ଖଣି ରୟାଲଟିର ସଦ‌୍‍ବ୍ୟବହାର କର, ଅଧିକାରୀଙ୍କୁ ନିଦ୍ଦେର୍ଶ

0
122
advertisement

ଭୁବନେଶ୍ୱର(ଓଟି): ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ବାବଦକୁ ସରକାର ଯେଉଁ ଅର୍ଥ ପାଇଛନ୍ତି ତାହାକୁ ସଦ‌୍‍ବ୍ୟବହାର କରିବା ପାଇଁ ଅଫିସରମାନଙ୍କୁ ନିଦ୍ଦେର୍ଶ ଦିଆଯାଇଛି। ଏପର୍ଯ୍ୟନ୍ତ ଡିଏମଏଫ ପାଇଁ ୧୧ ଶହ କୋଟି ଟଙ୍କା ସରକାରଙ୍କ ତହବିଲକୁ ଆସିଥିବା ବେଳେ କେବଳ ଲୋକଙ୍କର ଆବଶ୍ୟକତାକୁ ଚାହଁି ଏବଂ କାର୍ଯ୍ୟକ୍ରମର ପ୍ରାଧାନ୍ୟକୁ ଦୃଷ୍ଟିରେ ରଖି ଏହି ଅର୍ଥକୁ ଖର୍ଚ୍ଚ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଗୁରୁବାର ଦିନ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଖଣିଜ ପାଣ୍ଠିର ରାଜ୍ୟସ୍ତରୀୟ କମିଟି ବୈଠକ ଅବସରରେ ଏହି କଥା ମୁଖ୍ୟସଚିବ କହିଥିଲେ। କେଉଁ ଜିଲ୍ଳା କେଉଁ ବାବଦକୁ ଏହି ଟଙ୍କା ଖର୍ଚ୍ଚ କରିବ ତା’ର ସମୀକ୍ଷା ମଧ୍ୟ ହୋଇଥିଲା। ଡିଏମ‌୍‍ଏଫ‌୍‍ ଅଧିନରେ ଯେଉଁ ଅର୍ଥ ଖର୍ଚ୍ଚ ହେବ ସେଥିପାଇଁ ସରକାରଙ୍କର ବିଭିନ୍ନ ବିଭାଗରେ ଥିବା ଦକ୍ଷ ଏବଂ ଅଭିଜ୍ଞ ଅଫିସରମାନଙ୍କର ବିଶେଷ ପରାମର୍ଶ ନେବା ପାଇଁ ମଧ୍ୟ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ପଛୁଆ ଜିଲ୍ଲାରେ ଥିବା ସବୁଠାରୁ ପଛୁଆ ଗାଁକୁ ଯେଉଁଭଳି ରାସ୍ତା ଯାଇ ପାରିବ ଏବଂ ସେଠାକୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ରାସନ ଆଦି ଯେଉଁଭଳି ଠିକଣା ଭାବରେ ପହଞ୍ଚି ପାରିବ ସେଥି ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଜିଲ୍ଲା ଖଣିଜ ପାଣ୍ଠିର ଉଚିତ‌୍‍ ବ୍ୟବହାର ପାଇଁ ଆହୁରି ମଧ୍ୟ ଅଧିକ ଲୋକ ସମ୍ୱଳ ସୃଷ୍ଟି କରାଯିବ। ବିଶେଷ କରି ଯେଉଁ ସବୁ ଜିଲ୍ଲାରେ ବ୍ୟାପକ ଖଣି କାର୍ଯ୍ୟ ହେଉଛି ସେଠାରେ ଅଧିକ ଇଂଜିନିଅର ଓ ବୈଷୟିକ ଜ୍ଞାନ ଥିବା ଲୋକଙ୍କୁ ନିଯୁକ୍ତି ଦିଆଯିବ। ଇତି ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚ କରିବା ପାଇଁ ଟ୍ରଷ୍ଟ ଗଠିତ ହୋଇ ସାରିଛି ଏବଂ ଏହି ଟ୍ରଷ୍ଟ ପକ୍ଷରୁ ବିକାଶ ମୂଳକ କାର୍ଯ୍ୟ ଆରମ୍ଭ ହିଁ ହୋଇସାରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଜାନୁଆରୀ ୧୨ତାରିଖ ୨୦୧୫ ମସିହା ପୂର୍ବରୁ ଯେଉଁମାନଙ୍କୁ ଖଣି ଲିଜ‌୍‍ ଦିଆଯାଇଥିଲା ସେମାନେ ସରକାରଙ୍କୁ ଯେଉଁ ରୟାଲଟି ଦେଉଛନ୍ତି ତାହାର ୩୦ ପ୍ରତିଶତ ଖଣିଜ ପାଣ୍ଠିକୁ ଦେବେ। ଏହି ତାରିଖ ପରେ ଯେଉଁମାନେ ଖଣି ଲିଜ ପାଇଛନ୍ତି ସେମାନେ ୧୦ ପ୍ରତିଶତ ଅର୍ଥ ପାଣ୍ଠିକୁ ଦେବାକୁ ବାଧ୍ୟ। ଜାନୁଆରୀ ୧୨ ତାରିଖ ୨୦୧୫ ମସିହାରେ ସଂଶୋଧିତ ଏମ‌୍‍ଏମ‌୍‍ଡିଆର ବା ଖଣିଜ ଆଇନ ସମଗ୍ର ଦେଶରେ ଲାଗୁ ହେଲା। ଅନ୍ୟ ବିକାଶ ମୁଳକ କାର୍ଯ୍ୟକ୍ରମ ସହିତ ଖଣିଜ ପାଣ୍ଠିକୁ ବୟସ୍କ ଲୋକଙ୍କ କଲ୍ୟାଣ ପାଇଁ ମଧ୍ୟ ଖର୍ଚ୍ଚ ହେବ। ତା’ଛଡା ଭିନ୍ନକ୍ଷମ, କିନ୍ନର, ନିଶା ସେବନକାରୀ ଏବଂ ମହିଳାମାନଙ୍କର ଉପକାର ପାଇଁ ଖର୍ଚ୍ଚ କରାଯିବ। ଖାଲି ସେତିକି ନୁହେଁ ବିଭିନ୍ନ ଜିଲ୍ଲାରେ ଜରାଶ୍ରମ, ଥଇଥାନ କେନ୍ଦ୍ର, ମାନସିକ ବିକୃତ ରୋଗୀଙ୍କ ପାଇଁ ଘର ଏବଂ ଯେଉଁମାନେ ଡ୍ରଗସ‌୍‍ ସେବନରୁ ମୁକ୍ତ ହୋଇଛନ୍ତି ସେମାନଙ୍କୁ ଆଶ୍ରୟ ଦେବା ପାଇଁ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହୋଇପାରିବ।