ବିଜେପୁରବାସୀ ମୋ ମନୋବଳକୁ ଦ୍ୱିଗୁଣିତ କରିଛନ୍ତି : ନବୀନ

0
4

ବିଜେପୁର , (ଓଟି):ବିଜେପୁରବାସୀ ମୋ ମନୋବଳକୁ ଦ୍ୱିଗୁଣିତ କରିଛନ୍ତି  । ଲୋକଙ୍କ ପାଇଁ ଅଧିକ କାମ କରିବାକୁ ଏହା ଶକ୍ତି ଓ ପ୍ରେରଣା ଯୋଗାଇଛି  । ନିର୍ବାଚନବେଳେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା କାର୍ଯ୍ୟକାରୀ କରାଯିବ  । ଆଜିଠାରୁ ସେ ତାହା ଅନୁଧ୍ୟାନ କରିବା ଆରମ୍ଭ କରିଛନ୍ତି ବୋଲି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ।

ବରପାଲିରେ ଆୟୋଜିତ ଏକ ବିଶାଳ ସମାବେଶରେ ନବୀନ କହିଲେଯେ, ବିଜେପୁର ଉପନିର୍ବାଚନବେଳେ ସେ ଦୁଇଦିନ ରହିଥିଲେ  । ବିଜେପୁରବାସୀଙ୍କ ଶ୍ରଦ୍ଧା ଓ ଶୁଭେଚ୍ଛାରେ ସେ ଅଭିଭୂତ ହୋଇପଡ଼ିଛନ୍ତି  । ବିଜେପୁରବାସୀଙ୍କ ଆଶୀର୍ବାଦ ତାଙ୍କର ମନୋବଳକୁ ଦୁଇଗୁଣିତ କରିଛି  । ଯାହାକି କାର୍ଯ୍ୟ କରିବା ପାଇଁ ତାଙ୍କୁ ଅଧିକ ଶକ୍ତି ଓ ପ୍ରେରଣା ଯୋଗାଇଛି ବୋଲି ନବୀନ କହିଛନ୍ତି  । ବିଜେପୁରବାସୀ ବିକାଶକୁ ଗ୍ରହଣ କରିଛନ୍ତି  । ବିଜେଡ଼ି କର୍ମୀମାନେ କଠୋର ପରିଶ୍ରମ କରିଥିବାରୁ ନବୀନ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ  ।

ନବୀନ କହିଲେଯେ, ନିର୍ବାଚନବେଳେ ହିଂସାକାଣ୍ଡ ହୋଇଥିଲା  । ଦିଲେଶ୍ୱରଙ୍କ ପ୍ରତି ନବୀନ ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲେ  । ନିର୍ବାଚନ ସମୟରେ ସେ ଯେଉଁସବୁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରଣ କରାଯିବ  । ଅଗଷ୍ଟ ୧୫ ସୁଦ୍ଧା ବିଜେପୁରର ସମସ୍ତ ଗାଁରେ ବିଜୁଳି ପହଁଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ସେ ନିଜେ ହିଁ ବିଜେପୁର ବିକାଶ ତଦାରଖ କରିବେ  । ଆଜିଠାରୁ ହିଁ ଏହି କାର୍ଯ୍ୟ ଆରମ୍ଭ ହେଲା ବୋଲି ନବୀନ କହିଛନ୍ତି  ।

ଏଥିସହିତ ମହାନଦୀ ଜଳ ବିବାଦର ସମାଧାନ ଓ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟାର ରାଜ୍ୟ ଦାବି ନେଇ ଲଢେଇ ଜାରି ରହିବ ଏବଂ ବୁଣାକାର ସାମଗ୍ରୀ ଉପରୁ ଜିଏସ୍‌ଟି ଛାଡ ପାଇଁ ଦାବି ତୀବ୍ର କରାଯିବ ବୋଲି ସେ କହିଥିଲେ। ଏଥି ସହିତ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ଲାଗି କାମ ଆରମ୍ଭ ହୋଇଗଲାଣି ଓ ଏହା ଯଥା ଶୀଘ୍ର ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।