BIGtheme.net http://bigtheme.net/ecommerce/opencart OpenCart Templates

“କଳେ-ଦଳେ’ ପାରୁ ନାହାନ୍ତି ଓଟିଭିକୁ

ଭୁବନେଶ୍ୱର, (ଓଟି): ଓଡ଼ିଶାରେ ମିଡିଆକୁ ପୋଲାରାଇଜ୍‍ କରିବା ପାଇଁ ଦୁଇଟି ପ୍ରମୁଖ ରାଜନୀତିକ ଦଳ ଲାଗି ପଡ଼ିଛନ୍ତି। କେତେବେଳେ କିଏ କାହାକୁ କେମିତି ଅକ୍ତିଆର କରିବ ସେଥିପାଇଁ ଉଭୟ ପାର୍ଟି ଭିତରେ ଏକ ପ୍ରକାର ପ୍ରତିଯୋଗୀତା ଲାଗିଛି। ଏ ବିଷୟରେ “ଓଡ଼ିଶାଟାଇମ୍‍ ଡଟ୍‍କମ୍‍’ରେ ଆମେ ରିପୋର୍ଟ ଉପସ୍ଥାପନ କରିଛୁ। କିନ୍ତୁ ଗଲା ଏକମାସ ଭିତରେ ଯେଉଁ ରାଜନୀତିକ ପଟ୍ଟ ପରିବର୍ତ୍ତନ ହୋଇଛି ସେଥିରେ ବୈଜୟନ୍ତ-ଜଗୀ ପଣ୍ଡାଙ୍କ ଓଟିଭିକୁ ଏକ ଘରକିଆ କରିବା ପାଇଁ ଯେଉଁ ଉଦ୍ୟମ ଉଭୟ ବିଜେଡି ଓ କଂଗ୍ରେସ କରିଥିଲେ ତାହା ଦର୍ଶକଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ । ଏ ସପ୍ତାହର ବାର୍କ ରେଟିଂରୁ ତାହା ସ୍ପଷ୍ଟ କଣାପଡ଼ିଛି। ଉଭୟ ବିଜେଡି ଓ କଂଗ୍ରେସର ଓଟିଭି ବର୍ଜନ ଦ୍ୱାରା ଚ୍ୟାନେଲ୍‍ ଲୋକଙ୍କ ପାଖରେ ଅଧକ ଆଦ୍ରୁତ ହୋଇଥିବା ସ୍ପଷ୍ଟ ହୋଇଛି।

ଯଦି ଓଟିଭିକୁ ବିଜେପି ମେରୁଦଣ୍ଡର ଚ୍ୟାନେଲ୍‍ ବୋଲି ଗ୍ରହଣ କରାଯାଏ, ତେବେ ଏହି ରିପୋର୍ଟ ଆଧାରରେ ଓଡ଼ିଶାର ନ୍ୟୁଜ୍‍ ଟିଭି ଦୁନିଆରେ ବିଜେପିର ପ୍ରାଧାନ୍ୟ ଯଥେଷ୍ଟ ରହିଛି । ବିଜେଡି ଇଲେକ୍ଟ୍ରୋନିକ୍‍ ମିଡିଆକୁ ନିଜ ନିୟନ୍ତ୍ରଣକୁ ନେବାକୁ ହେଲେ ଆହୁରି କିଛି ବିଶେଷ ପଦକ୍ଷେପ ନେବାକୁ ହେବ । କାରଣ କେବଳ ଓଟିଭିର ଜିଆର୍‍ପି ୧୫୭ ହୋଇଥବା ବେଳେ ଜାତୀୟସ୍ତରରେ ବିଜେପି ସମର୍ଥିତ ଗ୍ରୁପ୍‍ର ଟିଭି ଚ୍ୟାନେଲ୍‍ ବୋଲି ଅଭିଯୋଗ ଆସୁଥିବା ଈଟିଭିର ଜିଆର୍‍ପି ୨୭ ରହିଛି । ଅର୍ଥାତ୍‍ ଏ ଦୁହିଁଙ୍କ ଜିଆର୍‍ପି ୧୭୪ ହୋଇଥିବା ବେଳେ ରାଜ୍ୟରେ ବିଜେଡି ସମର୍ଥିତ ଚ୍ୟାନେଲ୍‍ ବୋଲି ଆଲୋଚନା ହେଉଥିବା ଜୀ କଳିଙ୍ଗ, ନ୍ୟୁଜ୍‍ ୱଲ୍‍ ଓଡ଼ିଶା, ଏମ୍‍ବିସି ଟିଭି, କଳିଙ୍ଗଟିଭି  ଓ ଅନ୍ୟ ସମସ୍ତ ଟିଭି ଚ୍ୟାନେଲଙ୍କ ସମୁଦାୟ ଜିଆର୍‍ପି ମାତ୍ର ୧୬୭ ରେକର୍ଡ଼ ହୋଇଛି ।

ବୈଜୟନ୍ତଙ୍କ ନିଲମ୍ବନ ପରେ ଓଟିଭି ଆଉ ବିଜେଡି ସମର୍ଥିତ ଟିଭି ନ୍ୟୁଜ୍‍ ଚ୍ୟାନେଲ୍‍ ନୁହେଁ ବୋଲି ଖୋଦ୍‍ ବିଜେଡି ପରୋକ୍ଷରେ ହେଉ ପଛେ ପ୍ରେସ୍‍ମିଟ୍‍ରେ ଘୋଷଣା କରିଛି। ଏହାର କୌଣସି ଆଲୋଚନାକୁ ବିଜେଡିର ନେତାମାନେ ଯିବେ ନାହିଁ ବୋଲି ଗଣମାଧ୍ୟମରେ ଏହାର ଦଳୀୟ ମୁଖ୍ୟମୁଖପାତ୍ର ସୂଚନା ଦେଇଥିଲେ। କିଛିଦିନ ପରେ କଂଗ୍ରେସ ମଧ୍ୟ ଏହିଭଳି ଏକ ଅଭିଯୋଗ ଆଣିଥିଲା। ଏହାର କିଛିଦିନ ପୂର୍ବରୁ ବିଜେପି କଳିଙ୍ଗ ଟିଭିକୁ ବର୍ଜନ କରିଥିବା ପ୍ରସଙ୍ଗକୁ ଆମେ ପ୍ରକାଶ କରିଥିଲୁ।

ବିଜେଡିର ଏହି ଚ୍ୟାନେଲ୍‍ ବର୍ଜନ, ଓଟିଭିର ଏକ ପାକ୍ଷିଆ ନ୍ୟୁଜ୍‍ ପ୍ରସାରଣ ଅର୍ଥାତ୍‍ ବିଜେପି ପ୍ରତି ଢଳିବାର ବିରୋଧ ବୋଲି ବିଚାର କରାଯାଏ । ତଥାକଥିତ ଗାନ୍ଧିବାଦରେ ଏହାକୁ ବିଜେଡିର ଅହିଂସା ଆନ୍ଦୋଳନ ବା ହଲ୍ଲାବୋଲ୍‍ ନିଶ୍ଚୟ । ଏହି ଘୋଷଣା ଦ୍ୱାରା କିଛିଦିନ ଯାଏ ଓଟିଭିର ଦର୍ଶକଙ୍କ ସଂଖ୍ୟା କମିଥିଲା । ସମୁଦାୟ ରେଟିଂ ୯୫କୁ ଖସିଯିବା ଦ୍ୱାରା ସୋଶାଲ୍‍ ମିଡିଆରେ ଆଲୋଚନା ହେଲା ଯେ, ସତରେ ଓଟିଭି ଆଉ ଲୋକଙ୍କ ବିଶ୍ୱାସରେ ନାହିଁ । ଏହାର ସ୍ଥାନ ନ୍ୟୁଜ୍‍ ସେଭେନ୍‍ ଏବଂ କନକ ଟିଭି ଗ୍ରହଣ କରିଛନ୍ତି । କିନ୍ତୁ ଏହା ପରର ତିନି ସପ୍ତାହ ସମୁଦାୟ ରେଟିଂ ପଏଣ୍ଟରେ ଓଟିଭି ପୁଣି ସେଞ୍ଚୁରୀ ମାରିବା ଶାସକ ଦଳକୁ ଆଉ କିଛି ନୂଆ ଯୋଜନାକୁ ଚିନ୍ତା କରିବା ପାଇଁ ଖୋରାକି ଯୋଗାଇଛି ।

ଏବର୍ଷର ୧୧ତମ ସପ୍ତାହ ତଥା ମାର୍ଚ୍ଚ ୧୦ରୁ ୧୬ ତାରିଖ ଭିତରେ ଓଟିଭିର ସମୁଦାୟ ରେଟିଂ ପଏଣ୍ଟ ୯୫ ଥିଲା । ଏହା ୧୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଦର୍ଶକଙ୍କ ଟିଭି ଦେଖା ଆଧାରରେ ପ୍ରସ୍ତୁତ କରାଯାଇଥିବା ବାର୍କ ରେଟିଂର ଅଂଶ ବିଶେଷ । ସବୁ ସପ୍ତାହରେ ଜିଆର୍‍ପିରେ ସେଞ୍ଚୁରୀ ମାରୁଥିବା ଏହି ଚର୍ଚ୍ଚିତ ଟିଭି ଚ୍ୟାନେଲ୍‍ ଏଣିକି ଉଭୟ ବ୍ୟବସାୟ ଏବଂ ଦର୍ଶକଙ୍କ ଆସ୍ଥା ହରାଇବ ବୋଲି ଆଲୋଚନା ହେଲା । କିନ୍ତୁ ଏହାର ଠିକ୍‍ ପର ସପ୍ତାହରେ ୧୦୯ ଜିଆର୍‍ପି ହାସଲ କରି ନିଜ ସ୍ଥିତି ପୂର୍ବବତ ଅଛି ବୋଲି ଜଣାଇଲା ଓଟିଭି । ଏହାପରେ ବିଜ୍ଞ ମିଡିଆ ପ୍ଲାନର୍‍ ତଥା କନ୍‍ସଲ୍‍ଟାଣ୍ଟମାନେ ରାଜନୀତିରେ ମିଡିଆକୁ ନିୟନ୍ତ୍ରଣ କରିବାକୁ ଯାଇ ବିଫଳ ହେବା ପରେ ବ୍ୟୁରୋକ୍ରାଟ୍‍ଙ୍କୁ ବି ଓଟିଭି ବାରଣ କଲେ । ଏମିତିକି ଜଣେ  ଅଧିକାରୀଙ୍କୁ ବିନା କାର୍ଯ୍ୟରେ ଅଧିକାରୀ ପାହ୍ୟା ମଧ୍ୟ ଦିଆଗଲା । ଆଶା ଥିଲା ସରକାରୀ କଳର ସହାୟତାରେ ଓଟିଭିର କାୟାକୁ ରୋକାଯାଇପାରିବ । କିନ୍ତୁ ଫଳ ଓଲଟା ହେଲା । ଠିକ୍‍ ଏହା ପର ସପ୍ତାହ ଅର୍ଥାତ୍‍ ୧୩ତମ ସପ୍ତାହ ( ମାର୍ଚ୍ଚ ୨୪ରୁ ୩୦) ଭିତରେ ଏହାର ଜିଆର୍‍ପି ୧୨୦ରେ ପହଞ୍ଚିଲା । ଏ ଭିତରେ ଆଉ ଏକ ନାଟକ ଆରମ୍ଭ ହୋଇଛି । ଏହା ଯେ ସରକାରଙ୍କ ବିରୋଧୀ ଚ୍ୟାନେଲ୍‍ ତାହାକୁ ସରକାରୀ ଦଳ ସ୍ପଷ୍ଟ କରିଛି । ଏହିକ୍ରମରେ ସିଧାସଳଖ ଏହାର ନିର୍ଦ୍ଦେଶକ ତଥା ସହ ପ୍ରତିଷ୍ଠାତା ଜଗୀ ମଙ୍ଗତ ପଣ୍ଡାଙ୍କୁ ବିଜେଡି ଟାର୍ଗେଟ୍‍ କରିଛି । ଜଗୀ ଏହି ରାଜନୀତିକ ଭିଡ଼ା ଓଟରା ଭିତରକୁ “ମୋତେ ଟାଣନ୍ତୁ ନାହିଁ’ ବୋଲି ଅନୁରୋଧ କରୁଥିବା ବେଳେ ପ୍ରକାଶ ପାଇଛି ଓଡ଼ିଶାରେ ଟିଭି ଚ୍ୟାନେଲ୍‍ଗୁଡ଼ିକର ସାପ୍ତାହିକ ରିପୋର୍ଟ କାର୍ଡ ।

ଏହି ବାର୍କ ରିପୋର୍ଟ କାର୍ଡ ଅନୁସାରେ ଓଟିଭି ପୂର୍ବସପ୍ତାହର ରେକର୍ଡ଼ ଭାଙ୍ଗି ୧୫୭ ପଏଣ୍ଟ ହାସଲ କରିଛି । ଏହା ପଛକୁ ରହିଛି ନ୍ୟୁଜ୍‍ ସେଭନ୍‍ । ଯାହାର ଜିଆର୍‍ପି ହେଉଛି ୭୦ । ତା ପଛକୁ ରହିଛି କନକ ଟିଭି । ଯାହାଙ୍କ ମାଲିକ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡିରେ ଯୋଗ ଦେଇ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଏହାଙ୍କ ରେଟିଂ ମାତ୍ର ୩୫ । ତାଙ୍କ ପଛକୁ ନ୍ୟୁଜ୍‍୧୮ ମାତ୍ର ୨୭ରେ । ପଛକୁ ରହିଛି ଏମ୍‍ବିସି, ଜିଆର୍‍ପି ୨୧ । କଳିଙ୍ଗଟିଭିର ଜିଆର୍‍ପି ୧୫ ହୋଇଥିବା ବେଳେ ଓଡ଼ିଶାରୁ ସବୁକିଛି ଉଠାଇଦେଇଥିବା ଜୀ କଳିଙ୍ଗ ୧୯ରେ ଅଟକିଛି । ସର୍ବ ଶେଷରେ ନ୍ୟୁଜ୍‍ ୱର୍ଲଡ୍‍ ଓଡ଼ିଶା, ଏ ସପ୍ତାହର ପଏଣ୍ଟ ମାତ୍ର ୭ । ଏ ଭିତରୁ ଜୀ କଳିଙ୍ଗ ଏବଂ ନ୍ୟୁଜ୍‍ ୧୮କୁ ଛାଡ଼ିଦେଲେ କଳିଙ୍ଗ ଟିଭି, ନ୍ୟୁଜ୍‍ ୱର୍ଲଡ୍, ଏମ୍‍ବିସି ଓ କନକ ବିଜେଡି ମାଲିକଙ୍କ ମେରୁଭାବେ ଠିଆ ହୋଇଛନ୍ତି ।

 

About admin

Check Also

ଶ୍ରୀମନ୍ଦିରର ସଂସ୍କାର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ବିଚାରାଧିନ

ଭୁବନେଶ୍ୱର,(ଓଟି): ପୁରୀ ଶ୍ରୀମନ୍ଦିରର ସଂସ୍କାର ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ବସାଯାଇଥିବା କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତୀୟ ବିଷୟରେ ସରକାରଙ୍କର ସକ୍ରିୟ ...

Leave a Reply