କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଆଦିବାସୀଙ୍କୁ ସରକାରଙ୍କ ଜମି ଯୋଗାଣ କେବଳ କାଗଜ କଲମରେ

ଭୁବନେଶ୍ୱର,(ଓଟି): ରାଜ୍ୟର ନିରୀହ ଅଶିକ୍ଷିତ ଆଦିବାସୀଙ୍କ ସହିତ ସରକାର ଖେଳ ଖେଳୁଛନ୍ତି। ସେମାନଙ୍କୁ ସରକାର ମାଗଣାରେ ଜମି ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁ ଥିବା ବେଳେ ଏହା କେବଳ କାଗଜ କଲମରେ ସୀମିତ ରହିଛି ବୋଲି ଜାଣିବା ପରେ ଖାଦ୍ୟ କମିଶନ ଉଦ‍୍‌ବେଗ ପ୍ରକାଶ କରିଛନ୍ତି।
ଖାଦ୍ୟ ସୁରକ୍ଷା ଆଇନର ସମୀକ୍ଷା ପାଇଁ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସମୟରେ ଏହି ଗୁରୁତର ସମସ୍ୟା କମିଶନଙ୍କ ଦୃଷ୍ଟି ଗୋଚର ହୋଇଛି। ଜଙ୍ଗଲ ଅଧିକାର ଆଇନ ବଳରେ ସରକାର ଆଦିବାସୀଙ୍କୁ ଜମି ମାଲିକାନା ଦେଇଛନ୍ତି। କିନ୍ତୁ ପ୍ରକୃତରେ ଜମି କାହାକୁ ହସ୍ତାନ୍ତର କରାଯାଇନାହିଁ। ଅର୍ଥାତ୍ ଏହି ଜମି ମାଲିକାନା ପ୍ରଦାନ କେବଳ କାଗଜ କଲମରେ ସୀମିତ ରହିଛି।

କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଜଙ୍ଗଲ ଅଧିକାର ଆଇନ ଅନୁସାରେ ୨୦୦୮ ମସିହାଠାରୁ ଆଦିବାସୀଙ୍କୁ ଜଙ୍ଗଲ ଜମି ହସ୍ତାନ୍ତର କରାଯାଉଛି। ଉଦେଶ୍ୟ ହେଲା ଏହି ଜମିରେ ଆଦିବାସୀମାନେ ଚାଷବାସ କରି ଖାଦ୍ୟ ଉତ୍ପାଦନ କରି ଅନାହାରରୁ ରକ୍ଷା ପାଇବେ। ଏହା ଫଳରେ ବଣ ଜଙ୍ଗଲରେ ରହୁଥିବା ଆଦିବାସୀମାନଙ୍କ ଜୀବନଧାରଣରେ ପରିବର୍ତ୍ତନ ଆସିପାରିବ ବୋଲି ଚିନ୍ତା କରାଯାଇଥିଲା। କିନ୍ତୁ ସରକାରୀ କଳର ଚାଲରେ ନିରୀହ ଆଦିବାସୀମାନେ ପେଶୀ ହୋଇ ଯାଇଥିବା ଖାଦ୍ୟ ସୁରକ୍ଷା କମିଶନ ଅନୁଭବ କରିଛନ୍ତି। ବିଗତ ୧୦ ବର୍ଷ ଭିତରେ ବହୁ ଆଦିବାସୀଙ୍କୁ ଜଙ୍ଗଲ ଜମି ଦିଆଯାଇଛି ବୋଲି ସରକାର ତାଙ୍କ ସଫଳ କାହାଣୀରେ ଉଲ୍ଲେଖ କରୁଛନ୍ତି। କିନ୍ତୁ ପ୍ରକୃତପକ୍ଷେ କେହି ଜଣେ ହେଲେ ଚାଷ ଜମି ପାଇନଥିବା କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

ସେ ନିର୍ଦ୍ଦିଷ୍ଟ ଭାବରେ କହିଛନ୍ତି, କୋରାପୁଟ ଜିଲ୍ଲାରେ ସେପ୍ଟେମ୍ୱର ୩୦ ତାରିଖ ସୁଦ୍ଧା ୨୮ହଜାର ୧୯୧ଟି ପରିବାରକୁ ଏଫଆରଏ ଅନୁଯାୟୀ ଜମି ମାଲିକାନା ଦିଆଯାଇଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ରିପୋର୍ଟ ଦେଇଛି। ସେଥିରୁ ୧୫ହଜାର ୨୫୦ଜଣଙ୍କୁ ରାଜସ୍ୱ ଜଙ୍ଗଲ ଓ ୧୨ହଜାର ୯୪୧ଜଣଙ୍କୁ ସଂରକ୍ଷିତ ଜଙ୍ଗଲ ଜମିର ମାଲିକାନା ମିଳିଛି।

କିନ୍ତୁ ସରଜମିନ ଅନୁଧ୍ୟାନରୁ ଜଣାପଡିଛି ଯେ, କୋରପୁଟ ଜିଲ୍ଲାରେ ଜମି ମାଲିକାନା ମିଳିଥିବା ଗୋଟିଏ ବି ପରିବାରକୁ ଅଦ୍ୟାବଧି ଜମି ଚିହ୍ନଟ କରି ହସ୍ତାନ୍ତର କରାଯାଇନାହିଁ। ଯାହାଫଳରେ ଜମିର ଉନ୍ନତି ଓ ମନରେଗା ପାଣ୍ଠିର ବିନିଯୋଗ ହୋଇପାରିନାହିଁ। ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ସମାନ ପରିସ୍ଥିତି ରହିଛି। ତେଣୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ବାସ୍ତବ ସ୍ଥିତି କ’ଣ ରହିଛି ତାର ସରଜମିନ ତଦନ୍ତ କରି ଚଳିତ ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଖାଦ୍ୟ କମିଶନ ରଙ୍ଗଲାଲ ଜାମୁଡା ଚିଠି ଲେଖିଛନ୍ତି। ଏସମସ୍ୟାର ସମାଧାନ ପାଇଁ ସଂପୃକ୍ତ ବିଭାଗଗୁଡିକର ସଚିବମାନେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି।

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

Leave a Reply

Your email address will not be published. Required fields are marked *

   Update :