କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ସୋଶାଲ‌୍‍ ମିଡିଆରେ ସତ୍ୟ , ଭକ୍ତ ଗଲେ କୁଆଡେ଼

ଭୁବନେଶ୍ୱର, (ଓଟି): ଈଟିଭି ନ୍ୟୁଜ‌୍‍ ଓଡ଼ିଆର ଦୁଇ ପୂର୍ବତନ ସମ୍ପାଦକ ସତ୍ୟପ୍ରକାଶ ନାୟକ ଓ ଭକ୍ତ ତ୍ରିପାଠୀଙ୍କୁ ନେଇ ମିଡିଆ ମହଲରେ ଚାଲିଥିବା ଚର୍ଚ୍ଚାକୁ ନେଇ ଏହି ରିପୋର୍ଟ ଆଧାରିତ। ପ୍ରଶ୍ନ ହେଉଛି ଏମାନେ ଏବେ କେଉଁଠି?

ଟିଭି ପର୍ଦ୍ଦାରେ ରୋକ‌୍‍ଠୋକ‌୍‍ କହି ବିପକ୍ଷଙ୍କୁ ଦବାଇ ରଖୁଥିବା ସତ୍ୟପ୍ରକାଶ ନାୟକ ଏବେ ସୋଶାଲ‌୍‍ ମିଡିଆରେ ବେଶ‌୍‍ ଆକ୍ଟିଭ‌୍‍। ଫେସ‌୍‍ବୁକ‌୍‍ ଓ ଟ୍ୱିଟର‌୍‍ରେ ସେ ସରକାର ଓ ବିପକ୍ଷ ବିଜେପିର କିଛି ନେତାଙ୍କୁ ସମାଲୋଚନା ଜାରି ରଖିଛନ୍ତି। ଏପରିକି ଓଡ଼ିଶାରେ ସୋଶାଲ‌୍‍ ମିଡିଆକୁ ସେ ଅଧିକ ଶାଣିତ ଓ ଲୋକମତ ସୃଷ୍ଟି କରିବା ପାଇଁ ବ୍ୟବହାର କରିପାରିଛନ୍ତି ବୋଲି କହିଲେ ଭୁଲ‌୍‍ ହେବନାହିଁ। ଜୀ କଳିଙ୍ଗରେ ଥିବାବେଳେ ‘ସତ୍ୟର ସମ୍ନା’ କାର୍ଯ୍ୟକ୍ରମ ପାଇଁ ଚହଳ ସୃଷ୍ଟି କରିଥିବା ସତ୍ୟ ଏବେ ସୋଶାଲ‌୍‍ ମିଡିଆକୁ ଏହିପରି ଏକ କାର୍ଯ୍ୟକ୍ରମ ପାଇଁ ଉଚିତ ପ୍ଲାଟ‌୍‍ଫର୍ମ ବୋଲି ଭାବିଛନ୍ତି। ଏଣୁ ସେ ଏଥିରେ ଆରମ୍ଭ କରିଛନ୍ତି ଏକ ବିଶ୍ଳେଷଣାତ୍ମକ କାର୍ଯ୍ୟକ୍ରମ ‘ସତ୍ୟପାଠ’। କାର୍ଯ୍ୟକ୍ରମର ଦର୍ଶକ ସଂଖ୍ୟାବି ବହୁତ ଅଛନ୍ତି। ଲାଇଭ‌୍‍ ହେଉଥିବା ଏହି କାର୍ଯ୍ୟକ୍ରମକୁ ଏକ ସମୟରେ ୧୦ ହଜାରରୁ ଅଧିକ ଲୋକ ଦେଖୁଛନ୍ତି। ଅର୍ଥାତ‌୍‍ ସତ୍ୟଙ୍କ ଯୁକ୍ତିରେ କିଛି ସମର୍ଥନ ନିଶ୍ଚିତ ରହିଛି ତାହା ସତ୍ୟ। ‘ମେନ‌୍‍ଷ୍ଟ୍ରିମ‌୍‍ ମିଡିଆ ଯେଉଁଭଳି ଭାବେ ଏକ ନିର୍ଦ୍ଦିଷ୍ଟ ବର୍ଗଭୁକ୍ତ ହୋଇଛି ତାହାକୁ ଟକର ଦେବା ପାଇଁ ଡିଜିଟାଲ‌୍‍ ଓ ସୋଶାଲ‌୍‍ ପ୍ଲାଟ‌୍‍ଫର୍ମ ହିଁ ଏକମାତ୍ର ବିକଳ୍ପ’ ବୋଲି ସେ କହନ୍ତି। ସେମାନେ ଟେଲିଭିଜନ‌୍‍ ମାଧ୍ୟମକୁ ବ୍ୟବହାର କରି ନିଜର ସ୍ୱାର୍ଥ ହାସଲ କରୁଛନ୍ତି। ସେଥିରେ ଦର୍ଶକ ଭକୁଆ ହେଉଛନ୍ତି। ଆମେ ଏମିତି କିଛି କରିବା ଯେଉଁଥିରେ ଦର୍ଶକ ତାଙ୍କ ନିଜ କଥାକୁ ଏଥିରେ ଦେଖିପାରିବେ। ଆଗାମୀ ଦିନ ଏହି ଡିଜିଟାଲ‌୍‍ ମିଡିଆର ବୋଲି ଶ୍ରୀ ନାୟକ କହିଛନ୍ତି।

 
ଏଭିତରେ ଶ୍ରୀ ନାୟକ ୧୪ରୁ ଅଧିକ ସତ୍ୟପାଠ ଶୋ ଫେସ‌୍‍ବୁକ‌୍‍ରେ ଲାଇଭ‌୍‍ କରିଛନ୍ତି।

 
ଏବେ ପ୍ରଶ୍ନ ହେଉଛି ୧୦ ମାସ ଈଟିଭିର ନ୍ୟୁଜ‌୍‍ ଓଡ଼ିଆର ସମ୍ପାଦକ ଥିବା ଭକ୍ତ ତ୍ରିପାଠୀ କେଉଁଠି? ଏ ବିଷୟକୁ ନେଇ ମିଡିଆ ମହଲରେ ଚର୍ଚ୍ଚା ଚାଲିଛି। ୨୫ ବର୍ଷର ସାମ୍ୱାଦିକତା ଅଭିଜ୍ଞତା ଧାରଣ କରିଥିବା ଏପରି ଜଣେ ଦକ୍ଷ ସମ୍ପାଦକ ହଠାତ‌୍‍ ଓଡ଼ିଶା ମିଡିଆ ମହଲରୁ ଉଭେଇ ଯାଇ ଖାଲି କିଛି ସମୟ ଟ୍ୱିଟର‌୍‍ରେ ସୀମିତ ରହିବା ଏକ ନିହାତି ଭାବେ କିଛି ଅସ୍ୱାଭାବିକ ମନେ ହେଉଛି।

 

 

ସମ୍ୱାଦର ଝାରସୁଗୁଡ଼ା ପ୍ରତିନିଧିଭାବେ ଦିନେ ସେ ପୁଲିସ ସୁରକ୍ଷାରେ ଯା’ ଆସ କରୁଥିଲେ। ନିର୍ଭୀକଭାବେ ଏକ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଥିବା ତାଙ୍କ ରେକର୍ଡ଼ ରହିଛି। ଯେତେବେଳେ ଓଟିଭିରେ ଯୋଗଦେଲେ ତାଙ୍କୁ କିଛିଦିନ ରିପୋର୍ଟିଂରେ ଦେଖିବା ପରେ ଆମେ ‘ଟେଷ୍ଟି ଟେଷ୍ଟି’ କାର୍ଯ୍ୟକ୍ରମର ଉପସ୍ଥାପକ ଭାବେ ଦେଖିଥିଲୁ। ଏହା ଘରେ ଘରେ ପରିଚିତ ଏକ ଭିନ୍ନ ଢଙ୍ଗର ନ୍ୟୁଜ‌୍‍ ଟିଭି କାର୍ଯ୍ୟକ୍ରମ ଥିଲା। ପରେ ଭକ୍ତ ନ୍ୟୁଜ‌୍‍ ୱଲ‌୍‍ର୍ଡ ଓ ଈଟିଭି ନ୍ୟୁଜ‌୍‍ ଓଡ଼ିଆରେ ଯୋଗ ଦେଇଥିଲେ। ଜାନୁୟାରୀ ୨୦୧୬ରେ ଈଟିଭିରେ ଯୋଗ ଦେବା ପରେ ଅକ୍ଟୋବରରେ ତାଙ୍କୁ ପଦବୀ ଛାଡ଼ିବାକୁ ପଡ଼ିଥିଲା। ଏହି ସମୟରେ ସେ ‘ଭକ୍ତଙ୍କ ସହ ଭିତିରିକଥା’ କାର୍ଯ୍ୟକ୍ରମ ପାଇଁ ବେଶ ପରିଚିତ ହେଲେ। ନୂଆ ପରିକଳ୍ପନାରେ ସେ ଏକ ‘ହାକିମ‌୍‍ ବାବୁ’ ବୋଲି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଯେମିତି ରାଜନୀତିକ ଲୋକଙ୍କ ନେଇ ନ୍ୟୁଜ‌୍‍ ରିପୋର୍ଟ; ଲେଖାଯାଉଛି ସେମିତି ଅମଲାତନ୍ତ୍ରୀଙ୍କ ଉପରେ ନଜର ରଖିବା ସକାଶେ ଏ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା। ତାଙ୍କ ଇସ୍ତଫା ପରେ ଏ ଦୁଇ କାର୍ଯ୍ୟକ୍ରମ ଈଟିଭିରେ ବନ୍ଦ ହୋଇ ଯାଇଛି। ଏହାଛଡ଼ା ଈଟିଭିରେ ସମ୍ପାଦକ ପରିବର୍ତ୍ତନର ଧାରା ତ ଜାରି ରହିଲା କିନ୍ତୁ ଭକ୍ତ କୁଆଡେ଼ ଗଲେ ତାହାର ପତ୍ତା ମିଳିଲା ନାହିଁ।

 
ପ୍ରଶ୍ନ ହେଉଛି ଏତେ ସୁନାମ ଅର୍ଜନ କରିଥିବା ଜଣେ ବରିଷ୍ଠ ସାମ୍ୱାଦିକଙ୍କ ପାଇଁ କ’ଣ ଓଡ଼ିଶାରେ ସୁଯୋଗ ନାହିଁ। ସେ କ’ଣ ଗୋଟିଏ ଚାକିରି ଖୋଜିବାରେ ଅସମର୍ଥ? ନା ନିଜର କିଛି ବ୍ୟବସାୟିକ ପ୍ରକଳ୍ପ ପାଇଁ ଚିନ୍ତା କରିଛନ୍ତି? ଏ ଦିଗରେ ସୂଚନା ପାଇଁ ଆମେ ତାଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ସେ ନିଜର ଭବିଷ୍ୟତ ଯୋଜନା ବିଷୟରେ କିଛି କହିବା ପାଇଁ ଚାହିଁ ନାହାନ୍ତି; ବରଂ ଉଚିତ ସମୟ ଆସିଲେ ସେ ଏ ବିଷୟରେ ସ୍ପଷ୍ଟ କରିବେ ବୋଲି କହିଛନ୍ତି।

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

2 comments

  1. ଯେଉଁଠି ମନ୍ତ୍ରୀ ଆଉ ପ୍ରଶାସନିକ ଅଧିକାରୀ ପଦଵୀ ପରିବର୍ତ୍ତନ କରାନ୍ତି ସେଠି ଜଣେ କର୍ତ୍ତବ୍ୟନିଷ୍ଠ ସମ୍ବାଦିକ ଵା କଣ କରିବ । ଆଉ ଯଦି, ପ୍ରଥମ ଦିନରୁ ହିଁ ଜଣକୁ ଉଦେଶ୍ୟମୂଳକ ଭାବେ ହଇରାଣ କରିବାକୁ ଚେଷ୍ଟା କରାଯିବ ତେବେ ସେ ସେଠି ବେଶି ଦିନ କାମ କରିବାକୁ କେମେତି ଚାହିଁବ ? କଥା ରହିଲା ଆପଣଙ୍କ…କଣ ଓଡିଶାରେ କେବଳ ଟିଭି ଚାନେଲରେ ମୁଖିଆ ବଦଳୁଛନ୍ତି ? ନା ଏହା, ଆପଣଙ୍କ ଟିଭି ଚାନେଲ ପ୍ରତି ଥିବା (ଆକାଂକ୍ଷା)ର ବିଫଳ ପ୍ରତିଫଳନ ? ଟିକେ ଅନ୍ୟ ଆଡ଼େ ବୁଲି ଆସନ୍ତୁ ।।।

    • ଯେଉଁଠି ମନ୍ତ୍ରୀ ଆଉ ପ୍ରଶାସନିକ ଅଧିକାରୀ ପଦଵୀ ପରିବର୍ତ୍ତନ କରାନ୍ତି ସେଠି ଜଣେ କର୍ତ୍ତବ୍ୟନିଷ୍ଠ ସମ୍ବାଦିକ ଵା କଣ କରିବ । ଆଉ ଯଦି, ପ୍ରଥମ ଦିନରୁ ହିଁ ଜଣକୁ ଉଦେଶ୍ୟମୂଳକ ଭାବେ ହଇରାଣ କରିବାକୁ ଚେଷ୍ଟା କରାଯିବ ତେବେ ସେ ସେଠି ବେଶି ଦିନ କାମ କରିବାକୁ କେମେତି ଚାହିଁବ ? କଥା ରହିଲା ଆପଣଙ୍କ…କଣ ଓଡିଶାରେ କେବଳ ଟିଭି ଚାନେଲରେ ମୁଖିଆ ବଦଳୁଛନ୍ତି ? ନା ଏହା, ଆପଣଙ୍କ ଟିଭି ଚାନେଲ ପ୍ରତି ଥିବା (ଆକାଂକ୍ଷା)ର ବିଫଳ ପ୍ରତିଫଳନ ? ଟିକେ ଅନ୍ୟ ଆଡ଼େ ବୁଲି ଆସନ୍ତୁ ।।।

Leave a Reply

Your email address will not be published. Required fields are marked *

   Update :