ଏନ‌୍‍ଟିପିସି ଜମିହରା ପ୍ରଜା ହନ୍ତସନ୍ତ

0
138
advertisement

ଢେଙ୍କାନାଳ, (ଅମରେନ୍ଦ୍ର ଦାଶ): ନବରତ୍ନ ସଂସ୍ଥା ଏନ‌୍‍ଟିପିସି ଢ଼େଙ୍କାନାଳ ଜିଲ୍ଲା ସଦର ବ୍ଲକ ଗଜମରା ଅଞ୍ଚଳରେ ବୃହତ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ କାଯ୍ର୍ୟ ଆରମ୍ଭ କରିଥିବା ବେଳେ ଏନ‌୍‍ଟିପିସି ଓ ରାଜ୍ୟସରକାରଙ୍କର ବୁଝାବଣା ଅଭାବରୁ ପ୍ରକଳ୍ପଟି ଶୀତଳ ଭଣ୍ଡାରରେ ପଡି ରହିଥିବା ବେଳେ ବିଚରା ଜମିହରା ପ୍ରଜା ହନ୍ତସନ୍ତ ହେଉଛି।

ଏହି ଅଞ୍ଚଳରେ ପ୍ରସ୍ଥାବିତ ଗଜମରା ସୁପର ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ଏନ‌୍‍ଟିପିସି ରାଜ୍ୟ ସରକାରଙ୍କ ଗ୍ରୀଡ‌୍‍କୋକୁ ପ୍ରସ୍ଥାବ ଦେଇଥିଲେ। ୨୦୧୦ ଜୁଲାଇ ୧୦ ତାରିଖ ସୁଦ୍ଧା ଓଡିଶା ସରକାର କେତେ ବିଦ୍ୟୁତ ରଖିବେ ଏବଂ ଏହାର ଦର ସିଆଇଆର‌୍‍ସି ଧାଯ୍ର୍ୟ କରିବେ ବୋଲି ଜଣାଇ ଦେଇଥିଲେ। ସମୟକ୍ରମେ କେନ୍ଦ୍ର ସରକାର ପ୍ରସ୍ତାବିତ ପ୍ରକଳ୍ପରୁ ୫୦ ପ୍ରତିଶତ ଓଡିଶା ସରକାରଙ୍କୁ ଦେବା ଲାଗି ଗତ ୨୦୧୧ ଜାନୁଆରୀ ୧୭ ତାରିଖରେ ନୋଟିସ‌୍‍ କରିଥିଲେ। ତାହା ସହ ୨୦୧୧ ମାର୍ଚ୍ଚ ୪ ତାରିଖରେ ଧାରା ୪(୧) ଜମି ଅଧିଗ୍ରହଣ ପାଇଁ ତାଳବରକୋଟ, ମାଣିପୁର, ସିଆରିଆ ଓ ପାତ୍ରଭାଗ ଗ୍ରାମର ଜିଲ୍ଲା ପ୍ରଶାସନ ତରଫରୁ ଲାଗୁ କରାଯାଇଥିଲା।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାଯ୍ର୍ୟାଳୟରେ ଏ ସଂପର୍କରେ ଜନ ଶୁଣାଣି ଶିବିର ମଧ୍ୟ କରାଯାଇଥିଲା। ୨୦୧୨ ଜୁଲାଇ ୨୭ ତାରିଖରେ ଧାରା ୬(୧) ଲାଗୁ କରାଗଲା। ୨୦୧୩ ଅଗଷ୍ଟ ୨ ତାରିଖ ଏନ‌୍‍ଟିପିସି ତରଫୁର ବେସରକାରୀ ଜମି ଅଧିଗ୍ରହଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ପ୍ରାୟ ୧୫୩କୋଟି ଟଙ୍କା ଡିପୋଜିଟ‌୍‍ କରାଯାଇଛି। ସଦର ବ୍ଲକ କାଯ୍ୟାର୍ଳୟ ପକ୍ଷରୁ ୨୦୧୪ ଡିସେମ୍ୱର ୮ ରୁ ୨୦୧୫ ଜାନୁଆରୀ ୨୭ ତାରିଖ ମଧ୍ୟରେ ପ୍ରକଳ୍ପ ମଞ୍ଜୁରୀ ନିମନ୍ତେ ପଲ୍ଲୀସଭା କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଉପରୋକ୍ତ ଗ୍ରାମର ପଲ୍ଲୀସଭାରେ ଜମିହରା ପ୍ରଜାଙ୍କ ଶତପ୍ରତିଶତ ସମର୍ଥନ ମିଳିଥିଲା। ପଲ୍ଲୀସଭା ପରେ ଜମି ଅଧିଗ୍ରହଣ ପାଇଁ ନୋଟିସ‌୍‍ ମଧ୍ୟ ଲେଖାଯାଇଥିଲା। କିନ୍ତୁ ପ୍ରାୟ ଦୁଇମାସ ପରେ ଏନ‌୍‍ଟିପିସି ଓ ରାଜ୍ୟସରକାର ମଧ୍ୟରେ ବିଦ୍ୟୁତ କିଣାବିକା ଚୁକ୍ତିନାମା ହେଲା ନାହିଁ। ତେଣୁ ଗଜମରା- ଏନ‌୍‍ଟିପିସି କାର୍ଯ୍ୟାଳୟର ଅଧିକାରୀମାନେ ମହିଷିଆପାଟସ୍ଥିତ ଅଫିସ‌୍‍କୁ ବନ୍ଦ କରି ଚାଲିଯାଇଥିଲେ। ଢ଼େଙ୍କାନାଳ ଜିଲ୍ଲା ଗଜମରା- ଏନ‌୍‍ଟିପିସି ବିଦ୍ୟୁତ ପ୍ରକଳ୍ପ ପ୍ରାୟ ୧୬ହଜାର କୋଟି ଟଙ୍କା ହରାଇବାକୁ ଯାଉଛି। ପୂର୍ବରୁ ଗଜମରା – ଏନ‌୍‍ଟିପିସି କମ୍ପାନୀ କତୃପକ୍ଷ ଉପରୋକ୍ତ ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସାରିଥିଲେ ମଧ୍ୟ ରାଜ୍ୟସରକାରଙ୍କର ଦୂର ଦୃଷ୍ଟି ଅଭାବରୁ ପ୍ରକଳ୍ପଟି ବନ୍ଦ ହେବାକୁ ଯାଉଛି। କିଛି ଜମିହରାପ୍ରଜା କୁହନ୍ତି ଯେ, ଓଡିଶା ସରକାର କୌଣସି ବିଦ୍ୟୁତ ପ୍ରକଳ୍ପ ହେବ ପୂର୍ବରୁ ପିପିପି ମୋଡରେ ଚୁକ୍ତିନାମା କରନ୍ତି। ତେଣୁ ଏହି ପ୍ର୍ରକଳ୍ପ ପରି ୨୨ଟି ପ୍ରକଳ୍ପ ସହ ପିପିପି ଚୁକ୍ତିନାମା ରାଜ୍ୟସରକାରଙ୍କର ହୋଇଛି। କିନ୍ତୁ ସେମାନଙ୍କ କୋଲ‌୍‍ ବ୍ଲକ ମିଳୁ ନାହିଁ । ଗଜମରା -ଏନ‌୍‍ଟିପିସି ପାଇଁ ନୀତିନିୟମ କିନ୍ତୁ ସଂପୂର୍ଣ୍ଣ ଅଲଗା । ଓଡିଶା ସରକାର ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ପଲ୍ଲୀସଭା ପଯ୍ର୍ୟନ୍ତ ସବୁ କାଯ୍ର୍ୟ କେଉଁ ହିସାବରେ କରିଥିଲେ ତାହା ସାଧାରଣରେ ଏବେ ପ୍ରଶ୍ନବାଚୀ ! ଓଡିଶା ସରକାରଙ୍କର କହିବା ଅନୁଯାୟୀ ଉକ୍ତ ପ୍ରକଳ୍ପକୁ କୋଲ‌୍‍ ବ୍ଲକ ନ ମିଳିବା ଯାଏ ଚୁକ୍ତିନାମା କରାଯାଇ ପାରିବ ନାହିଁ । ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ରାଜ୍ୟ ସରକାର ଓ ଏନ‌୍‍ଟିପିସି ମଧ୍ୟରେ ପିପିଏ ହୋଇ ନଥିବା ବେଳେ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ଜିଲ୍ଲାବାସୀଙ୍କୁ ଭୂଆଁ ବୁଲାଇ ପଲ୍ଲୀସଭା କରିବା କାହା ସ୍ୱାର୍ଥରେ ଥିଲା ବୋଲି ପ୍ରଶ୍ନ ଉଠୁଛି। କାହାସ୍ୱାର୍ଥରେ ଜିଲ୍ଲାପାଳଙ୍କ ନିକଟରେ ଏନ‌୍‍ଟିପିସି ପ୍ରାୟ ୧୫୩ କୋଟି ଟଙ୍କା ଜମା କରିଛି। ଏହି ସବୁ ସମସ୍ୟାକୁ ନେଇ ଜମିହରାପ୍ରଜା ଦୁଃଖରେ କାଳତିପାତ କରୁଛି।