ଯୁବ ଉଦ୍ୟୋଗୀ ମନମୋହନ ପଣ୍ଡାଙ୍କ ସହ ସାକ୍ଷାତକାର: “ପିଲାଙ୍କ ଆଗ୍ରହକୁ ଅଭିଭାବକମାନେ ଗୁରୁତ୍ୱ ଦେବା ଆବଶ୍ୟକ’

0
6

ପ୍ରଥମେ ରିୟଲଇଷ୍ଟେଟ୍‍ ତା’ପରେ ହୋଟେଲ୍‍ ଆଣ୍ଡ ହସ୍‍ପିଟାଲିଟି କ୍ଷେତ୍ରରେ ସଫଳତା ପାଇବା ପରେ ଯୁବ ଉଦ୍ୟୋଗୀ ମନମୋହନ ପଣ୍ଡା ପାଦ ଥାପିଛନ୍ତି ଶିକ୍ଷା ତଥା ଯୁବପିଢ଼ିଙ୍କୁ ନୂଆ ରାସ୍ତା ଦେଖାଇବା ପାଇଁ ତାଲିମ ପ୍ରଦାନ କ୍ଷେତ୍ରରେ । ଏବେ ସେ ଭୁବନେଶ୍ୱରରେ ଏକ ଏୟାରହୋଷ୍ଟେସ୍‍ ଏକାଡେମୀ ପ୍ରତିଷ୍ଠା ସହ ବାଲାଜୀ ଟେଲିଫିଲ୍ମସ ସହ ମିଶି ଏଠାରେ ଏକ ଆକ୍ଟିଂ, ଗ୍ରାଫିକ୍ସ, ମଡେଲିଂ ପ୍ରତିଷ୍ଠାନ ଆରମ୍ଭ କରିଛନ୍ତି । ଏହାଦ୍ୱାରା ଓଡ଼ିଶାର ପ୍ରତିଭା ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରିପାରିବେ ବୋଲି ତାଙ୍କର ଆଭିମୁଖ୍ୟ ରହିଛି । ଯୁବ ପିଢ଼ିଙ୍କ ପାଇଁ ଆଦର୍ଶ ହୋଇଥିବା ଉପସ୍ଥାପନ କରୁଛୁ ଏହି ପ୍ରଥମ ପିଢ଼ିର ଆନ୍ତ୍ରୋପ୍ରିନ୍ୟୁରଙ୍କ ସହ ହୋଇଥିବାର କଥାବାର୍ତ୍ତାର କିଛି ଅଂଶ ।

ଆପଣ କହନ୍ତି ଆପଣ ହେଉଛନ୍ତି ଜଣେ “ଫାଷ୍ଟ ଜେନେରେସନ୍‍ ଆନ୍ତ୍ରୋପ୍ରିନର’ । ଏହା ପୂର୍ବରୁ ଆପଣଙ୍କ ପରିବାରର କେହି ଉଦ୍ୟୋଗୀ ନଥିଲେ । ମାତ୍ର୧୮ ବର୍ଷ ବୟସରୁ ବ୍ୟବସାୟ ଆରମ୍ଭ କରିଛନ୍ତି, କେମିତି?

ହଁ, ମୁଁ ହେଉଛି ଆମ ପରିବାରର ପ୍ରଥମ ବ୍ୟବସାୟୀ । ଅର୍ଥାତ୍‍ ମୋ ପୂର୍ବରୁ ଆମ ପରିବାରର କେହି ବ୍ୟବସାୟରେ ପାଦ ରଖି ନଥିଲେ । ଯେତେବେଳେ ମୋତେ ୧୮ ବର୍ଷ ବୟସ ସେତେବେଳେ ବାପା ଅବସର ନେଲେ । ଆଉ ମୋତେ ଅବସର ପରେ ପାଇଥିବା ପଇସାରୁ କିଛି ଦେଲେ ଯାହାକୁ ନେଇ କିଛି କରିବା ପାଇଁ । ତାହାର ପରିମାଣ ୧ ଲକ୍ଷରୁ କମ୍‍ ହେବ । ସେଇ ଟଙ୍କାରେ ମୁଁ ୨୦୦୩ ମସିହାରେ ବ୍ୟବସାୟ ଆରମ୍ଭ କଲି । ଏବେ ତାହା ଆଗକୁ ବଢ଼ି ଚାଲିଛି ।

ସେତେବେଳେ ବାପା, ମା ବା ପରିବାର ଲୋକେ କିଛି ବାରଣ କଲେ ନାହିଁ?

ହଁ, ସେମାନେ ଚାହୁଁଥିଲେ ମୁଁ ସରକାରୀ ଚାକିରି କରେ । ୯ଟାରୁ ଘରୁ ବାହାରେ ଆଉ ସନ୍ଧ୍ୟା ୫ଟାରେ ଘରେ ପହଞ୍ଚେ । ଏହା ସବୁ ବାପା-ମା’ଙ୍କ ଇଚ୍ଛା, ବିଶେଷକରି ଆମ ଓଡ଼ିଆ ପରିବାରରେ । ଯେତେବେଳେ ମୋତେ ମାତ୍ର ୧୮ ବର୍ଷ ସେମାନେ ମୋର ବ୍ୟବସାୟୀ ହେବାର ଅକାଂକ୍ଷାକୁ ନେଇ ଉଦ୍‍ବେଗ ପ୍ରକାଶ କରିବା ସ୍ୱଭାବିକ । କିନ୍ତୁ ମୁଁ ମୋ ଆଗ୍ରହ ଓ ଆଶାକୁ ତ୍ୟାଗ କରିନଥିଲି । ମୁଁ ଚାହୁଁଥିଲି ଜଣେ ସଫଳ ଉଦ୍ୟୋଗୀ ହେବି ।

ନବରଙ୍ଗପୁରକୁ କାହିଁକି ଆପଣ ନିଜ ବ୍ୟବସାୟର କେନ୍ଦ୍ରସ୍ଥଳ ବୋଲି ଭାବିଲେ?

ନବରଙ୍ଗପୁର ମୋର ନିଜ ସହର । ଏଠି ମୁଁ ଜନ୍ମ। ଏଣୁ ଏହା ନିଶ୍ଚିତ ଯେ, ମୁଁ ଯାହା କିଛି କରିବି ତାହା ନବରଙ୍ଗପୁରରେ ରହିଁ ହେବ। ଏହା ମୋର ସହର ପ୍ରତି ଥିବା ଭଲ ପାଇବାର ଏକ ଆବିଳତା ହୋଇପାରେ।
ନବରଙ୍ଗପୁର ଓଡ଼ିଶାରେ ମକା ହାଣ୍ଡି ଭାବେ ପରିଚିତ । ଅଧିକ ଉତ୍ପାଦନ ହେତୁ ବାହାର ରାଜ୍ୟର ବ୍ୟବସାୟୀଙ୍କ ସେଠାରେ ବିଶେଷ ଆଗ୍ରହ ରହିଛି । ଆପଣ ଏ କ୍ଷେତ୍ରରେ ନିବେଶ ପାଇଁ କେବେ ଭାବି ନାହାନ୍ତି କି? ଯଦି ହଁ ତେବେ କେଉଁ ପ୍ରକଳ୍ପ କଥା ଚିନ୍ତା କରିଛନ୍ତି?
ମୁଁ ଏଥିପାଇଁ ନିଶ୍ଚିତ ଯୋଜନା କରିଛି । ଆସନ୍ତା କିଛିବର୍ଷରେ ଏହାର ସଫଳରୂପ ଆପଣ ଦେଖିବେ । ମୁଁ ଯେତିକି ଜାଣିଛି ମୋ ଜିଲ୍ଲା ଆଖୁ ଓ ମକା ଉତ୍ପାଦନରେ ବେଶ୍‍ ଆଗୁଆ । ଏଣୁ ମୁଁ ଯୋଜନା ରଖିଛି ଆଗକୁ ଏହି ଦୁଇଟି କୃଷିଜାତ ଦ୍ରବ୍ୟକୁ ଆଖିରେ ରଖି କିଛି ନିବେଶ କରିବି । ଏହାଦ୍ୱାରା ଆମ ଜିଲ୍ଲାର ଚାଷୀ ଓ ଚାଷ ସମ୍ପର୍କିତ ଶିଳ୍ପର ବିକାଶ ହେବ । ନିଯୁକ୍ତି ସୁଯୋଗ ବି ସୃଷ୍ଟି ହେବ ।

ଯଦି ଏଠାର ମୁଖ୍ୟ ଅର୍ଥନୀତିକ ଭିତ୍ତିଭୂମି କୃଷି ତେବେ ଆପଣ ପ୍ରଥମକୁ ରିୟଲ୍‍ ଇଷ୍ଟେଟ୍‍କୁ କାହିଁକି ବାଛିଲେ?

ନବରଙ୍ଗପୁର ସେତେବେଳେ ଦ୍ରୁତ ଗତିରେ ବଢ଼ିବା ଆରମ୍ଭ କରୁଥିଲା । ସହରକୁ ଆସୁଥିବା ଲୋକେ ରହିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେମାନେ ଘରଟିଏ ଖୋଜୁଥିଲେ । ଏଣୁ କମ୍‍ ଦାମ୍‍ରେ ଆବଶ୍ୟସୁବିଧା ସୁଯୋଗ ଯୋଗାଇ ଘରଟିଏ ଉପଲବ୍ଧ କରାଇବା ମୋର ଲକ୍ଷ୍ୟ ହେଲା । ସେଥିପାଇଁ ମୁଁ ରିୟଲ ଇଷ୍ଟେଟ୍‍ରେ ଧ୍ୟାନ ଦେଇଥିଲି ।

ଭୁବନେଶ୍ୱର ଆସିବାର କାରଣ କ’ଣ?

ମୋର ଦୃଢ଼ ଇଚ୍ଛାଶକ୍ତି ରହିଛି । ଆଶା କରୁଛି ଜାତୀୟସ୍ତରରର ଜଣେ ଉଦ୍ୟୋଗୀ ହେବି । ମୋର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଅତ୍ୟନ୍ତ ସ୍ପଷ୍ଟ ।

ଏଠାରେ ଆପଣ ଆକ୍ଟିଂ, ମଡେଲିଂର ପ୍ରତିଷ୍ଠାନ ଖୋଲିବାକୁ ଯାଉଛନ୍ତି । ଏହି ପାଠ୍ୟକ୍ରମରେ ପାସ୍‍ କରିଥିବା ପିଲାଙ୍କ ପାଇଁ ଭବିଷ୍ୟତରେ କି ସୁଯୋଗ ଦେଖୁଛନ୍ତି?

ଆମେ ଏବେ ସଫଳତାର ସହ ଶିକ୍ଷା, ନିର୍ମାଣ, ହୋଟେଲ୍‍ ଓ ହସ୍‍ପିଟାଲିଟି, ଅଟୋମୋବାଇଲ୍‍, ରିୟଲଇଷ୍ଟେଟ୍‍ରେ ନିଜକୁ ପ୍ରତିଷ୍ଠା କରିଛୁ । ଏହାଛଡ଼ା ନିକଟରେ ଏସିଆର ବୃହତ୍ତମ ଏବଂ ଏକନମ୍ବର ପ୍ରଡକ୍ସନ୍‍ ହାଉସ୍‍ ବାଲାଜି ଟେଲିଫିଲ୍ମ ସହ ଚୁକ୍ତିବଦ୍ଧ ହୋଇଛୁ । ଏହାଦ୍ୱାରା ଓଡ଼ିଶାରେ ଆମେ ତାଙ୍କର ବ୍ୟବସାୟିକ ପାର୍ଟନର ହୋିପାରିଛୁ । ଏହାଦ୍ୱାରା ଆମେ ଯୁବ ପିଢ଼ିଙ୍କୁ ଆକ୍ଟିଂ, ସ୍କ୍ରିପ୍ଟ ରାଇଟିଂ, ସାଉଣ୍ଡ ଏଡିଟିଂ, ଭିଏଫସ୍କ୍‍, ଏଡିଟିଂ ଆଦି ତାଲିମ ଦେଉଛୁ । ଯେହେତୁ ଏହା ଏସିଆର ବୃହତ୍ତମ ଅନୁଷ୍ଠାନ ଏଠାରେ ତାଲିମ ନେଉଥିବା ପିଲାଙ୍କ ପାଇଁ ସୁଯୋଗ ଯଥେଷ୍ଟ ମିଳିଥା, । ତାଲିମ ସମୟରେ ଆମେମ ପିଲାମାନଙ୍କୁ ବିଭିନ୍ନ ଟେଲିଭିଜନ ଶୋ’ରେ ଭାଗ ନେବାକୁ ଅଡିସନ୍‍ ଦେବାର ସୁଯୋଗ ସୃଷ୍ଟି କରୁଛୁ । ଏହାଛଡ଼ା ପିଲାମାନଙ୍କୁ ବାଲାଜି ଟେଲିଫିଲ୍ମରେ ୨ମାସ ଇଣ୍ଟର୍ନଶିପ୍‍ ସୁବିଧା ସହ ଅଭିନୟ ପାଇଁ ମଧ୍ୟ ସୁଯୋଗ ଦେଉଛୁ ।

ଓଡ଼ିଶାରେ ପ୍ରଫେସନାଲ୍‍ ଆକ୍ଟର, ମଡେଲ୍‍ ହେବା ପାଇଁ ଯଦିଓ ଆଗ୍ରହ ରହିଛି କିନ୍ତୁ ଅଭିଭାବକଙ୍କ ଆଗ୍ରହ ସେତିକି ଥିବା ଆପଣ ଦେଖୁଛନ୍ତି କି?

ମୋ ବାପା-ମା’ ଯେମିତି ଚାର୍ହୁଥିଲେ ଠିକ୍‍ ସେମିତି ଅନ୍ୟ ବାପା ମା ବି ଚାହୁଁଛନ୍ତିଯେ, ତାଙ୍କ ପିଲାମାନେ ୯ଟାରୁ ୫ଟା ଚାକିରି କରନ୍ତୁ , ରୋଜଗାର କରନ୍ତୁ । କିନ୍ତୁ ସେମାନେ ଭୁଲିବା ଉଚିତ ନୁହେଁ ଯେ, ତାଙକ୍‍ ପିଲାମାନଙ୍କ ପାଖରେ ଅନେକ ପ୍ରତିଭା ଲୁକ୍କାୟିତ ରହିଛି । ଟିକେ ସୁଯୋଗ ଦେଲେ ତାହା ବିକଶିତ ହେବ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହେବ । ଓଡ଼ିଶାର ପିଲାମାନଙ୍କ ଭିତରେ ସେଇ ଆଗ୍ରହ ରହିଛି । ଏଣୁ ଅଭିଭାବକମାନେ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ।

ଭାରତସରକାରଙ୍କ ମେକ୍‍ ଇନ୍‍ ଇଣ୍ଡିଆ ଅଭିଯାନକୁ ଆପଣ କେମିତି ଦେଖୁଛନ୍ତି?

ମେକ୍‍ ଇନ୍‍ ଇଣ୍ଡିଆ ଭାରତ ସରକାରଙ୍କ ଏକ ବହୁତ ଭଲ ପଦକ୍ଷେପ । ନୂଆ ପିଢ଼ିର ଉଦ୍ୟୋଗୀ ତଥା ଷ୍ଟାର୍ଟଅପ୍‍ଗୁଡ଼ିକ ପାଇଁ ଏହା ସହଯୋଗୀ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏଇ ଅନୁଷ୍ଠାନଗୁଡ଼ିକ ଆଗକୁ ଅନେକ ନିୀଯୁକ୍ତି ସୁଯୋଗ ସୃଷ୍ଟି କରିବ ଯାହାର ଅବାଶ୍ୟକତା ରହିଛି ।

ଓଡ଼ିଶାରେ ପ୍ରଥମଥର ଉଦ୍ୟୋଗୀ “ଜଣେ ଫାଷ୍ଟ ଜେନେରେସନ୍‍ ଆନ୍ତ୍ରୋପ୍ରିନର’ଙ୍କ ପାଇଁ ଉପଯୁକ୍ତ ପ୍ରୋତ୍ସାହନ ମିଳୁଛି କି?

ଆଜିଯାଏ ମୁଁ କୌଣସି ସରକାରୀ ପ୍ରୋତ୍ସାହନ ପାଇନାହିଁ । କିନ୍ତୁ ଭାବୁଛି ଆଗକୁ ସରକାରଙ୍କ ପକ୍ଷରୁ ସହଯୋଗ ପାଇବି ।

କି ପ୍ରକାର ପ୍ରୋତ୍ସାହନ ବ୍ୟବସ୍ଥା ହେବା ଦରକାର?

ସରକାର ଉଦ୍ୟୋଗୀ ଓ ବ୍ୟବସାୟୀଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାଦରକାର । ଏହାଦ୍ୱାରା ସେମାନେ ଯେମିତି ବିନା କୌଣସି ପ୍ରତିବନ୍ଧକରେ ସେମାନଙ୍କ ବ୍ୟବସାୟ ଚଳାଇପାରିବେ । ଏପରି ଏକ ବାତାବରଣ ସୃଷ୍ଟି ହୋଇପାରିଲେ ଉଦ୍ୟୋଗୀଟି ନିଜର ସମୟ ବଞ୍ଚାଇ ନିଜର ଦକ୍ଷତା ବୃଦ୍ଧି କିପାରିବ । ଏହାଦ୍ୱାରା ତା’ର ବ୍ୟବସାୟ ବଢ଼ିବ ଏବଂ ସମାଜର ହିତ ହେବ ।

ବିଗତ କିଛି ବର୍ଷ ଭିତରେ ଭାରତର ଅର୍ଥନୀତିକ ଓ ବ୍ୟବସାୟିକ କ୍ଷେତ୍ର ଅନେକ ପ୍ରଭାବିତ ହୋଇଛି, ଆପଣ ଏଥିରେ ସହମତ କି?

ହଁ । ସହମତ

ଓଡ଼ିଶାରେ ଏକ ବ୍ୟବସାୟ ଅନୁକୁଳ ବାତାବରଣ ରହିଛି କି?

ଏହା ନିଶ୍ଚିତ ଯେ, ଓଡ଼ିଶାର ପରିବେଶ ବ୍ୟବସାୟ ଏବଂ ନିବେଶ ପାଇଁ ଯଥେଷ୍ଟ ଅନୁକୁଳ । କିନ୍ତୁ ଏହା ଭଲ ହୁଅନ୍ତା ଯଦି ଆବଶ୍ୟକ ଲାଇସେନ୍ସ ଶୀଘ୍ର ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରନ୍ତେ ।

ନବରଙ୍ଗପୁରରେ ଆପଣ ଏକ ହସ୍‍ପିଟାଲ୍‍ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି, ଏହାର ସ୍ଥିତି କ’?

ଆମେ ଏହି ପ୍ରକଳ୍ପକୁ ଅଗ୍ରସର କରୁଛୁ ।

ଆଗକୁ ଯୁବ ଆନ୍ତ୍ରୋପ୍ରିନ୍ୟୁରଙ୍କ କେଉଁ ଦିଗକୁ ଧ୍ୟାନ ଦେବା ପାଇଁ କହିବେ?

ସବୁ ଉଦ୍ୟୋଗ ତା’ର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଦରକାର । ସେମାନେ ନିଷ୍ପତ୍ତି ନେବା ଦରକାର ଯେ, ସେମାନେ ପ୍ରକୃତରେ କ’ଣ କରିବାକୁ ଚାହୁଁଛନ୍ତି । ଏହା ପରେ ସେଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ଦରକାର । ଅନେକଗୁଡ଼ିଏ କାମ ଏକାଠି ଚଳାଇବା ଉଚିତ ନୁହେଁ । ସଫଳତା ସେତିକିବେଳେ ମିଳିବ ଯେତେବେଳେ ସେମାନେ ସେଇ ନିର୍ଦ୍ଦିଷ୍ଟ କାମଗୁଡ଼ିକୁ ଶେଷ କରି ଆଉ ଏକ କାମକୁ ଧରିବେ । ଏକ ବ୍ୟବସାୟ ପ୍ରତିଷ୍ଠା କରିବା ସହଜକାମ ନୁହେଁ । ଏତେ ସଂଖ୍ୟାରେ ଷ୍ଟାର୍ଟଅପ ଦେଖି ମୁଁ ଖୁସି ହେଉଛି । ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ସେମାନଙ୍କୁ ସହାୟକ ହୁଅନ୍ତୁ ସେମାନେ ତାଙ୍କ ଲକ୍ଷ୍ୟ ଆଗକୁ ବଢ଼ାଇଚାଲନ୍ତୁ । କାରଣ ଏହା ପୂର୍ବରୁ ମୁଁ କହିଛି ସଂସ୍ଥାଟିଏ ତିଅରି କରିବାଠୁ ଏହାକୁ ଚଳାଇ ରଖିବା ଗୁରୁତ୍ୱପୂର୍ଣ୍ଣ । ଏହା ପାର୍କ ଚାଲିବା କାମ ନୁହେଁ । ଏହା ଅନେକ ପରିଶ୍ରମ ଦରକାର କରେ ଯାହାକୁ ଆପଣ କଠିନ ପରିଶ୍ରମ ବୋଲି କହନ୍ତି । ତା ସହ ଉତ୍ସର୍ଗ ଏବଂ ଆତ୍ୱବିଶ୍ୱାସ ଅତ୍ୟନ୍ତ ଆବଶ୍ୟକ । ଶେଷ କଥା ଏହା ଯେ, ଏହା ଏକ ସହଜ ରାସ୍ତା ନୁହେଁ । କିନ୍ତୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ, ଆତ୍ମ ବିଶ୍ୱାସ, ଦୃଢ଼ ମନୋଭାବ ଏବଂ ଲକ୍ଷ୍ୟକୁ ହାସଲ କରିବାର ଜିଦ୍‍ ନିଶ୍ଚିତଭାବେ ସବୁ ଆହ୍ୱାନକୁ ଅତିକ୍ରମ କରି ସଫଳତା ଆଣିଦେବ ।