥିଲା। ଜଗନ୍ନାଥଙ୍କ ନାମରେ ଶାସନ ପରିଚାଳିତ ହେଉଥବାରୁ ତାଙ୍କୁହିଁ ସୀମା ନିର୍ଦ୍ଧାରଣର ମାଧ୍ୟମ ବନାଯାଇଥିଲା। ଏହି କ୍ରମରେ ଆଠଟି ସ୍ଥାନରେ ଦଧିବାମନଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏହି ସ୍ଥାନଗୁଡ଼ିକରେ ଛୋଟଛୋଟ ଗଡ଼ ବା ସୈନ୍ୟ ଶିବିର ମଧ୍ୟ ସ୍ଥାପନ କରାଗଲା। ଏହି ଆଠଟି ଗଡ଼ରେ ସେତେବେଳେ ସ୍ଥାନୀୟ ଅଞ୍ଚଳର କର ଆଦାୟ ବ୍ୟବସ୍ଥା ନିର୍ଭର କରୁଥିଲା। ରାଜା ଯାହା ଖଣ୍ଡପଡ଼ାରେ ନିଷ୍ପତ୍ତି ନେଉଥିଲେ ତାହା ଏଡାରେ ପ୍ରଚଳନ କରାଯାଉଥିଲା। ପୁଣି ସେଠାରୁ ରାଜସ୍ୱ ଆଦାୟ ହୋଇ ମୁଖ୍ୟ ପ୍ରାସାଦକୁ ଆସୁଥିଲା। ଆଉ ରାଜ୍ୟର ବିକାଶ ସାଧନ ହୋଇପାରୁଥିଲା। ଏ ଦଧିବାମନ ପୂଜା ଜଗନ୍ନାଥ ପୂଜାରେ ପରିଣତ ହେବାକୁ ପାଖାପାଖି ୨୦୦ ବର୍ଷ ଲାଗିଯାଇଥିଲା। ଆଜକୁ ପାଖାପାଖି ୨୫୦ ବର୍ଷ ତଳେ ନୂଆ ରାଜ ପ୍ରାସାଦରେ ଜଗନ୍ନାଥ ମନ୍ଦିରର ନିଅଁ ପଡ଼ିଥିଲା, ଯାହା ଆଜି ଖଣ୍ଡପଡ଼ା ସଂସ୍କୃତିର ପରିବାହକ ଭାବେ ଠିଆ ହୋଇଛି । ଖଣ୍ଡପଡ଼ାର ଏହା ଏକ ପ୍ରମୁଖ ଆକର୍ଷଣ। ରାଜ ପରିବାରର ବ୍ୟକ୍ତିଗତ ସମ୍ପତ୍ତି ହୋଇଥିଲେ ମଧ୍ୟ ଏହା ସାର୍ବଜନୀନ ଅନୁଷ୍ଠାନ ଭାବେ ପରିଚିତ।

ବିଧର୍ମୀ ମାନଙ୍କୁ ଶାସ୍ତି ଦେବା ପାଇଁ ଯିଏ ଏ ଧରା ପୃଷ୍ଠରେ ସ୍ୱୟଂ ଆବିଭାର୍ବ ହୋଇଛନ୍ତି ତାଙ୍କର ଏ କି ଅବସ୍ଥା? ସେ ଯଦି ଏମିତି ଚାପ ଉପରେ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଥିବେ ତେବେ ଉତ୍କଳର ଏ ଜନତାଙ୍କୁ ରକ୍ଷା କରିବ ବା କିଏ? କେମିତିବା ସୁରକ୍ଷିତ ରହିବେ ଉତ୍କଳର ଗଜପତି ଆଉ ତାଙ୍କ ଅଧୀନସ୍ଥ ବିଭିନ୍ନ ଗଡ଼ପତି ଓ ସେଠାର ନିଷ୍କପଟ ଉତ୍କଳୀୟ ପ୍ରଜାମାନେ?
ଏମିତି ଅନେକ ପ୍ରଶ୍ନ ସେତେବେଳେ ଓଡ଼ିଶା ରାଜନୀତିକୁ ଆନ୍ଦୋଳିତ କରୁଥିଲା। ଗୋଟିଏ ପଟେ ମୋଗଲ ସେନାବାହିନୀର ଛଳ ଯୁଦ୍ଧକୁ ପ୍ରତିରୋଧ କରିବାରେ ଓଡ଼ିଶାର ବୀର ପାଇକମାନେ ଅସମର୍ଥ ହେଉଥିଲେ। ଅନ୍ୟପଟେ ଗଜପତି ମହାରାଜା ବାଧ୍ୟ ହୋଇ ଦିଲ୍ଲୀର ସମ୍ରାଟ ଓ ତାଙ୍କ ପ୍ରତିନିଧିମାନଙ୍କ ସହ ଅନେକ ସମୟରେ ଚୁକ୍ତି କରୁଥିଲେ। ଏହି ଚୁକ୍ତିରେ କେତେ କ’ଣ ଯେ ଉପହାର ଏ ରାଜ୍ୟରୁ ପଠାଯାଇଛି ତାର ହିସାବ କରିବା ମୁସ‌୍‍କିଲ। ଇତିହାସର ବିବରଣୀ ଅନୁସାରେ ଗଜପତି ମହାରାଜା କେତେବେଳେ ସୁନା, ଟଙ୍କାରେ ମୋଗଲ ଶାସକମାନଙ୍କ ଟ୍ରେଜରୀ ଭର୍ତ୍ତିି କରିଛନ୍ତ. ତ ଆଉ କେତେବେଳେ ନିଜର ବିଶ୍ୱସ୍ତ ହାତୀ ଶିଶନାଗକୁ ପଠାଇଛନ୍ତି ମୋଗଲ ଫୌଜ ପାଇଁ। ପୁଣି ଗଜପତି ନିଜ କନ୍ୟାଙ୍କୁ ମଧ୍ୟ ଜାହାଙ୍ଗୀରଙ୍କ ଦରବାରକୁ ସମ୍ରାଟ‌୍‍ଙ୍କ ସେବା ଅର୍ଥରେ ରାଜା କଲ୍ୟାଣମଲ୍ଲଙ୍କ ହାତରେ ପ୍ରେରଣ କରିଥିବା ଜଣାଯାଏ। ଏ ସମ୍ୱେଦନଶୀଳ ଇତିହାସକୁ କିଛି ମୋଗଲ ଐତିହାସିକ ବର୍ଣ୍ଣନା କରିଥିବା ବେଳେ ଅନ୍ୟ କିଛି ବିରୋଧ ମଧ୍ୟ କରନ୍ତି।
ଏହି ସମୟରେ ହିଂସା ଓ ଅସ୍ଥିରତାରେ ଭରିଥିବା ପୁରୀ ସହର ଓ ଏହାକୁ ସଂଯୋଗ କରୁଥିବା ରାସ୍ତାରେ ଭକ୍ତମାନେ ଯା’ଆସ କରିବାକୁ ଆଉ ନିରାପଦ ମଣୁ ନଥିଲେ। ଫଳରେ ପୁରୀକୁ ଭକ୍ତଙ୍କ ସଂଖ୍ୟା କମିବାରେ ଲାଗିଥିଲା। ହେଲେ ଏ ଜାତିର ଯିଏ ପ୍ରାଣ ପ୍ରତିଷ୍ଠାତା ତାଙ୍କୁ ଛାଡ଼ି କ’ଣ ଓଡ଼ିଆଙ୍କ ବଣ୍ଟିବା ସମ୍ଭବ? ନା କେବେ ବି ନୁହେଁ। ଏଣୁ ଗଡ଼ଜାତର ରାଜାମାନେ ନିଜ ନିଜ ଅଞ୍ଚଳରେ ଥିବା ଦଧିବାମନ ମନ୍ଦିରଗୁଡ଼ିକର ସଂପ୍ରସାରଣ କଲେ। ବଡ଼ ବଡ଼ ମନ୍ଦିର ସ୍ଥାପନର ଯୋଜନା ହେଲା। କିଛି ଅଞ୍ଚଳରେ ଚତୁର୍ଦ୍ଧା ମୂର୍ତ୍ତି ସ୍ଥାପନ ହେଲା। ଯେମିତି ପୁରୀରେ ରୀତିନୀତି ପାଳନ ହେଉଥିଲା ଠିକ‌୍‍ ତାହାକୁ ପାଳନ କରିବା ପାଇଁ ଚେଷ୍ଟା କରାଗଲା। ପରିଚାଳନାରେ ସମ ଭାବନା ଜାତ ପାଇଁ ଉଦ୍ୟମ ମଧ୍ୟହେଲା। ଏହି କ୍ରମରେ ପୁରୀ ଅଞ୍ଚଳରୁ ପଣ୍ଡିତମାନଙ୍କୁ ଗଡ଼ଜାତର ରାଜାମାନେ ଡାକରା ଦେଲେ।
ଖୋର୍ଦ୍ଧା ରାଜ୍ୟର ପରମ ସହଯୋଗୀ ତଥା ଗଜପତି ସାମ୍ରାଜ୍ୟର ଦୃଢ଼ ସମର୍ଥକ ଖଣ୍ଡପଡ଼ା ମଧ୍ୟ ଏଥିରେ ସାମିଲ ହେଲା। କୃଷ୍ଣ ଧର୍ମରେ ଦିକ୍ଷୀତ ଥିବା ଏହାର ରାଜ ପରିବାର ସେତେବେଳେ ଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ନିଜକୁ ନିୟୋଜିତ କଲେ। ନିଜ ରାଜ୍ୟରେ ମଧ୍ୟ ଏଥିପାଇଁ ଏକ ମନ୍ଦିର ତୋଳିବାର ସ୍ୱପ୍ନ ଦେଖିଲେ। ରାଜା ବୈରାଗୀ ମର୍ଦ୍ଦରାଜ ଏଥିନେଇ ରାଜ୍ୟରେ ଜଗନ୍ନାଥ ମନ୍ଦିର ସ୍ଥାପନ ପାଇଁ ଶିଳାନ୍ୟାସ କଲେ।

  • ପ୍ରତିଷ୍ଠା

ରାଜା ବୈରାଗୀ ଖଣ୍ଡପଡ଼ା ରାଜ୍ୟର ଚତୁର୍ଥ ରାଜା ଭାବେ ୧୭୩୦ ମସିହାରୁ ୧୭୬୫ ମସିହା ଯାଏ ଶାସନ କରିଛନ୍ତି। ତାଙ୍କ ପୂର୍ବରୁଯେ, ଏଠାରେ ଜଗନ୍ନାଥ ପୂଜା ପ୍ରଚଳନ ନଥିଲା ତା ନୁହେଁ। ଏ ରାଜ୍ୟର ରାଜାମାନେ ପୁରୀଯାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଗଜପତିଙ୍କ ଶରଣାପନ୍ନ ଥିଲେ। ଚତୁର୍ଥ ରାଜା ବନମାଳୀ ମଙ୍ଗରାଜ ନିଜର ପରାକ୍ରମ ଦେଖାଇ ଖୋର୍ଦ୍ଧା ରାଜାଙ୍କୁ ସହାୟତା ମଧ୍ୟ କରୁଥିଲେ। ଏହି କ୍ରମରେ ଖୋର୍ଦ୍ଧା ରାଜା ତାଙ୍କୁ ‘ମର୍ଦ୍ଦରାଜ ଭ୍ରମରବର ରାୟ’ ଉପାଧିରେ ଭୂଷିତ କରିଥିଲେ। ଏହି ଉପାଧି ସହ ସେ ଜଗନ୍ନାଥଙ୍କୁ ପୂଜା କରିବା ପାଇଁ ଖଣ୍ଡପଡ଼ା ରାଜାଙ୍କୂ ଏକ ଜଗନ୍ନାଥ ମୂର୍ତ୍ତି ମଧ୍ୟ ଉପହାର ଦେଇଥିଲେ। ଏହି ଏକକ ଜଗନ୍ନାଥ ମୂର୍ତ୍ତିଙ୍କୁ ଦଧିବାମନ ସ୍ୱରୂପରେ ଖଣ୍ଡପଡ଼ାରେ ପୂଜା କରାଯାଉଥିଲା। ହେଲେ ତାଙ୍କ ପାଇଁ ସ୍ୱତନ୍ତ୍ର ମନ୍ଦିର ତିଆରି କରାଯାଇ ନଥିଲା।

ରାଜା ବନମାଳୀଙ୍କ ବହୁ ପୂର୍ବରୁ ଏଠାରେ ଦଧିବାମନ ପୂଜା ବିଧି ମଧ୍ୟ ପ୍ରଚଳିତ ଥିଲା ବୋଲି ଏଠାର ରାଜ ଇତିହାସରୁ ଜଣାପଡେ଼। ରାଜ୍ୟ ପ୍ରତିଷ୍ଠା ସମୟରୁ ହିଁ ଏହି ଦଧିବାମନ ପୂଜା ଏଠାରେ ଯୋଡ଼ା ବୋଲି ବିଶ୍ୱାସ କରାଯାଏ। ରାଜ୍ୟର ପ୍ରତିଷ୍ଠାତା ତଥା ନୟାଗଡ଼ ରାଜାଙ୍କ ସାନ ପୁଅ ପ୍ରତିଷ୍ଠାତା ରାଜା ଯଦୁନାଥ ମଙ୍ଗରାଜ ଆଠଗୋଟି ସ୍ଥାନରେ ଦଧିବାମନଜୀଉଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ଏହି ସ୍ଥାନଗୁଡ଼ିକ ରାଜ୍ୟର ସୀମା ବିଷୟରେ ସୂଚନା ଦେବାରେ ସମର୍ଥ ହେଉଥିଲେ। ୧୫୯୯ ମସିହାରେ ଯଦୁନାଥ ଏ ରାଜ୍ୟକୁ ପ୍ରତିଷ୍ଠା କରିଥିଲେ। ୧୬୭୩ ଯାଏ ଶାସନ କରିଛନ୍ତି।

ଏବେ ଯେଉଁ ଜଗନ୍ନାଥ ମନ୍ଦିର ଖଣ୍ଡପଡ଼ା ରାଜ ଉଆସ ସନ୍ନିକଟରେ ରହିଛି, ତାହା ଗୋଟିଏ ରାଜାଙ୍କ ଅମଳରେ ତିଆରି କରାଯାଇ ନାହିଁ। ଉତ୍କଳୀୟ ନିର୍ମାଣ ଶୈଳୀରେ ତିଆରି ଏହି ରେଖ ମନ୍ଦିର ବିଭିନ୍ନ ସମୟରେ ସଂପ୍ରସାରଣ ହୋଇଛି। ସ୍ୱାଧୀନତା ପୂର୍ବ ଯାଏଁ ଅର୍ଥାତ‌୍‍ ଯେତେଯାଏଁ ରାଜାଙ୍କ ହାତରେ ଶାସନ ରହିଥିଲା ସେଯାଏ ଏହାର କଳେବରରରେ ବୃଦ୍ଧି ପରିଲକ୍ଷିତ କରାଯାଇଛି। ଯଦିଓ ଏହା ଏବେବି ରାଜ ପରିବାରର ସମ୍ପତ୍ତିଭାବେ ଗଣାଯାଏ କିନ୍ତୁ ଏଥିରେ ଆଉ ସେଭଳି ଉନ୍ନତି ଲକ୍ଷ୍ୟ କରାଯାଇ ନାହିଁ। କେବଳ ସେ ପୁରୁଣା ସ୍ମୃତିକୁ ସଜାଡ଼ିବା ତଥା ସାଇତିବା ଲାଗି ଏବେର ଦାୟାଦମାନେ ଚେଷ୍ଟା କରୁଛନ୍ତି।

  • ରଥଯାତ୍ରା

ଷଷ୍ଠ ରାଜା ଭାବେ ନୀଳାଦ୍ରୀ ସିଂ ମର୍ଦ୍ଦରାଜ ଯେତେବେଳେ ଏ ରାଜ୍ୟର ଶାସନଭାର ନେଲେ ସେ ଖଣ୍ଡପଡ଼ାରେ ଜଗନ୍ନାଥ ସଂସ୍କୃତିର ବିକାଶ ପାଇଁ ବେଶ‌୍‍ ଯତ୍ନବାନ ହୋଇଥିଲେ। ମୋଗଲ ଶାସନର ଅନ୍ତ ହୋଇଥିବାରୁ ଧର୍ମ ଓ ଧର୍ମାନୁଷ୍ଠାନ ଉପରେ ହେଉଥିବା ଅତର୍କିତ ଆକ୍ରମଣ ପ୍ରାୟତଃ ହ୍ରାସ ପାଇଥାଏ। ଏଣୁ ଏକ ଧର୍ମୀୟ ଭାବଧାରାରେ ଶାସନକୁ ଯୋଡ଼ିବା ପାଇଁ ରାଜା ନୀଳାଦ୍ରୀ ସିଂହ ମର୍ଦ୍ଦରାଜ ଜଗନ୍ନାଥ ମନ୍ଦିରକୁ ତିଆରି କରିବା ଲାଗି ଯତ୍ନବାନ ହେବା ସହ ଶ୍ରୀ ଜଗନ୍ନାଥଙ୍କ ନିମନ୍ତେ ରଥଯାତ୍ରାର ପ୍ରଚଳନ କରିଥିଲେ। ଅର୍ଥାତ‌୍‍ ଖଣ୍ଡପଡ଼ାର ରଥଯାତ୍ରା ପାଖାପାଖି ୨୫୦ ବର୍ଷ ପୁରୁଣା ହେବ। ହଁ ଏହା ସତ ଯେ, ଏ ରଥଯାତ୍ରା ରାଜ୍ୟ ଥିବାଯାଏଁ ନିରନ୍ତର ଭାବେ ଚାଲୁଥିଲା।

୧୯୪୭ରେ ଯେତେବେଳେ ରାଜ୍ୟ ମିଶ୍ରଣ ହେଲା ସେତେବେଳଠୁ ଆଉ ରଥଯାତ୍ରା ପ୍ରତି ଧ୍ୟାନ ଦିଆଗଲା ନାହିଁ। କାରଣଥିଲା ରଥଯାତ୍ରାର ଖର୍ଚ୍ଚଭାର। ଏହିକ୍ରମରେ ଅନେକ ଗଡ଼ଜାତ ରାଜ୍ୟରେ ରଥଯାତ୍ରା ବନ୍ଦ ହୋଇଯାଇଥିଲା। ଏ ରଥଯାତ୍ରା ସଂସ୍କୃତ‌୍‍ର ପରିବାହକ ରୂପେ ଗଣାଯାଉଥିବାରୁ ଲୋକଙ୍କୁ ରାଜ ପରିବାର ସହ ସମ୍ପର୍କ ରଖିବାରେ ସହାୟକ ହେଉଥିଲା। ଏ ପରମ୍ପରାକୁ ବନ୍ଦ କରିଦିଆଯିବା ଦ୍ୱାରା ରାଜ ପରିବାରର ରାଜ ନୈତିକ ସମ୍ପର୍କରେ ମଧ୍ୟ ଆଞ୍ଚ ଆସିଲା। ଏହାକୁ ଦେଖି ଏବେର ଆଳଙ୍କରିକ ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ପୁଣିଥରେ ରଥଯାତ୍ରା ପରମ୍ପରା ଆରମ୍ଭ କରିଛନ୍ତି। କିଛି ବର୍ଷ ହେଲା ଏହି ପରମ୍ପରା ଖଣ୍ଡପଡ଼ାରେ ଏକ ପ୍ରମୁଖ ଆକର୍ଷଣ ପାଲଟିଛି।
ରାଜା ନୃସିଂହ ମର୍ଦ୍ଦରାଜ ଯେତେବେଳେ ଶାସନଭାର ନେଲେ ସେ ଜଗନ୍ନାଥ ସଂସ୍କୃତିକୁ ଖଣ୍ଡପଡ଼ାରେ ଆହୁରି ବିକାଶ କରିବା ପାଇଁ ମନସ୍ଥ କଲେ। ଏହି କ୍ରମରେ ରଥ ଉପରେ ଅଧରପଣା ଭୋଗ ଆରମ୍ଭ କରାଯାଇଥିଲା। ପୁରୀରେ ଯେମିତି ଶ୍ରୀଜୀଉମାନେ ନଅ ଦିନର ଯାତ୍ରା ସାରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ପୂର୍ବରୁ ଅଧରପଣାରେ ଆପ୍ୟାୟିତ ହୁଅନ୍ତି, ଠିକ‌୍‍ ସେହିପରି ଏଠାରେ ବ୍ୟବସ୍ଥା କରାଯାଇଥିଲା। ରାଜା ନୃସିଂହ ଏଠାରେ ୧୭୮୯ରୁ ୧୮୧୦ ମସିହାଯାଏଁ ଶାସନ କରିଥିଲେ। ତାଙ୍କ ସମୟର ମାପ ଅନୁସାରେ ଏହି ଅଧର ପଣା ଭୋଗପାଇଁ ୪୪ଗରା ପାଣି ବ୍ୟବହାର ହେଉଥିଲା। ଯେଉଁଥିରେ ୨୨ ବିସ ନବାତ, ୨୨ ଫେଣା କଦଳୀ, ୨୨ ବିସ ଛେନା ବ୍ୟବହାର ହେଉଥିଲା।
୧୮୧୦ ମସିହାରେ ରାଜା ପୁରୁଷୋତ୍ତମ ମର୍ଦ୍ଦରାଜ ଶାସନଭାର ନେଇଥିଲେ। ଇଂରେଜମାନେ ସେତେବେଳେ ଓଡ଼ିଶା ଶାସନରେ ଥାଆନ୍ତି। ଧର୍ମୀୟ ଅନୁଷ୍ଠାନ ଓ ପରମ୍ପରାରେ ସେମାନଙ୍କ ଶାସନ ହସ୍ତକ୍ଷେପ କରୁ ନଥିବାରୁ ଏଠାର ପ୍ରଜାମାନେ ଧାର୍ମିକ ସ୍ୱାଧୀନତା ଉପଭୋଗ କରୁଥିଲେ। ରାଜାମାନେ ମଧ୍ୟ ପ୍ରଜାଙ୍କ ଭାବନାକୁ ଆଖିରେ ରଖି ବିଭିନ୍ନ ପୂଜା ପର୍ବାଣୀସବୁ ଯୋଡ଼ୁଥିଲେ। ପ୍ରଥମଥରପାଇଁ ସେ ଶ୍ରୀଜଗନ୍ନାଥଙ୍କ ପାଇଁ ପୁର କାକରା ଓ ବସା ଦହି ଭୋଗ ଯୋଡ଼ିଥିଲେ। ଖଣ୍ଡପଡ଼ାରେ ଏହି ଭୋଗ ଅଜିଯାଏ ନିଆରା ପରମ୍ପରା ଭାବେ ପରିଚିତ ହେଉଛି। ଏହି ପୁର କାକରା ତିଆରି ପାଇଁ ଅଟାର କାକରା କରାଯାଏ ସେଥିରେ ନଡ଼ିଆ ପୁର ଦିଆଯାଏ। ନଡ଼ିଆ ପୁରକୁ ସ୍ୱାଦିଷ୍ଟ କରିତବା ପାଇଁ ସେଥିରେ ଚିନି ଓ ଘିଅ ମିଶାଯାଇ ଭଜା ଯାଇଥାଏ। ପରେ ସେଥିରେ ଗୋଲ ମରିଚ ଓ କର୍ପୂର ମଧ୍ୟ ପକାଯାଏ। ଫଳରେ ଏହା ଅଧିକ ସ୍ୱାଦିଷ୍ଟ ହୋଇଥାଏ।
ଦଶମ ରାଜା କୁଞ୍ଜ ବିହାରୀ ସିଂହ ମର୍ଦ୍ଦରାଜ ମନ୍ଦିର ନିର୍ମାଣକାର୍ଯ୍ୟକୁ ଶେଷ କରିଥିଲେ। ଯେଉଁ ଜଗନ୍ନାଥ ମନ୍ଦିର ଏବେ ଖଣ୍ଡପଡ଼ାରେ ସମସ୍ତଙ୍କୁ ଆକର୍ଷିତ କରୁଛଇ, ତାହା ତାଙ୍କରି ସମୟର କୃତୀ। ବେଶ‌୍‍ ବଡ଼ ଏ ମନ୍ଦିର। ଯେମିତି ଗୋଟିଏ ଉତ୍କଳୀୟ ମନ୍ଦିରରେ ମୁଖଶାଳା, ନାଟ ମଣ୍ଡପ ଓ ଗର୍ଭଗୃହର ବ୍ୟବସ୍ଥା କରାଯାଇଥାଏ ତାହା ଏଠାରେ ହୋଇଛି। ଅବଶ୍ୟ ଏହାର ମୁଖଶାଳାଟି କୁଞ୍ଜ ବିହାରୀଙ୍କ ପୁଅ ଅର୍ଥାତ‌୍‍ ୧୧ତମ ରାଜା ନଟବର ସିଂହ ମର୍ଦ୍ଦରାଜଙ୍କ ସମୟରେ ତିଆରି ହୋଇଛି। ମୁଖଶାଳାଟି ବେଶ‌୍‍ ସୁନ୍ଦର ଓ ଆକର୍ଷଣୀୟ। ସମ୍ପୂର୍ଣ୍ଣ ମନ୍ଦିରକୁ ଗେରୁଆ ନାଲି ଏବଂ ଧଳା ରଙ୍ଗରେ ରଙ୍ଗାଯାଇଛି। ମନ୍ଦିର ଭିତରେ ଗରୁଡ଼ ସ୍ତମ୍ଭ ରହିଛି। ଆଉ ମଣ୍ଡପର ଚାରିଆଡ଼ରେ ଦଶଅବତାରଙ୍କ ସ୍ତୋତ୍ରଗାନ ଉଲ୍ଲେଖ କରାଯାଇଛି। କବି ଜୟଦେବଙ୍କ ଗୀତ ଗୋବିନ୍ଦର ଅଂଶ ବିଶେଷକୁ ପାରମ୍ପରିକ ଚିତ୍ର କଳାରେ ଅଙ୍କାଯାଇଛି। ତା ପରେ ରହିଛି ଜଗମୋହନ। ଆଉ ପରେ ଗର୍ଭଗୃହ। ଶ୍ରୀଜୀଉ ସିଂହାସନ ଉପରେ ବିରାଜମାାନ।
ଏଠାରେ ଜଗନ୍ନାଥ ମୂର୍ତ୍ତିର ଆକାର ଓ ଗଢ଼ଣ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ମୂର୍ତ୍ତି ଭଳି ପ୍ରାୟ ଦେଖାଯାଏ। ଲୋକ କଥା କହେ ଏକଦା ନବକଳେବର ସମୟରେ ପୁରୀରେ ତିଆରି ହେଉଥିବା ମର୍ତ୍ତି ଆବଶ୍ୟକୀୟ ଉଚ୍ଚତା ଠାରୁ କମ‌୍‍ ହେଲେ। ଏଣୁ ସେତେବେଳେ ଗଜପତି ଚାହିଲେ ତାହାଙ୍କୁ ପ୍ରତିଷ୍ଠା ନକରିବା ଲାଗି। ଏଣୁ ଏ ମୂର୍ତ୍ତିକୁ ଅପସାରିତ କଲାବେଳେ ଖଣ୍ଡପଡ଼ାର ରାଜା ଗଜପତିଙ୍କୁ ଜଗନ୍ନାଥଙ୍କ ଦାରୁ ମୂର୍ତ୍ତିଙ୍କୁ ମାଗିଥିଲେ। ଗଜପତିଙ୍କ ଆଦେଶ କ୍ରମେ ଯାହାଙ୍କୁ ଶଗଡ଼ରେ ବୁହା ହୋଇ ଏଠାକୁ ଅଣାଯାଇଥିଲା। ଏବେବି ସେହି ମୂର୍ତ୍ତି ଏଠାରେ ପୂଜା କରାଯାଉଛି। କେବେ ନବକଳେବର ପ୍ରଥା ଏଠାରେ ଆପଣାଯାଇ ନାହିଁ। ଅର୍ଥାତ‌୍‍ ମନ୍ଦିରର ମୂର୍ତ୍ତିଙ୍କ ପରିବର୍ତ୍ତନ ହୋଇନାହିଁ।

  • ମହାରାଣୀଙ୍କ ଭୂମିକା

ଜଗନ୍ନାଥଙ୍କ ମନ୍ଦିର ବାହାରେ ୧୨ତମ ରାଜା ରାମଚନ୍ଦ୍ର ସିଂହ ମର୍ଦ୍ଦରାଜଙ୍କ ପ୍ରଥମ ପତ୍ନୀ ସତ୍ୟଭାମା ମଞ୍ଜରୀ ଏକ ସ୍ନାନ ମଣ୍ଡପ ମଧ୍ୟ ତିଆରି କରିଥିଲେ, ଯେଉଁଠାରେ ସ୍ନାନ ପୂର୍ଣ୍ଣମୀ ଦିନ ଠାକୁରଙ୍କ ସର୍ବସାଧାରଣଙ୍କ ସମ୍ମୁଖରେ ସ୍ନାନ ନୀତି ସମ୍ପନ୍ନ ହୋଇଥାଏ। ୧୩ତମ ରାଜା ତଥା ଶେଷ ଶାସକ ରାଜା ହରିହର ସିଂ ମର୍ଦ୍ଦରାଜ ଏଠାରେ ଝୁଲଣ ମଣ୍ଡପ ସ୍ଥାପନ କରିଥିଲେ। ତାଙ୍କ ପରେ ରାଜା ଶାସନର ଅନ୍ତ ହୋଇଥିଲା। କିନ୍ତୁ ଏଠାର ରାଜାମାନେ ଯେ ରାଜନୀତିଠାରୁ ଦୂରେଇ ଯାଇଥିଲେ ତା ନୁହେଁ। ହେଲେ ମନ୍ଦିର ପରିଚାଳନାରେ ସେମାନେ ଧ୍ୟାନ ଦେଇ ନଥିଲେ। ଫଳରେ ଦିନକୁ ଦିନ ଅବହେଳିତ ହୋଇ ଚାଲିଥିଲା ଏଠାର ମନ୍ଦିରଗୁଡ଼ିକ। ରାଜପରିବାର ଦାୟାଦମାନଙ୍କ ଏପରି ମନୋଭାବ ଧୀରେ ଧୀରେ ସାଧାରଣ ଲୋକଙ୍କଠୁ ରାଜ ପରିବାରକୁ ଦୂରେଇ ଦେଇଥିଲା। ବେଶ‌୍‍ କିଛି ବର୍ଷ ପରେ ଏହାକୁ ଅନୁଭବ କଲେ ରାଜ ପରିବାର। ୧୪ତମ ରାଜା ତଥା ବର୍ତ୍ତମାନର ଦାୟାଦ ଏବେ ଜଗନ୍ନାଥ ମନ୍ଦିରର ଜର୍ଣ୍ଣୋଧାର କରିଛନ୍ତି। ପୁଣିଥରେ ରଥଯାତ୍ରାର ପ୍ରଚଳନ କରି ସାଧାରଣ ଲୋକଙ୍କ ସହ ସିଧା ସଳଖ ସମ୍ପର୍କ ରକ୍ଷା କରିବାରେ ସମର୍ଥ ହୋଇପାରିଛନ୍ତି।
ହରିହର ପଣ୍ଡା

 

Loading...