ଏଥର ରାଜ୍ୟ ସରକାରଙ୍କ ନିର୍ବାଚନୀ ବଜେଟ‍୍‌

0
3

ବଜେଟ‍୍‌ ଆକାର ୧.୦୨ଲକ୍ଷ କୋଟି ଛୁଇଁପାରେ

ଚାଷୀ, ଜଳସେଚନ, ବିଜୁ ଆବାସ ଯୋଜନା, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ

ଭୁବନେଶ୍ୱର,(ଓଟି): ଆଗାମୀ ୨୩ ତାରିଖରେ ରାଜ୍ୟ ସରକାର ୨୦୧୯୮-୧୯ ଆଥିର୍କ ବର୍ଷ ପାଇଁ ବଜେଟ‍୍‌ ଆଗତ କରିବେ। ଆଗାମୀ ସାଧାରଣ ନିର୍ବାଚନ ଆଉ ମାତ୍ର ବର୍ଷେ ଥିବାରୁ ସରକାରଙ୍କ ଏହି ବଜେଟ ନିର୍ବାଚନୀ ବଜେଟ‍୍‌ ହେବ। ତେଣୁ ଚଳିତ ବର୍ଷର ବଜେଟ ଆକାର ୧ଲକ୍ଷ ୨୦ହଜାର କୋଟିରୁ ଅଧିକ ହେବ ବୋଲି ସରକାରଙ୍କ ପ୍ରାରମ୍ଭିକ ଆକଳନରୁ ଜଣାପଡିଛି। ଆଗାମୀ ବଜେଟରେ ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହିତ ଜଳସେଚନକୁ ସର୍ବାଧିକ ଗୁରୁତ୍ୱ ଦେବେ ବୋଲି ଜଣାପଡିଛି। ଏହାଛଡା ବଜେଟରେ ଗ୍ରମାଞ୍ଚଳ ବିକାଶ, ବିଜୁ ଆବାସ ଯୋଜନା, ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ଅଗ୍ରାଧିକାର ଦେବେ।

ଚଳିତ ବର୍ଷର ସାଧାରଣ ବଜେଟକୁ ଅନୁମୋଦନ କରିବା ଲାଗି ଆବଶ୍ୟକ ସମୟ ନ ଥିବାରୁ ସରକାର ୨୦୧୬-୧୭ ଢାଞ୍ଚାରେ ବଜେଟ‍୍‌ ଉପସ୍ଥାପନ କରିବେ। ସରକାର ସମ୍ପୁର୍ଣ୍ଣ ବଜେଟ‍୍‌ ଉପସ୍ଥାନୟପନ କରିବେ; କିନ୍ତୁ ମାର୍ଚ୍ଚ ୩୧ରେ ଏକ ମଙ୍କସର ବଜେଟ‍୍‌ ଅନୁମୋଦନ ହୋଇ ପରବର୍ତ୍ତୀ ସମୟରେ ସମ୍ପୁର୍ଣ୍ଣ ବଜେଟ‍୍‌ ଅନୁମୋଦନ ହେବ ବୋଲି ଜଣାପଡିଛି।

ଗତ ବର୍ଷ ସରକାର ୨୦୧୭-୧୮ ଆଥିର୍କ ବର୍ଷ ପାଇଁ ୧ଲକ୍ଷ ୬ହଜାର ୯୧୦ କୋଟି ଟଙ୍କାର ବଜେଟ‍୍‌ ଉପସ୍ଥାପନ କରିଥିଲେ। ପୂର୍ବ ବର୍ଷ ତୁଳନାରେ ଏହାର ଆକାର ପ୍ରାୟ ୧୩.୭ ପ୍ରତିଶତ ଅଧିକ ଥିଲା। ଏହା ବ୍ୟତୀତ ଚଳିତ ବର୍ଷ ପାଇଁ ୯୮୨୮ କୋଟି ୫୭ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ‍୍‌ ବିଧାନସଭାରେ ଅନୁମୋଦନ ପାଇଥିଲା।

ଆଗାମୀ ନିର୍ବାଚନ ପୂର୍ବରୁ ଏହା ସରକାରଙ୍କ ଶେଷ ବଜେଟ‍୍‌। ଏହି ବଜେଟରେ ସରକାର ସବୁ ବର୍ଗର ମତଦାତାଙ୍କୁ ତୁଷ୍ଟୀକରଣ କରିବା ପାଇଁ ପ୍ରୟାସ କରିବେ। କାରଣ ବର୍ତ୍ତମାନ ରାଜ୍ୟର ଟିକସ ଆଦାୟ ହାର ଉତ୍ସାହ ଜନକ ରହିଛି। ଖଣି କ୍ଷେତ୍ରରେ ରାଜସ୍ୱ ଆଦାୟ ହାର ୩୬ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଆଇସିଏଲ ପ୍ରାପ୍ୟକୁ ବାଦ‍୍‌ ଦେଇ ବିକ୍ରିକର କ୍ଷେତ୍ରରେ ଟିକଓ ଅଭିବୃଦ୍ଧି ହାର ୧୩ ପ୍ରତିଶତ ରହିଛି। ଷ୍ଟାମ୍ପ ଡ୍ୟୁଟିକୁ ଛାଡି ଅନ୍ୟାନ୍ୟ କ୍ଷେତ୍ରରେ ଆଶନୁରୂପ ଟିକଓ ମିଳିବ ବୋଲି ସରକାର ଆକଳନ କରିଛନ୍ତି।

ଚଳିତ ବଜେଟରେ କେନ୍ଦ୍ର ଅନୁଦାନ ପୂର୍ବାପେକ୍ଷା କମ‍୍‌ ରହିବ। କିନ୍ତୁ ଗୃହ ନିର୍ମାଣ ଭଳି ଯୋଜନାରେ ପୂର୍ବପେକ୍ଷା ଅଧିକ ଅର୍ଥ ମିଳିବ। ୨୦୧୯ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଦେବା ରାଜ୍ୟ ସରକାର ଯେଉଁ ଘୋଷଣା କରିଛନ୍ତି, ତାହାକୁ ପୂରଣ କରିବାରେ କିଛି ଅସୁବିଧା ହେବ ନାହିଁ। ସରକାରୀ କର୍ମଚାରୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରକାର ପଦକ୍ଷେପ ନେବେ। ସ୍ଥାନୀୟ କଳାକାରମାନଙ୍କୁ ଭତ୍ତା ମଧ୍ୟ ଦିଆଯାଇପାରେ। ଆଗାମୀ ବଜେଟରେ ସରକାର ଚାଷୀଙ୍କ ପାଇଁ ପେନସନ ଓ ଋଣ ଛାଡ ଭଳି ନିଷ୍ପତ୍ତି ନେଇପାରନ୍ତି। ରାଜ୍ୟରେ ଚାଷର ଉନ୍ନତି ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକ ବ୍ୟୟ ବରାଦ ହୋଇପାରେ। ଏସବୁକୁ ମିଶାଇଲେ ସରକାରଙ୍କ ଆଗାମୀ ବଜେଟ ୧ଲକ୍ଷ ୨୦ ଜହାର କୋଟି ଛୁଇଁପାରେ।

କେନ୍ଦ୍ରୀୟ ଢାଞ୍ଚାରେ ଏଥର ମଧ୍ୟ ସମୁଦାୟ ବଜେଟକୁ ପ୍ରଶାସନିକ ଖର୍ଚ୍ଚ, କାର୍ଯକ୍ରମ ଖର୍ଚ୍ଚ, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଖର୍ଚ୍ଚ ଓ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ; ଏଭଳି ମୋଟ ୪ ଭାଗରେ ବିଭକ୍ତ କରାଯାଇ ବଜେଟ‍୍‌ ପ୍ରସ୍ତୁତ ହୋଇଛି।

ଆଗାମୀ ୨୦ରେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ତାଙ୍କ ଅଭିଭାଷଣ ପ୍ରଦାନ କରିବେ। ପରବର୍ତ୍ତୀ ୨ଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କରାଯିବ। ୨୩ରେ ସମ୍ପର୍ଣ୍ଣ ବଜେଟ ଆଗତ ହୋଇ ୨୪,୨୬,୨୭ ବଜେଟ‍୍‌ ଉପରେ ସାଧାରଣ ଆଲୋଚନା ହେବ। ସେଥିରେ ଏପ୍ରିଲ ମାସ ପାଇଁ ସ୍ୱତନ୍ତ୍ର ବ୍ୟୟଭାର ଅନୁମୋଦନ ଲାଗି ୨୮ ଓ ୨୯ରେ ଖର୍ଚ୍ଚ ଦାବି ଆଲୋଚନା ହୋଇ ପାରିତ କରାଯିବ।