ନବୀନଙ୍କ ରାଜ୍ୟସଭା ତୀର: ୩ ମିଡିଆ ଶିକାର, ପ୍ରତିଛବିର ଅବିବୃଦ୍ଧି ଆଉ କିଣା ହୋଇ ନଥିବା ମିଡିଆ ମାଲିକଙ୍କୁ ଥୋପ


ମିଡିଆ ମାଲିକଙ୍କ  ଆଶା ଓ ସମ୍ଭାବନା ଭିତରେ ଓଡ଼ିଶା କିନ୍ତୁ ଆଶଙ୍କିତଯେ, ତାଙ୍କ ମନରେ ଅନୁଶୀଳନ ବା ଚିନ୍ତନର ଭାବ ଉଦ୍ରେକ କରୁଥିବା ମିଡିଆ ପ୍ରତିନିଧି ତଥା ଏହାଙ୍କ ମାଲିକଙ୍କୁ ଯଦି ବିଜେଡି କିଣିପାରୁଛି ତେବେ ଭୋଟରଙ୍କ ଅବସ୍ଥା କ’ଣ ନହେବ । ସ୍ୱାଧୀନ ଭୋଟ୍‍ ବୋଲି କିଛି ରହିବ ନା ଦୁଆର ଦେଇ କାନ୍ଦିଲା ଭଳି ଭୋଟର ନୋଟାକୁ ବିକଳ୍ପ କରିବା ସାର ହେବ!

ଭୁବନେଶ୍ୱର, (ଓଟି): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜ୍ୟସଭା ତୀରରେ ବିଜେଡି ବ୍ୟାଗକୁ ଅନେକ ଉପହାର ଅଜାଡ଼ି ହୋଇପଡ଼ିଛି । ପ୍ରଥମତଃ ତିନି ତିନିଟି ନ୍ୟୁଜ୍‍ ମିଡିଆ ଏବେ ବିଜେଡିର ବାଁ ହାତରେ ଥୁଆ ହେଲା । ଦ୍ୱିତୀୟଟି ହେଉଛି ନବୀନଙ୍କ ପ୍ରତିଛବି ଆହୁରି ବଢ଼ିଲା । ଆଉ ତୃତୀୟରେ ଅନ୍ୟ ମିଡିଆ ମାଲିକଙ୍କ ଆଗରେ ଥୋପ ଝୁଲାଇବାରେ ନବୀନ ସମର୍ଥ ହେଲେ ।
ଏବେ ଆଲୋଚନା ବିସ୍ତାରରେ ।

ପ୍ରଥମ– ତିନିଟି ନ୍ୟୁଜ୍‍ ମିଡିଆ ନବୀନଙ୍କ ବାଁ ହାତର ଖେଳ ହେବା କଥା । ଅବଶ୍ୟ କିଟ୍‍ ବିଶ୍ୱବିଦ୍ୟାଳୟର ମାଲିକଙ୍କ ଦ୍ୱାରା ପରିଚାଳିତ କଳିଙ୍ଗ ଟିଭି ପୂର୍ବରୁ ନବୀନଙ୍କ ନିଶ୍ଚିତ ପ୍ରଚାରର ଏକ ମାଧ୍ୟମ ଭାବେ ପୂର୍ବରୁ ରହି ଆସିଥିଲା । ନିଷ୍ଠା ପୂର୍ବକ ଏହି ଟିଭି ଜନ୍ମଠୁ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଗୁଣଗାନ କରିବା ପାଇଁ ହେଳା କରି ନଥିଲା । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ଏବେ ତାହା ନିଶ୍ଚିତ ହୋଇଗଲା । ତେବେ ପ୍ରଶ୍ନ ଉଠୁଛି ଫାଇଦା କେଉଁଠୁ ହେଲା?

କିଟ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ସାରା ଦେଶର ଭିଭିଆଇପି ମାନଙ୍କ ସମ୍ପର୍କ ଯଥେଷ୍ଟ ରହିଆସିଛି, ସେ ବିଜେପିର ହୁଅନ୍ତୁ ବା କଂଗ୍ରେସର । ତା’ ବାଦ ତାଙ୍କ ପାଖରେ ଅର୍ଥ ଜବର ଦଖଲ, ସବୁଜିମା ହଡ଼ପ ପରି ଅନେକ ମାମଲାର ଅନ୍ତ ନାହିଁ ବୋଲି କୁହାଯାଉଛି । ଏପରିକି ଓଡ଼ିଶାର ବଡ଼ ବଡ଼ ବ୍ୟାଙ୍କ୍‍ ଋଣୀମାନଙ୍କ ଭିତରେ ବି ତାଙ୍କର ନାଁ ରହିଛି । ଏସବୁରୁ ଲୋକଙ୍କ ନଜର ହଟାଇବା ଲାଗି ସେ ଅନେକ ପ୍ରଚେଷ୍ଟା କଲେ । ମିଡିଆକୁ ଏଡ଼ାଇବା ଲାଗି ନିଜର ମିଡିଆ ଖୋଲିଲେ । ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ପୁରସ୍କାର ସଂଗ୍ରହ କଲେ । କିନ୍ତୁ ସରକାରଙ୍କ ପ୍ରତ୍ୟକ୍ଷ ସମର୍ଥନ ପାଇପାରି ନଥିଲେ । ଅନେକ ଥର ରାଜ୍ୟସଭା ଓ ପଦ୍ମ ପୁରସ୍କାର ପାଇଁ ଚେଷ୍ଟା କରି ବିଫଳ ହୋଇଥିବା ଚର୍ଚ୍ଚା ହୋଇଛି । ଏଣୁ ଏଥର ଯଦି ତାଙ୍କ ଆଶା ସାକାର ହୋଇ ନଥାଆନ୍ତା ସେ ହୁଏତ ବିଜେପି ଆଡ଼କୁ ଢଳିଥାଆନ୍ତେ ଆଉ ପ୍ରତ୍ୟକ୍ଷ ଅଥବା ପରୋକ୍ଷଭାବେ ଭୋଟରଙ୍କୁ ପ୍ରଭାବିତ କରିବାରେ ଭୂମିକା ନେଇଥାଆନ୍ତେ । ଏଣୁ ଏବେ ରାଜ୍ୟସଭା ଟିକେଟ୍‍ଟି ପାଇବା ପରେ କଳିଙ୍ଗ ଟିଭି ସହ ଅଚ୍ୟୁତଙ୍କ ଜନସମ୍ପର୍କ ଏଜେନ୍ସୀ ଏବେ ନବୀନଙ୍କ ପ୍ରଚାରରେ ଲାଗିବ । ୨୫ ହଜାର ଆଦିବାସୀ ପରିବାର ହୁଏତ ନବୀନଙ୍କ ଆଡ଼କୁ ଢଳିପାରନ୍ତି- ଯେଉଁମାନଙ୍କ ପୁଅ ଝିଅଙ୍କୁ ଅଚ୍ୟୁତ ଏଠାରେ ମାଗଣାରେ ପଢ଼ାଉଛନ୍ତି ବୋଲି ଦାବି କରି ଆସୁଛନ୍ତି ।

ସେହିପରି ପୂର୍ବରୁ ମାତ୍ର ୧୩ ମାସର ସାଂସଦ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମନରେ ଯେଉଁ ସାଂସଦ ହେବାର ମୋହଟି ଲାଗି ରହିଛି ତାହା ପୂରଣ ହେବା ଦ୍ୱାରା ତାଙ୍କ ପାଖରେ ଖୁସିର ଲହରି ଖେଳି ଯାଇଛି । ତାଙ୍କ ସମର୍ଥକମାନେ ଏବେ ମିଠା ବାଣ୍ଟି ବାଣ ଫୁଟାଇ ଭୁବନେଶ୍ୱର କମ୍ପାଉଛନ୍ତି । ଏହିକ୍ରମରେ ପରୋକ୍ଷ ଭାବେ ତାଙ୍କ ଦ୍ୱାରା ପରିଚାଳିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମିଡିଆ ହାଉସ୍‍ ବିଜେଡି ବ୍ୟାଗ୍‍ରେ ପଡ଼ିଛି । କନକ ନ୍ୟୁଜ୍‍ ଚ୍ୟାନେଲ ଏବଂ ସମ୍ବାଦ ଖବରକାଗଜ ସହ ରେଡିଓ ଚକୋଲେଟ୍‍, ଆମଓଡ଼ିଶା ରକ୍ତଦାନ ପରିବାର ସବୁକିଛି ବିଜେଡି ପରିବାରର ଅଙ୍ଗ ହୋଇଛନ୍ତି । ଅର୍ଥାତ୍‍ ମିଡିଆ ଆଉ ତାଙ୍କ ବିରୋଧରେ କିଛି ଲେଖିବ ନାହିଁ । ଆଉ ଲେଖିବା ପାଇଁ କୌଣସି ମିଡିଆର ଦମ୍ଭ ବି ନାହିଁ । କାରଣ ଏବେ ଧରିତ୍ରୀ, ପ୍ରଗତିବାଦୀ, ପ୍ରମେୟର କିଛି ଅଂଶ ବିଜେଡି ଆଡ଼କୁ ଢଳିଥିବା ମିଡିଆ ମହଲରେ ଆଲୋଚନା ହେଉଛି ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୌମ୍ୟଙ୍କୁ ନିଜ କବଳକୁ ଆଣି ନବୀନ ନିଜର ପ୍ରତିଛବିକୁ ସୁଧାରିଛନ୍ତି । କାରଣ ତାଙ୍କ ବାପାଙ୍କ ବିରୋଧରେ ଯିଏ ପ୍ରାର୍ଥୀ ହେବାର ଦମ୍ଭ ରଖିଥିଲେ, ଯିଏ କଂଗ୍ରେସ ମୁଖ୍ୟମନ୍ତ୍ରୀ ଜନକୀ ବାବୁଙ୍କ ଜ୍ୱାଇଁ, ଯିଏ ପଟ୍ଟନାୟକ ପରିବାରର ସୁଯୋଗ୍ୟ ଦାୟାଦ, ତାଙ୍କ ଡଙ୍କ ମୋଡ଼ିବାରେ ନବୀନ ସମର୍ଥ ହୋଇଛନ୍ତି । ଆଉ ସୌମ୍ୟଙ୍କ ପରିବର୍ତ୍ତନ ପରେ ନବୀନଙ୍କ ବିରୋଧରେ ସେ ଯେଉଁ ମନ୍ତବ୍ୟ ରଖିଥିଲେ ସେସବୁ ଆପେ ପାଣିଚିଆ ହୋଇଯାଇଛି । ପ୍ରମାଣିତ ହୋଇଛି ଯେ ସୌମ୍ୟବାବୁ ଯାହାସବୁ କହୁଥିଲେ ସେସବୁ ମିଛ ଥିଲା । ଆଉ ନବୀନ ପୂର୍ବେ ବେଲ୍‍ଜିୟମ୍‍ କାଚ ପରି ଥିଲେ ଆଜିବି ସେଇଆ ଅଛନ୍ତି ।

ବିଜେଡି ପାଇଁ ତୃତୀୟ ଫାଇଦାଟି ହେଉଛି ଅନ୍ୟ ମିଡିଆ ମାଲିକଙ୍କ ଆଗରେ ରାଜ୍ୟସଭା ସାଂସଦ ହେବାର ସ୍ୱପ୍ନ ଉଦ୍ରେକ କରାଇବା । ଯଦି ଅଚ୍ୟୁତ ବା ସୌମ୍ୟଙ୍କ ଭଳି କୌଣସି ମେନଷ୍ଟ୍ରିମ ମିଡିଆ ନବୀନଙ୍କ ଗୁଣଗାନ କରିବେ ତେବେ ତାଙ୍କୁ ଭବିଷ୍ୟତରେ ରାଜ୍ୟସଭା ବା ଲୋକସଭା ନହେଲେ ବିଧାନସଭା ଟିକେଟ୍‍ ମିଳିପାରେ । ଏହି ଗଣିତରେ ସମାଜ, ପ୍ରମେୟ ଓ ପ୍ରଗତିବାଦୀଙ୍କୁ ରଖାଯାଇଥିବା ସଳଚନା ମିଳିଛି । ଏ ଭିତରେ ଲୋକମତକୁ ଅଧିକ ପ୍ରଭାବିତ କରିପାରୁଥିବା ଟାର୍ଗେଟ୍‍ରେ ରହିଛନ୍ତି ନ୍ୟୁଜ୍‍ ସେଭେନ୍‍ ଓ ପ୍ରମେୟର ମାଲିକ । ଆଲୋଚନା ହେଉଛି ଯେ, ଏହି ସଂସ୍ଥାର ମାଲିକ ତଥା ସୋଆ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ମନୋଜ ରଞ୍ଜନ ନାୟକ ବି ରାଜନେତା ହେବା ପାଇଁ ଯଥେଷ୍ଟ ଆଗ୍ରହୀ ରହିଛନ୍ତି । ପୂର୍ବରୁ ସେ ଏଥିପାଇଁ ମଧ୍ୟ ଚେଷ୍ଟା ଚଳାଇଥିଲେ । ନିକଟ ସମ୍ପର୍କୀୟ ନଳିନୀ ମହାନ୍ତିଙ୍କ ଦେହାନ୍ତ ପରେ ସେ ସେଠାରୁ ପ୍ରତିନିଧିତ୍ୱ କରିବା ପାଇଁ ଚାହିଁଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏଥରର ନିର୍ବାଚନରେ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବାରୁ ତାଙ୍କୁ ମଧ୍ୟ କୌଣସି ଏକ ସ୍ଥାନରୁ ପ୍ରାର୍ଥୀ କରିବାରେ ବିଜେଡିର ଅବଶୋଷ ରହିବ ନାହିଁ । ସେଥିପାଇଁ ପ୍ରମେୟ ଏବଂ ନ୍ୟୁଜ୍‍ ସେଭେନ୍‍ ମଧ୍ୟ ସରକାରୀ କଳ ବିପକ୍ଷରେ ନ୍ୟୁଜ୍‍ ପ୍ରସାରଣକୁ ଗୁରୁତ୍ୱ ଦେଉ ନାହାନ୍ତି । ଏହି ସଂସ୍ଥାର ଜଣେ ସମ୍ପାଦକ ପ୍ରାର୍ଥୀ ହେବା ପାଇଁ ବିଶେଷ ଉଦ୍ୟମ ଆରମ୍ଭ କରିଛନ୍ତି । କିନ୍ତୁ ମାଲିକଙ୍କ ଆଗ୍ରହ ଆଗରେ ତାଙ୍କ ଆଗ୍ରହ ନିମିତମାତ୍ର ହେବ । ପୁଣି ବିଜେଡି ଏତେ ଦୂରଦୃଷ୍ଟି ହୀନ ନୁହେଁ ଯେ, ମାଲିକ ଥାଉ ଥାଉ କର୍ମଚାରୀଙ୍କୁ ଟିକେଟ୍‍ ଦେବ! ଅର୍ଥାତ୍‍ ନିର୍ବାଚନ ଯାଏ ସୁମା ରିୟଲ୍‍ ମିଡିଆ ଗୋଷ୍ଠୀ ଏବେ ବିଜେଡି ପାଇଁ ହିଁ କାମ କରିବ ବୋଲି ଆଶା କରିବା ସ୍ୱଭାବିକ ।

ମିଡିଆ ମାଲିକଙ୍କ ଏ ଆଶା ଓ ସମ୍ଭାବନା ଭିତରେ ଓଡ଼ିଶା କିନ୍ତୁ ଆଶଙ୍କିତଯେ, ତାଙ୍କ ମନରେ ଅନୁଶୀଳନ ବା ଚିନ୍ତନର ଭାବ ଉଦ୍ରେକ କରୁଥିବା ମିଡିଆ ପ୍ରତିନିଧି ତଥା ଏହାଙ୍କ ମାଲିକଙ୍କୁ ଯଦି ବିଜେଡି କିଣିପାରୁଛି ତେବେ ଭୋଟରଙ୍କ ଅବସ୍ଥା କ’ଣ ନହେବ । ସ୍ୱାଧୀନ ଭୋଟ୍‍ ବୋଲି କିଛି ରହିବ ନା ଦୁଆର ଦେଇ କାନ୍ଦିଲା ଭଳି ଭୋଟର ନୋଟାକୁ ବିକଳ୍ପ କରିବା ସାର ହେବ!

About admin

Check Also

ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ ପାଇବନି : ଜେଟଲି

ଭୁବନେଶ୍ୱର,(ଓଟି): ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ …

Leave a Reply