କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ରସଗୋଲା ଜିଆଇ ମାନ୍ୟତା: ଓଡିଶା ସରକାର ପାଗ ବାନ୍ଧୁ ବାନ୍ଧୁ କଚେରୀ ବରଖାସ୍ତ

ନିନ୍ଦିତ ହେଉଛନ୍ତି ସରକାର, ଭୁଲ‌୍‍ ସୁଧାରିବାର ବେଳ ଆସିଛି

ଭୁବନେଶ୍ୱର,(ଓଟି): ‘ବାଂଲାର‌୍‍ ରସୋଗୁଲ୍ଲା’ ଭୌଗୋଳିକ ସୂଚକାଙ୍କ( ଜିଆଇ) ମାନ୍ୟତା ପାଇବା ପାଇଁ ଏକ ପ୍ରକାର ନିଶ୍ଚିତ ହୋଇଛି। ଏହା ସେମାନଙ୍କ ତତ୍ପରତାର ସୂଚନା ଦେଉଛି। ଅପରପକ୍ଷେ ଓଡ଼ିଶା ସରକାରଙ୍କ ପାଖରେ ସମସ୍ତ ତଥ୍ୟ ଥାଇ ମଧ୍ୟ ‘ରସଗୋଲା’ ବା ‘ଓଡ଼ିଶାର ରସଗୋଲା’ ପାଇଁ ସରକାର ଏଯାଏ ଜିଆଇ ମାନ୍ୟତା ପାଇବାକୁ ଆବେଦନ ବି କରିନାହାନ୍ତି। ‘ପାଗ ବାନ୍ଧୁ ବାନ୍ଧୁ କଚେରୀ ବରଖାସ୍ତ’ ବୋଲି ଓଡ଼ିଆରେ ଯେଉଁ ପ୍ରବାଦ ରହିଛି ତାହା ଏ କ୍ଷେତ୍ରରେ ପ୍ରମାଣିତ ହୋଇଥିବା ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି କହିଛନ୍ତି।

ଏହି ଉଦାସୀନତା ପାଇଁ ସରକାର ଜନସାଧାରଣଙ୍କଠାରେ ନିନ୍ଦିତ ହୋଇଛନ୍ତି। ଏହି ନିନ୍ଦାରୁ ମୁକୁଳିବା ପାଇଁ ତୁରନ୍ତ ‘ବାଂଲାର‌୍‍ ରସୋଗୁଲ୍ଲା’ ଜିଆଇ ଟ୍ୟାଗ‌୍‍ ଆବେଦନ ନେଇ ଓଡ଼ିଶା ପ୍ରତିବାଦ କରିବା ଦରକାର ଏବଂ ‘ଓଡ଼ିଶାର ରସଗୋଲା’ ବା ‘ରସଗୋଲା’ ପାଇଁ ଜିଆଇ ମାନ୍ୟତା ସକାଶେ ଆବେଦନ କରିବା ଦରକାର ବୋଲି ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଅସିତ ମହାନ୍ତି କହିଛନ୍ତି।

‘ବାଂଲାର‌୍‍ ରସଗେୁଲ୍ଲା’ ଜିଆଇ ଟ୍ୟାଗ‌୍‍ ପାଇବା ଲାଗି ଏକ ପ୍ରକାର ନିଶ୍ଚିତ ହେବା ଦ୍ୱାରା ଓଡ଼ିଶାର ପରାଜୟ ହୋଇଛି ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ଭୁଲ‌୍‍। କାରଣ ଓଡ଼ିଶା ବିଲ‌୍‍କୁଲ‌୍‍ ଏହା ନେଇ ପ୍ରତିଯୋଗୀତାରେ ନଥିଲା। କିନ୍ତୁ ପଶ୍ଚିମ ବଙ୍ଗର ବିଜୟ କହିବା ବେଳକୁ ଓଡ଼ିଶା ସରକାରଙ୍କ ଆଡ଼କୁ ନିନ୍ଦା ହିଁ ଅଙ୍ଗୁଳି ନିର୍ଦେଶ କରୁଛି ବୋଲି ସେ କହିଛନ୍ତି।

ବଙ୍ଗୀୟମାନେ ରସଗୋଲା ବଙ୍ଗଳାରୁ ଉତ୍ପତ୍ତି ହୋଇଛି ବୋଲି ଯୁକ୍ତି ବାଢ଼ିଛନ୍ତି ତାହା ଶ୍ରୀଚୈତନ୍ୟଙ୍କ ମାଧ୍ୟମରେ ଓଡ଼ିଶାରେ ପ୍ରବେଶ କରିଛି ବୋଲି ଖବରକାଗଜରେ ରିପୋର୍ଟ ଉପସ୍ଥାପନ କରିବା ପରେ ଓଡ଼ିଶା ଓ ବଙ୍ଗୀୟ ଗବେଷକଙ୍କ ମଧ୍ୟରେ ଏକ ବୌଦ୍ଧିକ ଯୁଦ୍ଧ ଆରମ୍ଭ ହୋଇଥିଲା। ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ସହ ଜଡ଼ିତ ରସଗୋଲା ଭୋଗ କାହିଁ କେଉଁ କାଳରୁ ହୋଇଥିବାରୁ ଜଗନ୍ନାଥ ସଂସ୍କୃତି ଗବେଷକ ଅସିୀତ ମହାନ୍ତି ଏନେଇ ଅଭିଯୋଗ କରିଥିଲେ। ନିଜର ବଳିଷ୍ଠ ଯୁକ୍ତି ଯୋଗେ ରସଗୋଲାର ପ୍ରଚଳନ ବଳରାମ ଦାସଙ୍କ ‘ଦାଣ୍ଡୀ ରାମାୟଣ’ରେ ବର୍ଣ୍ଣନା ରହିଛି ଏବଂ ଚୈତନ୍ୟଙ୍କ ଆଗମନର ଅନେକ ପୂର୍ବରୁ ଏହାର ପ୍ରଚଳନ ଓଡ଼ିଶାରେ ଥିଲା ବୋଲି ପ୍ରମାଣ କରିଥିଲେ।

କୋଲକାତା ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୯୨୪ ମସିହାରେ ପ୍ରକାଶିତ ଓଡ଼ିଆ ସାହିତ୍ୟର କ୍ରମ ବିକାଶ ସମ୍ୱନ୍ଧୀୟ ପୁସ୍ତକରେ ଏ ବିଷୟରେ ସୂଚନା ରହିଛି ଏବଂ ତାହାକୁ ସେତେବେଳେ ପ୍ରତିଷ୍ଠିତ ଦୁଇ ବଙ୍ଗୀୟ ସାହିତ୍ୟିକ ସମର୍ଥନ କରିଥିଲେ ବୋଲି ଯୁକ୍ତି ବାଢ଼ିଥିଲେ। ତା’ଛଡ଼ା ୧୦୦ ପୃଷ୍ଠା ସମ୍ୱଳିତ ଏକ ନଥି ସେତେବେଳରରାଜ୍ୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀଙ୍କୁ ୨୦୧୬ ମସିହା ସନ୍ଧ୍ୟା ଦର୍ଶନ ଦିନ ପ୍ରଦାନ କରିଥିଲେ। ତାହାକୁ ଭିତ୍ତି କରି ମନ୍ତ୍ରୀ ରସଗୋଲା ଓଡ଼ିଶାର ବୋଲି ଜିଆଇ ମାନ୍ୟତା ଦାବି କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଏଯାଏ ତାହା ହୋଇପାରି ନାହିଁ। ଅପରପକ୍ଷେ ବୌଦ୍ଧିକ ଯୁଦ୍ଧରେ ହାରିଥିବା ପଶ୍ଚିମବଙ୍ଗ ନିଜର ଚତୁରତା ବଳରେ ‘ବାଂଲାର‌୍‍ ରସଗୁଲ୍ଲା’ ପାଇଁ ଜିଆଇ ମାନ୍ୟତା ଦାବି କରିଥିଲେ। ସେଥିରେ ମଧ୍ୟ ପଶ୍ଚିମବଙ୍ଗ ସଫଳତା ପାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱଟ‌୍‍ ମାଧ୍ୟମରେ ଜଣାଇଛନ୍ତି।

ଶ୍ରୀ ମହାନ୍ତିଙ୍କ ତଥ୍ୟକୁ ଭିତ୍ତି କରି ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏ ବାବଦରେ ଜ୍ଞାନ ଥିବା ଚେନ୍ନାଇର ଜଣେ ଆଇନଜୀବୀଙ୍କୁ ନିଜର କନ‌୍‍ସଲ‌୍‍ଟାଣ୍ଟ ଭାବେ ନିଯୁକ୍ତ କରିଥିଲେ। କିନ୍ତୁ ମନ୍ତ୍ରିମଣ୍ଡଳରେ ଅଦଳବଦଳ ପରେ ଏହି ନିଷ୍ପତ୍ତି ଶୀତଳ ଭଣ୍ଡାରରେ ପଡ଼ିଗଲା। ଏକ ବର୍ଷକାଳ ଜିଆଇ ପ୍ରସଙ୍ଗରେ କୌଣସି ଅଗ୍ରଗତି କରି ନଥିବାରୁ ୨୦୧୭ ନିଳାଦ୍ରୀ ବିଜେ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ତା ପରେ ସରକାର ସେଣ୍ଟ୍ରାଲ‌୍‍ ଟୁଲରୁମ‌୍‍ ଆଣ୍ଡ ଟ୍ରେନିଂ ସେଣ୍ଟର ( ସିଟିଟିସି)କୁ ଜିଆଇ ଆବେଦନ ସକାଶେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। କିନ୍ତୁ ଏଯାଏ ସେଥିରେ କୌଣସି ଅଗ୍ରଗତି ହୋଇ ନାହିଁ। ଅତିକମ‌୍‍ରେ ସରକାର ପଶ୍ଚିମ ବଙ୍ଗର ଜିଆଇ ମାନ୍ୟତା ଆବେଦନ ଉପରେ ପ୍ରତିବାଦ ଜଣାଇ ନିଜର ଆବେଦନକୁ ତୁରନ୍ତ ଦାଖଲ କରିବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଅର୍ଥାତ‌୍‍ ରାଜ୍ୟ ସରକାରଙ୍କ ପାଖରେ ସୁଯୋଗ ହାତଛଡ଼ା ହୋଇ ନାହିଁ। ଯେମିତି ବୋମକାଇ ପାଟ ଜିଆଇ ମାନ୍ୟତା ପାଇବା ପରେ ବ୍ରହ୍ମପୁରୀ ପାଟ ବି ଜିଆଇ ମାନ୍ୟତା ପାଇଲା ଠିକ‌୍‍ ସେମିତି ‘ବାଂଲାର ରସୋଗୁଲ୍ଲା’ ପାଇବା ପରେ ମଧ୍ୟ ଓଡ଼ିଶାର ରସଗୋଲା ବା ରସଗୋଲା ମଧ୍ୟ ଜିଆଇ ମାନ୍ୟତା ପାଇପାରିବ, ଏଥିରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :