ବିନାନୁମତିରେ ଚାଲିଛି ହୋଟେଲ-ଲଜ୍

କେନ୍ଦୁଝର,(ଓଟି): ଜିଲ୍ଲାରେ ଖଣିଜ ପରିବହନ ଓ ଖଣି କାରବାରକୁ ନେଇ ଫାଇଦା ଆଶାରେ କେନ୍ଦୁଝର ସହରରେ ଛତୁ ଫୁଟିଲା ପରି ହୋଟେଲ ଓ ଲଜ ଗଢ଼ି ଉଠିଛି । ଖଣି କାରବାରରୁ ବିପୁଳ ଲାଭ କରିଥିବା କେତେକ ଖଣି ବ୍ୟବସାୟୀ ସହର ମଧ୍ୟରେ ଥିବା ମୂଲ୍ୟବାନ ଜମିକୁ ଚଢାଦରରେ କିଣି ହୋଟେଲ ଓ ଲଜ୍ ଭଳି ବ୍ୟବସାୟରେ ସେମାନଙ୍କ କଳାଟଙ୍କା ବିନିଯୋଗ କରୁଥିବା ଦେଖିବାକୁ ମିଳୁଛି । ଏଥିରେ ସେମାନଙ୍କୁ ପ୍ରୋତ୍ସାହନ ଦେବାଲାଗି କେତେକ ବିଭାଗୀୟ ଅସାଧୁ ଅଧିକାରୀ ସାମିଲ ଥିବା ଶୁଣିବାକୁ ମିଳିଛି । ବିନା ଯାଞ୍ଚରେ ସେମାନଙ୍କୁ ବିଲିଡିଂ ପ୍ଲାନ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ଫଳରେ କାହାର ଲଜ୍ ଓ ହୋଟେଲ ସାମ୍ନାରେ ପାର୍କିଂ ସୁବିଧା ନାହିଁ ତ ଆଉ କାହାର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଡ୍ରେନେଜ ବ୍ୟବସ୍ଥା ନାହିଁ । ପୁଣି କାହାର ଅଗ୍ନିନିର୍ବାପକ ଯନ୍ତ୍ର ନଥିବାବେଳେ କେତେକ ହୋଟେଲ ଓ ଲଜ୍ ମାଲିକ ଏପରିକି ଜାତୀୟ ରାଜପଥକୁ ମଧ୍ୟ ବେଆଇନ ଭାବେ ଅକ୍ତିଆର କରିଥିବା ଦେଖିବାକୁ ମିଳୁଛି । ଫଳରେ ବିଭିନ୍ନ ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବା ବେଳେ ପରିବେଶ ମଧ୍ୟ ଦୂଷିତ ହେବାରେ ଲାଗିଛି ।

କେନ୍ଦୁଝର ଭଳି ଏକ ଛୋଟ ସହରରେ ୫୦ରୁ ଊଦ୍ଧ୍ୱର୍ ହୋଟେଲ ବିଭିନ୍ନ ବିଭାଗର ଅନୁମତି ନନେଇ ବେଆଇନଭାବେ ବ୍ୟବସାୟ କରୁଛନ୍ତି । ମୁଖ୍ୟତଃ ହୋଟେଲରେ ପାର୍କିଂ, ଡ୍ରେନେଜ, ବିନା ସିକ୍ୟୁରିଟି, ପରିମଳ, ଅଗ୍ନିଶମ ସୁରକ୍ଷା, ସିସିଟିଭି, ଯାତ୍ରୀ ସୁରକ୍ଷା ନକରି ହୋଟେଲ ଚାଲିଛି । ପ୍ରଶାସନିକ ଯାଞ୍ଚ ଏବଂ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ହୋଟେଲ ସଂଖ୍ୟା ବଢିବାରେ ଲାଗିଛି । ଏପରିକି ଅନେକ ହୋଟେଲରେ ଯାତ୍ରୀ ସୁରକ୍ଷା ପ୍ରତି ଆଦୌ ଗୁରୁତ୍ୱ ଦିଆଯାଉନାହିଁ । ଯାତ୍ରୀମାନେ ଅସୁରକ୍ଷିତ ଭାବେ ଏହିସବୁ ହୋଟେଲରେ ରହି ଆସୁଛନ୍ତି । ଅନେକ ହୋଟେଲରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିଲେ ମଧ୍ୟ ଲାଭଖୋର ମନୋଭାବ ନେଇ ହୋଟେଲ ମାଲିକ ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି । ସିସିଟିଭି ଲଗାଇ ନଥିବାରୁ ଅପରାଧିଙ୍କ ଆଡ୍ଡାସ୍ଥଳ ପାଲଟିଛି ଅଧିକାଂଶ ହୋଟେଲ ।

ଦୈନନ୍ଦିନ ହୋଟେଲ ଏବଂ ଲଜ୍କୁ ଆସୁଥିବା ଲୋକମାନଙ୍କ ପରିଚୟପତ୍ର ରଖାଯାଉନାହିଁ । ଥାନାକୁ ପ୍ରତ୍ୟେକ ଦିନ ଯାତ୍ରୀଙ୍କ ସୂଚନା ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଦିଆଯାଉନାହିଁ । କେନ୍ଦୁଝର ସହରର ଜନାକୀର୍ଣ୍ଣ ଅଞ୍ଚଳରେ ଥିବା ହୋଟେଲଗୁଡିକ ଅଗ୍ନିଶମ ସୁରକ୍ଷା ନଥାଇ ଚାଲିଛି । ଡେଲି ମାର୍କେଟ ନିକଟରେ ଥିବା କେନ୍ଦୁଝର ଲଜରେ ୫ମହଲା ବିଶିଷ୍ଟ କୌଣସି ସୁବିଧା ସୁଯୋଗ ନକରି ହୋଟେଲ ବେଧଡକ ଭାବେ ଚାଲିଛି । ଏହି ଲଜକୁ ଯିବା ପାଇଁ ଅଣଓସାରିଆ ପାହାଚ କରାଯାଇଛି । ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ କୌଣସି ବଡଧରଣର ଅଗ୍ନିକାଣ୍ଡ ଘଟିଲେ ବ୍ୟାପକ ଧନଜୀବନ ହାନି ହେବାର ଆଶଙ୍କା ରହିଛି ।

ଏହି ହୋଟେଲରେ ପାର୍କିଂ ବ୍ୟବସ୍ଥା ନଥିବାରୁ ରାସ୍ତାକଡରେ ଗାଡି ରହି ଅନେକ ସମୟରେ ପାର୍କିଂ ସମସ୍ୟା ମଧ୍ୟ ଉପୁଜାଉଛି । ୫ ମହଲା ବିଶିଷ୍ଟ ହୋଟେଲ ପୌରପାଳିକା ଏବଂ ଟାଉନ ପ୍ଲାନିଂର ଅନୁମୋଦନ ନନେଇ କିପରି ଦୀର୍ଘବର୍ଷ ଧରି ବ୍ୟବସାୟ କରିଆସୁଛି ତାହା ଏବେ ତଦନ୍ତସାପେକ୍ଷ। ଏହି ହୋଟେଲର ବର୍ଜ୍ୟ ଜଳ ସିଧାସଳଖ ପୂର୍ତ୍ତବିଭାଗ ଡ୍ରେନକୁ ଛଡାଯାଉଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ବର୍ଜ୍ୟଜଳ ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବା ପାଇଁ ନିୟମ ଥିଲେ ମଧ୍ୟ କେନ୍ଦୁଝର ସହରର କୌଣସି ହୋଟେଲ ମାଲିକ ନିୟମ ଏହାକୁ ମାନୁନଥିବା ଅଭିଯୋଗ ହେଉଛି । କେନ୍ଦୁଝର ସହରରେ ଥିବା ଅଧିକାଂଶ ହୋଟେଲ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ କନସେଣ୍ଟ ଟୁ ଅପରେଟ ନପାଇ ବେଆଇନ ଭାବେ ବିନା ଅନୁମତିରେ ଚାଲୁଥିବା ଜଣାପଡିଛି । କେନ୍ଦୁଝରଠାରେ ଥିବା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିନା ଅନୁମତିରେ ଚାଲୁଥିବା ହୋଟେଲକୁ ତୁରନ୍ତ ବନ୍ଦ କରିବାକୁ ଦାବି ହେଉଛି ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply