ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଓଡିଶାରେ ହେବ

0
72

ଭୁବନେଶ୍ୱର,(ଓଟି): ଓଡିଶାର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିକୁ ଉଜ୍ଜିବିତ କରି ରଖିବାପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ସଂଗ୍ରହାଳୟ ପ୍ରତିଷ୍ଠା କରିବେ। ପ୍ରଥମ ପର୍ଯ୍ୟାୟରେ ଓଡିଶା ସମେତ ଦେଶର ସାତଟି ରାଜ୍ୟରେ ଏଭଳି ସଂଗ୍ରହାଳୟ ପ୍ରତିଷ୍ଠା ହେବ।

ଗତବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦ‍୍‌ବୋଧନ ଦେବା ସମୟରେ ଏଭଳି ସଂଗ୍ରହାଳୟ ପ୍ରତିଷ୍ଠା ନେଇ ସୂଚନା ପ୍ରଦାନ କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଆଦିବାସୀ ମାନଙ୍କ ସଂକ୍ରାନ୍ତରେ ଦେଶବାସୀ ଯେଭଳି ଅବଗତ ହେବେ ସେଥିପାଇଁ ସଂଗ୍ରହାଳୟ ପ୍ରତିଷ୍ଠା ଆବଶ୍ୟକ ବୋଲି ସେ କହିଥିଲେ।

ଏହାପରେ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ ‘କନ‍୍‌ସେପ୍ଟ ନୋଟ‍୍‌’ ପ୍ରସ୍ତୁତଲାଗି ଦୁଇ ଜଣିଆ କମିଟି ଗଠନ ହୋଇଥିଲା। ଓଡିଶା ରାଜ୍ୟ ଆଦିବାସୀ ଗବେଷଣା ପ୍ରତିଷ୍ଠାନର ନିଦ୍ଦେର୍ଶକ ଡକ୍ଟର ଅଖିଳ ବିହାରୀ ଓତାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଭୋପାଳସ୍ଥିତ ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମାନବ ସମ୍ୱଳ ପ୍ରତିଷ୍ଠାନର ପ୍ରଫେସର ସରିତ ଚୌଧୁରୀ ସଦସ୍ୟ ଥିଲେ।

କମିଟି ତାହାର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାପରେ ବର୍ତ୍ତମାନ ଓଡିଶା ସମେତ ଛତିଶଗଡ, ଝାଡଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜୁରାଟରେ ଏଭଳି ସଂଗ୍ରହାଳୟ ପ୍ରତିଷ୍ଠାପାଇଁ କେନ୍ଦ୍ର ସରକାର ଆଗ୍ରହ ପ୍ରକାଶ କରିଛନ୍ତି। କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟର ସୂଚନା ଅନୁଯାୟୀ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ଏହି ସଂଗ୍ରହାଳୟ ପାଇଁ ଦୁଇ ଏକର ଜମି ଆବଶ୍ୟକ ପଡୁଥିବାବେଳେ ପ୍ରାୟ ୪୦୦୦ ବର୍ଗଫୁଟ ଇଲାକାରେ ଏହା ନିର୍ମାଣ କରାଯିବ। ସଂଗ୍ରହାଳୟ ସ୍ଥାପନର ସ୍ଥାନକୁ ନେଇ ଭିନ୍ନମତ ପ୍ରକାଶ ପାଇବାପରେ ତାହା ରାଜ୍ୟର ରାଜଧାନୀରେ ପ୍ରତିଷ୍ଠା ନେଇ ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ମତ ଦେଇଥିଲେ। ଏଭଳି ସଂଗ୍ରହାଳୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରତିଷ୍ଠାପାଇଁ ପ୍ରାରମ୍ଭିକ ମତପ୍ରକାଶ ପାଇଥିବାବେଳେ ପର୍ଯ୍ୟଟକ ଓ ଲୋକଙ୍କ ଗମନାଗମନ ଦୃଷ୍ଟିରୁ ଏହା ରାଜ୍ୟ ରାଜଧାନୀ ଗୁଡିକରେ ପ୍ରତିଷ୍ଠାପାଇଁ ସ୍ଥିର ହୋଇଛି।

ପ୍ରଥମ ପର୍ଯ୍ୟାୟରେ ସାତଟି ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ଏହି ସଂଗ୍ରହାଳୟ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅର୍ଥ ପ୍ରଦାନ କରିବାକୁ ଥିବାବେଳେ ଆଦିବାସୀ ମନ୍ତ୍ରାଳୟ ଏ କ୍ଷେତ୍ରରେ ସମନ୍ୱୟ ରକ୍ଷା କରିବ। ପ୍ରତିଷ୍ଠା ହେବାକୁ ଥିବା ଏହି ସଂଗ୍ରହାଳୟରେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଆଦିବାସୀ ସଂଗ୍ରାମୀ ମାନଙ୍କ ଜୀବନ କାହାଣୀ ସହିତ ପୂର୍ଣ୍ଣ ଅବୟବ ସ୍ଥାନ ପାଇବ। ଏଥି ସହିତ ପର୍ଯ୍ୟଟକ ମାନଙ୍କ ସୁବିଧାପାଇଁ ଅତ୍ୟାଧୁନିକ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ସଂଗ୍ରାମୀମାନଙ୍କ ସଂକ୍ରାନ୍ତରେ ଅବଗତ ହେବେ। ଆମ ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ଏହି ସଂଗ୍ରହାଳୟରେ ଲକ୍ଷ୍ମଣ ନାଏକ, ଧରଣୀଧର ଭୂୟାଁ, ମାଦ୍ରି କାଲୋ, କମଳ ଲୋଚନ ଦୋରା ବିଷୋୟୀ, ଚକରା ବିଷୋୟୀ, ରିଣ୍ଡୋ ମାଝିଙ୍କ ଭଳି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ଅନେକ ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି।