BIGtheme.net http://bigtheme.net/ecommerce/opencart OpenCart Templates

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଗୋବର ପାଣି ସିଞ୍ଚିବି : ରାଜେଶ୍ୱରୀ

ଭୁବନେଶ୍ୱର,(ଓଟି):  ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡା ଫିଙ୍ଗି ଚର୍ଚ୍ଚାକୁ ଆସିଥିବା ରାଜେଶ୍ୱରୀ କାମିଲା ଏବେ ବିଜେପି ପାଇଁ ତାରକା ପାଲଟି ଯାଇଛନ୍ତି  । ପୂର୍ବରୁ ବାଲେଶ୍ୱରର ନିଜ ଅଞ୍ଚଳରେ ସୀମିତ ରାଜେଶ୍ୱରୀ ଏବେ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କ ଉପରେ ମନଖୋଲା ବର୍ଷିଛନ୍ତି  । ମୁଖ୍ୟମନ୍ତ୍ରୀ ଯେଉଁଠି ସଭା କରିବେ ସେଠାରେ ଗୋବର ପାଣି ସିଞ୍ଚିବି ବୋଲି ବି ଘୋଷଣା କରିଛନ୍ତି  ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠତି ଏକ ସାମ୍ବାଦିକ ସମ୍ମିଳନୀରେ ରାଜେଶ୍ୱରୀ କହିଛନ୍ତିଯେ, ମୋ ନାଁରେ ଥିବା ମାମଲା ପ୍ରତ୍ୟାହାର କରି ମୁଖ୍ୟମନ୍ତ୍ରୀ ମିଛ ବାହାବା ନେବାକୁ ଉଦ୍ୟମ କରିଛନ୍ତି  । ନିର୍ବାଚନ ଥିବାରୁ ପ୍ରଚାର ପାଇଁ ଏଭଳି କରାଯାଇଛି  । ମୁଖ୍ୟମନ୍ତ୍ରୀ ହେଉଛନ୍ତ ଅନ୍ଧ ଧ୍ରୁତରାଷ୍ଟ୍ର  । ଧ୍ରୁତରାଷ୍ଟ୍ରଙ୍କ ସାମ୍ନାରେ କୁରୁସଭାରେ ତାଙ୍କ ଉପରେ ଅତ୍ୟାଚାର କରାଯାଇଥିଲା  । ମୁଖ୍ୟମନ୍ତ୍ରୀ ଯେଉଁଠାକୁ ଯିବେ ସେଠାରେ ଗୋବର ପାଣି ସିଞ୍ଚି ଝାଡ଼ୁ ମାରି ଶୁଦ୍ଧି କରିବେ ବୋଲି ରାଜେଶ୍ୱରୀ କହିଛନ୍ତି  । 

ରାଜେଶ୍ୱରୀ  କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସଭାରେ ପ୍ରତିବାଦ ପାଇଁ ମୁଁ ଅଣ୍ଡା ପକାଇବା ପରେ ମୋ ଉପରେ ମରଣାନ୍ତ୍ରକ ଆକ୍ରମଣ କରାଗଲା । ବିଜେଡ଼ି ଗୁଣ୍ଡାମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେବା ସହ ମୋତେ ବଳାତ୍କାର କରିବେ ବୋଲି ବଡ଼ ପାଟିରେ ଚିତ୍କାର କରୁଥିଲେ ଏବଂ ମୋ ଚୁଟିକୁ ଧରି ଘୋଷାଡ଼ୁ ଥିଲେ । ମୋର ଲୁଗା ଓ ବ୍ଲାଉଜ ପର୍ଯ୍ୟନ୍ତ କାଢି ନେଉଥିଲେ । ଆକ୍ରମଣ ବେଳେ ପୋଲିସ ମତେ ସୁରକ୍ଷା ଦେବା ବଦଳରେ କିଂକର୍ତବ୍ୟବିମୁଢ ହୋଇ ବିଜେଡ଼ି କର୍ମୀଙ୍କ ଆକ୍ରମଣରେ ସହାୟତା କରିବା ଭଳି ଦେଖାଯାଉଥିଲା । ମୁଁ ଅଣ୍ଡା ପକାଇବା ପରେ ବିଜେଡ଼ି କର୍ମୀମାନେ ଯେତେବେଳେ ମୋ ଉପରେ ମରଣାନ୍ତ୍ରକ ଆକ୍ରମଣ କରୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ମହିଳାର ଇଜ୍ଜତ ବଞ୍ଚ।ଇବା ପରିବର୍ତେ ଭୀରୁ କାପୁରୁଷ ପରି ଭାଷଣ ଅଧାରୁ ବନ୍ଦ କରି ସଭା ଛାଡ଼ି ପଳାଇ ଯାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚ ଉପରୁ ଅଣ୍ଡାମାଡ ଫୋପାଡ଼ିବା କାରଣର ଉତ୍ତର ରଖିଛନ୍ତି ରାଜେଶ୍ୱରୀ । ସେ କହିଛନ୍ତି, ମୁଁ ଜଣେ ଗୃହିଣୀ । ରାଜନୀତି ସହ ମୋର କିଛି ସମ୍ପର୍କ ନାହିଁ । ମୋ ସ୍ୱାମୀ ବିଜେପିର ଜଣେ ସାଧାରଣ କର୍ମୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପୂର୍ବ ଦିନ ରାତିରେ ମୋ ଘରକୁ ବିଜେଡ଼ିର ଗୁଣ୍ଡାମାନେ ଆସି ମୋ ସ୍ୱାମୀକୁ ଉଠାଇ ନେଇଗଲେ । ମୋର ଆଠ ନଅ ମାସର ଛୁଆଟେ ଅଛି । ବିନା ପୋଲିସରେ ମୋ ସ୍ୱାମୀଙ୍କୁ ସ୍ଥାନୀୟ ବିଜେଡ଼ି ଗୁଣ୍ଡାମାନେ ଜୋରଜବରଦସ୍ତ ଉଠାଇ ନେଇଯିବା କାରଣରୁ ମୋ ସ୍ୱାମୀଙ୍କ ଜୀବନ ପ୍ରତି ଭୟ ଅଛି ବୋଲି ଭାବି ମୁଁ ଡ଼ରି ଯାଇଥିଲି । ମୁଖ୍ୟମନ୍ତ୍ରୀ ଆସୁଥିବାରୁ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ମୋ ସ୍ୱାମୀଙ୍କ ସୁରକ୍ଷା ପାଇଁ ଏହା ମୋର ପ୍ରୟାସ ଥିଲା ବୋଲି ରାଜେଶ୍ୱରୀ କହିଛନ୍ତି। ଅଣ୍ଡା ପକାଇ ମୁଁ କେବେ ଅନୁତପ୍ତ ହୋଇନି  କି ମୁଖ୍ୟମନ୍ତ୍ରୀ ମତେ କ୍ଷମା ଦିଅନ୍ତୁ ତାଙ୍କୁ କହି ନାହିଁ ।

ରାଜେଶ୍ୱରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବାପା ବିଜୁ ପଟ୍ଟନାୟକ ଜଣେ ମହିଳାଙ୍କଠାରୁ ଦୁର୍ନୀତି କଥା ଶୁଣି ତାଙ୍କ ଘରକୁ ଯାଇଥିଲେ। ଇଏ ତାଙ୍କ ପୁଅ ହୋଇ ମହିଳାଙ୍କୁ ଯେମିତି ଅପମାନିତ କରୁଛନ୍ତି, ତାହା ନିନ୍ଦନୀୟ ଘଟଣା। କିନ୍ତୁ ଆଜି ଅନୁଭବ କରୁଛି ଅଣ୍ଡା ଫିଙ୍ଗି କିଛି ଭୁଲ କରିନାହିଁ। କେବଳ ଭୋଟ୍‌ ପାଇଁ ମୋ ବିରୋଧରେ ଲାଗିଥିବା ଦଫା ଉଠାଇଛି। ଏବେ ଏହି ଆନ୍ଦୋଳନକୁ ତୀବ୍ରତର କରିବି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଯେଉଁଠି ସଭା କରିବେ ସେଠି ଗୋବର ପାଣି ପକାଇ ଝାଡ଼ୁ ମାରିବି। ଆଗକୁ ଅଣ୍ଡା ମାଡ଼ କରିବି। ଗୋବର ପାଣି ପକାଇ ସୁଦ୍ଧ କରିବି।

ବିଜେଡ଼ି ଗୁଣ୍ଡାଙ୍କ ଆକ୍ରମଣ ପରେ ରାଜ୍ୟର ବିରୋଧକୁ ସାମ୍ନା କରି ନପାରି ନିଜକୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ କ୍ଷମାର ନାଟକ କରିଛନ୍ତି ବୋଲି ସେ କହିଛନ୍ତି। ତାଙ୍କୁ କ୍ଷମା ଦେବାର ନାଟକ କରି ଯେଉଁମାନେ ତାଙ୍କ ଉପରେ ପାଶବିକ ଆକ୍ରମଣ କଲେ ଉଲଗ୍ନ କରି ରାସ୍ତା ରେ ଘୋଷାଡ଼ିଲେ ସେମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କ୍ଷମା କରିଦେଇଛନ୍ତି କି ବୋଲି ସର୍ବସାଧାରଣରେ ଉତ୍ତର ରଖନ୍ତୁ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେଡ଼ି ଗୁଣ୍ଡାମାନଙ୍କ ଉପରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସେ ତାଙ୍କର ସଘର୍ଷକୁ ଜାରି ରଖିବେ। ଓଡ଼ିଶାର ମା ଭଉଣୀଙ୍କ ଇଜ୍ଜତ ସୁରକ୍ଷିତ ନୁହେଁ, କୁନ୍ଦୁଲି ହେଉ ଅଥବା ଇତିଶ୍ରୀ ବା ବେବିନା ଏପରି ଅନେକ ଘଟଣା ଓଡ଼ିଶାରେ ଘଟୁଛି । ଏପରି ଝିଅମାନଙ୍କ ପାଇଁ ଲଢେଇ କରିବା ପାଇଁ ତାଙ୍କୁ ବିଜେଡ଼ିର ଆକ୍ରମଣ ପରେ ଯେପରି ଓଡ଼ିଆ ଲୋକମାନେ ସ୍ନେହଶ୍ରଦ୍ଧା ଦେଖାଇଛନ୍ତି ସେ ମା ଝିଅ ମାନଙ୍କ ପାଇଁ ସଂଘର୍ଷ କରି ସେ ଋଣ ପରିଶୋଧ କରିବେ ବୋଲି କହିଛନ୍ତି।

About admin

Check Also

ବରଗଡ଼ ଗୁଳିମାଡ଼; କାହା ଦେହରେ ବାଜିନି ଗୁଳି : ଡାକ୍ତର

ବରଗଡ଼,(ଓଟି): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରା ଠାରେ ଗତକାଲି ବିଳମ୍ବିତ ରାତିରେ  ଦୁବୃର୍ତ୍ତଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ...

Leave a Reply