ମିଳୁନି ବିଜୁ ପକ୍କା ଘର: ପଲିଥିନ ତଳେ ହିତାଧିକାରୀ

0
2

ଝୁମ୍ପୁରା,(ଓଟି): ଝୁମ୍ପୁରା ପଞ୍ଚାୟତର କେଲ ସାହି ବିକାଶଠୁ ବହୁ ଦୂରରେ ପହଁଚିପାରୁନି ସରକାରୀ ସୁବିଧା ସୁଯୋଗ । ମୁଣ୍ଡ ଉପରେ ଖଣ୍ଡେ ଚାଳ ଯୋଗାଡ କରିପାରୁ ନଥିବାବେଳେ ଆଜିବି ପଲିଥିନକୁ ଭରସାକରି ଜୀବନ ଅତିବାହିତ କରୁଛନ୍ତି ଅନେକ । ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଦୌଡି ଦୌଡି ଥକୁଛନ୍ତି ସିନା ନିଘୋଡ଼ ନିଦରେ ଶୋଇଥିବା ପ୍ରଶାସନିକ ଅଧିକାରୀମାନେ ଏମାନଙ୍କ କଥାକୁ ଏକାନରେ ପୂରାଇ ଆର କାନରେ ବାହାର କରିଦେଉଥିବାର ଅଭିଯୋଗ ଆଣିଛନ୍ତି କେଲସାହିର କିଛି ବିଧବା ମହିଳା ।

ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ମିଟର ଦୂରରେ ରହିଛି ଝୁମ୍ପୁରା ଗ୍ରାମ ପଞ୍ଚାୟତର ୮ନମ୍ବର ଓାର୍ଡର କେଲସାହି । ଏହି ବସ୍ତିରେ ସମାଜର ସବୁଠୁ ଅବହେଳିତ ଭାବେ ଜଣାଶୁଣା । ରିକ୍ସାବାଲା, କୁଲି ଓ ଦିନମଜୁରିଆ ଭୂମିଜ ଶ୍ରେଣୀର ୪୦ ପରିବାର ୧୦୦ ବର୍ଷରୁ ଊଦ୍ଧ୍ୱର୍ ହେବ ରହି ଆସୁଛନ୍ତି । ଏମାନେ ପିଢିପରେ ପିଢି ଝୁମ୍ପୁରା ବଜାର ଅଞ୍ଚଳରେ ବିଭିନ୍ନ ବ୍ୟବସାୟୀ ଏବଂ ଠିକାଦାରଙ୍କ ନିକଟରେ ଦିନତମାମ୍ ହାଡଭଙ୍ଗା ପରିଶ୍ରମ କରୁଥିବା ବେଳେ ମହିଳା ଓ ଶିଶୁ କନ୍ୟାମାନେ ୟା’ତାଘରେ ବାସନକୁସନ ମାଜିବା ସହିତ ଗୋହାଳ ଗୋବର ସଫା କରୁଛନ୍ତି । କିନ୍ତୁ ସଚେତନତା ଅଭାବରୁ ଯାହା ରୋଜଗାର କରି ଆଣନ୍ତିି ସନ୍ଧ୍ୟାରେ ନିଶାପାଣିରେ ଉଡେଇ ଦିଅନ୍ତି । ଶିକ୍ଷା ଦୀକ୍ଷାରୁ ଏମାନେ ବହୁ ଦୂରରେ । ପରିବାର ନିୟୋଜନ ଜ୍ଞାନ ଅଭାବରୁ ପ୍ରତ୍ୟେକ ପରିବାରରେ ୪ରୁ ଅଧିକ ସନ୍ତାନ ରହିଛନ୍ତି । ପିଲାମାନଙ୍କର ଉପଯୁକ୍ତ ଯତ୍ନ ନିଅନ୍ତିନି କି ପାଠ ଶାଠ ପଢାଇବାର ଆଗ୍ରହ ମଧ୍ୟ ନଥାଏ । ଏମାନେ ଏକ ପ୍ରକାର ଦୁର୍ବିସହ ଜୀବନ ଅତିବାହିତ କରନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବସ୍ତିର ବର୍ତ୍ତମାନ ୮୦% ସ୍ତ୍ରୀ ଲୋକ ବିଧବା । ଏହି ମହିଳାମାନେ ଅତି ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି । ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ କରିପାରୁନଥିବାରୁ ଏମାନଙ୍କ ଶିଶୁ ମାନଙ୍କର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଭଲ ନାହିଁ । ଆଜିର ସଭ୍ୟ ସମାଜରେ ଯୋଡି ହେବା ଏମାନଙ୍କ ଶିଶୁ ମାନଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ହୋଇଛି କହିଲେ ଚଳିବ । ଯେଉଁ ମାନେ ସରକାରୀ ବାବୁ ମାନଙ୍କୁ ହାତ ଗୁଞ୍ଜା ଦେଉଛନ୍ତି ସେମାନଙ୍କୁ ସରକାରୀ ଯୋଜନା ଉପଲବ୍ଧ ହେଉଛି । ଆମ୍ଭମାନଙ୍କ ଭଳି ଗରିବ ଗୁରୁବାଙ୍କ କଥା କିଏ ଶୁଣିବ, ଭାଗ୍ୟକୁ ଆଦରି ଚଳିଯିବାକଥା ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଏହି ବସ୍ତିର ୧୦ରୁ ଊଦ୍ଧ୍ୱର୍ ବିଧବା । ବର୍ତମାନ ୧୦୦ ରୁ ଅଧିକ ଯୋଗ୍ୟ ହିତାଧିକାରୀ ବାର୍ଦ୍ଧକ୍ୟ ଏବଂ ବିଧବା ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ।

ଦାୟିତ୍ୱହୀନ ଅଧିକାରୀଙ୍କ ମେରିରାୟ ନୀତି ଯୋଗୁଁ ଲୋକଙ୍କ ନିକଟରେ ଯୋଜନା ପହଞ୍ଚି ପାରୁନାହିଁ ବୋଲି କହିଛନ୍ତି ନାଏବ ସରପଞ୍ଚ କଫିଲ ଆନସାରୀ । କେଲସାହିକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହିତ ସମସ୍ତ ସରକାରୀ ଯୋଜନା ଉପଲବଧ କରିବା ପାଇଁ ପଞ୍ଚାୟତ ପ୍ରତିନିଧିମାନେ ଅଣ୍ଟା ଭିଡୁଥିବା ବେଳେ ବ୍ଲକ ପ୍ରଶାନ ର ଉଦାସୀନତା ଯୋଗୁଁ କେଲସାହି ଆଜି ଅବହେଳିତ । ଏ ସମ୍ପର୍କରେ ସ୍ଥାନୀୟ ବିଡିଓ ଶ୍ରୀମତୀ ମମତା ରାଣି ନାଏକଙ୍କୁ ପଚାରିବାରୁ କହିଲେ, ମୋ ପାଖକୁ ଏମିତି ଅଭିଯୋଗ ଆସିନାହିଁ, ଯଦି ଯୋଗ୍ୟ ହିତାଧିକାରୀ ରହିଥାନ୍ତି ତେବେ ଆମ୍ଭ ପାଖକୁ ଆସିଲେ ସେମାନଙ୍କ ସମସ୍ୟା ସମାଧାନ କରାଯିବ ।