ଶପଥ ନେଲେ ଓଡ଼ିଶାର ନୂଆ ରାଜ୍ୟପାଳ

ଭୁବନେଶ୍ୱର,(ଓଟି): ଅତିରିକ୍ତ ଦାୟିତ୍ୱ ମିଳିବାପରେ ବିହାରର ରାଜ୍ୟପାଳ ସତପାଲ ମଲିକ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ଅଶୋକ ଭବନଠାରେ ଆୟୋଜିତ ଶପଥପାଠ ଉତ୍ସବରେ ସେ ଶପଥ ଗ୍ରହଣ କରିଥିଲେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନିତ ଶରଣ ନୂତନ ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି ଶପଥପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରିମଣ୍ଡଳର ସଦସ୍ୟ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ପୋଲିସ ଡିଜି ପ୍ରମୁଖ ଉପସ୍ଥିତ ଥିଲେ। ଶପଥ ନେବା ପୂର୍ବରୁ ସେ ବିମାନ ଯୋଗେ ଭୁବନେଶ୍ୱର ଆନ୍ତର୍ଜାତିକ ଏୟାରପୋର୍ଟରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପୁଷ୍କଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ରାଜ୍ୟପାଳ ମଲ୍ଲିକ ଉଭୟ ବିହାର ଓ ଓଡ଼ିଶାର ଦାୟିତ୍ୱରେ ରହିବେ।

୧୯୪୬ ଜୁଲାଇ ୨୪ରେ ସତ୍ୟପାଳ ମଲିକ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବୁଧ ସିଂହ  । ତାଙ୍କର ପ ପତ୍ନୀ ହେଉଛନ୍ତି ବିଶିଷ୍ଟ ପରିବେଶବିତ୍ ଇକବାଲ ମଲ୍ଲିକ । ଛାତ୍ର ରାଜନୀତିରୁ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଥିବା ସତ୍ୟପାଳ ବହୁ ପଦପଦବୀର ଅଧିକାରୀ ହୋଇପାରିଥିଲେ । ୧୯୭୪ରୁ ୧୯୭୭ ପର୍ଯ୍ୟନ୍ତ ସେ ଉତ୍ତରପ୍ରଦେଶର ବାଗପତ ଆସନରୁ ବିଧାୟକ ଥିବାବେଳେ ୧୯୮୦ରୁ ୧୯୮୪ ଓ ୧୯୮୬ରୁ ୧୯୮୯ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ । ୧୯୮୯ରେ ସେ ଆଲିଗଡ଼ ଲୋକସଭା ଆସନରୁ ବିଜୟୀ ହୋଇ ୧୯୯୧ ପର୍ଯ୍ୟନ୍ତ ସାଂସଦ ରହିଥିଲେ । ୧୯୯୦ରେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ।

ଅନେକ ଛାତ୍ର ଓ ସାମାଜିକ-ରାଜନୈତିକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ସତ୍ୟପାଲ । ୧୯୬୬ରେ ସେ ପଶ୍ଚିମ ଉତ୍ତରପ୍ରଦେଶର ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିବାବେଳେ ୧୯୬୮ରୁ ୧୯୬୯ ପର୍ଯ୍ୟନ୍ତ ଇଂରେଜ ହଟାଅ ଆନ୍ଦୋଳନରେ ସାମିଲ୍ ହୋଇଥିଲେ । ସେହିପରି ୧୯୭୪-୭୫ରେ ଜେପି ଆନ୍ଦୋଳନ ମଧ୍ୟ କରିଥିଲେ । ୧୯୯୦ରେ ଆଲିଗଡ଼ର ଦଙ୍ଗା ପ୍ରଭାବିତ ଲୋକଙ୍କୁ ବର୍ଷକର ଦରମା ଦାନ କରିଥିଲେ । ୧୯୮୭ରେ ବୋଫର୍ସ ଦୁର୍ନୀତିରେ କ୍ଷୁବ୍ଧ ହୋଇ ରାଜ୍ୟସଭା ପଦରୁ ଇସ୍ତଫା ଦେଇ ସେ ଚର୍ଚ୍ଚା ସୃଷ୍ଟି କରିଥିଲେ । ସେହିପରି ୧୯୯୦ରେ ମୁଖ୍ୟମନ୍ତ୍ରୀ ଭାବେ ଓମପ୍ରକାଶ ଚୌଟାଲଙ୍କୁ ନିଯୁକ୍ତି ଦିଆଯିବାରୁ ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ମଧ୍ୟ ଇସ୍ତଫା ଦେଇ ଚର୍ଚ୍ଚାରେ ରହିଥିଲେ ।

About admin

Check Also

ବର୍ଷା ଆସିଲେ ଡ୍ରେନ୍‍ ଚିନ୍ତା: ବିଡିଏ କହିଲା ତଳିଆ ଅଞ୍ଚଳରେ ଏଣିକି କୋଠା ଅନୁମତିରେ ହେବ କଟକଣା

ଭୁବନେଶ୍ୱର, (ଓଟି): ସହର ଜବର ଦଖଲ ଓ ବିଲ୍‍ଡରଙ୍କ ପ୍ରତି ଗୋଡ଼ାଣିଆ ଥିବା ଭୁବନେଶ୍ୱର ଉନ୍ନୟନ ନିଗମ ( ବିଡିଏ)ର …

Leave a Reply