ସାମ୍ବାଦିକ ସତ୍ୟ ପ୍ରକାଶଙ୍କ ନୂଆ ଇନିଂସ, କଂଗ୍ରେସରେ ଯୋଗ ଦେବେ!

0
1010

ଭୁବନେଶ୍ୱର, (ଓଟି): ଓଡ଼ିଶାରେ ଟିଭି ଡିବେଟ୍‍ ହୋଷ୍ଟ ଭାବେ ବିଶେଷ ପରିଚୟ ହାସଲ କରିଥିବା ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ଏବେ ନିଜ କ୍ୟାରିୟର୍‍ରେ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ସେ ରାଜନୀତିକ ମଇଦାନକୁ ଓହ୍ଲାଇବେ ବୋଲି ମନ ସ୍ଥିର କରିଛନ୍ତି । ପୁଣି ଏ ମଇଦାନ କଂଗ୍ରେସ ହେବ ଏବଂ ଏନେଇ ତାଙ୍କୁ କେନ୍ଦ୍ର ଓ ରାଜ୍ୟ ନେତାଙ୍କ ସବୁଜ ସଙ୍କେତ ମିଳିଥିବା ଚର୍ଚ୍ଚା ହେଉଛି । ଆସନ୍ତା ସପ୍ତାହରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।
ପିସିସି ଓଡ଼ିଶା ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଏ ବାବଦରେ କୌଣସି ସୂଚନା ଦେଇ ନାହାନ୍ତି । କିନ୍ତୁ କଂଗ୍ରେସ ମହଲରେ ଏବାବଦରେ ଯଥେଷ୍ଟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଚିଲିକାର ଯୁବ କଂଗ୍ରେସ ନେତା ମାନସ ମଙ୍ଗରାଜଙ୍କ ବିଜେଡିରେ ଯୋଗଦାନ ପରେ କଂଗ୍ରେସରେ ସେହିଭଳି ଏକ ପଦବୀ ଖାଲି ପଡ଼ିଥିଲା । ଏଣୁ ତାଙ୍କର ବିକଳ୍ପ ସନ୍ଧାନରେ ନିରଞ୍ଜନ ଥିଲେ । ଅପରପକ୍ଷେ ପୂର୍ବତନ କଂଗ୍ରେସ ନେତା ତଥା ତୃଣମୂଳ କଂଗ୍ରେସର ରାଜ୍ୟ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ଦଳରେ ମିଶାଇବା ପରେ ଶ୍ରୀ ପଟ୍ଟନାୟକ ଅନେକ ସମାଲୋଚନାର ଶିକାର ହୋଇଥିଲେ । ଏଣୁ ସତ୍ୟ ଦଳରେ ଏକ ଆକର୍ଷଣ ହେବେ ବୋଲି ଆଲୋଚନା ହେଉଛି । ସତ୍ୟଙ୍କ ଯୋଗଦାନ ପରେ ଏସବୁ ବିବାଦୀୟ ଚର୍ଚ୍ଚାରୁ ମୁକ୍ତି ମିଳିବ ବୋଲି ଆଲୋଚନା ହେଉଛି ।

କ’ଣ କରିବେ ସତ୍ୟ

ସତ୍ୟ ପ୍ରକାଶ ଜଣେ ସାମ୍ବାଦିକ ଭାବରେ ଓଡ଼ିଶାରେ ପରିଚିତ । ଜାତୀୟ ସ୍ତରର ଟିଭି ଚ୍ୟାନେଲ୍‍ ପାଇଁ ସେ ଓଡ଼ିଶାରେ କାର୍ଯ୍ୟ କରୁଥିଲେ । ଜୀ କଳିଙ୍ଗର ସମ୍ପାଦକ ଓ ଈଟିଭି ଓଡ଼ିଆର ସମ୍ପାଦକ ଦାୟିତ୍ୱ ମଧ୍ୟ ସେ ତୁଲାଇଛନ୍ତି । ଇଣ୍ଟରନେଟ୍‍ରେ ତାଙ୍କର କିଛି କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ ହୋଇଛି । ଏବେ କଂଗ୍ରେସରେ ଯୋଗ ଦେବା ପରେ ସେସବୁ ଯୋଜନାରେ ପାଣି ମାଡ଼ିଯିବା ଆଶଙ୍କା ଜୋର । ଏହାକୁ ମଧ୍ୟ ଶ୍ରୀ ନାୟକ ସ୍ୱୀକାର କରିଛନ୍ତି ।

ନିର୍ବାଚନରେ ପ୍ରାର୍ଥୀ ହେବେ
ପ୍ରତ୍ୟକ୍ଷ ରାଜନୀତି ପ୍ରତି ଆଶା ରଖିଥିବା ସତ୍ୟଙ୍କୁ ଏଥର ଟିକେଟ୍‍ ମିଳିବା ପ୍ରସଙ୍ଗ ମଧ୍ୟ ରହିଛି । ତେବେ ସେ ବିଧାନସଭା ଆସନକୁ ଅଧିକ ପସନ୍ଦ କରିପାରନ୍ତି । ସତ୍ୟଙ୍କ ପରିବାର କେହି ରାଜନୀତିରେ ଆଗରୁ ନାହାନ୍ତି । କିନ୍ତୁ ତାଙ୍କ ବଡ଼ ଭାଇ ତଥା ଡାକ୍ତର ଭାଇଙ୍କର ମଧ୍ୟ ରାଜନୀତି ପ୍ରତି ଆଗ୍ରହ ଥିବା ଶୁଣିବାକୁ ମିଳେ । ସେ ନିଜ ବାସସ୍ଥାନ ଭଦ୍ରକରେ ବେଶ୍‍ ପରିଚିତ ରହିଛନ୍ତି । ଏବେ ସତ୍ୟ ଯଦି ନିର୍ବାଚନ ଲଢ଼ିବାକୁ ଚାହିଁବେ ତେବେ କେଉଁଠୁ ଲଢ଼ିବେ ତାହା ମଧ୍ୟ ଏକ ପ୍ରଶ୍ନବାଚୀ । ଏପରିକି ଦଳର ନେତାମାନେ ଯଦି ନଚାହିଁବେ ତେବେ ସେ ଠିଆ ହୋଇ ନପାରନ୍ତି । ହେଲେ ଦଳର ମିଡିଆକୁ ପରିଚାଳନା କରିବା ପାଇଁ ତାଙ୍କଠୁ ଭଲ ବ୍ୟକ୍ତିତ୍ୱ ଆଉ କେହି ନମିଳିପାରନ୍ତି ।

କଂଗ୍ରେସରେ କାହିଁକି?
ପ୍ରଶ୍ନ ଉଠୁଛି ସେ ଏକ ଡୁବୁଥିବା ଦଳକୁ କାହିଁକି ବାଛିଲେ? ଯେତେବେଳେ ଦଳ ବୁଡ଼ିବାକୁ ଯାଉଥିବା ଚର୍ଚ୍ଚା ହେଉଛି ସେତେବେଳେ ଏମିତି ଏକ ପସନ୍ଦ କେବେ ଯୁକ୍ତି ସଙ୍ଗତ ପ୍ରଶ୍ନ କରିବାରୁ ସେ କହିଛନ୍ତି, ମୋର କଂଗ୍ରେସରେ ଯୋଗ ଦେବା ନଦେବା ତାହା ପରେ ଜଣାପଡ଼ିବ । କିନ୍ତୁ କୌଣସି ଜାତୀୟ ଦଳ ବିଶେଷକରି କଂଗ୍ରେସ ପରି ସର୍ବ ପୂରାତନ ରାଜନୀତିକ ଦଳ କେବେ ବୁଡ଼ିଯିବ ବୋଲି କହିବା ଅନୁଚିତ । ଅପରପକ୍ଷେ ବିଜେଡି ଏକ ଆଞ୍ଚଳିକ ଦଳ ଏବଂ ନବୀନଙ୍କ ପରେ ଏ ଦଳର ଅବସ୍ଥା କ’ଣ ହେବ ତାହା ସହଜରେ ଅନୁମେୟ । ବିଜେଡିକୁ ଛାଡ଼ିଲେ ଯଦି ବିଜେପିକୁ ଆପଣ ବିକଳ୍ପ ଭାବେ ଗ୍ରହଣ କରୁଛନ୍ତି ତାହାକୁ ମୁଁ ସିଧା ସଳଖ ମନା କରିବି । କାରଣ ଏହା କିଛି ଅହଙ୍କାରୀ ନେତାଙ୍କ ଦ୍ୱାରା ପରିଚାଳିତ । ମୋ ନଜରରେ ଏହି କାରଣ ପାଇଁ ଦଳର ସ୍ଥିତି ଦୁର୍ବଳ ହୋଇ ଚାଲିଛି । ନିରଞ୍ଜନ ପଟ୍ଟନାୟକ କଂଗ୍ରେସର ନେତା ହେବା ପରେ ଏବେ ଧିରେ ଧିରେ କଂଗ୍ରେସ ଶକ୍ତିଶାଳୀ ହେଉଥିବା ସେ ଅନୁଭବ କରିଛନ୍ତି ।

ଶେଷ କଥା
ଯଦିଓ ସାମ୍ବାଦିକମାନେ ରାଜନୀତିରେ ଯୋଗ ଦେବା କିଛି ନୂଆ କଥା ନୁହେଁ କିନ୍ତୁ ସତ୍ୟଙ୍କ ଯୋଗଦାନ ପରେ ଏହା ପୁଣିଥରେ ସ୍ପଷ୍ଟ ହେବ ଯେ, ଜଣେ ସାମ୍ବାଦିକତାରେ ଲୋକପ୍ରିୟ ହେଉଥିବା ପ୍ରାର୍ଥୀ ପରବର୍ତ୍ତୀ ସମୟରେ ରାଜନୀତିକୁ ନିଜର ପ୍ରକୃଷ୍ଟ ଯାଗା ବୋଲି ବିଚାର କରିପାରେ । ଅର୍ଥାତ୍‍ ଏହା ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ଉକ୍ରର୍ଷ ସାମ୍ବାଦିକତାର ଶୀର୍ଷ କ’ଣ ରାଜନୀତି?

Loading...