ଅଧର ହାଣ୍ଡିରୁ ପଣା ପାଇଲେ ଅଶରୀରି

0
173
advt
< a href= "#">

ପୁରୀ,(ଓଟି): ଗତକାଲି ତିନି ଠାକୁର ସୁବର୍ଣ୍ଣ ବେଶରେ ମଣ୍ଡିତ ହେବା ପରେ ଆଜି ତିନି ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହୋଇଛି। ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡି ପ୍ରଭୁଙ୍କ ଅଧି ପର୍ଯ୍ୟନ୍ତ ରହି ପଣା ଭୋଗ ହେଉଥିବାରୁ ଏହାର ନାମ ଅଧରପଣା କୁହାଯାଏ। ପ୍ରତି ଠାକୁରଙ୍କ ପାଖରେ ଗୋଟିଏ ବଡହାଣ୍ଡି ଓ ଅନ୍ୟ ଦୁଇଟି ଛୋଟ ହାଣ୍ଡିରେ ପଣା ହୋଇଥାଏ।
ବୁଧବାର ମଧ୍ୟାହ୍ନ ଧୂପ ପରେ ଅଧରପଣା ପାଇଁ ପ୍ରସ୍ତୁତି ଓ ନୀତି ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ, ରାଘବ ଦାସମଠ, ବଡଓଡିଆ ମଠ ବିଭିନ୍ନ ସରଞ୍ଜାମ ଯୋଗାଇ ଦେଇଥିଲେ। ପାଣିଆ ପଟମାନେ ସିଂହଦ୍ୱାର ସମ୍ମୁଖରେ ଥିବା କୂଅରୁ ପାଣି ଆଣି ବଡ ପିତଳ ହଣ୍ଡାରେ ରଖିଥିଲେ। ପାଣି ବୁହା ଯିବା ସମୟରେ କେହି ସେହି ଜଳକୁ ସ୍ପର୍ଶ ନ କରିବା ପାଇଁ ପୋଲିସ ସୁରକ୍ଷା ହୋଇଥିଲା। ମହାସୁଆର, ଭିତରଚ୍ଛୁ, ତଳଚ୍ଛୁ, ପାଳିଆ ପୁଷ୍ପାଳକମାନେ ତିନିଠାକୁରଙ୍କ ଅଧରପଣା ଆଗରେ ନୂଅ ଗାମୁଛା ଟେରା ପକାଇଥିଲେ। ଅଧରପଣା ହାଣ୍ଡି ଉପରେ ଧଳା ଜାଲି କରିଆ ଘୋଡାଯାଇଥିଲା। ଏହି କରିଆରେ ପାଣି ଛଣା ହୋଇଥିଲା। ମହାସୁଆରମାନେ ପ୍ରତି ରଥ ଉପରେ ଅଧର ହାଣ୍ଡିରେ ପଣା ପ୍ରସ୍ତୁତ କରିଥିଲେ। ଏହି ପଣାରେ ଛାଚି, ସର, କଦଳି, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଆଦି ମିଶ୍ରଣ କରାଯାଇଥିଲା। ପଣା ପ୍ରସ୍ତୁତ ହେବା ପରେ ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକମାନେ ତିନି ରଥ ଉପରେ ପୂଜା ଠା’ କରିଥିଲେ। ପାଳିଆ ପୂଜାପଣ୍ଡା ପଞ୍ଚ ଉପଚାରରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିଥିଲେ। ଏହା ପରେ ଅଧର ହାଣ୍ଡିକୁ ଭଙ୍ଗା ଯାଇଥିଲା। ରଥ ଉପରେ ବହି ଯାଉଥିବା ଅଧରପଣାକୁ ଅଶରୀରମାନେ ପାଇ ମୌକ୍ଷ ପ୍ରାପ୍ତ ହେଉଥିବା ବିଶ୍ୱାସ ରହିଛି। ଏହି ପଣାକୁ ସେବନ କରିବା ପାଇଁ ସାଧାରଣ ଲୋକଙ୍କୁ ବାରଣ ରହିଛି ।

advt
< a href= "#">