ବିକାଶ ମାନେ ନବୀନ ପଟ୍ଟନାୟକ : ନବ ଦାସ

ଭୁବନେଶ୍ୱର, (ଓଟି): କଂଗ୍ରେସ ଦଳରୁ ଅନେକ ବରିଷ୍ଠ ନେତା ତଥା ବିଧାୟକମାନେ ବିଜେଡିରେ ଯୋଗ ଦେବାକୁ ଲାଇନ ଲଗାଇଥିବା ଯେଉଁ ଚର୍ଚ୍ଚା ହେଉଛି, ସେଥିରେ ଝାରସୁଗୁଡା ବିଧାୟକ ନବ ଦାସ ଖୋରାକ ଯୋଗାଇଛନ୍ତି। ଆଜି ଝାରସୁଗୁଡାଠାରେ ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ‍୍‌ଯନାୟକଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି।

ଆଗରୁ ବିଜେଡ଼ି ନେତାମାନେ ଗଳା ଫଟାଇ କହୁଥିଲେ ନବୀନ ହେଉଛନ୍ତି ବିକାଶ ପୁରୁଷ  । ବିକାଶ କହିଲେ ନବୀନଙ୍କୁ ହିଁ ବୁଝାଏ  । ବିଜେଡ଼ି ନେତାମାନେ ନବୀନଙ୍କୁ ଟେକିଟାକି କହିବାଟା ଏକ ସ୍ୱାଭାବିକ କଥା ହୋଇପାରେ ହେଲେ ଯଦି ବିରୋଧୀ ବିଧାୟକ ଏଭଳି କୁହନ୍ତି ତେବେ ତାହାକୁ ନେଇ ଚର୍ଚ୍ଚା ହେବା ଥୟ  ।

ଝାରସୁଗୁଡ଼ାର ପଂଚପଡ଼ା ହାଇସ୍କୁଲ ପଡ଼ିଆରେ ଆଜି ବୁଜ ଏକ୍ସପ୍ରେସ ୱେର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ୧୨୦୦ କୋଟି ଟଙ୍କା ବ୍ୟୟରେ ରାଉରକେଲା-ସମ୍ବଲପୁର ୧୬୩ କିଲୋମିଟର ରାସ୍ତାକୁ ନବୀନ ଲୋକାର୍ପଣ କରିଥିଲେ  । ଏହି ଉତ୍ସବରେ ବିଜେଡ଼ି ବିଧାୟକମାନଙ୍କ ସହ କଂଗ୍ରେସ ବିଧାୟକମାନେ ଯୋଗଦେଇଥିଲେ  । ଝାରସୁଗୁଡ଼ାର ଟାଣୁଆ କଂଗ୍ରେସ ନେତା ତଥା ପିସିସି ସଭାପତି ହେବା ପାଇଁ ଆଶାୟୀ ନବ କିଶୋର ଦାସ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ  । ବିକାଶର ଅନ୍ୟ ନାମ ନବୀନ ପଟ୍ଟନାୟକ  । ଝାରସୁଗୁଡ଼ାର ଯାହାବି ବିକାଶ ହୋଇଛି ତାହା ନବୀନଙ୍କ ଶାସନ କାଳରେ ହୋଇଛି ବୋଲି ନବ ଦାସ କହିଥିଲେ  ।

ଝାରସୁଗୁଡ଼ାର ବିକାଶ ଯିଏ କରିବ ସେ ତାଙ୍କୁ ପ୍ରଂଶସା କରିବେ ବୋଲି ନବ କହିଛନ୍ତି  । ତେବେ ନବଙ୍କ ସହ ପ୍ରତିଯୋଗିତାରେ ପଛରେ ପଡ଼ିନଥିଲେ ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହ ଓ ତଳସରା ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ । ଗୋଟିଏ ପଟେ କଂଗ୍ରେସରେ ଏବେ ପିସିସି ଚଉକି ଦୌଡ଼ ଲାଗିଥିବାବେଳେ ବୁଡ଼ି ଗଲା ଗୋଡ଼ ତଳକୁ ତଳକୁ ଭଳି ଦଳର ଅବସ୍ଥା  । ପୂର୍ବରୁ ଡାକ୍ତର ମାଝୀ ବିଜେପି ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଥିଲା  ।

ତେବେ ବିଜେପୁରରେ ନବୀନଙ୍କ ଝଡ଼ ପରେପରେ ଧିରେଧିରେ କଂଗ୍ରେସ ନେତା ବିଜେଡ଼ି ଆଡ଼କୁ ମୁହାଁଇବାର ଯୋଜନା କରିଛନ୍ତି  । ଅତୀତରେ ମଧ୍ୟ ନବ ଦାସଙ୍କ ବିଜେଡ଼ିରେ ଯୋଗଦାନକୁ ନେଇ ଜୋରଦାର ଚର୍ଚ୍ଚା ହୋଇଆସିଛି  । ନବଙ୍କ ଅତ୍ୟନ୍ତ ଘନିଷ୍ଠ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ବିଜେଡ଼ିରେ ସାମିଲ ହୋଇସାରିଥିବାବେଳେ ଆଗକୁ କେତେକ କଂଗ୍ରେସ ନେତା ବିଜେଡ଼ିରେ ଯୋଗଦେବାର ସମ୍ଭାବନା ରହିଛି  । ବିଜେପି ଏମାନଙ୍କୁ କବଜା କରିବା ପୂର୍ବରୁ ନବୀନ ସେମାନଙ୍କୁ ବିଜେଡ଼ି ଖାଳେଇରେ ଭର୍ତ୍ତି କରିବାର ଯୋଜନା କରିଥିବା ଜାଣିବାକୁ ମିଳିଛି।

About admin

Check Also

ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ ପାଇବନି : ଜେଟଲି

ଭୁବନେଶ୍ୱର,(ଓଟି): ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ …

Leave a Reply