ଭାରତ ମୁଣ୍ଡରେ ୭୨ଲକ୍ଷ କୋଟି ଟଙ୍କାର ଋଣବୋଝ

0
9

[author title=”ପ୍ରହଲାଦ କୁମାର ସିଂହ ” image=”http://odishatime.com/odiya/wp-content/uploads/2017/12/Prahallad-Kumar-Sinha-1.jpg”]ଅବସ୍ଥା ଏଭଳି ହୋଇଛି ଯେ ଆମ ବୈଦେଶିକ ମୁଦ୍ରା ଭଣ୍ଡାରରେ ଯେତେ ଅର୍ଥ ରହିଛି ତାହାର ପରିମାଣ ବୈଦେଶିକ ଋଣର ପ୍ରାୟ ୮୦ ପ୍ରତିଶତ । ଏହା ସତ୍ତେ୍ୱ ଆମଦାନୀ ହୋଇଥିବା ବିଦେଶୀ ଜ୍ଞାନରେ ପୃଷ୍ଟ ଆମ ନୀତି ନିୟନ୍ତା ଓ ସେମାନଙ୍କ ଆଜ୍ଞାବହ ରାଜନୀତି ବେପାରୀମାନେ “ଋଣଂ କୃତ୍ୱା ଘୃତମ୍ ପିବେତ୍’କୁ ଏକପ୍ରକାର ସଫଳତାର ମାପକାଠି ବୋଲି ଭାବୁଛନ୍ତି ।[/author]

ଋଣ ବୋଝରେ ଭାରତର ଅଣ୍ଟା ଭାଙ୍ଗି ପଡ଼ୁଥିବା ବେଳେ ରଙ୍ଗୀନ ବିକାଶର କମରପଟି ବାନ୍ଧି ମେରୁଦଣ୍ଡ ସଳଖ କରିବା ଲାଗି ଯେଉଁ ଉପକ୍ରମ ଚାଲୁଛି ସେଥିରେ ଦେଶୀୟ ଅର୍ଥନୀତିରେ ବିଶେଷ ସୁଧାର ଆସୁନାହିଁ । ବୈଦେଶିକ ଋଣର ବୋଝ ବଢ଼ି ଚାଲିବା ସହ ଆନ୍ତର୍ଜାତିକ ବଜାରରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ସଙ୍ଗେ ତାଳଦେଇ ଲକ୍ଷ ଲକ୍ଷ କୋଟି ଟଙ୍କାର ବାଣିଜ୍ୟିକ ନିଅଣ୍ଟ ଆମ ଦେଶର ଅର୍ଥନୀତି ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି । ଏହି ଗୁରୁତର ସମସ୍ୟାର ସ୍ଥାୟୀ ତଥା ଦୀର୍ଘମିଆଦି ସମାଧାନ ଲାଗି ଦୃଢ଼ ପଦକ୍ଷେପ ନିଆନଗଲେ ଆମ ଦେଶର ସାର୍ବଭୌମତ୍ୱ, ଆର୍ଥିକ ସ୍ୱାଧୀନତା, କର୍ମନିଯୁକ୍ତି କ୍ଷେତ୍ର ବିଶେଷ କରି ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ବଢ଼ି ଚାଲିବ ।

ସରକାରୀ ହିସାବ ଅନୁଯାୟୀ ଭାରତ ସରକାରଙ୍କ ଋଣ ୭୨ ଲକ୍ଷ କୋଟି ଟଙ୍କା ଟପିଲାଣି । ଏଥିରୁ ବୈଦେଶିକ ଋଣ ବୋଝର ପରିମାଣ ୨୦୧୭ ସେପ୍ଟେମ୍ବର ସୁଦ୍ଧା ଥିଲା ୩୨ଲକ୍ଷ କୋଟି ଟଙ୍କା ବା ୪୯୫ ବିଲିୟନ୍ ଆମେରିକୀୟ ଡଲାରରୁ ଅଧିକ । ଏଠାରେ ଉଲ୍ଲେଖନୀୟ ଯେ ୨୦୧୨-୧୩ ବେଳକୁ ଆମ ଦେଶର ବୈଦେଶିକ ଋଣ ପରିମାଣ ଥିଲା ୪୦୯ ବିଲିୟନ୍ ଡଲାର । ଏବେ ଋଣ ପାଇଁ ଭାରତକୁ ବାର୍ଷିକ ୪ ଲକ୍ଷ ୬୬ ହଜାର କୋଟି ଟଙ୍କାରୁ ଅଧିକ ସୁଧ ଦେବାକୁ ପଡ଼ୁଛି । ଆମ ଋଣର ପରିମାଣ ହେଉଛି ସରକାରୀ ହିସାବ ମୁତାବକ ଜିଡ଼ିପିର ୪୯.୨୬ ପ୍ରତିଶତ । ଓଆର୍ଜିର ନ୍ୟାସନାଲ୍ ଡେବ୍ଟ କ୍ଲକ୍ସ୍ର ହିସାବ ଅନୁଯାୟୀ ପ୍ରତି ସେକେଣ୍ଡରେ ଆମ ଉପରେ ୧,୪୭,୭୭୬ ଟଙ୍କାର ସୁଧ ଚାପ ଲଦି ହୋଇଯାଉଛି । ମୋଟାମୋଟି ଭାବେ ଆମ ଦେଶର ନାଗରିକମାନଙ୍କ ଉପରେ ମୁଣ୍ଡପିଛା ଋଣଭାର ୬୦,୩୨୨ ଟଙ୍କାକୁ ଟପିଲାଣି ବୋଲି ଏହି ଡେବ୍ଟ କ୍ଲକ୍ସ ସତର୍କ କରାଇ ଦେଉଛି । ଏହା ଅବ୍ୟାହତ ରହିଲେ ୨୦୨୨ ବେଳକୁ ଦେଶର ଋଣବୋଝ ୧୦୦ ଲକ୍ଷ କୋଟି ଟଙ୍କାକୁ ଟପିପାରେ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା କଲେଣି । ୨୦୧୮ ମାର୍ଚ୍ଚ ସୁଦ୍ଧା ଅନ୍ୟାନ୍ୟ ଦେୟକୁ ମିଶାଇ କେନ୍ଦ୍ର ସରକାରଙ୍କ ବୋଝ ୮୧,୪୫,୯୮୯ କୋଟି ଟଙ୍କାରେ ପହଞ୍ଚିବ ବୋଲି ବଜେଟ୍ ଅନୁମାନ ଆଧାରରେ ଆର୍ଥିକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।

ପୁଷ୍ଟିହୀନତା ଓ ରକ୍ତହୀନତାରେ ଆମ ଦେଶର ପ୍ରାୟ ୨୦ କୋଟି ଲୋକ ଆକ୍ରାନ୍ତ ଥିବା ବେଳେ ସର୍ବଶେଷ ଜନଗଣନା ରିପୋର୍ଟ ଅନୁଯାୟୀ ଆମ ଦେଶରେ ନିରକ୍ଷରଙ୍କ ସଂଖ୍ୟା ୨୮ କୋଟିରୁ ଅଧିକ ଯାହାକି ଆମେରିକାର ଜନସଂଖ୍ୟା ଠାରୁ ଅଳ୍ପ କମ୍ । ଦାରିଦ୍ର୍ୟ, ଅନାହାର, ଅର୍ଦ୍ଧାହାର, ବେକାରୀ, ବେରୋଜଗାରୀ ଲାଗି ରହିଥିବା ବେଳେ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଏବେ ବି ଅନେକଙ୍କ ପାଇଁ ଅପହଞ୍ଚ । ଏ ସବୁର ନିରାକରଣ ଅପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଉଛି ନିଶା ଓ ଅପସଂସ୍କୃତିର ପ୍ରସାର ଉପରେ । ସ୍ୱଦେଶୀ ଓ ସ୍ୱାବଲମ୍ବନକୁ ଉପେକ୍ଷା, ତ୍ରୁଟିପୂର୍ଣ୍ଣ ଯୋଜନା ସହ ସଙ୍ଗଠିତ ବର୍ଗଙ୍କ ବାରମ୍ବାର ବେତନ ବୃଦ୍ଧି, ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଆଦି ଆମ ଆର୍ଥିକ ଦୁସ୍ଥିତିର ଅନ୍ୟତମ କାରଣ । ଏ ପରିପ୍ରେକ୍ଷୀରେ ଋଣବୋଝ କିପରି କମିବ ସେ ଦିଗରେ ଭୋଟ୍ କାଙ୍ଗାଳ କ୍ଷମତା ପାଗଳମାନେ ପଦକ୍ଷେପ ନ ନେଇ ଦେଶକୁ ବିପତ୍ତି ମୁହଁକୁ ଠେଲି ନିଜ ନିଜର ସମ୍ପତ୍ତି ଓ ପ୍ରତିପତି ବଢ଼ାଇବାରେ ବ୍ୟସ୍ତ ।

ଅବସ୍ଥା ଏଭଳି ହୋଇଛି ଯେ ଆମ ବୈଦେଶିକ ମୁଦ୍ରା ଭଣ୍ଡାରରେ ଯେତେ ଅର୍ଥ ରହିଛି ତାହାର ପରିମାଣ ବୈଦେଶିକ ଋଣର ପ୍ରାୟ ୮୦ ପ୍ରତିଶତ । ଏହା ସତ୍ତେ୍ୱ ଆମଦାନୀ ହୋଇଥିବା ବିଦେଶୀ ଜ୍ଞାନରେ ପୃଷ୍ଟ ଆମ ନୀତି ନିୟନ୍ତା ଓ ସେମାନଙ୍କ ଆଜ୍ଞାବହ ରାଜନୀତି ବେପାରୀମାନେ “ଋଣଂ କୃତ୍ୱା ଘୃତମ୍ ପିବେତ୍’କୁ ଏକପ୍ରକାର ସଫଳତାର ମାପକାଠି ବୋଲି ଭାବୁଛନ୍ତି ।

ଆମ ଶାସ୍ତ୍ର କୁହେ “ବାଣିଜ୍ୟେ ବସତେ ଲକ୍ଷ୍ମୀ ତଦର୍ଦ୍ଧଂ କୃଷି କର୍ମଣୀ, ତଦର୍ଦ୍ଧଂ ରାଜସେବୟାଂ ଭିକ୍ଷାଂ ନୈବଚ ନୈବଚ’ । ଆମ ରାଜ୍ୟ ତଥା ଦେଶ ସେହି ସମୟରେ ସମୃଦ୍ଧ ଥିଲା ଯେତେବେଳେ ବହିର୍ବାଣିଜ୍ୟ କ୍ଷେତ୍ରରେ ଆମେ ଆଗରେ ଥିଲୁ । ଭିକ୍ଷା ମାଗି କିମ୍ବା ଅନୁକମ୍ପାକୁ ଆଧାର କରି କୌଣସି ଦେଶ, ଜାତି କିମ୍ବା ବ୍ୟକ୍ତି ସମୃଦ୍ଧ ହୋଇପାରେ ନାହିଁ । ଯେତେବେଳେ ଆମର ଆମଦାନୀ ଅପେକ୍ଷା ଉତ୍ପାଦିତ ସାମଗ୍ରୀର ରପ୍ତାନି ଅଧିକ ଥିଲା ସେତେବେଳେ ଆମ ଦେଶ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ ଥିଲା । କିନ୍ତୁ ଏବେ ଅବସ୍ଥା ବଦଳିଛି । ବିଦେଶରୁ ହେଉଥିବା ଆମଦାନୀ ତୁଳନାରେ ରପ୍ତାନିର ପରିମାଣ କମ୍ ରହୁଥିବାରୁ ବାଣିଜ୍ୟିକ ନିଅଣ୍ଟ ବା ଟ୍ରେଡ୍ ଡେଫିସିଟ୍ ବଢ଼ି ବଢ଼ି ଚାଲୁଛି । ଭାରତ ସରକାରଙ୍କ ସଦ୍ୟ ପ୍ରକାଶିତ ଆର୍ଥିକ ସର୍ଭେ ରିପୋର୍ଟ-୨୦୧୭-୧୮ ଅନୁଯାୟୀ ୧୯୫୦-୫୧ ମସିହାରେ ଆମ ଦେଶର ବାଣିଜ୍ୟିକ ନିଅଣ୍ଟ ପରିମାଣ ମାତ୍ର ୨ କୋଟି ଟଙ୍କା ଥିବା ବେଳେ ୧୯୯୦-୯୧ ବର୍ଷରେ ଏହା ୧୦,୬୪୫ କୋଟି ଟଙ୍କାରେ ପହଞ୍ଚିଥିଲା । ଲିବରାଲାଇଜେସନ୍, ଗ୍ଲୋବାଲାଇଜେସନ୍ ଆଦି ଚକ୍କରରେ ପଡ଼ିବା ପରେ ଆମ ଦେଶର ବାଣିଜ୍ୟିକ ନିଅଣ୍ଟ ପରିମାଣ ୨୦୦୪-୦୫ ବର୍ଷ ବେଳକୁ ବାର୍ଷିକ ୧,୨୫,୭୨୫ କୋଟି ଟଙ୍କାରେ ପହଞ୍ଚିଥିଲା । ୨୦୧୨-୧୩ ବର୍ଷରେ ରପ୍ତାନି ଅପେକ୍ଷା ଆମଦାନୀ ଏତେ ବଢ଼ିଗଲା ଯେ ଉକ୍ତ ବର୍ଷରେ ଭାରତର ବାଣିଜ୍ୟିକ ନିଅଣ୍ଟ ୧୦,୩୪,୮୪୩ କୋଟି ଟଙ୍କା ହୋଇଥିଲା । ତେବେ ୨୦୧୬-୧୭ ବର୍ଷରେ ଆମର ବାଣିଜ୍ୟିକ ନିଅଣ୍ଟ ୭,୨୮,୨୩୭ କୋଟି ଟଙ୍କା ଥିବା ବେଳେ ୨୦୧୭-୧୮ ବର୍ଷର ଡିସେମ୍ବର ସୁଦ୍ଧା ଏହି ପରିମାଣ ୭,୪୦,୮୭୦ କୋଟି ଟଙ୍କା ବୋଲି ଭାରତ ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟ କହୁଛି । ଗତ ଆର୍ଥିକ ବର୍ଷରେ ଆମ ଦେଶରୁ ୧୮,୪୯,୪୨୯ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରାଯାଇଥିବା ବେଳେ ଆମେ ବିଦେଶରୁ ଆମଦାନୀ କରିଥିଲୁ ୨୫,୭୭,୬୬୬ କୋଟି ଟଙ୍କାର ସାମଗ୍ରୀ । ବଜାରୀକରଣ ବ୍ୟବସ୍ଥାର ଏହା ବିକଳ ଚିତ୍ର ।

ଚୀନ୍, ସ୍ୱିଜରଲ୍ୟାଣ୍ଡ, ସାଉଦି ଆରବ, ଇରାକ ଓ ଦକ୍ଷିଣ କୋରିଆ ସହ ଭାରତର ବାଣିଜ୍ୟିକ ନିଅଣ୍ଟ ସବୁଠୁ ଅଧିକ । ଭାରତର ବାଣିଜ୍ୟିକ ନିଅଣ୍ଟ ଚୀନ୍ ସହିତ ୨୦୧୨-୧୩ ବର୍ଷରେ ୨୦.୩ ପ୍ରତିଶତ ଥିବା ବେଳେ ୨୦୧୬-୧୭ରେ ଏହା ୪୭.୧ ପ୍ରତିଶତରେ ପହଞ୍ଚିଥିଲା । ଚୀନ୍ରୁ ଟେଲିଫୋନ୍ ସେଟ୍, ମୋବାଇଲ୍, ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ରାସାୟନିକ ସାର, କପଡ଼ା, ଖେଳନା, ଚୂଡ଼ି, ବିନ୍ଦି, ଠାକୁର ମୂର୍ତ୍ତି, ଖାଦ୍ୟପଦାର୍ଥ ଆଦି ଭାରତ ଆମଦାନୀ କରୁଥିବା ବେଳେ ଚୀନ୍ ଭାରତରୁ ତୂଳା, ତମ୍ବା, ଗ୍ରାନାଇଟ୍, ଆଲୁମିନିୟମ୍ ପଥର, ବକ୍ସାଇଟ୍, ଲୁହାପଥର ଆଦି ନେଉଛି । ତେବେ ଭାରତ ବଜାରକୁ ଚୀନ୍ ଏକ ପ୍ରକାର କବଳିତ କରିବାକୁ ଯାଉଛି । ୨୦୧୬-୧୭ ବର୍ଷରେ ଚୀନ୍ରୁ ଭାରତ ୪,୧୧,୦୯୪ କୋଟି ଟଙ୍କାର ସାମଗ୍ରୀ ଆମଦାନୀ କରିଥିବା ବେଳେ ଚୀନ୍ ଆମ ଦେଶରୁ ନେଇଛି ମାତ୍ର ୬୮,୨୫୦ କୋଟି ଟଙ୍କାର ଦ୍ରବ୍ୟ ବୋଲି ଭାରତ ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି । ମୋଟାମୋଟି ଭାବେ ଭାରତ ବିଦେଶକୁ ବ୍ୟାପକ ପରିମାଣର କଞ୍ଚାମାଲ ବିଶେଷ କରି ଖଣିଜ ପଦାର୍ଥ ରପ୍ତାନି କରୁଥିବା ବେଳେ ବିଦେଶରେ ତିଆରି ସାମଗ୍ରୀ ଅଧିକରୁ ଅଧିକ ପରିମାଣରେ ଆମଦାନୀ କରୁଥିବାରୁ ଆମ ସ୍ୱଦେଶୀ ଅର୍ଥନୀତି ବସ୍ତୁତଃ ବିଦେଶୀ ଅର୍ଥନୀତିରେ ପରିଣତ ହେଲାଣି । ଆମ ଦେଶ ଯଦି ବାର୍ଷିକ ପ୍ରାୟ ୨୬ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ବିଦେଶରୁ ଆମଦାନୀ କରିବ ସେଥିରେ ଦେଶର ସମୃଦ୍ଧି ଆସିବ କେଉଁଠୁ? ବିଦେଶୀ ପୁଞ୍ଜିନିବେଶ/ମେକ୍ ଇନ୍ ଇଣ୍ଡିଆ ଆଦି ନାମରେ ବହୁ ଦେଶୀୟ କମ୍ପାନୀମାନଙ୍କୁ ନିମନ୍ତ୍ରଣ କରି ଆଣିବାର ପ୍ରତିଯୋଗିତା ଚଳାଇ ଆମ ଦେଶ ବଜାରକୁ ସେମାନଙ୍କ ହାତରେ ଟେକି ଦେଇ ବସ୍ତୁତଃ ସାଧାରଣ ଲୋକଙ୍କୁ ଶୋଷଣ କରିବା ପାଇଁ ସରକାର ସତେ ଯେମିତି ଲାଇସେନ୍ସ ଦେଉଛନ୍ତି । ଏଥିରେ ହସ୍ତତନ୍ତ, ହସ୍ତଶିଳ୍ପ, କୃଷି ଓ ଗ୍ରାମ୍ୟ ଶିଳ୍ପ ସମେତ ବିଭିନ୍ନ ଦେଶୀୟ କଳକାରଖାନା ସମାଧି ପାଉଛି । ଗୋଟିଏ ଇଷ୍ଟ ଇଣ୍ଡିଆ କମ୍ପାନୀ ଆମ ଦେଶକୁ ବାଣିଜ୍ୟ କରିବାକୁ ଆସି ପ୍ରାୟ ୩୦୦ ବର୍ଷ ଧରି ଶାସନ କଲା । ଏବେ ଭାରତ ଶହ ଶହ ବିଦେଶୀ କମ୍ପାନୀଙ୍କ ଚରାଭୂଇଁ ପାଲଟିଥିବା ବେଳେ ଏମାନଙ୍କ ଶୋଷଣର ଶିକାର ଆମେ ହେବାକୁ ବାଧ୍ୟ ।

ଆମ ବିକାଶର ଯେତେ ଡିଣ୍ଡିମ ପିଟାଗଲେ ସୁଦ୍ଧା ଭାରତୀୟ ମୁଦ୍ରାର ମୂଲ୍ୟ କମି ଚାଲିବା ଚେତାଇ ଦେଉଛି ବାସ୍ତବ ଚିତ୍ରକୁ । ୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବା ବେଳକୁ ଭାରତୀୟ ମୁଦ୍ରା ଓ ଆମେରିକୀୟ ଡଲାରର ମୂଲ୍ୟ ସମାନ ଥିଲା । ୧୯୫୨ ମସିହା ବେଳକୁ ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ଥିଲା ୪ ଟଙ୍କା ୭୪ ପଇସା ଥିବା ବେଳେ ୧୯୯୨ ବେଳକୁ ଏହା ବଢ଼ି ବଢ଼ି ୨୨ ଟଙ୍କା ୭୨ ପଇସା ହୋଇଥିଲା । ତଥାକଥିତ ଉଦାରୀକରଣ ନୀତିକୁ ଆପଣେଇବା ପରେ ଆନ୍ତର୍ଜାତିକ ବଜାରରେ ୨୦୦୦ ମସିହା ବେଳକୁ ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ବଢ଼ି ହୋଇଥିଲା ୪୫ ଟଙ୍କା । ୨୦୧୨ ମସିହାରେ ୫୩ ଟଙ୍କା ୩୪ ପଇସାରେ ଗୋଟିଏ ଡଲାର ମିଳୁଥବା ବେଳେ ୨୦୧୮ ଫେବୃଆରୀ ବେଳକୁ ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ପହଞ୍ଚିଛି ୬୪ ଟଙ୍କା ୭୧ ପଇସାରେ । ଏଥିରୁ ୭୦ ବର୍ଷର ସ୍ୱାଧୀନତାରେ ଆମେରିକୀୟ ଡଲାର ତୁଳାନରେ ଆମ ଟଙ୍କାର ମୂଲ୍ୟ ପାଖାପାଖି ୬୫ ଭାଗ ହ୍ରାସ ପାଇଥିବା ସ୍ପଷ୍ଟ ।

ଋଣ କରି ଘିଅ ପିଇବା ସଂସ୍କୃତିର ବାହକମାନେ ଦେଶକୁ ଋଣ ଯନ୍ତା ଭିତରକୁ ଠେଲିଦେଇ ଯେଉଁ ଚକମକିଆ ବିକାଶର ଛବି ଦେଖାଉଛନ୍ତି ସେଥିରେ ଆମ ଅବସ୍ଥା ବୁଡ଼ିଗଲା ଗୋଡ଼ ତଳକୁ ତଳକୁ ଭଳି । କ୍ଷମତାକୁ ଆସିବା ପୂର୍ବରୁ ଯେଉଁମାନେ ସ୍ୱଦେଶୀ, ସ୍ୱାବଲମ୍ବନ, ଜାତୀୟତାବାଦ ଆଦି କଥା କହୁଥିଲେ ସେମାନେ ଏବେ ଏଫ୍ଡିଆଇର ବଡ଼ ସ୍ତାବକ । ଅର୍ଥନୀତି ଓ ରାଜନୀତିର ଏହି ଅଜବ ଶୋଷଣ ଧନ୍ଦା ଭିତରେ ଛନ୍ଦି ହୋଇପଡ଼ିଛି ଆମ ଦେଶ । ଆକାଶଛୁଅାଁ ଦରଦାମ୍ ବୃଦ୍ଧି, ବେକାରୀ, ବେରୋଜଗାରୀ, ଦୁର୍ନୀତି ଏହାର ପ୍ରତିଫଳନ ମାତ୍ର । ବୋଫର୍ସରୁ ଫୋବର୍ସ ଏବଂ ପୁଞ୍ଜିପତିମାନଙ୍କ ଦ୍ୱାରା ବ୍ୟାଙ୍କ ଲୁଟି ଏହାର କେତେକ ଉଦାହରଣ ମାତ୍ର । ଏହି ଶୋଷଣ ଯନ୍ତାରେ ଛଟପଟ ହୋଇ ଆମ ଦେଶରେ ବାର୍ଷିକ ପ୍ରାୟ ୧୨ହଜାର ଅନ୍ନଦାତା କୃଷକ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଏମାନଙ୍କ ତୁଳନାରେ ଆତ୍ମହତ୍ୟା କରୁଥିବା ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ଢେର୍ ଅଧିକ । ବିକାଶ ନାମରେ ବିନାଶର ମଞ୍ଜି ପୋତି ଯୋଜନାର ମିଠା ବୋଳଦିଆ ବିଷ ବଟିକା ଆମକୁ ଖୁଆଇ ଭାରତକୁ ବିଦେଶୀ ଯନ୍ତାରେ ବନ୍ଦୀ କରିବା ଲାଗି ଯେଉଁ ଜଘନ୍ୟ ଷଡ଼ଯନ୍ତ୍ର ଚାଲିଛି ସେଥିରେ ଚରଣ ପଟ୍ଟନାୟକ, ମୀର୍ଜାଫର୍, ଶିଖିମନାଇ ଆଦି ଭୂମିକାରେ ଅବତୀର୍ଣ୍ଣ ହେବା ଲାଗି ଲୁଟିଖିଆଙ୍କ ଅଭାବ ନାହିଁ । ଅବସ୍ଥା ଦିନକୁ ଦିନ ବିଗୁଡ଼ୁଥିବା ବେଳେ ଦେଶର ସାଧାରଣ ଜନତା ବିଶେଷ କରି ଯୁବ ଓ ଛାତ୍ର ସମାଜ, କୃଷକ, ଶ୍ରମିକ, ବୁଦ୍ଧିଜୀବିମାନେ ଏ ପ୍ରସଙ୍ଗରେ ଗଭୀର ଭାବେ ଚିନ୍ତା କରିବା ସହ ସମ୍ମିଳିତ ସ୍ୱର ଉତ୍ତୋଳନ ନ କଲେ ଆମ କଷ୍ଟଲବ୍ଧ ସ୍ୱାଧୀନତା ପୁଣି ବିପନ୍ନ ହେବାର ସମ୍ଭାବନା ଅଧିକ ।
E-mail: prahalladsinha@gmail.com
Cell: 9437017395