ଫ୍ୟାଶନ‌୍‍ ଶୋ’ରେ ଓଡ଼ିଆ କିନ୍ନର

 

ଭୁବନେଶ୍ୱର, (ଓଟି): ସ୍ୱାଭିମାନର ସହ ନିଜ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା ଲାଗି ରାଜଧାନୀର କିଛି କିନ୍ନର ଏକାଠି ହୋଇଛନ୍ତି। ନିଜ ଭିତରେ ଥିବା ଷ୍ଟାଇଲ‌୍‍ ତଥା ଡ୍ରେସ‌୍‍ ସେନ୍ସକୁ ଲୋକଙ୍କ ଆଗରେ ଉପସ୍ଥାପନ କରି ସେମାନେ ଫ୍ୟାଶନ‌୍‍ ଆଇକନ‌୍‍ ଭାବେ ନିଜକୁ ପ୍ରତିଷ୍ଠିତ କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି। ଏହିକ୍ରମରେ ସେମାନେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଫ୍ୟାଶନ‌୍‍ ଓ ର୍ୟାମ୍ପଶୋ’ ମଧ୍ୟ ଆୟୋଜନ କରୁଛନ୍ତି। ସେମାନଙ୍କ ଏହି ଉଦ୍ୟମକୁ ସହାୟତା କରୁଛନ୍ତି ସାମାଜିକ ସଂଗଠନ ‘ସଖା’ର ସହପ୍ରତିଷ୍ଠାତା ମୀରା ପରିଡ଼ା।

ନିକଟରେ କିଟ‌୍‍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘କୃତାର୍ଥ’ କାର୍ଯ୍ୟକ୍ରମରେ ଏମିତି ଏକ ଶୋ’ ଦେଖିବାକୁ ମିଳିିଥଲା। ଯେଉଁଥିରେ ଭିନ୍ନ ଭିନ୍ନ ପ୍ରକାର ବେଶ ପୋଷାକକୁ ପିନ୍ଧି କିନ୍ନରମାନେ ର୍ୟାମ୍ପରେ ଚାଲିଥିଲେ। ଏହା ପୂର୍ବରୁ ଏପ୍ରିଲ‌୍‍ ମାସରେ ଆୟୋଜିତ ସମ୍ପୂର୍ଣ୍ଣା କାର୍ଯ୍ୟକ୍ରମରେ ସେମାନଙ୍କ ଏହି ପ୍ରତିଭାକୁ ପ୍ରଥମେ ଦେଖିବାକୁ ମିଳିଥିଲା। ଓଡ଼ିଶାରେ ଏହା ଏକ ଅଭିନବ ଚିନ୍ତାଧାରା ବୋଲି ସେତେବେଳେ ମତ ପ୍ରକାଶ ପାଇଥିଲା। ଏହା ପରେ ସାମାଜିକ ସଂଗଠନ ନାଓ’ ପକ୍ଷରୁ ଭୁବନେଶ୍ୱରର ଏକାମ୍ର ହାଟ ଏବଂ କଣ୍ଟାମାଳ ଲୋକ ମହୋତ୍ସବ ସମୟରେ ମଧ୍ୟ ଏହି କିନ୍ନରମାନଙ୍କ ଫ୍ୟାଶନ‌୍‍ ଶୋ’ ବେଶ‌୍‍ ଆକର୍ଷଣୀୟ ହୋଇଥିଲା।

ଫ୍ୟାଶନ‌୍‍ ତଥା ର୍ୟାମ୍ପ ଶୋ’ ପାଇଁ ଆମ ଭିତରେ ଥିବା ଶିକ୍ଷିତ କିନ୍ନରମାନେ ବେଶ‌୍‍ ଆଗ୍ରହ ପ୍ରକାଶ କରୁଛନ୍ତି। ବିଶେଷକରି ଇଞ୍ଜିନିୟର ଆୟେଶା ବେହେରା, ଦିବ୍ୟାଶା ସାମଲ, ଆରୋହୀ ପାଢ଼ୀ, ବଂଶିକା ସାହୁ, ରଚନା କିନ୍ନର ପ୍ରମୁଖ ଏହାର ନେତୃତ୍ୱ ନେଉଛନ୍ତି। ଷ୍ଟେଜ‌୍‍ ଉପରେ ନିଜ ଦ୍ୱାରା ପ୍ରସ୍ତୁତ ପୋଷାକ ଓ ଷ୍ଟାାଇଲ‌୍‍କୁ ଉପସ୍ଥାପନ କରୁଛନ୍ତି ବୋଲି ମୀରା କହିଛନ୍ତି। ପୂର୍ବରୁ କିନ୍ନରମାନେ ନିଜକୁ ସମାଜର ନିଷ୍ପେସିତ ଗୋଷ୍ଠୀ ଭାବେ ବିବେଚନା କରୁଥିଲେ। ନିଜେ ନିଜେ ସଜେଇ ହୋଇ ଦର୍ପଣରେ ନିଜକୁ ଦେଖୁଥିଲେ ମଧ୍ୟ ତାହାକୁ ନେଇ ବାହାରେ ଯେ ଶୋ’ କରିପାରିବେ ତାହା କେବେ ଭାବି ନଥିଲେ। ଯଦିଓ ଏବେ ବି ସେହିଧାରା ବଜାୟ ରହିଛି କିନ୍ତୁ ଏହିଭଳି ଅଭିନବ ଉଦ୍ୟମ ଦ୍ୱାରା ଏଣିକି କେହି କିନ୍ନର ନିଜ ପରିଚୟ ଲୁଚାଇବାକୁ ବାଧ୍ୟ ହେବ ନାହିଁ ବରଂ ଗର୍ବର ସହ ନିଜର ପରିଚୟ ଦେଇ ମୁଣ୍ଡଟେକି ଠିଆ ହୋଇପାରିବ ବୋଲି ସେ କହିଛନ୍ତି। ପ୍ରତିଷ୍ଠିତ ମଡେଲ‌୍‍ ପୂଜା ମିଶ୍ର, କଷ୍ଟ୍ୟୁମ‌୍‍ ଡିଜାଇନର‌୍‍ ଶ୍ୱେତା ପାରେଖ‌୍‍ ପ୍ରମୁଖ ତାଙ୍କୁ ତାଲିମ ଦେଉଛନ୍ତି। ଆଗକୁ ଏହି ଗୋଷ୍ଠୀ ଅଧିକ ମଜଭୁତ ହୋଇ ନିଜସ୍ୱ ଶୋ’ ଆୟୋଜନ କରିବ ବୋଲି ସେ ସୂଚନା ଦେଇଛନ୍ତି।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply