କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ସରକାରଙ୍କ ଆଦିବାସୀ ପ୍ରୀତି: ୪୫୦୦ ଆଦିମ ଆଦିବାସୀ ଖାଦ୍ୟସୁରକ୍ଷା ଯୋଜନାରୁ ବଞ୍ଚିତ

ଭୁବନେଶ୍ୱର,(ଓଟି): ରାଜ୍ୟର ଆଦିବାସୀ ଭୋଟ ହାତେଇବା ପାଇଁ ସରକାର ସେମାନଙ୍କ ଉଦେଶ୍ୟରେ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏପରି କି ନିକଟରେ ରାଜ୍ୟର ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ଆଦିବାସୀ ବିକାଶ ପରିଷଦ ଗଠନ କରିଛନ୍ତି। ସରକାର ଆଦିବାସୀଙ୍କ ପାଇଁ ଯେତେ ଯୋଜନା କଲେ ମଧ୍ୟ ସେ ସବୁରୁ ସେମାନଙ୍କୁ କୌଣସି ସୁଫଳ ମିଳୁନାହିଁ। ଏହାର ବଡ ଉଦାହରଣ ହେଉଛି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଖାଦ୍ୟ ସୁରକ୍ଷା ଯୋଜନା। ଏହି ଯୋଜନାରୁ ରାଜନୈତିକ ଦଳର ନେତା ଓ କର୍ମୀମାନେ ସୁଫଳ ପାଉଥିବାବେଳେ ବଣ ଜଙ୍ଗଲରେ ରହୁଥିବା ଲୁପ୍ତ ପ୍ରାୟ ଆଦିମ ଆଦିବାସୀମାନେ ବଞ୍ଚିତ ହେଉଛନ୍ତି।

ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହେବାର ଦୁଇ ବର୍ଷ ବିତିଗଲାଣି। ରାଜ୍ୟରେ ୧୩ଟି ଆଦିମ ଆଦିବାସୀ ସମୁଦାୟର ମୋଟ ୮୯ହଜାର ୨୦୮ଜଣ ବସବାସ କରୁଥିଲେ ମଧ୍ୟ ସମସ୍ତଙ୍କୁ ସରକାର ଅଦ୍ୟାବଧି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିପାରିନାହାନ୍ତି। କାରଣ ଏହି ଆଦିମ ଆଦିବାସୀମାନେ ପ୍ରାୟତଃ ନିରକ୍ଷର ଓ ଜଙ୍ଗଲରେ ରହୁଥିବାରୁ ସରକାରଙ୍କ ଜନମଙ୍ଗଳକାରୀ ଯୋଜନା ସମ୍ପର୍କରେ ଅବଗତ ହୋଇପାରୁନାହାନ୍ତି। ଏପରିକି ସରକାରୀ କଳ ମଧ୍ୟ ଏହି ଗରିବ ନିରକ୍ଷର ଆଦିବାସୀମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନେଇ ଆଗ୍ରହ ପ୍ରକାଶ କରୁନଥିବାରୁ ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି।

୨୦୧୫ମସିହାର ସର୍ଭେ ଅନୁସାରେ ରାଜ୍ୟର ୧୨ଟି ଜିଲ୍ଲାରେ ମୋଟ ୮୯ହଜାର ୨୦୮ଜଣ ଆଦିମ ଆଦିବାସୀ ରାଜ୍ୟରେ ବସବାସ କରୁଛନ୍ତି। ଏହି ଆଦିମ ଆଦିବାସୀମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ସରକାର ୨୦୧୫ ନଭେମ୍ୱର ୧ତାରିଖ ଓ ଡିସେମ୍ୱର ୧ତାରିଖରେ କହିଥିଲେ। କିନ୍ତୁ ବାସ୍ତବତା ଭିନ୍ନ। ରାଜ୍ୟରେ ୭ଟି ଜିଲ୍ଲାରେ ବସବାସ କରୁଥିବା ଏହି ଆଦିମ ଆଦିବାସୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୧୦୦ ଆଦିମ ଆଦିବାସୀଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଳରେ ଥିବା ଲାଞ୍ଜିଆ ସଉରା ସମୁଦାୟର ୮୦ଜଣ, ସଉରା ସମୁଦାୟର ୧୦୪୦ଜଣ, ପନ୍ଧମାଳ ଜିଲ୍ଲା ତୁମୁଡି ବନ୍ଧ ବ୍ଲକରେ ଥିବା କୁଟିଆ କନ୍ଧ ସମୁଦାୟର ୪୫୦ଜଣ, କେନ୍ଦୁଝରର ବାଂଶପାଳ ବ୍ଲକରେ ଜୁଆଙ୍ଗ ସମୁଦାୟର ୪୭୨ଜଣ, ମୟୁରଭଞ୍ଜ ଜିଲ୍ଳା ଯଶିପୁର ବ୍ଲକାର ମାଙ୍କଡିଆ ସମୁଦାୟର ୨୨୨ଜଣ , ମୋରଡା ବ୍ଲକରେ ଥିବା ଲୋଧା ସମୁଦାୟର ୮ଜଣ, ନୁଆପଡା କୋମନା ବ୍ଲକର ଚିକୁଟିଆଭୁଞ୍ଜା ସମୁଦାୟର ୧୪୩ଜଣ, ରାୟଗଡା ଜିଲ୍ଲାର ବିଷମକଟକ ଓ ମୁନିଗୁଡାରେ ଥିବା ଡଙ୍ଗରିଆ କନ୍ଧ ସମୁଦାୟର ୮୨୧ଜଣ, ଗୁଣୁପୁର ବ୍ଲକର ଲାଞ୍ଜିଆ ସଉରା ସମୁଦାୟର ୫୧୫ଜଣ, ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ତୁମ୍ୱା ସମୁଦାୟର ୮୦ଜଣ ଆଦିମ ଆଦିବାସୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଏପର୍ଯ୍ୟନ୍ତ ସାମିଲ କରାଯାଇପାରିନାହିଁ। ଏହି ୭ଜିଲ୍ଲା ସହିତ ଅନ୍ୟ ୫ଟି ଜିଲ୍ଲାରେ ମଧ୍ୟ ୫୦୦ରୁ ଅଧିକ ଆଦିମ ଆଦିବାସୀଙ୍କୁ ଏଥିରୁ ବଞ୍ଚିତ କରାଯାଇଥିବା ଜଣାପଡିଛି।

ଯେଉଁମାନଙ୍କ ଉଦେଶ୍ୟରେ ଏହି ଯୋଜନା ପ୍ରଣୟନ କରାଯାଇଛି, ଯଦି ସେମାନଙ୍କୁ ଏଥିରୁ ବଞ୍ଚିତ କରାଯାଇଛି। ରାଜ୍ୟରେ ଏହି ଯୋଜନାରେ ଦଳୀୟ ଭିତ୍ତିରେ ବ୍ୟାପକ ସଂଖ୍ୟାରେ ଧନୀ ଲୋକମାନଙ୍କୁ ଏଥିରେ ସାମିଲ କରାଯାଇଥିବା ଅଭିଯୋଗ ସ୍ୱତଃ ପ୍ରମାଣିତ ହେବାରେ ଲାଗିଛି।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :