ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ପିଜି ଓ ସ୍ନାତକ ଖୋଲିବ

0
942

• ୨୬ଟି ବିଭାଗ ପାଇଁ ମିଳିଲା ୟୁଜିସି ଅନୁମତି
• ସାମ୍ବାଦିକତାରେ ପିଜି ଓ ସ୍ନାତକ ପାଠ୍ୟକ୍ରମ

ଭୁବନେଶ୍ୱର,(ଓଟି): ରାଜ୍ୟର କନିଷ୍ଠତମ ବିଶ୍ୱବିଦ୍ୟାଳୟ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପିଜି ଓ ସ୍ନାତକ କୋର୍ସ ଖୋଲିବା ନିମନ୍ତେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଅନୁମତି ପାଇଛି । ୨୦୧୮-୧୯ ବର୍ଷରୁ ୨୬ଟି ବିଭାଗରେ ଏହି କୋର୍ସ ଖୋଲିବା ପାଇଁ ଅନୁମତି ମିଳିଛି ।
‘ଏହା ଆମ ପାଇଁ ଏକ ଐତିହାସିକ ଘଟଣା । ନୂଆ ବିଶ୍ୱବିଦ୍ୟାଳୟ ହୋଇ ମଧ୍ୟ ଅନେକ ବିଭାଗରେ ପିଜି ଓ ସ୍ନାତକ କୋର୍ସ ଖୋଲିବା ପାଇଁ ଆମେ ଅନୁମତି ପାଇଛୁ । ଫଳରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ଏହାଦ୍ୱାରା ବିଶେଷ ଉପକୃତ ହୋଇପାରିବେ’ ବୋଲି ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଶ୍ରୀକାନ୍ତ ମହାପାତ୍ର କହିଛନ୍ତି ।

ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଏହି କୋର୍ସଗୁଡ଼ିକ ନିଜର ଷ୍ଟଡ଼ି ସେଂଟର ମାଧ୍ୟମରେ ପ୍ରଦାନ କରିବ । ସେଗୁଡ଼ିକ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଚାଲୁଥିବା ଷ୍ଟଡ଼ି ସେଂଟର ବୋଲି କୁଳପତି କହିଛନ୍ତି ।
ପିଜିସ୍ତରରେ ସାମ୍ବାଦିକତା, ଗ୍ରାମ୍ୟ ଉନ୍ନୟନ, ଅର୍ଥନୀତି, ଇଂରାଜୀ, ରାଜନୀତି ବିଜ୍ଞାନ, ହିନ୍ଦୀ, ଇତିହାସ, ଓଡ଼ିଆ, ସଂସ୍କୃତ, ପବ୍ଲିକ ଆଡ଼ମିନିଷ୍ଟ୍ରେସନ, ପବ୍ଲିକ ପଲିସି, ସୋସିଓଲୋଜି, ବାଣିଜ୍ୟ ଓ ସାଇବର ସିକ୍ୟୁରିଟି ଆଦି କୋର୍ସ ପାଇଁ ୟୁଜିସି ଅନୁମତି ପ୍ରଦାନ କରିଛି । ସେହିପରି ସ୍ନାତକସ୍ତରରେ ଇଂରାଜୀ, ହିନ୍ଦୀ, ରାଜନୀତି ବିଜ୍ଞାନ, ସୋସିଓଲୋଜି, ଅର୍ଥନୀତି, ସଂସ୍କୃତ, ବିକମ୍, ଜୀବିକା ଓ ନିରନ୍ତର ବିକାଶ ଏବଂ ବ୍ୟାଚଲର୍ ଇନ୍ ବିଜିନେସ୍ ଆଡ଼ମିନିଷ୍ଟ୍ରେସନ ନିମନ୍ତେ ଅନୁମତି ମିଳିଛି ।

ବୈଷୟିକ ବିଦ୍ୟା ଉପଯୋଗ କରି ଶିକ୍ଷାଦାନ ଚାଲିବ । ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷା ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଦେଇପାରିବେ ବୋଲି କୁଳପତି ପ୍ରଫେସର ମହାପାତ୍ର ସୂଚନା ଦେଇଛନ୍ତି ।

୨୦୧୫ ମସିହାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଏବେ ୪୨ଟି ବିଭିନ୍ନ କୋର୍ସରେ ସାର୍ଟିଫିକେଟ, ଡିପ୍ଲୋମା ଓ ପିଜି ଡିପ୍ଲୋମା ପାଠ୍ୟକ୍ରମ ପ୍ରଦାନ କରୁଛି । ଓଡ଼ିଶାର ପ୍ରତିଟି ଜିଲ୍ଲାର ଅଗ୍ରଣୀ କଲେଜରେ ଏହା ନିଜର ଷ୍ଟଡ଼ି ସେଂଟର ସ୍ଥାପନ କରିଛି । ବିଶ୍ୱବିଦ୍ୟାଳୟର ନିଜସ୍ୱ ଇଂଟରନେଟ୍ ରେଡ଼ିଓ-ପ୍ରଜ୍ଞାବାଣୀ ରହିଛି ।

ୟୁଜିସିର ନିୟମ ଅନୁସାରେ ନୂଆ ପାଠ୍ୟକ୍ରମ ନିମନ୍ତେ ନାମଲେଖା ଅକ୍ଟୋବର ୧ରେ ସରିବ । ଏଥିନିମନ୍ତେ ଖୁ ଶୀଘ୍ର ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁଳପତି ସୂଚନା ଦେଇଛନ୍ତି ।

Loading...