ଲୁହାପଥର ସଙ୍କଟ: ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଦାବି କଲେ ନବୀନ ଜିନ୍ଦଲ

ଭୁବନେଶ୍ୱର, (ଓଟି): ଷ୍ଟିଲ୍‍ ଶିଳ୍ପ ଏବେ ସଙ୍କଟରେ । ବିଶେଷକରି ଓଡ଼ିଶାରେ କାର୍ଯ୍ୟକ୍ଷମ ଥିବା ୭ ପ୍ରମୁଖ ଲୁହାପଥର ଖଣି ବନ୍ଦ ହେବା ଦ୍ୱାରା ଏହି ସଙ୍କଟ ଦେଖା ଦେଇଛି । ବଜାରରେ ଓର୍‍ ଅଭାବକୁ ଦେଖି ଲୁହାପଥର ଦର ୧୦୦ ପ୍ରତିଶତ ବୃଦ୍ଧି ପାଇଛି । ଏଣୁ ଏ ଦିଗରେ ରାଜ୍ୟ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ା ବୋଲି କହିଛନ୍ତି ଜିନ୍ଦଲ୍‍ ଷ୍ଟିଲ୍‍ ଏବଂ ପାୱାର୍‍ ଲିମିଟେଡ୍‍ ( ଜେଏସ୍‍ପିଏଲ୍‍) ଅଧ୍ୟକ୍ଷ ନବୀନ ଜିନ୍ଦଲ । ବନ୍ଦ ଖଣିଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ ଆରମ୍ଭ କରିବା ପାଇଁ ସେ ଅନୁରୋଧ କରିଛନ୍ତି । ଦରକାର ପଡ଼ିଲେ ସ୍ୱତନ୍ତ୍ର ଅଧ୍ୟାଦେଶ ବଳରେ ଏସବୁ ଖଣି ଚାଲୁ କରିବା ପାଇଁ ସେ ଦାବି କରିଛନ୍ତି ।

ଓଡ଼ିଶା ସଚିବାଳୟରେ ମୁଖ୍ୟ ସଚିବ ଏବଂ ଶିଳ୍ପ ସଚିବଙ୍କ ସହ ବଥାବାର୍ତ୍ତା ସମୟରେ ସେ କହିଛନ୍ତି, ” ଅଧ୍ୟାଦେଶ ବା ଅନ୍ୟ କୌଣସି ଉପାୟ ବ୍ୟବହାର କରି ବନ୍ଦ ଖଣିଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରନ୍ତୁ’ ।

ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବେଆଇନ ଖଣିକାରବାର ଓ ଅତ୍ୟଧିକ ଖଣିଜ ଉତ୍ତୋଳନ କରିଥିବା ଖଣି କମ୍ପାନୀମାନଙ୍କୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ଧାର୍ଯ୍ୟ କ୍ଷତିପୂରଣ ରାଶି ପଇଠ କରିବାର ଥିଲା । କିନ୍ତୁ ରାଜ୍ୟର ୭ ପ୍ରମୁଖ ଖଣି ଲିଜ୍‍ଧାରୀ ବିଭିନ୍ନ କାରଣ ଦର୍ଶାଇ ସେମାନଙ୍କ ଉପରେ ଧାର୍ଯ୍ୟ ରାଶି ପଇଠ କରିନାହାନ୍ତି । ଏଣୁ ସେମାନଙ୍କ ଖଣିରେ ଆଉ ଖନନ ହେଉ ନାହିଁ । ଫଳରେ ରାଜ୍ୟ ରାଜ୍ୟରେ ଲୁହାପଥର ଅଭାବ ପରିଲକ୍ଷିତ ହୋଇଛି ।

ଏହି ଅଭାବ ସିଧାସଳଖ ସଡ଼ିଶାରେ ପରିଚାଳିତ ଇସ୍ପାତ ଶିଳ୍ପ ଉପରେ ପ୍ରଭାବ ପକାଉଛି ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି । ଏବେ ଏହି ଶିଳ୍ପ କୋଇଲା ଏବଂ ଚୂନପଥର ବାହାରୁ ଆମଦାନୀ କରୁଛନ୍ତି । ଯଦି ଲୁହାପଥକୁ ବି ଆମଦାନୀ କରିବାକୁ ପଡ଼େ ତେବେ ରାଜ୍ୟରେ ଇସ୍ପାତ ଶିଳ୍ପ ବଞ୍ଚିପାରିବ ନାହିଁ ବୋଲି ସେ କହିଛନ୍ତି ।

ଜେଏସ୍‍ପିଏଲ୍‍ ରାଜ୍ୟରେ ୩୩ହଜାର କୋଟି ଟଙ୍କା ନିବେଶରେ ଅନଗୁଳଠାରେ କାରଖାନା ପ୍ରତିଷ୍ଠା କରିଛି । ଯଦି ଲୁହାପଥର ମିଳିବ ନାହିଁ ତେବେ ଏହା କିପରି ଭାବେ ଉପଯୁକ୍ତ ଦରରେ ଷ୍ଟିଲ୍‍ ଉତ୍ପାଦନ କରି ବଜାରରେ ବିକ୍ରି କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରି ଚାଲିଲେ ଏଠାରେ ଚାକିରି କରୁଥିବା ହଜାର ହଜାର କର୍ମଚାରୀଙ୍କ ଭବିଷ୍ୟତ ମଧ୍ୟ ପ୍ରଶ୍ନ ଘେରରେ ରହିବ ବୋଲି ସେ ପରୋକ୍ଷରେ ଇଙ୍ଗିତ କରିଛନ୍ତି ।

ଲୁହାପଥର ଖଣି ଚାଲିଲେ ଯେ କେବଳ ଇସ୍ପାତ ଶିଳ୍ପ ଲାଭବାନ ହେବ ତାହା ନୁହେଁ ବରଂ ଖାଦାନରେ ଲକ୍ଷ ଲକ୍ଷ କର୍ମ ନିଯୁକ୍ତି ସୃଷ୍ଟି ହେବ । ରାଜ୍ୟ ଦସରକାର ଏଥିରୁ ରୟାଲ୍ଟି ପାଇବେ । ଏହାଛଡ଼ା ଜିଲ୍ଲା ଖଣିଜ ପାଣ୍ଠି ( ଡିଏମ୍‍ଏଫ୍‍) ମଧ୍ୟ ପାଣ୍ଠି ପାଇବ ବୋଲି ସେ କହିଛନ୍ତି ।

ବନ୍ଦ ଥିବା ଖଣି ଖୋଲିବା ପାଇଁ ଦାବି କରିବା ସହ ଇସ୍ପାତ ପରିବହନ ପାଇଁ ରେଳ ର୍ୟାକ୍‍ ବୃଦ୍ଧି ଓ ଏମ୍‍ସିଏଲ୍‍କୁ ଅଧିକ କୋଇଲା ଉତ୍ପାଦନ ପାଇଁ ଆଦେଶ ଦେବାକୁ ମଧ୍ୟ ଦାବି କରିଛନ୍ତି । ମୁଖ୍ୟ ସଚିବ ଏହି ବିଷୟକୁ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜେଏସ୍‍ପିଏଲ୍‍ ପକ୍ଷରୁ ଜାରି ଏକ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି ।

About admin

Check Also

ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ ପାଇବନି : ଜେଟଲି

ଭୁବନେଶ୍ୱର,(ଓଟି): ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ …

Leave a Reply