ଇମ୍ରାନ୍ ପ୍ରଧାନମନ୍ତ୍ରୀ ହେଲେ ଭାରତ-ପାକିସ୍ତାନ ସମ୍ପର୍କ ଉପରେ କି ପ୍ରଭାବ ପଡ଼ିବ: ଜାଣନ୍ତୁ ବିଶେଷଜ୍ଞଙ୍କ ମତ

୯୯୨ରେ ପାକିସ୍ତାନକୁ କ୍ରିକେଟ ବିଶ୍ୱ ବିଜେତା ଭାବେ ପରିଚିତ କରିଥିବା ତତ୍କାଳୀନ କ୍ୟାପ୍ଟେନ୍ ଇମ୍ରାନ୍ ଖାଁ ଆଜି ପାକିସ୍ତାନ ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଯଦିଓ ସରକାର ଗଢ଼ିବା ପାଇଁ ଏକକ ସଂଖ୍ୟା ଗରିଷ୍ଠତା ହାଲ କରିବାରେ ଇମ୍ରାନଙ୍କ ପିଟିଆଇ ସଫଳ ହୋଇପାରି ନାହିଁ କିନ୍ତୁ ଅନ୍ୟ ଦଳର ସମର୍ଥନରେ ଏହା ସରକାର ଗଢ଼ିବ ବୋଲି ପାକ୍ ଗଣମାଧ୍ୟମ ସ୍ପଷ୍ଟ କରୁଛି । ଅପରପକ୍ଷେ ଭବିଷ୍ୟତର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଭାରତ-ପାକ୍ ସମ୍ପର୍କକୁ ଆଗକୁ ନେବାକୁ ଆଶା ପୋଷଣ କରିଛନ୍ତି । “ସେମାନେ ଗୋଟିଏ ପାଦ ଆଗକୁ ଗଲେ ଆମେ ଦୁଇପାଦ ବଢ଼ାଇବୁ” ବୋଲି କହିବା ସହ ସମ୍ପର୍କରେ ସୁଧାର ଆସିବା ଆବଶ୍ୟକ ବୋଲି କହିଛନ୍ତି । ଏହି ସମସ୍ୟାରେ ସବୁଠାରୁ ବଡ଼ ବିଷୟ ହେଉଛି “କଶ୍ମୀର’ ବୋଲି ସେ କହିଛନ୍ତି । ଇମ୍ରାନଙ୍କ ଏହି ଭାଷଣ କାନକୁ ଶୁଣିବାକୁ ଭଲ ଲାଗୁଥିଲେ ମଧ୍ୟ ବାସ୍ତବରେ ପାକ୍ ସରକାର ନିର୍ବାଚିତ ପ୍ରତିନିଧିଙ୍କ ଅପେକ୍ଷା ଅଧିକ ସେନାଦ୍ୱାରା ନିୟନ୍ତ୍ରିତ ହୋଇଥାଏ ବୋଲି ମତ ପ୍ରକାଶ ପାଇଛି । ଏଣୁ ଭାରତ ପାକିସ୍ତାନ ସମ୍ପର୍କ ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ନେଇ ଚର୍ଚ୍ଚା ଜୋର ଧରିଛି ।

ଉନ୍ନତି ଆଶା କରାଯାଇନପାରେ

ଅବସର ବେହୁରିଆ, ପୂର୍ବତନ ରାଷ୍ଟ୍ରଦୂତ

କୌଣସି ପ୍ରଧାନମନ୍ତ୍ରୀ ସାମରିକ ଚାପରୁ ମୁକ୍ତ ନହେବା ଯାଏ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଶା କରାଯାଇ ନପାରେ । ସମ୍ପ୍ରତି ପାକିସ୍ତାନ ନିର୍ବାଚନ ସମ୍ପର୍କରେ ପ୍ରକାଶିତ ବିଭିନ୍ନ ଗଣମାଧ୍ୟମର ରିପୋର୍ଟକୁ ପଢ଼ିଲେ ଏହା ସ୍ପଷ୍ଟ ଜଣାଯାଏ ଯେ, ଇମ୍ରାନ୍ ଖାନଙ୍କ ଦଳ ଏତେ ପରିମାଣର ଭୋବ ପାଇବା ପଛରେ ସେନାର ସମର୍ଥନ ରହିିଛି । ଅର୍ଥାତ୍ ଯଦି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ବା ତାଙ୍କ ଦଳ ଅନ୍ୟ କିଛି ଦଳ ସହ ବୁଝାମଣା କରି ସରକାର ଗଠନ କରନ୍ତି ତେବେ ତାଙ୍କ ଉପରେ ସେନାର ହସ୍ତକ୍ଷେପ ଅଧିକ ରହିବା ଆଶଙ୍କା କରାଯାଇପାରେ । ଅର୍ଥାତ୍ ଦ୍ୱିପାକ୍ଷିକ ସମ୍ପର୍କରେ କୌଣସି ଉନ୍ନତି ଆସିବାଭଳି ଲାଗୁ ନାହିଁ । କିନ୍ତୁ ଏ ସମ୍ପର୍କରେ ଆହୁରି ଅବନତୀ ଘଟିବ ବୋଲି ମଧ୍ୟ ଆଶଙ୍କା କରାଯାଉନାହିଁ । କାରଣ ସମ୍ପର୍କରେ ଅବନତୀର ଅର୍ଥ କୌଣସି ଯୁଦ୍ଧ ଘଟିବ । କିନ୍ତୁ ପାକିସ୍ତାନର ଅର୍ଥନୀତିକ ଓ ରାଜନୀତିକ ପରିସ୍ଥିତି ଯାହା ସେମାନେ ଆଉ ଯୁଦ୍ଧ କରି ନିଜକୁ ଅଧିକ ଦୁର୍ବଳ କରିବାକୁ ଚାହିବେ ନାହିଁ ।

ଇମ୍ରାନ୍ ଖାଁ ନିର୍ବାଚନ ପରେ ଯେଉଁ ପ୍ରଥମ ମନ୍ତବ୍ୟ ଭାରତ ପାକିସ୍ତାନ ସମ୍ପର୍କକୁ ନେଇ ରଖିଛନ୍ତି ସେଥିରେ କୌଣସି ସ୍ପଷ୍ଟତା ନାହିଁ । ସେ କଶ୍ମୀରକୁ ମୂଳ କଥା ବୋଲି ବର୍ଣ୍ଣନା କରୁଛନ୍ତି । ଏଣୁ ଆଲୋଚନା ବିଷୟ ମଧ୍ୟ ସନ୍ଦେହ ଭିତରକୁ ଆସୁଛି । ଆମ ପଅଧାନମନ୍ତ୍ରୀ ଆଫଗାନିସ୍ତାନରୁ ଫେରିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଝିଅ ବାହାଘରରେ ଅତିଥି ହେବା ଦୁଇ ପ୍ରଧାନମନ୍ତ୍ରୀଙ୍କ ଭିତରେ ବ୍ୟକ୍ତିଗତ ସମ୍ପର୍କ ବିକାଶ ପାଇଁ ଉଦ୍ୟମ ହେବା ଆଦି ନୀତି ସେତେବେଳେ ସେନାକୁ ପସନ୍ଦ ହୋଇ ନଥିଲା । ଫଳରେ ପରିସ୍ଥିତିରେ କୌଣସି ଉନ୍ନତି ଆସିଲା ନାହିଁ । ସେତେବେଳେ ନୱାଜ ଶରୀଫ ଆବଶ୍ୟକ ଭୋଟ୍ ହାସଲ କରିଥିଲେ । ଏବେ କିନ୍ତୁ ଇମ୍ରାନ୍ ସଂଖ୍ୟା ଗରିଷ୍ଠ ହାସଲ କରିନାହାନ୍ତି । ସେ ସରକାର ଗଢ଼ିବା ପାଇଁ ଅନ୍ୟ ଦଳର ସମର୍ଥନ ନେଲେ ରାଜନୀତିକ ନିଷ୍ପତ୍ତି ନେବା ମଧ୍ୟ ତାଙ୍କ ପକ୍ଷେ କଷ୍ଟକର ହେବ । ଅର୍ଥାତ୍ ପରିସ୍ଥିତିର ଫାଇଦା ସେନା ଅଧିକ ନେବ । ଏଣୁ ସମ୍ପର୍କ ଆଗକୁ ଯିବା ବାସ୍ତବ ପରି ଲାଗୁ ନାହିଁ ।

ଚୀନ ଓ ସେନାର ପ୍ରଭାବ ରହିବ

ପ୍ରଫେସର ଜୟକୃଷ୍ଣ ବରାଳ, ଆନ୍ତର୍ଜାତୀୟ ସମ୍ପର୍କ ଓ ରାଜନୀତି ବିଶେଷଜ୍ଞ

ଇମ୍ରାନ୍ ଖାଁଙ୍କ ଭଳି ଭାରତର ନେତୃତ୍ୱ ମଧ୍ୟ ପାକ୍-ଭାରତ ଭିତରେ ସମ୍ପର୍କ ଉନ୍ନତି କରିବା ପାଇଁ ଚାହାନ୍ତି ବୋଲି ଜନସାଧାରଣରେ ବୟାନ ଦେବେ, ହେଲେ ବାସ୍ତବରେ ଏ ସମ୍ପର୍କରେ କୌଣସି ଉନ୍ନତି ଆସିବ ନାହିଁ । ସମ୍ପର୍କ ତଳକୁ ନଖସିଲେ ମଧ୍ୟ ଭାରତ ପାଇଁ ଯେଉଁ ଘୃଣା ଭାବଟି ପାକିସ୍ତାନ ଲୋକଙ୍କ ମନରେ ପ୍ରବେଶ କରିବାର ଉଦ୍ୟମ ଚାଲିଛି ତାହା ଜରି ରହିବ । ପାକିସ୍ତାନର ବୈଦେଶିକ ବ୍ୟାପାରକୁ ତାଙ୍କ ଦେଶର ସେନା ଏବଂ ଚୀନ ନିୟନ୍ତ୍ରଣ କରିବେ । ଏହିପରିପ୍ରେକ୍ଷୀରେ କେହି ବି ଚାହିଁବେ ନାହିଁ ଭାରତ ସହ ପାକିସ୍ତାନର ସମ୍ପର୍କ ବଢ଼ୁ । ଅର୍ଥାତ୍ ସାଂସ୍କୃତିକ ସାମଞ୍ଜସ୍ୟ ଥାଇ ମଧ୍ୟ ସୀମାରେ ପରସ୍ପରର ଶତ୍ରୁ ହୋଇ ରହିବେ । ଏହାଦ୍ୱାରା ରାଜନୀତିକ ଫାଇଦା ବିଚାର ମଧ୍ୟ ରହିଛି ।

ପାକିସ୍ତନର ସ୍କୁଲ୍ କଲେଜ ପାଠ୍ୟ ପୁସ୍ତକରେ ଭାରତ ପ୍ରତି ଘୃଣା ଭାବ ପଢ଼ାଯାଉଛି । ଭାରତଯେ ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଛି ଏବଂ ବଂଲାଦେଶ ଏହାର ଉଦାହରଣ ତାହାକୁ ସେମାନେ ପ୍ରମାଣିତ କରୁଛନ୍ତି । ଏବେ ବେଲୁଚିସ୍ତାନ ଏବଂ ସିନ୍ଧ ପ୍ରଦେଶରେ ମଧ୍ୟ ଭରତ ଅଶାନ୍ତି ଉପୁଯାଉଛି ବୋଲି ସେମାନଙ୍କ ଧାରଣା । ଏହିଧାରଣାକୁ ତାଙ୍କ ଦେଶର ସେନା ଅଧିକ ପ୍ରଚାର କରୁଛି । ସେଥିପାଇଁ କୌଣସି ପ୍ରଧାନମନ୍ତ୍ରୀ ଭାରତ ସହ ସୁ ସମ୍ପର୍କ ଚାହିଁଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ବିଗତ ଦିନଗୁଡ଼ିକରେ ନୱାଜ ଶରୀଫ୍ ଭାରତ ସହ ଭଲ ସମ୍ପର୍କ ପ୍ରତିଷ୍ଠା ପାଇଁ ଆଗ୍ରହୀ ଥିଲେ । ହେଲେ ତାହା ହୋଇପାରି ନଥିଲା । ପାକିସ୍ତାନର ଚିନ୍ତକ ତଥା ଶିକ୍ଷାବିତ୍ମାନେ ମଧ୍ୟ ପାକିସ୍ତାନ ନିର୍ବାଚନ ମାମଲାରେ ସେନାର ହସ୍ତକ୍ଷେପ ବିଷୟ ଲେଖୁଛନ୍ତି । ସବୁ ବୁଥରେ ପ୍ରାୟତଃ ସେନା ଅଧିକାରୀମାନେ ଭୋଟ୍ ଦାନରେ ପ୍ରଭାବ ବିସ୍ତାର କରିଥିବା କୁହାଯାଉଛି । ଏହାର ଅର୍ଥ ଇମ୍ରାନଙ୍କ ପାର୍ଟି ସଂଖ୍ୟା ଅଧିକ ପାଇବା ପଛରେ ସେନା ରହିଛି । ଏଣୁ ସେଠାରେ ସମ୍ପର୍କ କେମିତି ସୁଦୃଢ଼ ହେବ । ଏହା ସତ ଯେ ଉଭୟ ପକ୍ଷ କହିବେ ସେମାନେ ସମ୍ପର୍କ ବଢ଼ାଇବାକୁ ଚାହୁଁଛନ୍ତି । ଅପରପକ୍ଷେ ଆଫଗାନିସ୍ତାନରେ ମଧ୍ୟ ପାକିସ୍ତାନ ହେତୁ ଚୀନର ସମ୍ପର୍କ ଅଧିକ ମଜଭୁତ ହେବ । ଶାନ୍ତି ଆଲୋଚନାରେ ଭାରତର ଭୂମିକା ଅଧିକ ଗୌଣ ହେବା ଆଶଙ୍କା ରହିଛି ।

ଭାରତ ଅଧିକ ସଜାଗ ରହିବା ଆବଶ୍ୟକ

ପ୍ରତାପ ମହାନ୍ତି, ସାମ୍ବାଦିକ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇ ଲୋକଙ୍କ ସମର୍ଥନ ଲାଭ କରୁଥିଲେ ମଧ୍ୟ ବାସ୍ତବରେ ତାଙ୍କର ନିୟନ୍ତ୍ରଣରେ ସେନା, କଶ୍ମୀର ବ୍ୟାପାର ବା ବୈଦେଶିକ ସମ୍ପର୍କ ବିଷୟ ନଥାଏ । ସେନାର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଏସବୁ ମନ୍ତ୍ରଣାଳୟ ଚାଲେ ଆଉ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ପ୍ରଧାନମନ୍ତ୍ରୀ କେବଳ ଜଣେ ମୋହରା ସାଜି ଥାଆନ୍ତି । ସଦସ୍ୟ ନିର୍ବାଚନ ପରେ ଯେଉଁ ଫଳାଫଳ ହୋଇଛଇ ସେଥିରେ ସେନାର ହିଁ ବିଜୟ ହୋଇଛି । ମିଡିଆ ଏବଂ ବୁଦ୍ଧିଜୀବୀମାନେ ଇମ୍ରାନ୍ ଖାନଙ୍କ ଦଳର ବିଜୟ ପଛରେ ସେନାର ପ୍ରଚ୍ଛନ୍ନ ହାତ ରହିଥିବା ବୟାନ କରୁଛନ୍ତି। ଅର୍ଥାତ୍ ଏ ସରକାର ସମୟରେ ଆଇଏସ୍ଆଇ ଓ ସେନାର କ୍ଷମତା ଅଧିକ ହେବ । ଏହିକ୍ରମରେ ଉଗ୍ରବାଦକୁ ଅଧିକ ପ୍ରଶ୍ରୟ ମିଳିବ । ସୁଧାସଳଖ ଯୁଦ୍ଧରେ ବିଫଳ ହେଉଥିବା ପାକିସ୍ତାନ ଏହି ଉଗ୍ରବାଦୀଙ୍କୁ ଭାରତରେ ପ୍ରବେଣ କରାଇ କଶ୍ମୀରରେ ଅସନ୍ତୋଷ ତଥା ଅସ୍ଥିରତା ସୃଷ୍ଟି କରିବା ପାଇଁ ଚେଷ୍ଟା କରିବେ । ଏଣୁ ଭାରତକୁ ଅଧିକ ସଚେତନ ଓ ସଜାଗ ରହିବାକୁ ହେବ ।

ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରତିଛବି ଯଥେଷ୍ଟ ଭଲ ରହି ଆସିଛି। ପୁଣି ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଏକ୍ଷେତ୍ରରେ ପାକିସ୍ତାନ ଯଥେଷ୍ଟ ପଛରେ ରହିଛି। ଏଣୁ ସେମାନା ସିଧାସଳଖ ଯୁଦ୍ଧ ନକରି ଉଗ୍ରବାଦୀଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ପ୍ରବେଶ କରାଇବେ। ଏହାଛଡ଼ା ଭାରତରେ ବିଚ୍ଛିନ୍ନତାବାଦୀ ସଂଗଠନକୁ ମଜଭୁତ କରିବାକୁ ଚେଷ୍ଟା କରିବେ। ଏଣୁ ଭାରତ କଶ୍ମୀର ଉପତ୍ୟକାରେ ଏସବୁ ଶକ୍ତିକୁ ପ୍ରତିହତ କରିବାକୁ ପ୍ରସ୍ତୁତ ବେହା ଦରକାର। ନିଜ ଲଢ଼େଇ ନିଜେ ଳଢ଼ିବ ବୋଲି ଭାରତ ଚିନ୍ତା କରିବା ଦରକାର। କୌଣସି ଆମେରିକା ବା ଋଷ ଭାରତ ପାଇଁ ଲଢ଼ିବେ ନାହିଁ । ଏଣୁ ଭାରତ ତା’ର ସେନାକୁ ଆହୁରି ମଜଭୁତ କରିବା ଦରକାର। ଏପରି କ୍ଷେତ୍ରରେ କଶ୍ମୀର ଉପତ୍ୟକାରେ ସେନାକୁ ଅଧିକ କ୍ଷମତା ମିଳିବା ଜରୁରୀ । ଯଦିଓ ଏବେ ଜମ୍ମୁ କଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି ରହିଛି କିନ୍ତୁ ସେନାକୁ ଅଧିକ କ୍ଷମତାଶାଳୀ କରିବା ଦରକାର ।

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply