ଓଡିଶାରେ ୬୦ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିବ ଟାଟା ଗ୍ରୁପ‌୍‍

0
8

ଭୁବନେଶ୍ୱର,(ଓଟି): ଓଡିଶାରେ ଟାଟା ଗ୍ରୁପ‌୍‍ ପକ୍ଷରୁ ୬୦ ହଜାର କୋଟି ଟଙ୍କା ପଞ୍ଜି ନିବେଶ କରାଯିବ। ଏଥିମଧ୍ୟରୁ ୩୫ ହଜାର କୋଟି ଟଙ୍କା ଅଧିଗୃହୀତ ଭୂଷଣ ପ୍ଲାଣ୍ଟରେ ବିନିଯୋଗ ହେବ, ଅବଶିଷ୍ଟ ୨୫ ହଜାର କୋଟି ଟଙ୍କା କଳିଙ୍ଗନଗର ପ୍ଲାଣ୍ଟର ସମ୍ପ୍ରସାରଣରେ ବିନିଯୋଗ ହେବ ବୋଲି ଟାଟା ସନ୍ସର ଚେୟାରମ୍ୟାନ‌୍‍ ନଟରାଜନ‌୍‍ ଚନ୍ଦ୍ରଶେଖରନ‌୍‍ ପ୍ରକାଶ କରିଛନ୍ତି।

ମଙ୍ଗଳବାର ଦିନ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ଚନ୍ଦ୍ରଶେଖରନ‌୍‍ ଭେଟି ପ୍ରସ୍ତାବିତ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ। ବୈଠକ ପରେ ସେ କହିଥିଲେ ଯେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଉ କିଛି ପ୍ରକଳ୍ପ ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଅନ୍ୟପକ୍ଷରେ ଓଡିଶାକୁ ଦ୍ରୁତ ଶିଳ୍ପାୟନ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିବାରୁ ସେ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ ଯେଉଁସବୁ ପ୍ରସ୍ତାବ ଦେଇଛନ୍ତି ଟାଟା ସନ୍ସ ଏହା ଉପରେ ବିଚାର କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସେ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି।

ନରାଜରେ ପ୍ରତିଷ୍ଠା ହେବ ପ୍ରତିରକ୍ଷା ମ୍ୟାନୁଫାକ‌୍‍ଚରିଂ କ୍ଲଷ୍ଟର

ଓଡିଶାରେ ପ୍ରତିରକ୍ଷା ମ୍ୟାନୁଫାକ‌୍‍ଚରିଂ କ୍ଲଷ୍ଟର ଓ ଇସ୍ପାତରେ ଡାଉନଷ୍ଟ୍ରିମ‌୍‍ କ୍ଷେତ୍ର ସୃଷ୍ଟି କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟାଟା ସଂସ୍ଥାକୁ ପ୍ରସ୍ତାବ ଦେଇଛନ୍ତି । ପ୍ରତିରକ୍ଷା ମ୍ୟାନୁଫାକ‌୍‍ଚରିଂ କ୍ଲଷ୍ଟର ନରାଜ ଠାରେ ୮୭୧ ହେକ୍ଟର ଜମିରେ ନିର୍ମାଣ ହେବ। ସେହିପରି କଳିଙ୍ଗନଗରଠାରେ ଥିବା ଟାଟାର କଳିଙ୍ଗନଗର ପ୍ଲାଂଟରେ ଇସ୍ପାତ ଡାଉନଷ୍ଟ୍ରିମ‌୍‍ କ୍ଲଷ୍ଟର ସୃଷ୍ଟି କରି ସେଠାରେ ଲିକ୍ୟୁଡ‌୍‍ ମେଟାଲ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଟାଟା ମୋଟରସ‌୍‍ ପକ୍ଷରୁ ଇ- ଭେଇକିଲ ପ୍ରକଳ୍ପ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରକଳ୍ପରେ ଟାଟା ଶିଳ୍ପ ଇଣ୍ଡଷ୍ଟ୍ରି ପାର୍ଟନର ଭାବେ ଭାଗୀଦାର ହେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟାଟାର ଚେୟାରମ୍ୟାନଙ୍କୁ ପ୍ରସ୍ତାବ ଦେଇଛନ୍ତି । ସରକାରୀ ଇଂଜିନିୟରିଂ କଲେଜ ଆଇଟିଆଇ ଓ ପଲିଟେକନିକ‌୍‍ ମାନଙ୍କରେ କ୍ୟାମ୍ପସ‌୍‍ ପ୍ଲେସମେଣ୍ଟ ଟାଟା କମ୍ପାନୀ ତରଫରୁ କରାଯିବାପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଗଂଜାମ ଜିଲ୍ଲାର ସୀତାପଲ୍ଲୀଠାରେ ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ଡାକ୍ତରଖାନାର କାମକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ କହିଥିଲେ । ରାଜ୍ୟର ଚାଷୀ ମାନଙ୍କ ଶସ୍ୟ ବୀମା ଦାବି ଗୁଡିକର ଫଇସଲା ଟାଟା ଏଆଇଜି ଶୀଘ୍ର କରୁ ବୋଲି ପଟ୍ଟନାୟକ କହିଥିଲେ ।

ଟାଟା କମ୍ପାନୀ ଭୋଲଟାଜ‌୍‍ ଓ ଥାଇସିନ‌୍‍ କ୍ରୁକ‌୍‍ ମିଶି କିଛି ସରକାରୀ ଆଇଟିଆଇରେ ୱାର୍କସପ‌୍‍ ସ୍ଥାପନା କରିବା ସମ୍ପର୍କରେ ବିଚାର କରିବାକୁ ଶ୍ରୀ ପଟ୍ଟନାୟକ ଟାଟା ସନ୍ସର ଚେୟାରମ୍ୟାନ‌୍‍ ନଟରାଜନ‌୍‍ ଚନ୍ଦ୍ରଶେଖରନଙ୍କୁ ଅନୁରୋଧ କରିଥିଲେ ।

Loading...