ଓଡ଼ିଶା ମିଡିଆରେ ଧର୍ମେନ୍ଦ୍ର କ୍ଷୀଣ

ଭୁବନେଶ୍ୱର, (ଓଟି): ଓଡ଼ିଶା ମିଡିଆକୁ ଦିନେ ନିଜ ନିୟନ୍ତ୍ରଣରେ ରଖିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥିତି ଦିନକୁ ଦିନ କ୍ଷୀଣ ହେଉଛି । ବିଶେଷକରି ବିଜେପୁର ଉପ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ତାଙ୍କୁ କୋଣଠେସା କରିଥିବା ଚର୍ଚ୍ଚା ହେଉଛି । ଏପରିକି ଯେଉଁ ମିଡିଆଗୁଡ଼ିକ ତାଙ୍କ ମନ୍ତ୍ରାଳୟର ବିଜ୍ଞାପନ ଅଧିକରୁ ଅଧିକ ପାଉଥିଲେ ସେମାନେ ମଧ୍ୟ ଏହି ଆଚରଣ ପ୍ରଦର୍ଶନ କରିଛନ୍ତି । ଏହା ସ୍ପଷ୍ଟ କରୁଛି ଯେ, ଧର୍ମେନ୍ଦ୍ର ଆଉ ଓଡ଼ିଶାର ମିଡିଆ ଜଗତରେ ଜଣେ ଲୋକପ୍ରିୟ ଉପାଦାନ ହୋଇ ନାହାନ୍ତି । ତାଙ୍କୁ ବିଷୟ କଲେ ନ୍ୟୁଜ୍‍ ବିକ୍ରୀ ହେଉନାହିଁ ।

ଓଡ଼ିଶା ମିଡିଆରେ ମୁଖ୍ୟତଃ ରାଜନୀତିକ ଓ ସରକାରୀ ଖବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏକ ବୃହତ ରାଜନୀତିକ ଦଳ ହିସାବରେ ବିଜେଡି ପରିଗଣିତ ହେଉଥିବାରୁ ରାଜନୀତିକ ଖବରରେ ଯେମିତି ସ୍ଥାନ ଦଖଲ କରେ ଠିକ୍‍ ସେମିତି ସରକାରୀ ଦଳ ଥିବାରୁ ତାହା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଥାଏ । କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ବିଜେପି ରାଜନୀତିକୁ ନିଜ ନିୟନ୍ତ୍ରଣକୁ ନେବା ପରେ ଏହି ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆସିଥିଲା । ଓଡ଼ିଶା ଆସନ୍ତୁ ବା ନ ଆସନ୍ତୁ ଧର୍ମେନ୍ଦ୍ରଙ୍କ ଫଟୋ ଓ ନ୍ୟୁଜ୍‍ କୌଣସି ନା କୌଣସି ଖବର କାଗଜ ଓ ଟିଭିରେ ଦେଖିବାକୁ ମିଳୁଥଲା । ତାହା ନହେଲେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କରି ଫଟୋ ଦେଖିବାକୁ ମିଳୁଥିଲା । ହେଲେ ବିଜେପୁର ଉପ ନିର୍ବାଚନ ଫଳାଫଳ ସବୁ କିଛି ଓଲଟପାଲଟ କରିଦେଇଛି । ଯାହାଫଳରେ ଧର୍ମେନ୍ଦ୍ରଙ୍କ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହେବା ଖବରକୁ ମଧ୍ୟ ଓଡ଼ିଶା ମିଡିଆରେ ଦେଖିବାକୁ ମିଳି ନାହିଁ । ଏ ସମ୍ପର୍କିତ ଜାଗାକୁ ମଧ୍ୟ ବିଜେଡିର ନ୍ୟୁଜ୍‍ ଅପହରଣ କରିନେଇଥିବା ସ୍ପଷ୍ଟ ହୋଇଛି ।

ଗତ ସପ୍ତାହର ରାଜନୀତିକ ପୃଷ୍ଠଭୂମିରେ ଏହା ସ୍ପଷ୍ଟ ହୋଇଛି । ଗଲା ସପ୍ତାହରେ ଓଡ଼ିଶା ମିଡିଆରେ ମୁଖ୍ୟ ଚର୍ଚ୍ଚାର ବିଷୟ ଥିଲେ ନବୀନ ପଟ୍ଟନାୟକ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡିରେ ସୌମ୍ୟଙ୍କ ମିଶ୍ରଣ ଏବଂ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ପ୍ରସଙ୍ଗ ଯଥେଷ୍ଟ ଗୁରୁତ୍ୱ ଲାଭ କରିଥିଲା । ଏଥିପାଇଁ ଅନେକ ଦିନ ଧରି ଚର୍ଚ୍ଚା କରିଥିଲା ଉଭୟ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍‍ ମିଡିଆ । ସେହି ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀତ୍ୱ ଘୋଷଣା ଏକ ପ୍ରକାର ନିଷ୍ପ୍ରଭ ଦିଶୁଥିଲା । ସେମାବାର ଦିନ ତାଙ୍କର ପ୍ରାର୍ଥୀପତ୍ର ଦାଖଲ ଖବରକୁ ମଧ୍ୟ କୌଣସି ଗୁରୁତ୍ୱ ମିଳି ନଥିବା ଜଣାପଡ଼ିଛି ।

ଯଦିଓ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି, କିନ୍ତୁ ଓଡ଼ିଆ ପୁଅ ହିସାବରେ ବାହାର ରାଜ୍ୟରୁ ଲଗାତାର ଦୁଇଟି ପର୍ଯ୍ୟାୟରେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । କିନ୍ତୁ ମିଡିଆ ଏହାକୁ ଗୁରୁତ୍ୱ ଦେଲା ନାହିଁ । ଅପରପକ୍ଷେ ରାଜ୍ୟସଭା ନିର୍ବାଚନରେ ଓଡ଼ିଶାର ଲୋକଙ୍କ ଯେମିତି କୌଣସି ଭୂମିକା ନଥାଏ ମଧ୍ୟପ୍ରଦେଶର ଜନସାଧାରଣଙ୍କ ମଧ୍ୟ କୌଣସି ଭୂମିକା ନାହିଁ । ଏଣୁ ମିଡିଆ ଜଣେ ଓଡ଼ିଆ ହିସାବରେ ଧର୍ମେନ୍ଦ୍ରଙ୍କ ପ୍ରାର୍ଥୀପତ୍ର ଦାଖଲ ଓ ଚୟନକୁ ଗୁରୁତ୍ୱ ଦେବାର ଅନେକ କାରଣ ରହିଛି । ହେଲେ ତାଙ୍କ ଖବରକୁ ଧ୍ୟାନ ନଦେବା ସ୍ପଷ୍ଟ କରୁଛି ଯେ, କୌଣସି ନା କୌଣସି ସ୍ଥାନରେ ତାଙ୍କର ପୂର୍ବ କ୍ଷମତା ଓ ଦକ୍ଷତା ସଙ୍କୁଚିତ ହୋଇଛି ।

ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀପଦ ପାଇବା ପରେ ଓଡ଼ିଶାର ମିଡିଆକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୁଏ । ଏହିକ୍ରମରେ ଓଡ଼ିଶାର ମିଡିଆ ଦୁଇଭାଗରେ ବିଭକ୍ତ ହୋଇଥିଲା । ଯଦିଓ ଏବେ ସେ ଅବସ୍ଥା ଜାରି ରହିଛି କିନ୍ତୁ ଅଧିକାଂଶ ମିଡିଆ ଏବଂ ସିଧାସଳଖ ବା ପରୋକ୍ଷ ଭାବେ ବିଜେଡି ନିୟନ୍ତ୍ରଣକୁ ଆସିଛି । ବିଶେଷକରି  ଜୀ କଳିଙ୍ଗକୁ ଶ୍ରୀ ପ୍ରଧାନ ପ୍ରତ୍ୟକ୍ଷ ବା ପରୋକ୍ଷରେ ନିୟନ୍ତ୍ରଣ କରିବା ହେତୁ ସେଠାରେ ଅନେକ ଅର୍ନ୍ତଦ୍ୱନ୍ଦ୍ୱ ଲାଗି ରହିଥିବା ଚର୍ଚ୍ଚା ହୋଇଥିଲା । ଠିକ୍‍ ସେହିପରି ଅନ୍ୟ ଟିଭି ଚ୍ୟାନେଲ୍‍ ଓ ପ୍ରିଣ୍ଟ ମିଡିଆଗୁଡ଼ିକୁ ସେ ତାଙ୍କ ମନ୍ତ୍ରାଳୟ ଦ୍ୱାରା ବିଜ୍ଞାପନ ଦେଇ ତାଙ୍କ ସପକ୍ଷକୁ ଆଣିବାକୁ ଚାହିଁଥିଲେ । କିନ୍ତୁ ନବୀନଙ୍କ୍‍ ଷ୍ଟ୍ରୋକ୍‍ ଆଗରେ ତାଙ୍କର ଏହି ଚାଲ ବିଜେପୁର ଭଳି ଫୁଟିଯାଇଥିବା ଚର୍ଚ୍ଚା ହେଉଛି । ଏବେ ଅନେପକ୍ଷା ସ୍ଥିତି ନିୟନ୍ତ୍ରଣ ପାଇଁ ଏ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କି ରଣନୀତି ଆପଣାଉଛନ୍ତି? ଗୋଟିଏ ପରେ ଗୋଟିଏ ନେତାଙ୍କୁ ନିଜ କବଳରେ କରି ନେଇ ନ୍ୟୁଜ୍‍କୁ ହାଇଜାକ୍‍ କରୁଥିବା ନବୀନଙ୍କ ମିଡିଆ କଭରେଜ୍‍ ଚାଲ୍‍କୁ ଧର୍ମେନ୍ତ୍ର କେତେ ଟକ୍କର ଦେଉଛନ୍ତି ତାହାକୁ ଅପେକ୍ଷା ।

About admin

Check Also

ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ ପାଇବନି : ଜେଟଲି

ଭୁବନେଶ୍ୱର,(ଓଟି): ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ …

Leave a Reply