ଆନୁଷଙ୍ଗିକ ଶିଳ୍ପ ଉପରେ ଓଡ଼ିଶାର ଗୁରୁତ୍ୱ

0
5

ଭୁବନେଶ୍ୱର,(ଓଟି): ଓଡ଼ିଶା ଆଗାମୀ ଦିନରେ ଆନୁଷଙ୍ଗିକ ଶିଳ୍ପ ଓ ମୂଲ୍ୟ ଯୁକ୍ତ ଶିଳ୍ପ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା କହିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ କିଛି ଦିନ ପାଇଁ ଆମେ ବଡ଼ ଶିଳ୍ପ ଉପରେ ସାମୟିକ ବିରାମ ଲଗାଇଛୁ ଓ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର କ୍ଷମତା ରଖୁଥିବା ଆନୁଷଙ୍ଗିକ ଶିଳ୍ପ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛୁ ।

ଇଡକଲ୍ ଅଡିଟୋରିୟମରେ ଆୟୋଜନ କରାଯାଇଥିବା ଓଡ଼ିଶା ଏମଏସଏମଇ ମିଟ୍ ୨୦୧୮କୁ ଉଦଘାଟନ କରି ସେ କହିଛନ୍ତି ଯେ, ରାଜ୍ୟରେ ଉଦ୍ୟୋଗୀମାନଙ୍କ ପାଇଁ ଜୀବନକୁ ଅଧିକ ସରଳ କରିବା ଦିଗରେ ଆମେ କାମ କରୁଛୁ ଓ ବ୍ୟବସାୟ ବାତାବରଣରେ ଉନ୍ନତି ଆଣିବାକୁ ଚାହୁଁଛୁ ।

ରାଜ୍ୟ ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ, ୨୦୧୮ ମାର୍ଚ ଶେଷ ସୁଦ୍ଧା ରାଜ୍ୟରେ ଏମଏସଏମଇ ଉଦ୍ୟୋଗ ସଂଖ୍ୟା ଥିଲା ୧୩ ଲକ୍ଷ ୨୦ ହଜାର । ରାଜ୍ୟ ସରକାର ବିଭିନ୍ନ ପ୍ରକାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ୨୯୦୪୫ ଜଣ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କରିଛନ୍ତି । ସେମାନେ ନିଜକୁ ଉଦ୍ୟୋଗୀ ଭାବେ ପ୍ରତିଷ୍ଠା କରିପାରିବେ । ସେହିପରି ରାଜ୍ୟରେ ୧୦୦୮ଟି ଆନୁଷଙ୍ଗିକ ଶିଳ୍ପ ରହିଛି ଯେଉଁମାନେ ଇସ୍ପାତ, ଆଲୁମିନିୟମ୍, ବର୍ଜ୍ୟ କାଗଜ ଓ ସ୍ଲାଗ୍କୁ ବ୍ୟବହାର କରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ଓ ଏହି ଶିଳ୍ପ ସଂସ୍ଥାଗୁଡ଼ିକରେ ୭୭୮୬ ଜଣ ଲୋକ ନିଯୁକ୍ତ ହୋଇଛନ୍ତି ।  ୭୮୬ଟି ଫ୍ଲାଏ୍ ଆସ୍ ଭିତ୍ତିକ ଶିଳ୍ପ ସଂସ୍ଥା ୧୨,୦୪୪ ଜଣ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।

ଶ୍ରୀ ସାମଲ ସୂଚନା ଦେଇଛନ୍ତି ଯେ, ଜିଲ୍ଲା ସ୍ତରୀୟ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଜରିଆରେ ୨୦୧୪ ଏପ୍ରିଲରୁ ୨୦୧୮ ମାର୍ଚ ଭିତରେ ୫୪୪ଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି । ଏହି ସବୁ ପ୍ରକଳ୍ପରେ ୨୦୪୦ କୋଟି ଟଙ୍କା ନିବେଶ ହେବ ଓ ୨୧,୭୩୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୋଟ ଶିଳ୍ପ ପ୍ରସ୍ତାବ ମଧ୍ୟରୁ ୬୭ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ସାରିଲାଣି ଓ ବଳକା ୧୧୯ଟି ପ୍ରକଳ୍ପର କାର୍ଯ୍ୟ ବିଭିନ୍ନ ସ୍ତରରେ ରହିଛି ଯାହା ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବ ।

Loading...