ସହମତି ଅଭାବରୁ ଆସନ୍ତା ଅଧିବେଶନକୁ ଘୁଞ୍ଚିଲା ଟ୍ରିପଲ୍‌ ତଲାକ୍‌ ବିଲ୍‌

0
8

ନୂଆଦିଲ୍ଲୀ: ରାଜ୍ୟସଭାରେ ସହମତି ହୋଇ ନପାରିବାରୁ ବହୁ ପ୍ରତୀକ୍ଷିତ ଟ୍ରିପଲ୍‌ ତଲାକ୍‌ ବିଲ୍‌ ମୌସୁମୀ ଅଧିବେଶନର ଶେଷ ଦିନରେ ମଧ୍ୟ ରାଜ୍ୟସଭାରେ ଆଗତ ହୋଇପାରିନାହିଁ। ଆସନ୍ତା ଅଧିବେଶନରେ ଏହି ବିଲ୍‌କୁ ସଦନରେ ଉପସ୍ଥାପନ କରାଯିବ।

ଆଜି ଗୃହରେ ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ କହିଛନ୍ତି, ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଜି ଗୃହରେ ଉପସ୍ଥାପନ ହୋଇପାରିବ ନାହିଁ। କାରଣ ଏହି ବିଲ୍‌କୁ ନେଇ ସରକାର ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ସହମତି ହୋଇପାରି ନାହିଁ। ଆସନ୍ତା ଶୀତ ଅଧିବେଶନରେ ଏହା ଗୃହରେ ଉପସ୍ଥାପିତ ହେବ। ସେତେବେଳକୁ ସହମତି ହୋଇ ସାରିଥିବ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଆଶା କରିଛନ୍ତି।

ମୌସୁମୀ ଅଧିବେଶନର ଅନ୍ତିମ  ଦିନରେ  କଂଗ୍ରେସ ସାଂସଦଙ୍କ ହଙ୍ଗାମା କାରଣରୁ ରାଜ୍ୟସଭାର ଗୃହକାର୍ୟୟ ଦୁଇ ଥର ସ୍ଥଗିତ ରଖିବାକୁ ପଡ଼ିଛି। ଅପରାହ୍ନ ୨ଟା ୩୦ରେ ଯେବେ ରାଜ୍ୟସଭାର ଗୃହକାର୍ୟ୍ୟ ଆରମ୍ଭ ହେଲା ଅଧ୍ୟକ୍ଷ ସ୍ପଷ୍ଟ କରି ଦେଇଥିଲେ ଯେ ତିନି ତଲାକ ବିଲ ଆଜି ଗୃହରେ ଉପସ୍ଥାପିତ କରାଯିବ ନାହିଁ। ଯାହା ଫଳରେ ସରକାର ଦ୍ଵାରା ଚଳିତ ଅଧିବେଶନରେ ତିନି ତଲାକ ବିଲକୁ ପାରିତ କରିବାର ଉଦ୍ଦେଶ୍ୟ ଅଧୁରା ରହି ଯାଇଛି।

କେନ୍ଦ୍ର ସରକାର ମୁସଲିମ୍‌ ସଂପ୍ରଦାୟରେ ପ୍ରଚଳିତ ତିନ୍‌ ତଲାକ୍‌ ବ୍ୟବସ୍ଥାକୁ ବେଆଇନ୍‌ ଦର୍ଶାଇବାକୁ ଏକ ବିଲ୍‌ ଆଣିଛନ୍ତି। ଏହି ବିଲ୍‌ ଲୋକସଭାରେ ପାସ୍‌ ହୋଇ ସାରିଛି। ତେବେ ବିରୋଧୀ ଏଥିରେ କେତେକ ସଂଶୋଧନ ଦାବି କରିବାରୁ ଏହା ରାଜ୍ୟସଭାରେ ପାସ୍‌ ହୋଇପାରି ନଥିଲା। ଗତକାଲି କେନ୍ଦ୍ର କ୍ୟାବିନେଟ୍‌ ଟ୍ରିପଲ୍‌ ତଲାକ୍‌ ବିଲ୍‌ରେ ସଂଶୋଧନ କରି ଅଭିଯୁକ୍ତଙ୍କୁ ଜାମିନ୍‌ ଦେବା ବ୍ୟବସ୍ଥାକୁ ଏଥିରେ ସାମିଲ କରିଥିଲେ। ଏପରି କି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଉଭୟ ପକ୍ଷ ତଲାକ୍‌ ପରେ ମଧ୍ୟ ବୁଝାମଣା କରି ଏକାଠି ରହିପାରିବେ ବୋଲି ବିଲ୍‌ରେ ଏକ ପ୍ରସ୍ତାବ ଯୋଡ଼ା ଯାଇଥିଲା।

ଆଜି ମୌସୁମୀ ଅଧିବେଶନର ଶେଷ ଦିନ ହୋଇଥିବାରୁ ଏହି ସଂଶୋଧିତ ବିଲ୍ ରାଜ୍ୟସଭାରେ ଉପସ୍ଥାପିତ ହେବାର ଥିଲା। କିନ୍ତୁ ସରକାର ଓ ବିରୋଧୀଙ୍କ ମଧ୍ୟରେ ସହମତି ନ ହେବାରୁ ଏହା ସମ୍ଭବ ହୋଇପାରି ନାହିଁ। ଅନ୍ୟପକ୍ଷରେ ଆସନ୍ତା ଅଧିବେଶନ୍‌ ଯାଏ ଅପେକ୍ଷା ନ କରି କେନ୍ଦ୍ର ସରକାର ଏହି ଟ୍ରିପଲ୍‌ ତଲାକ୍‌ ବିଲ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଏକ ଅଧ୍ୟାଦେଶ ଆଣିବେ ବୋଲି ଜଣାପଡ଼ିଛି।

ଏହା ପୂର୍ବରୁ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଥିଲେ ଯେ ତିନି ତଲାକ ବିଲକୁ ନେଇ କଂଗ୍ରେସର ଆଭିମୁଖ୍ୟ ପୂରା ସ୍ପଷ୍ଟ ରହିଛି। ମାତ୍ର ଆଜି କଂଗ୍ରେସ ଓ କିଛି ବିରୋଧୀ ଦଳର ନେତା  ରାଫେଲ ବିମାନ ରାଜିନାମାରେ ଅନିୟମିତତାକୁ ନେଇ କେନ୍ଦ୍ର ସରକାର ଜବାର ରଖିବା ଦାବିରେ  ସଂସଦ ପରିସରରେ ସୋନିଆ ଗାନ୍ଧୀଙ୍କ ନେତୃତ୍ଵରେ ହଟ୍ଟଗୋଳ କରିଥିଲେ। କଂଗ୍ରେସର ସଦସ୍ୟ ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ ଅଧ୍ୟକ୍ଷଙ୍କ ସିଟ୍ ପାଖକୁ ଆସି ନାରାବାଜି କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଶୂ୍ନ୍ୟକାଳରେ କଂଗ୍ରେସ ସାଂସଦ କକ୍ଷତ୍ୟାଗ କରିଥିଲେ।

Loading...