ନବୀନଙ୍କ ସହ କଥା ହେଲେ ମୋଦି

ଭୁବନେଶ୍ୱର, (ଓଟି): ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ଭୋଟ। ଏନଡିଏର ହରିବଂଶ ନାରାୟଣ ସିଂ ଏବଂ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ବି କେ ହରିପ୍ରସାଦଙ୍କ ଭିତରେ ହେବ ଲଢ଼େଇ। ହେଲେ ଉପା ଏବଂ ଏନଡିଏ ପାଖରେ ମ୍ୟାଜିକ୍ ସଂଖ୍ୟା ନଥିବାରୁ ଆଞ୍ଚଳିକ ଦଳମାନଙ୍କ ଉପରେ ଭରସା ବଢ଼ିଛି।

ବିଜେଡି ହାତରେ ୯ ଜଣ ସାଂସଦ ଥିବାରୁ ଉଭୟ କଂଗ୍ରେସ ଏବଂ ବିଜେପି ବିଜେଡିର ସମର୍ଥନ ପାଇଁ ଜୋରଦାର ପ୍ରୟାସ କରୁଛନ୍ତି। କିନ୍ତୁ ବିଜେଡି କାହାକୁ ସମର୍ଥନ କରିବ ସେନେଇ କୌଣସି ସ୍ପଷ୍ଟ ସଙ୍କେତ ଦେଇନି। ସବୁ ନିଷ୍ପତ୍ତି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ଛାଡ଼ି ଦିଆଯାଇଛି।

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଛନ୍ତି। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିବା ପାଇଁ ମୋଦି ନବୀନକୁ ଅନୁରୋଧ କରିଛନ୍ତି। ହେଲେ ନବୀନ ଏଯାଏଁ ତାଙ୍କ କାର୍ଡ ଖୋଲି ନାହାନ୍ତି।

ଗତକାଲି ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହ, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନଙ୍କ ସହ କଥା ହୋଇଥିଲେ। ଅମିତ ଶାହଙ୍କ ଫୋନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ନଥମୁଣୁ ଆଜି ମୋଦିଙ୍କ ଫୋନକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ବିଜେଡିର ସମର୍ଥନ ବିଜେପି ପାଇଁ ନିହାତି ଆବଶ୍ୟକ ବୋଲି ଶାହ ଏବଂ ମୋଦିଙ୍କ ଫୋନରୁ ସ୍ପଷ୍ଟ ହୋଇଯାଇଛି।

ଏପଟେ କଂଗ୍ରେସ ପ୍ରାର୍ଥୀ ବି କେ ହରିପ୍ରସାଦ ମଧ୍ୟ ନିରାଶ ହୋଇ ନାହାନ୍ତି। ବିଜେଡି ତାଙ୍କୁ ସମର୍ଥନ କରିବ ବୋଲି ଆଶା କରିଛନ୍ତି। ସେ ଓଡ଼ିଶା କଂଗ୍ରେସର ପ୍ରଭାରୀ ରହିଥିଲେ। ଏଣୁ ସେ ନିଜେ ବିଜେଡିର ତୁଙ୍ଗ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ଏହାସହ କଂଗ୍ରେସ ମଧ୍ୟ ବିଜେଡି ନେତାଙ୍କ ସହ ଆଲୋଚନା ଚଳାଇଛି।

ବିଜେଡି ସାଂସଦଙ୍କୁ ଭେଟିଲେ ହରିବଂଶ

ନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ଆଜି ବିଜେଡି ସାଂସଦମାନଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେଡି କାର୍ଯ୍ୟାଳୟକୁ ଆସି ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ତାଙ୍କୁ ସମର୍ଥନ କରିବା ପାଇଁ ହରିବଂଶ ଅନୁରୋଧ କରିଛନ୍ତି।

ହରିବଂଶ ନାରାୟଣ ସିଂ ହେଉଛନ୍ତି ଜେଡି(ୟୁ) ସାଂସଦ। ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଏନଡିଏ ତାଙ୍କୁ ପ୍ରାର୍ଥୀ କରିଛି। ହେଲେ ଉପାଧ୍ୟକ୍ଷ ହେବା ପାଇଁ ଏନଡିଏ ପାଖରେ ସାଂସଦଙ୍କ ସମର୍ଥନ ନାହିଁ। ଆଉ ୧୦ ଜଣ ସାଂସଦଙ୍କ ସମର୍ଥନ ଦରକାର ପଡ଼ୁଛି। ବିଜେଡି ପାଖରେ ୯ ଜଣ ସାଂସଦ ଥିବାରୁ ଏନଡିଏ ବିଜେଡି ଉପରେ ଭରସା କରିଛି।

ହରିବଂଶ ସିଂ ଆଜି ଉପାଧ୍ୟକ୍ଷ ପ୍ରାର୍ଥୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ଦେଶ ଦୀପକ ବର୍ମାଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନାଥ କୁମାର, ପୀୟୁଷ ଗୋଏଲ, ବିଜୟ ଗୋଏଲ, ଅକାଳୀ ଦଳ, ଶିବସେନାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଏପଟେ ୟୁପିଏ କଂଗ୍ରେସ ସାଂସଦ ବି କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରିଛି। ହରିପ୍ରସାଦ ବି ସମର୍ଥନ ପାଇଁ ବିଜେଡି ସହ କଥା ହୋଇଛନ୍ତି।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply