ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ହରିବଂଶ ବନାମ ହରିପ୍ରସାଦ

0
7

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ପକ୍ଷରୁ ବିକେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି। ଅପରପକ୍ଷରେ ଏନଡ଼ିଏ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଜେଡ଼ିୟୁ ସାଂସଦ ହରିବଂଶ ନାରାୟଣ ସିଂହ। ଦୁଇ ପ୍ରାର୍ଥୀ ଆଜି ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏନଡ଼ିଏ କିମ୍ବା ଉପା ସପକ୍ଷରେ ମ୍ୟାଜିକ ସଂଖ୍ୟା ନଥିଲେ ମଧ୍ୟ ଉଭୟ ବିଜୟ ନେଇ ଆଶାବାଦୀ ଅଛନ୍ତି।

 ତେବେ ଏକ୍ଷେତ୍ରରେ ବିଜୁ ଜନତା ଦଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ  । ସେଥିପାଇଁ ଗତକାଲି ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନଙ୍କ ସହ ଆଲୋଚନା କରିଥିଲେ  । ଆଜି କଂଗ୍ରେସ ପକ୍ଷରୁ ବିଜେଡ଼ି ସହ ଯୋଗାଯୋଗ କରାଯାଇଥିବା ନେଇ ବିକେ ହରିପ୍ରସାଦ ସୂଚନା ମଧ୍ୟ ଦେଇଛନ୍ତି  ।

ବିକେ ହରିପ୍ରସାଦଙ୍କ ସପକ୍ଷରେ ୧୧୭ ସାଂସଦଙ୍କ ସମର୍ଥନ ରହିଥିବା ନେଇ ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି। ସେହିପରି ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡ଼ିପି ମଧ୍ୟ ବିରୋଧୀ କ୍ୟାମ୍ପରେ ରହିଛି। ଅପରପକ୍ଷରେ ଅରବିନ୍ଦ କେଜି୍ରୱାଲଙ୍କ ଆପ ଓ ମେହବୁବା ମୁଫତିଙ୍କ ପିଡ଼ିପି କଂଗ୍ରେସ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ସମର୍ଥନ କରିବେ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟସଭାରେ ଏହି ଦୁଇ ଦଳର ୫ ସାଂସଦ ଅଛନ୍ତି। ଡିଏମକେର ୪ ସାଂସଦକଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବ। ଯଦି ସବୁ କିଛି ଠିକ ଚାଲେ ତେବେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ୧୨୬ ଭୋଟ ପଡ଼ିବ ବୋଲି ବିରୋଧୀ ଦଳଗୁଡ଼ିକ ଅନୁମାନ କରିଛନ୍ତି। ଅପରପକ୍ଷରେ ୱାଇଏସଆର କଂଗ୍ରେସ କାହାକୁ ସମର୍ଥନ କରିବ ତାହା ସ୍ପଷ୍ଟ କରିନାହିଁ। ରାଜ୍ୟସଭାରେ ୱାଇଏସଆରର ୨ ସାଂସଦ ଥିବାବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ୱାଇଏସଆର ସହ ଯୋଗାଯୋଗରେ ଅଛନ୍ତି।

ଉପା ତୁଳନାରେ ରାଜ୍ୟସଭାରେ ଏନଡ଼ିଏର ପଲା ଭାରି ରହିଛି। ଏବେ ଏନଡ଼ିଏ ସପକ୍ଷରେ ୧୧୬ ସଂଖ୍ୟା ଥିବାବେଳେ ବିଜେଡ଼ି ସମର୍ଥନ କଲେ ତାହା ୧୨୫ ହୋଇଯିବ। ବିଜେଡ଼ି ମଧ୍ୟ ଜେଡ଼ିୟୁ ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ ସଂକେତ ଦେଇଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ଏନସିପିର ବନ୍ଦନା ଚଭନ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା। ତେଣୁ ଏନସିପି ନେତା ଶରଦ ପାୱାର ନବୀନଙ୍କ ସହ ଆଲୋଚନା କରିଥିଲେ। ତେବେ ନବୀନ କହିଥିଲେ ଯେ, ଉପା ପକ୍ଷରୁ ତାଙ୍କୁ କୌଣସି ନେତା ଯୋଗାଯୋଗ କରିନାହାନ୍ତି। ତେଣୁ ସେ ନୀତିଶ କୁମାରଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ନିଷ୍ପତି ନେଇଥିବା ନେଇ ଚର୍ଚ୍ଚା ହେଉଛି। ଏଆଇଏଡ଼ିଏମକେର ୧୩ ସାଂସଦ, ବିଜେଡ଼ିର ୯ ସାଂସଦ, ଟିଆରଏସର ୬ ସାଂସଦ ଓ ୱାଇଏସଆର କଂଗ୍ରେସର ୨ ସାଂସଦ ଏନଡ଼ିଏକୁ ସମର୍ଥନ ଦେଲେ ହରିବଂଶ ବିଜୟୀ ହୋଇପାରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Loading...