ଓଡ଼ିଶାରେ କେଉଁ ମିଡିଆର ସମ୍ପର୍କ କେଉଁ ଦଳ ସହ: ଏକ ନଜର

0
7

ଭୁବନେଶ୍ୱର,(ଓଟି): ଓଡ଼ିଶା ମିଡିଆରେ ରାଜନୀତିକ ସମ୍ପୃକ୍ତିକୁ ନେଇ ଅନେକ ନ୍ୟୁଜ୍‌ ରିପୋର୍ଟ ଆଲୋଚନା, ତର୍କ ଓ ସନ୍ଦର୍ଭ ଅତୀତରେ ଲେଖାଯାଇଛି। ଏହାର ମୂଳ କାରଣ ହେଉଛି ରାଜନେତାଙ୍କ ଦ୍ୱାରା ଓଡ଼ିଶା ମିଡିଆର ନିୟନ୍ତ୍ରଣ। ଏବେ କିନ୍ତୁ ସମୟ ଟିକେ ବଦଳିଛି କାରଣ ପୂର୍ବରୁ ରାଜନେତାମାନେ ମିଡିଆ ମାଲିକ ହେଉଥିବା ବେଳେ ଏବେ ମିଡିଆ ମାଲିକ ଓ ସାମ୍ୱାଦିକମାନେ ରାଜନେତା ପାଲଟୁଛନ୍ତି। ଚିରଞ୍ଜୀବ ଓ ରଞ୍ଜିବ ବିଶ୍ୱାଳ, ତଥାଗତ ସତପଥି, ସୌମ୍ୟରଞ୍ଜନ ପଟ୍ଟନାୟକ, ଅତନୁ ସବ୍ୟସାଚୀ ନାୟକ, ଅଶୋକ କୁମାର ପଣ୍ଡା, ଅଚ୍ୟୁତ ସାମନ୍ତ ଏପରି ଅନେକ ନାଁ ଆମ ଆଖି ଆଗରେ ଜ୍ୱଳନ୍ତ ଉଦାହରଣ।

ସରକାର ଓ ରାଜନୀତିକ ଉତ୍ସ ମିଡିଆ ରାଜସ୍ୱର ଏକ ବହୁତ ବଡ଼ ଅଙ୍ଗ ପାଲଟିଥିବାରୁ ରାଜ୍ୟରେ ଅଧିକାଂଶ ମିଡିଆ ବ୍ୟବସାୟିକ ପ୍ରତିଷ୍ଠାନ ଦ୍ୱାରା ନିୟନ୍ତ୍ରଣ ହେଲେ ବି କୌଣସି ନା କୌଣସି ରାଜନୀତିକ ଦଳ ଆଡ଼କୁ ଢଳିଥିବା ଲକ୍ଷ୍ୟ କରାଯାଏ। ଏନେଇ ପାଠକ ଓ ଦର୍ଶକଙ୍କ ମତ ବି ସ୍ପଷ୍ଟ ଭାବେ ବାରି ହେଉଅଛି। ଦର୍ଶକ ଓ ପାଠକଙ୍କ ମତକୁ ଆଧାରକରି ଆସନ୍ତୁ ନଜର ପକାଇବା ଓଡ଼ିଶାରେ ପରିଚାଳିତ ମୁଖ୍ୟସ୍ରୋତ ମିଡିଆର ନ୍ୟୁଜ୍‌ ତଥା ଅନୁଶୀଳନ କେଉଁ ଦଳ ଆଡ଼କୁ ଢଳିଛି। ଏହି ଅନୁସାରେ ଆପଣ ବି ନିଜ ମତକୁ “ଚେକ୍’ ଦେବା ଲାଗି ନିଜ ଇଚ୍ଛାରେ ମିଡିଆ ବାଛିପାରିବେ।

ପ୍ରଥମେ ନ୍ୟୁଜ୍‌ ଟିଭି ଚ୍ୟାନେଲ ଗୁଡ଼ିକ କଥା। ପୂର୍ବରୁ ଏ ସମ୍ପର୍କରେ ଏକ ରିପୋର୍ଟ ଓଡ଼ିଶାଟାଇମ‍୍‌ ଡଟ‍୍‌କମ‍୍‌ରେ ପ୍ରକାଶ ପାଇଥିଲା। ଉଭୟ ଶାସକ ବିଜେଡି ଏବଂ କେନ୍ଦ୍ର ସରକାରରେ ଥିବା ବିଜେପି କଳେ ବଳେ କୌଶଳେ ଓଡ଼ିଶାର ଟିଭି ଚ୍ୟାନେଲ‍୍‌ଗୁଡ଼ିକୁ ନିଜ ନିୟନ୍ତ୍ରଣରେ ନେବାକୁ ଚେଷ୍ଟା କରିଛନ୍ତି। ଏହିକ୍ରମରେ ଜାତୀୟସ୍ତରର ଚ୍ୟାନେଲଗୁଡ଼ିକ ବିଜେପି ହାତରେ ଥିବା ବେଳେ ଅନ୍ୟ ଆଞ୍ଚଳିକ ପରିଚାଳନା ଗୋଷ୍ଠୀର ଟିଭି ଚ୍ୟାନେଲସବୁ ରାଜ୍ୟ ସରକାରଙ୍କୁ ରାଜସ୍ୱ ତଥା କଣ୍ଟେଣ୍ଟର ମୂଳ ଉତ୍ସ ଭାବେ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି। କିନ୍ତୁ ଓଡ଼ିଶାରେ ଜାତୀୟ ମିଡିଆ ମଧ୍ୟରୁ ଅନେକ ବିଜେଡି ଓ ରାଜ୍ୟ ସରକାରଙ୍କ ଆଡ଼କୁ ମଧ୍ୟ ଢଳିଛନ୍ତି। ଅର୍ଥାତ୍ ବିଜେଡିମୁହାଁ ହୋଇଛନ୍ତି।

ବିଜେଡିର ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହେଉଛି ଓଟିଭି। ଯେତେବର୍ଷ ହେଲା ବିଜେଡି ଗଢ଼ା ହୋଇଛି ଠିକ୍ ସେତିକି ବର୍ଷ ହେଲା ଓଟିଭି ମଧ୍ୟ ସୃଷ୍ଟି ହୋଇଛି। ବିଜେଡି ସରକାର ସମୟରେ ଅନେକ ଫାଇଦା ହାସଲ କରିଥିବା ଏହାଙ୍କ କେବୁଲ‍୍‌ କମ୍ପାନୀ ଅରଟେଲ‍୍‌ କମ୍ୟୁନିକେସନ‍୍‌ ତାହାର ତାଲିକା ଏଠି ଦେବା ଅନାବଶ୍ୟକ। ଏଣୁ ଏହି ଚ୍ୟାନେଲ‍୍‌ ଯେ ବିଜେଡିର ମୁଖପତ୍ର ତାହା ସ୍ପଷ୍ଟ ହେଉଥିଲା। ଏବେ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଲମ୍ୱନ କରାଯିବା ପରେ ଓଟିଭି ବିଜେଡି ଶିବିରରୁ ଓହରି ବିଜେପି ଶିବିରରେ ପଡ଼ିଥିବା ପ୍ରଚାର ହେଉଛି।

ବାର୍କ ରେଟିଂ ଅନୁସାରେ ଓଟିଭି ତଳକୁ ଅଧିକ ଦର୍ଶକ ଆକୃଷ୍ଟ କରିପାରୁଥିବା ଟିଭି ଚ୍ୟାନେଲ‍୍‌ ହେଉଛି ନ୍ୟୁଜ୍‌ ସେଭେନ‍୍‌। କୁହାଯାଉଛି ଏହା ଅଧା ବିଜେଡି ଓ ଅଧା ବିଜେପି। ଅର୍ଥାତ୍ କେତେବେଳେ କେଉଁ ରଙ୍ଗରେ ଖବର ଦିଅନ୍ତି ତାହା ଜଣାପଡେ଼ ନାହିଁ। ଅନେକ ଦିନ ମାନ୍ଦା ହୋଇ ପଡ଼ିଲା ପରେ ଏବେ ବିଜେଡି ସାଂସଦଙ୍କ ଦ୍ୱାରା ପରିଚାଳିତ ହେଉଛ ିନ୍ୟୁଜ୍‌ ୱର୍ଲଡ ଓଡ଼ିଶା। ପୂର୍ବରୁ ଏହା ଏକ ଇସ୍ପାତ କମ୍ପାନୀ ଅଧିନରେ ଥିଲା। ଏହି ସଂସ୍ଥା ବିଜେଡି ଦ୍ୱାରା ପ୍ରଭାବିତ ହେଉଥିବା ସ୍ପଷ୍ଟ। ସେହିପରି ଏମ‍୍‌ବିସି ଟିଭି ମଧ୍ୟ ବିଜେଡିରେ ବେଶ‍୍‌ ସକ୍ରିୟ ଥିବା ଏକ ଗୋଷ୍ଠୀ ଦ୍ୱାରା ପରୋକ୍ଷରେ ପରିଚାଳିତ। ଏଣୁ ଏହାର ଯୁକ୍ତି ମଧ୍ୟ ବିଜେଡିମୁଖୀ। କଳିଙ୍ଗ ଟିଭିର ପୁଷ୍ଠପୋଷକ ହେଉଛନ୍ତି ଅଚ୍ୟୁତ ସାମନ୍ତ। ଏଣୁ ଏଠାରେ କହିବା ଅନାବଶ୍ୟକ ଯେ ଏହା ବିଜେଡି ପକ୍ଷବାଦୀ ଚ୍ୟାନେଲ‍୍‌। ଏହି ଚ୍ୟାନେଲ‍୍‌କୁ ବିଜେପିର କିଛି ବରିଷ୍ଠ ନେତା ପୂର୍ବରୁ ପରୋକ୍ଷରେ ବୟକଟ‍୍‌ କରିଥିବା ଖବର ପ୍ରକାଶ ପାଇଛି।

ଦୁଇଟି ନ୍ୟାସନାଲ‍୍‌ ଟିଭି ଚ୍ୟାନେଲ‍୍‌ ଏଠାରେ ଓଡ଼ିଆ ନ୍ୟୁଜ୍‌ ପ୍ରସାରଣ କରୁଛନ୍ତି। ପ୍ରଥମତଃ ନେଟ‍୍‌ୱର୍କ ୧୮ ଏବଂ ଦ୍ୱିତୀୟରେ ଜୀ-କଳିଙ୍ଗ। ଏହି ଦୁଇ ଚ୍ୟାନେଲ‍୍‌ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିଲା ବୋଲି ଚର୍ଚ୍ଚା ହେଉଥିଲା। ହେଲେ ନିକଟରେ କିଛି ମାନବସମ୍ୱଳ ପରିବର୍ତ୍ତନ ପରେ ନିଜ ସମ୍ୱଳ ବୃଦ୍ଧି ପାଇଁ ଜୀ କଳିଙ୍ଗ ବିଜେଡି ସରକାରଙ୍କ ଖୋଲାଖୋଲି ପ୍ରଚାର କରୁଛି। ନେଟ‍୍‌ୱର୍କ୧୮ଓଡ଼ିଆ ଅଧିକାଂଶ କ୍ଷେତ୍ରରେ ବିଜେପି ମୁଖୀ।

ଏବେ ସୌମ୍ୟ ରଞ୍ଜନଙ୍କ ଯୋଗଦାନ ପରେ କନକ ନ୍ୟୁଜ୍‌ ଯେ ବିଜେଡି ଆଦର୍ଶରେ ରଙ୍ଗାୟିତ ହୋଇଛି ତାହାକୁ କେହି ପ୍ରତ୍ୟାଖ୍ୟାନ କରିବେ ନାହିଁ।

ଅର୍ଥାତ୍ ଓଡ଼ିଶାରେ ନ୍ୟୁଜ୍‌ ପ୍ରସାରଣ କରୁଥିବା ସମୁଦାୟ ୮ଟି ଟିଭି ଚ୍ୟାନେଲ‍୍‌ ଭିତରୁ ୬ଟି ସମ୍ପୂର୍ଣ୍ଣ ଭାବେ ବିଜେଡି ହାତରେ। ଗୋଟିଏ ବିଜେପିର ହୋଇଥିବା ବେଳେ ଆଉ ଗୋଟିଏ ଦି’ ନାଆରେ ଗୋଡ଼ ଦେଇଛି। କେହି କଂଗ୍ରେସର ଟିଭି ଚ୍ୟାନେଲ‍୍‌ ହୋଇ ରହିନାହାନ୍ତି। ଅବଶ୍ୟ ରାଜ୍ୟରେ କଂଗ୍ରେସ ସ୍ଥିତି ଯାହା ଯଦି କେହି କଂଗ୍ରେସ ଆଦର୍ଶରେ ଅନୁପ୍ରାଣୀତ ହେବେ ତେବେ ତାଙ୍କ ସତ୍ତା ଆଉ ରହିବ ନାହିଁ।

ଏବେ ଖବରକାଗଜ କଥା। ଓଡ଼ିଶାର ବିଭିନ୍ନ ଖବର କାଗଜରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥାଏ। ପୁଣି ପ୍ରିଣ୍ଟ ମାଧ୍ୟମରେ ଲୋକଙ୍କ ପାଖରେ ଏତେ ବିକଳ୍ପ ରହିଛି ଯେ, ପାଠକ ଚାହିଁଲେ ତାଙ୍କ ମତକୁ ଶାଣିତ କରିବା ପାଇଁ ଅନେକ ମିଡିଆକୁ ଗ୍ରହଣ କରିପାରିବେ। ସଂଖ୍ୟାଧିକ ଦୃଷ୍ଟିରୁ ଏଠାରେ ସବୁ ଗଣମାଧ୍ୟମର ସ୍ଥିତି ଆଲୋଚନା କରିବା ସମ୍ଭବ ନୁହେଁ। ପ୍ରମୁଖ ଖବରକାଗଜ ଭାବେ ଗଣାଯାଉଥିବା ସମାଜ, ଧରିତ୍ରୀ, ସମ୍ୱାଦ, ପ୍ରମେୟ, ସମୟ, ପ୍ରଗତିବାଦୀ, ନିତିଦିନ, ସର୍ବସାଧାରଣ, ନିର୍ଭୟ ପ୍ରଭୃତି ଅନ୍ୟତମ। ସେହିପରି ଇଂରାଜୀରେ ଟାଇମ୍ସ ଅଫ୍ ଇଣ୍ଡିଆ, ଇଣ୍ଡିଆନ‍୍‌ ଏକ୍ସପ୍ରେସ‍୍‌, ଟେଲିଗ୍ରାଫ୍, ଷ୍ଟେଟ୍ସମ୍ୟାନ‍୍‌, ପାୟୋନିୟର ଏବଂ ହିନ୍ଦୁ ଏଠାରୁ ପ୍ରକାଶ ପାଉଛନ୍ତି।

ଇଂରାଜୀ ଖବରକାଗଜଗୁଡ଼ିକ ସାଧାରଣତଃ ଏଠାରେ ବ୍ୟବସାୟ ପାଇଁ ବେଶୀ ଆଗ୍ରହ ପ୍ରକାଶ କରନ୍ତି। ରାଜନୀତିକ ସ୍ତରରେ ସେମାନେ ବିଶେଷ ଧ୍ୟାନ ଏଠାରେ ଦେଲାଭଳି ପ୍ରତୀୟମାନ ହୁଏ ନାହିଁ। ଏଣୁ ଏକ ନିର୍ଦ୍ଦିଷ୍ଟ ଗତିରେ ସେମାନେ ଓଡ଼ିଶାରେ କେଉଁ ଦଳର ଆଦର୍ଶକୁ ସ୍ୱୀକାର କରନ୍ତି ସେ ବିଷୟରେ ଅଧିକ ସମୀକ୍ଷାର ଆବଶ୍ୟକ ରହିଛି।

ହେଲେ ଓଡ଼ିଆ ଖବରକାଗଜ କ୍ଷେତ୍ରରେ ସମ୍ୱାଦ, ଧରିତ୍ରୀ, ପ୍ରଗତିବାଦୀ, ସର୍ବସାଧାରଣ ପ୍ରଭୃତି ମାଲିକଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ବିଜେଡି ଲିଙ୍କ୍ ରହିଛି। ଏଣୁ ଏମାନଙ୍କଠାରୁ ବିଜେଡି ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି କୌଣସି ଶବ୍ଦ ପାଇବା ସୌଭାଗ୍ୟ।

ସର୍ବ ପୁରାତନ ଓଡ଼ିଆ ଦୈନିକ ସମାଜ’ କିନ୍ତୁ ଏବେ ନିଜର ଆଉ କୌଣସି ମେରୁଦଣ୍ଡ ରଖିଲା ଭଳି ପ୍ରତୀୟମାନ ହୁଏ ନାହିଁ। ବ୍ୟବସାୟ ବୃଦ୍ଧି ନାଁରେ ଯେଉଁ ଦଳ ଯେତେବେଳେ ଯାହା କହିଲା ତାହାକୁ ପ୍ରକାଶ କରିବା ଏବଂ ସେମାନଙ୍କ ବିଜ୍ଞାପନକୁ ସମ୍ୱାଦ ଆକାରରେ ବା ଆଡ୍ଭୋଟୋରିଆଲ‍୍‌ ଆକାରରେ ପ୍ରକାଶ କରିବାରେ କୌଣସି ଅନିଛା ପ୍ରଦର୍ଶନ କରେ ନାହିଁ।

ସମୟ’ର ମାଲିକାନା କଂଗ୍ରେସ ନେତୃତ୍ୱରେ ପରିଚାଳିତ ହେଉଥିଲେ ମଧ୍ୟ ଗଲା କିଛିଦିନ ତଳେ ଏହି ଖବରକାଗଜର ସରକାରୀ ବିଜ୍ଞାପନ ବନ୍ଦ ହେଲାପରେ ଏହା ବିଜେଡି ବା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମତ ଉପସ୍ଥାପନ କରେ ନାହିଁ। ପ୍ରମେୟ ମଧ୍ୟ ସେହିଧାରାରେ ପରିଚାଳିତ। ନିତିଦିନ ଖବରକାଗଜ ଏଯାଏ ସରକାରୀ ବିଜ୍ଞାପନ ପାଇ ନାହିଁ। କିନ୍ତୁ ବ୍ୟବସାୟିକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଥିବାରୁ ଏହାଙ୍କ ମନରେ ମଧ୍ୟ ନବୀନଙ୍କ ସମାଲୋଚନା କରି ଖବର ପ୍ରକାଶ କରିବା କାଠିକର ପାଠ ହୋଇଥାଏ। ବିଗତ କିଛିଦିନ ହେଲା ଏହି କାଗଜ ତାଙ୍କ ପୃଷ୍ଠା ୩ରେ ପ୍ରକାଶିତ ରାଜନୀତିକ ଖବରକୁ ବନ୍ଦ କରିଦେଇଛନ୍ତି। ନିର୍ଭୟ ଏକ ସ୍ୱତନ୍ତ୍ର ଦୈନିକ ଯାହା ଟାବ୍ଲଏଡ୍ ଫର୍ମାଟ‍୍‌ରେ ପ୍ରକାଶ ପାଇଥାଏ। ଏହା ସିଧାସଳଖ ରାଜ୍ୟ ମନ୍ତ୍ରିମଣ୍ଡଳ ଓ ସରକାର ତଥା ବିଜେଡି ନେତାଙ୍କୁ ସମାଲୋଚନା କରିଥାଏ। ବିଜେପିର ଅନେକ ନେତାଙ୍କୁ ମଧ୍ୟ ଏହି କାଗଜରେ ସମାଲୋଚନା କରାଯାଉଥିବା ଲକ୍ଷ୍ୟ କରାଯାଇଛି। କୁହାଯାଉଛି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବିଜେପି ନେତାଙ୍କୁ ଏହା ସମର୍ଥନ କରିଥାଏ। କିନ୍ତୁ ରାଜନୀତିକ ପରିସ୍ଥିତିର ସମୀକ୍ଷା ସମାଲୋଚନା ଏଥିରେ ଅଧିକ ଦେଖିବାକୁ ମିଳେ।

ଉପରିସ୍ଥ ଆଲୋଚନାରୁ ଏହା ସ୍ପଷ୍ଟ ଯେ, ଓଡ଼ିଶାର ପ୍ରିଣ୍ଟ ମିଡିଆରେ ବିଜେଡିର ପ୍ରଭାବ ଯଥେଷ୍ଟ ଅଧିକ। କେବଳ ଗୋଟିଏ ଦୁଇଟି ଖବରକାଗଜକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଉପର ବର୍ଣ୍ଣିତ ଖବରକାଗଜ ଉଣା ଅଧିକେ ବିଜେଡି ପକ୍ଷବାଦୀ।

ମିଡିଆ ପକ୍ଷବାଦୀ ହେବା ଗଣତନ୍ତ୍ରରେ ଶୁଭଙ୍କର ହୋଇପାରେ। କିନ୍ତୁ ଓଡ଼ିଶାରେ ଏହି ପକ୍ଷବାଦୀ ମିଡିଆ ଅନେକ ସମୟରେ ପକ୍ଷପାତୀ ହୋଇ ଭିନ୍ନମତ ସୃଷ୍ଟିକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପଛରେ କେବଳ ନିର୍ବାଚନ ଜିତିବା ହିଁ ମୂଳ କାରଣ ହୋଇ ରହିଛି, ଯେଉଁଠାରେ ଭିନ୍ନମତର ସ୍ଥାନ ରହୁନାହିଁ। ଯେଉଁ ଖବରକାଗଜ, ମ୍ୟାଗାଜିନ‍୍‌ରେ ଭିନ୍ନମତ ଅନୁଶୀଳନ ପ୍ରକାଶ ପାଉଛି ସେଗୁଡ଼ିକ ଜନସାଧାରଣଙ୍କ ପାଖରେ ବ୍ୟାପକ ଭାବେ ପହଞ୍ଚିବା ସମ୍ଭବ ହୋଇପାରୁ ନାହିଁ। ଫଳରେ ଜନସାଧାରଣ ମେନ‍୍‌ଷ୍ଟ୍ରିମ‍୍‌ ମିଡିଆ ଦ୍ୱାରା ପ୍ରଭାବିତ ହେଉଛନ୍ତି ଏବଂ ସେହି ଅନୁସାରେ ଚର୍ଚ୍ଚା କରୁଛନ୍ତି। ଆଉ ତାହାକୁ ଆୟତ୍ତ କରିବା ପାଇଁ ରାଜନୀତିକ ଦଳଗୁଡ଼ିକ ମିଡିଆକୁ ପ୍ରତ୍ୟକ୍ଷ ପ୍ରୋତ୍ସାହନ କରିବାଠୁ ହଟୁ ନାହାନ୍ତି।