ମୋସୁମୀ ଅଧିବେଶନରେ ରାଜ୍ୟସଭା ଉପସଭାପତି ନିର୍ବାଚନ ନ ହୋଇପାରେ!

0
6

ଭୁବନେଶ୍ୱର,(ଓଟି): ସଂସଦର ମୌସୁମୀ ଅଧିବେଶନ ଆଗାମୀ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଗତ ୨ତାରିଖରୁ ଖାଲିଥିବା ରାଜ୍ୟସଭା ଉପସଭାପତି ପଦବୀ ନିର୍ବାଚନ ପାଇଁ ଶାସକ ଓ ବିରୋଧି ଦଳ ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। କାରଣ ଉଭୟ ପକ୍ଷ ଏହି ପଦକୁ ହାସଲ କରିବାକୁ ଚାହୁଁଛନ୍ତି। ଏହି ପଦବୀ ହାତେଇବା ପାଇଁ ରାଜ୍ୟ ସଭାରେ କାହା ପାଖରେ ସ୍ପଷ୍ଟ ବହୁମତ ନାହିଁ।

ତେଣୁ ଏଥିପାଇଁ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସର୍ବସମ୍ମତି କ୍ରମେ ଏହି ପଦ ପାଇଁ ନିର୍ବାଚନ କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଯଦି ସର୍ବସମ୍ମତ ପ୍ରାର୍ଥୀ ହୋଇ ନ ପାରେ ତେବେ ମୌସୁମୀ ଅଧିବେଶନ ସମୟରେ ରାଜ୍ୟସଭା ଉପସଭାପତି ନିର୍ବାଚନ ହୋଇନପାରେ।

ଅତୀତକୁ ନିରୀକ୍ଷଣ କଲେ ଜଣାଯାଏ ଯେ, ରାଜ୍ୟସଭା ଉପସଭାପତି ନିର୍ବାଚନ ପାଇଁ ନିୟମ ଅନୁସାରେ କୌଣସି ବାଧ୍ୟ ସମୟସୀମା ନାହିଁ। ତେଣୁ ଅନେକ ଥର ରାଜ୍ୟସଭା ଉପସଭାପତି ନିର୍ବାଚନକୁ ନିର୍ଦ୍ଧାରି ସମୟଠାରୁ ବିଳମ୍ୱ କରାଯାଇଛି। ଯଦି ସର୍ବସମ୍ମତ ପ୍ରାର୍ଥୀ ନ ମିଳନ୍ତି ତେବେ ରାଜ୍ୟସଭା ଉପସଭାପତି ନିର୍ବାଚନ କିଛି ସମୟ ପାଇର୍ ବିଳମ୍ୱ ହୋଇପାରେ। ସେଥିପାଇଁ ରାଜ୍ୟସଭା ସଭାପତି ତଥା ଉପ ରାଷ୍ଟ୍ରପତି ଗୃହର କାମ ଚଳାଇବା ପାଇଁ ଉପସଭାପତି ପ୍ୟାନେଲ ଗଠନ କରିପାରିବେ।

ରାଜ୍ୟସଭା ଉପସଭାପତି ନିର୍ବାଚନ କେବଳ ସଂସଦର ଅଧିବେଶନ ସମୟରେ ହେବ ବୋଲି ନିୟମ ନାହିଁ। ସଂସଦର ଅଧିବେଶନ ପରେ ମଧ୍ୟ ଏହି ନିର୍ବାଚନ ହୋଇପାରେ। ମୌସୁମୀ ଅଧିବେଶନରେ ମାତ୍ର ୧୮ଟି କାର୍ଯ୍ୟ ଦିବସ ରହିଛି। ୨ଏପ୍ରିଲ୨୦୧୨ରେ ତତ୍କାଳୀନ ଉପସଭାପତି ରହମାନ ଖାଁଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କିନ୍ତୁ ଏହା ପରେ ହୋଇଥିବା ବଜେଟ ଅଧିବେଶନରେ ପରବର୍ତ୍ତୀ ରାଜ୍ୟସଭା ଉପସଭାପତି ପାଇଁ ନିର୍ବାଚନ ତାରିଖ ସ୍ଥିର ହୋଇନଥିଲା। ତେଣୁ ରାଜ୍ୟସଭା ଉପସଭାପତି ନିର୍ବାଚନକୁ ପରବର୍ତ୍ତୀ ମୌସୁମୀ ଅଧିବେଶନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା।

୨୦୦୪ରେ ଯେତେବେଳ କଂଗ୍ରେସ ନେତୃତ୍ୱାଧିନ ୟୁପିଏ କ୍ଷମତାକୁ ଆସିବା ପରେ ୨୦୦୪ ଜୁନ ୧୦ ତାରିଖରେ ରାଜ୍ୟସଭା ଉପସଭାପତି ପଦ ଖାଲି ହୋଇଥିଲା। ଏଥିପାଇଁ ତୁରନ୍ତ ନିର୍ବାଚନ ନ ହୋଇ ୨୨ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ୨୦୦୬ରେ ରାଜ୍ୟସଭା ଉପସଭାପତି ପଦ ଖାଲି ହେବାର ୪୦ ଦିନ ପରେ ନିର୍ବାଚନ ହୋଇଥିଲା। ତେଣୁ ଏଥର ବିଳମ୍ୱ ହେଲେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଆଲୋଚନା ହେଉଛି।

Loading...