ଆହୁରି ୨୪ଶହ ଘୁଷୁରିଙ୍କୁ ହତ୍ୟା କରାଯିବ

0
98
advertisement

ଭୁବନେଶ୍ୱର,(ଓଟି): ଏବେ ଘୁଷୁରି ନିପାତ ଯୋଜନା ଚାଲିଛି । ଜାପାନୀ ଜର ଭୂତାଣୁ ବାହକ ହୋଇଥିବା କାରଣରୁ ଘୁଷୁରିଙ୍କୁ ନିପାତ କରିବା ପାଇଁ ସରକାରୀ ଭାବେ ଯୋଜନା ପ୍ରସ୍ତୁତ କରାଯାଉଛି । ଘୁଷୁରିଙ୍କୁ ମାରିବା ପାଇଁ ଜିଲାପାଳ ଆବଶ୍ୟକ ମନେକଲେ ଅନୁମତି ଦେଇପାରିବେ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

ଜାପାନୀଜ୍‌ ଏନ‍୍‌ସେଫେଲାଇଟିସ‍୍‌ ବା ଜାପାନୀ ଜରରେ ମାଲକାନଗିରି ଜିଲାରେ ୪୦ ଶିଶୁ ପ୍ରାଣ ହରାଇ ସାରିଲେଣି । ମାସେରୁ ଉପରକାଳ ହେଲା ଏହି ଭୂତାଣୁ ଜର ଆରମ୍ଭ ହେଲାଣି ମାଲକାନଗିରି ଜିଲାରେ । କିନ୍ତୁ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଯେବେଠୁ ସବୁ ଦୋଷ ଘୁଷୁରିଙ୍କ ଉପରେ ଲଦିଦେଲେ, ସେଇଦିନ ଠୁ ଏହି ଜୀବ ଉପରେ ଶନିଦଶା ପଡ଼ିଛି । ଲୋକେ ଗୋଡେ଼ଇ ଗୋଡେ଼ଇ ପିଟିପିଟି ଘୁଷୁରି ମାରୁଛନ୍ତି । ଜନବସତିଠାରୁ ତିନିକିଲୋମିଟର ଦୂରରେ ଖୁଆଡ଼ ଭିତରେ ଘୁଷୁରିଙ୍କୁ ରଖିବା ପାଇଁ ଯୋଜନା ହୋଇଥିଲେ ହେଁ ସରକାର ଯେଭଳି ଭୟର ବାତାବରଣ ସୃଷ୍ଟି କରିଛନ୍ତି ସେଥିପାଇଁ ଏହି ଜିଲା ଘୁଷୁରି ମୁକ୍ତ ହେବାକୁ ଯାଉଛି ।

ଏହାଫଳରେ ଘୁଷୁରି ପାଳିଥିବା ଆଦିବାସୀ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହେବେ । ଦେଢ଼କୋଟି ଟଙ୍କାର ଘୁଷୁରି ସରକାରଙ୍କ ଦାୟିତ୍ୱହୀନତା ଯୋଗୁଁ ମରିବାକୁ ଯାଉଛନ୍ତି । ଘୁଷୁରି ଜାପାନୀ ଜର ଭୂତାଣୁର ବାହକ । ଆକ୍ରାନ୍ତ ଘୁଷୁରିକୁ କାମୁଡ଼ି ମଶା ସାଧାରଣ ପିଲାକୁ କାମୁଡ଼ିଲେ ସେମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ମାଲକାନଗିରି ଜିଲାର ୩୩ଟି ପ୍ରଭାବିତ ଗାଁରେ ଘୁଷୁରିଙ୍କଠାରୁ ଯେଉଁ ରକ୍ତ ନିଆଯାଇ ପରୀକ୍ଷା କରାଯାଇଥିଲା ସେଥିରୁ ଜଣାପଡ଼ିଛି ଯେ ୬୭ ପ୍ରତିଶତ ଘୁଷୁରିଙ୍କ ଦେହରେ ଜାପାନୀ ଜର ଭୂତାଣୁ ରହିଛି ।

ଜାପାନୀ ଏନସେଫେଲାଇଟିସ‌୍‍ ପ୍ରପୀଡ଼ିତ ମାଲକାନଗିରି ଜିଲ୍ଲାରେ ସଂକ୍ରମିତ ଘୁଷୁରିଙ୍କୁ ନେଇ ସରକାର ସତର୍କ ଅଛନ୍ତି। ଏହି ଘୁଷୁରିମାନଙ୍କ ଠାରୁ ସଂକ୍ରମିତ ହେଉଥିବା ଭୂତାଣୁ ଦୁଇରୁ ଅଢ଼େଇ କିଲୋମିଟର ଅଞ୍ଚଳ ମଧ୍ୟରେ ପ୍ରଭାବ ପକାଇଥାଏ। ଏଭଳି ଘୁଷୁରିମାନଙ୍କୁ ସମୂହ ନିଧନ ପାଇଁ ଜିଲ୍ଲାପାଳ ଅନୁଭବ କଲେ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେବେ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ସଚିବ ବିଷ୍ଣୁ ପ୍ରସାଦ ସେଠୀ ସୂଚନା ଦେଇଛନ୍ତି।

ଘୁଷୁରିମାନଙ୍କ ଠାରୁ ସଂକ୍ରମିତ ହେଉଥିବା ଏହି ରୋଗ କିଭଳି ଅଧିକ ଅଞ୍ଚଳକୁ ନ ବ୍ୟାପିବ ସେଥିନେଇ ପଦକ୍ଷେପ ନିଆଯାଇଛି। ଏହି ରୋଗରେ ଅଧିକ ଶିଶୁଙ୍କୁ ମାରିବାକୁ ଦିଆଯିବ ନାହିଁ ବୋଲି ସଚିବ କହିଛନ୍ତି। ମାଲକାନ‌୍‍ଗିରି ଜିଲ୍ଲାରେ ଏବେ ୨୪୦୦ ଘୁଷୁରୀ ଅଛନ୍ତି ବୋଲି ପଶୁ ସମ୍ପଦ ସଚିବ କହିଛନ୍ତି। ଜିଲ୍ଲା ଗସ୍ତ ସାରି ଫେରିବା ପରେ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଜିଲ୍ଲାରେ ୧୦ ହଜାର ଘୁଷୁରି ଅଛନ୍ତି ବୋଲି ସୂଚନା ଦେଇଥିଲେ। ଦୁଇ ସଚିବଙ୍କ ତଥ୍ୟରେ ତାଳମେଳ ରହୁନଥିବାବେଳେ ସଂକ୍ରମିତ ଘୁଷୁରିମାନଙ୍କୁ ନିପାତ କରିବା ସପକ୍ଷରେ ସରକାର ଅଛନ୍ତି ବୋଲି ସଚିବ ସ୍ପଷ୍ଟ କରିଥିଲେ।

ଜାପାନୀ ରୋଗର ପ୍ରଭାବ ଏବେ ବ୍ରହ୍ମଗିରି ଓ ନୀଳଗିରିରେ ଦେଖା ଦେଇଥିବାରୁ ଏହି ଦୁଇଟି ସ୍ଥାନକୁ ଚିକିତ୍ସକ ଦଳ ପଠାଯାଇଛି। ଏଠାରୁ ରିପୋର୍ଟ ମିଳିବା ପରେ ଏହି ଅଞ୍ଚଳରେ ରହୁଥିବା ଘୁଷୁରିମାନଙ୍କ ଦେହରେ ଯେତେ ପରିମାଣର ଜାପାନୀ
ଏନସେଫେଲାଇଟିସ‌୍‍ ଭୂତାଣୁ ରହିଛନ୍ତି ତାହା ଜଣାପଡିବ ।