ପହଣ୍ଡି କର୍ଡ଼ନ କଡ଼ାକଡ଼ି କରାଯିବ: ଶ୍ରୀମନ୍ଦିର ପ୍ରଶାସନ

ପୁରୀ,(ଓଟି): ଏବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ହାତକୁ ନେଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥାବଳୀରେ ପହଣ୍ଡି କର୍ଡ଼ନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଯେପରି ଭକ୍ତମାନେ ବାଧା ସୃଷ୍ଟି କରିନପାରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଆମ ପ୍ରତିନିଧିଙ୍କୁ କହିଛନ୍ତି।

ଶ୍ରୀଗୁଣ୍ଡିଚା ଦିନ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହେବେ। ପହଣ୍ଡି କର୍ଡନରେ କେବଳ ପାଳିଆ ଦଇତାପତିସେବକ, ନୀତି ସେବକ ରହିବେ। କର୍ଡ଼ନ ବାହାରେ ବିଭିନ୍ନ ନିଯୋଗର ସଭାପତି, ସମ୍ପାଦକ, ଘଣ୍ଟୁଆ, ଓଲାର, ଛତାର, ଚାମରୁ କର୍ତ୍ତବ୍ୟରତ ଅଧିକାରୀ, କର୍ମଚାରୀ ରହିବେ। ସରକାରୀ ପୋଲିସଙ୍କ ଦ୍ୱାରା ପହଣ୍ଡି କରାଯିବ। ପହଣ୍ଡି ସମୟରେ ବେଦ ପାଠକାରୀମାନେ ତିନି ଠାକୁରଙ୍କ ଆଗେ ଆଗେ ବେଦପାଠ କରି ରଥ ପର୍ଯ୍ୟନ୍ତ ଯିବେ।

ପ୍ରତି ଠାକୁରଙ୍କ ପାଖରେ ୫ଜଣ ବେଦ ପାଠକାରୀ ରହିବେ। ଶ୍ରୀମନ୍ଦିର ବୈଦିକ ଶିକ୍ଷାନୁଷ୍ଠାନ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ବେଦପାଠକାରୀ ଚୟନ କରିବେ। ଶ୍ରୀଗୁଣ୍ଡିଚା ଦିନ ପୁଷ୍ପଚିତା ସଂପୃକ୍ତ ସେବାୟତଙ୍କୁ ଘରୁ ଅଣାଯାଇ ସିଂହଦ୍ୱାର ଛାଉଣୀ ମଠରେ ରଖାଯିବ। ପହଣ୍ଡି ପାଇଁ ଶ୍ରୀମନ୍ଦିର କୀତ୍ତନ ଚକଡ଼ାରେ ବ୍ୟାରିକେଟ କରାଯିବ। ପହଣ୍ଡି ସମୟ ଯେପରି ଦର୍ଶନାର୍ଥୀ ସ୍ପର୍ଶ ଓ କର୍ଡ଼ନ ଭିତରକୁ ଯାଇନପାରିବେ ସେଥିପ୍ରତି ପ୍ରତିହାରୀ ସେବକ, ଦଇତାପତି ଓ ସରକାରୀ ପୋଲିସ ଦୃଷ୍ଟିଦେବେ। ବାଇଶ ପାହାଚ, ଆନନ୍ଦ ବଜାର, ସିଂହଦ୍ୱାର ଗୁମୁଟ, ସିଂହଦ୍ୱାର ସୂଚନାକେନ୍ଦ୍ର ପାଖ, ତିନିରଥ ଚାରିପଟ ଖାଲି କରାଯିବ।

ଶ୍ରୀଜୀଉମାନେ ରଥାରୁଢ଼ ପରେ ତିନିରଥ ଶୋଧ କରାଯିବ। ରଥ ଚାରିପଟେ ଅନ୍ତଃ କର୍ଡ଼ନ ଓ ସ୍ୱତନ୍ତ୍ର କର୍ଡ଼ନ କରାଯିବ। ଯେପରି ଦର୍ଶନାର୍ଥୀ ରଥ ଛୁଇଁ ପାରିବେ ନାହିଁ କି କର୍ଡ଼ନ ଭିତରକୁ ଯାଇପାରିବେ ନାହିଁ। ରଥକୁ ତିନିଥର ଶୋଧ କରାଯିବ। ପହଣ୍ଡି ପରେ, ଚିତାଲାଗି ପରେ ଓ ଛେରାପହଁରା ପରେ ରଥଶୋଧ କରାଯିବ। ତିନି ରଥରେ ତିନିଟି ଶୋଧ ଦଳ ରହିବେ। ଶୋଧ ଦଳରେ ପ୍ରଶାସକ କିମ୍ୱା ସହକାରୀ ପ୍ରଶାସକ, ଦୁଇଜଣ ମନ୍ଦିର ପୋଲିସ, ଜଣେ ମାଜିଷ୍ଟ୍ରେଟ ଓ ଆବଶ୍ୟକୀୟ ସରକାରୀ ପୋଲିସ ରହିବେ। ରଥ ଉପରକୁ ଚାରମାଳ ଦେଇ ଯେପରି କୌଣସି ଦର୍ଶନାର୍ଥୀ ଯାଇନପାରନ୍ତି ସେଥିପ୍ରତି ପୋଲିସ ସଜାଗ ରହିବ। ଶ୍ରୀଜୀଉମାନଙ୍କ ସମ୍ମୁଖରେ ସେବାୟତ ଠିଆହେବେ ନାହିଁ। ଦାନ ଦକ୍ଷିଣା କେହି ନେଇପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନିରଥରେ ୬ଟି ହୁଣ୍ଡି ଲଗାଯିବ। ସେଥିରେ ଭକ୍ତମାନେ ଦାନ ଦକ୍ଷିଣା ଦେଇପାରିବେ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply