ଖଣି ମାଲିକମାନଙ୍କଠାରୁ ୧୨,୯୮୨ କୋଟି ୭୦ ଲକ୍ଷ ଟଙ୍କା ପରିବେଶ କ୍ଷତିପୂରଣ ଆଦାୟ

0
12

ଭୁବନେଶ୍ୱର,(ଓଟି): ରାଜ୍ୟ ସରକାର ଖିଲାପି ଖଣି ମାଲିକମାନଙ୍କ ଠାରୁ ୧୨,୯୮୨ କୋଟି ୭୦ ଲକ୍ଷ ଟଙ୍କା ଆଦାୟ କରିସାରିଲେଣି । ଅବଶିଷ୍ଟ ଅର୍ଥ ଆଦାୟ ଲାଗି ପଦକ୍ଷେପ ନିଆଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଚଳିତମାସ ୬ତାରିଖରେ ରାଜ୍ୟ ସରକାର ସୁପ୍ରିମ୍‍କୋର୍ଟରେ ଏ ନେଇ ସତ୍ୟପାଠ ଦାଖଲ କରିଛନ୍ତି । ଅର୍ଥ ପ୍ରଦାନ କରିନଥିବା ଖଣି ଲିଜ୍‍ଧାରୀଙ୍କ ଠାରୁ ବାକିଆ ଅର୍ଥ ଆଦାୟ ଲାଗି ସରକାର ନିୟମିତ ଭାବେ ଉଦ୍ୟମ ଜାରି ରଖିଛନ୍ତି । ସୁପ୍ରିମ୍‍କୋର୍ଟରେ ଚାଲିଥିବା ଏ ସଂକ୍ରାନ୍ତୀୟ ମାମଲାରେ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି ।

ଚଳିତବର୍ଷ ଜାନୁୟାରୀ ୧୭ ତାରିଖରେ ସିଇସିଙ୍କ ସୂଚନା ଅନୁଯାୟୀ ୧୩୧ ଖିଲାପି ଖଣି ଲିଜ୍‍ଧାରୀଙ୍କ ଉପରେ ୧୯,୧୭୪ କୋଟି ୩୮ଲକ୍ଷ ଟଙ୍କା ଆଦାୟ ପାଇଁ ରହିଛି । ଗତବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ୮୨ ଖଣି ମାଲିକଙ୍କ ଠାରୁ ୮୨୮୯ କୋଟି ୮୭ଲକ୍ଷ ଟଙ୍କା ଆଦାୟ ହୋଇଥିଲା । ଚଳିତବର୍ଷ ଜୁନ୍‍ ୩୦ ତାରିଖ ସୁଦ୍ଧା ମୋଟ୍‍ ୧୦,୧୮୯ କୋଟି ୮୩ଲକ୍ଷ ଟଙ୍କା ଆଦାୟ ହୋଇଥିବା ସୁପ୍ରିମ୍‍କୋର୍ଟଙ୍କୁ ଅବଗତ କରାଯାଇଥିଲା ।

ସେତେବେଳେ ସର୍ବୋଚ୍ଚ ନ୍ୟାୟାଳୟ ବାକିଆ ଅର୍ଥ ଆଦାୟ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ଓଡିଶା ପବ୍ଲିକ ଡିମାଣ୍ଡ ରିକଭରୀ (ଓଡିପିଆର) ଆଇନ୍‍ ୧୯୬୨ ଆଧାରରେ ବାକିଆ ଅର୍ଥ ଆଦାୟ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ ।ତଦନୁଯାୟୀ ୫୫ଟି ମାମଲାରେ ୫୪ଟି ଖିଲାପକାରୀ ଖଣି ଲିଜ୍‍ଧାରୀଙ୍କୁ ନୋଟିସ ପ୍ରଦାନ କରାଯାଇଥିଲା । ୩୨ ଟି ନୋଟିସ୍‍କୁ ଓଡିଶା ହାଇକୋର୍ଟ ଓ କେନ୍ଦ୍ର ସରକାରଙ୍କ ରିଭିଜନାଲ ଅଥରିଟୀଙ୍କ ନିକଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

ଓଡିଶା ହାଇକୋର୍ଟରେ ୬ଟି ମାମଲା ରୁଜୁ ହୋଇଥିବାବେଳେ ୨୬ଟି ମାମଲା କେନ୍ଦ୍ରୀୟ ରିଭିଜନାଲ ଅଥରିଟୀଙ୍କ ନିକଟକୁ ଯାଇଥିଲା । ଓଡିଶା ହାଇକୋର୍ଟ କୌଣସି ମାମଲାରେ ରହିତାଦେଶ ଦେଇନଥିବାବେଳେ କେନ୍ଦ୍ରୀୟ ସଂସ୍ଥା ୨୬ରୁ ୨୧ଟିରେ ରହିତାଦେଶ ପ୍ରଦାନ କରିଥିଲେ । ଫଳରେ ୮ଟି ସଂସ୍ଥା ସମସ୍ତ ବାକିଆ ଅର୍ଥ ପ୍ରଦାନ କରିଛନ୍ତି । ଖିଲାପି ଖଣି ମାଲିକ ଓ ଲିଜ୍‍ଧାରୀଙ୍କ ଠାରୁ ଅର୍ଥ ଆଦାୟ ନିମନ୍ତେ ରାଜ୍ୟ ସରକାର ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ସହିତ ସମନ୍ୱୟ ଲାଗି ୫ଟି ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି ।

ରାଜ୍ୟ ସ୍ତରୀୟ ଟାସ୍କଫୋର୍ସରେ ଇସ୍ପାତ ଓ ଖଣି ବିଭାଗ ସଚିବ, ଖଣି ନିର୍ଦ୍ଦେଶକ, ବାଣିଜ୍ୟକର କମିଶନର ସଦସ୍ୟ ଥିବାବେଳେ ପୁଲିସ୍‍ ଆଇଜି ଓ ଇଓଡବ୍ଲ୍ୟୁ ଆଦି ଅର୍ଥ ଆଦାୟ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିଭଳି ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଅଧ୍ୟକ୍ଷ ଜିଲ୍ଲାପାଳ ଥିବାବେଳେ ସମନ୍ୱୟ ରକ୍ଷା କରି ଅର୍ଥ ଆଦାୟ ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହିସବୁ ଜିଲ୍ଲାରେ ଖିଲାପକାରୀ ଖଣି ଲିଜ୍‍ଧାରୀଙ୍କ ବିରୁଦ୍ଧରେ ଅତି କମ୍‍ରେ ୫୪ଟି ସାର୍ଟିଫିକେଟ କେଶ୍‍ ହୋଇସାରିଲାଣି । ଜିଲ୍ଲାପାଳଙ୍କ ଶୁଣାଣିପରେ ଏମାନଙ୍କ ବିରୁଦ୍ଧରେ ଓପିଡିଆର ଆଇନ୍‍ ୧୯୬୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଅନ୍ୟ ପକ୍ଷରେ ପରିବେଶ ଓ ଜଙ୍ଗଲ ଆଇନ୍‍ ଖିଲାପ କରିଥିବା ୪୭ଟି ଖିଲାପକାରୀ ଲୁହାପଥର ଓ ମାଙ୍ଗାନିଜ ଖଣି ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରିନଥିବା ସୁପ୍ରିମ୍‍କୋର୍ଟଙ୍କୁ ଅବଗତ କରାଯାଇଥିବା ଜଣାଯାଇଛି ।

Loading...