କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଚୀନ ଠାରୁ ଭାରତୀୟ ଭୂମିକୁ ମୁକୁଳାଇବା ପାଇଁ ନିଆଯାଇଥିବା ସଂକଳ୍ପକୁ ସ୍ମରଣ କରାଇବାର ଦିନ

ସମନ୍ୱୟ ନନ୍ଦ

ନଭେମ୍ବର ୧୪ରେ ଭାରତୀୟ ପାର୍ଲାମେଂଟରେ ବର୍ତମ।ନ ପର୍ଯ୍ୟନ୍ତ ସବୁଠାରୁ ଗୁରୁତ୍ୱପୂର୍ଣ ଏବଂ ଐତିହାସିକ ପ୍ରସ୍ତାବ ଗୃହୀତ ହୋଇଥିଲା । ସାମ୍ରାଜ୍ୟବାଦୀ ଚୀନ ତିବତକୁ ଗ୍ରାସ କରିବା ପରେ ୧୯୬୨ ମସିହାରେ ଭାରତ ଉପରେ ଆକ୍ରମଣ କରିଥିଲା ଏବଂ ଭାରତର ହଜାର ହଜାର ବର୍ଗ ମାଇଲ ଜମି ଉପରେ ଅଧିକାର କରିଥିଲା । ଭାରତୀୟ ସଂସଦରେ ୧୯୬୨ ମସିହା ନଭେମ୍ବର ୧୪ ତାରିଖ ଦିନ ଚୀନ ଦ୍ୱାରା ଭାରତ ଉପରେ ଆକ୍ରମଣ ପରେ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାକୁ ହିଁ ସଂକଳ୍ପ ପ୍ରସ୍ତାବ କୁହାଯାଇଥାଏ । ଆଉ ସେହି ଦିନକୁ ସଂକଳ୍ପ ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ପ୍ରସ୍ତାବରେ ଭାରତୀୟ ପାର୍ଲାମେଂଟ ପ୍ରତିଜ୍ଞା କରିଥିଲା ଯେ ଯେ ପର୍ୟନ୍ତ ଭାରତର ପ୍ରତ୍ୟେକ ଇଂଚ ଜମି ଚୀନ କବଳରୁ ମୁକ୍ତ ନ କରାଯାଇଛି ସେ ପର୍ଯ୍ୟନ୍ତ ଭାରତ ଶାନ୍ତିରେ ନିଶ୍ୱାସ ନେବ ନାହିଁ ।

ଗୃହୀତ ସଂକଳ୍ପ ପ୍ରସ୍ତାବ ଅନୁସାରେ – “ ଚୀନର ଜନବାଦୀ ସରକାର ଭାରତର ମିତ୍ରତାପୂର୍ଣ ବ୍ୟବହାରକୁ ଉପେକ୍ଷା କରିଛି । ସଂସଦ ଏହାକୁ ନେଇ ଖୁବ ଦୁଃଖିତ । ଚୀନର ଜନବାଦୀ ସରକାର ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସ୍ୱାଧୀନତା, ନିରପେକ୍ଷତା ତଥା ଅନ୍ୟ ଦେଶ ମାନଙ୍କର ମାମଲାରେ ହସ୍ତକ୍ଷେପ ନ କରିବା ସମ୍ବନ୍ଧୀୟ ସିଦ୍ଧାନ୍ତ ଓ ନୀତି ତଥା ସହ ଅସ୍ତିତ୍ୱର ଭାବନା ସମ୍ପର୍କିତ ଚୁକ୍ତିକୁ ଅମାନ୍ୟ କରି ପଂଚଶୀଳ ସିଦ୍ଧାନ୍ତର ଉଲ୍ଲଂଘନ କରିଛି । ଏହା ପରେ ଚୀନ ନିଜର ବିଶାଳ ସେନା ମାଧ୍ୟମରେ ସମ୍ପୂର୍ଣ ପ୍ରସ୍ତୁତି ସାରି ଭାରତ ଉପରେ ଆକ୍ରମଣ କରିଛି ।

ଏହି ଆକ୍ରମଣ ବେଳେ ଆମ ସୀମାର ରକ୍ଷା ପାଇଁ ଚୀନର ସେନା ସହିତ ବୀରତ୍ୱପୂର୍ଣ ଭାବେ ମୁକାବିଲା କରିଥିବାରୁ ସେନାର ଜବାନ ଓ ଅଧିକାରୀ ମାନଙ୍କୁ ସଂସଦ ପ୍ରଶଂସା କରୁଛି । ସୀମାର ସୁରକ୍ଷା ପାଇଁ ଯୁଦ୍ଧରେ ପ୍ରାଣବଳି ଦେଇଥିବା ଶହୀଦ ମାନଙ୍କୁ ସଂସଦ ଶ୍ରଦ୍ଧାଂଜଳି ଅର୍ପିତ କରୁଛି ।
ମାତୃଭୂମିର ରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ଶହୀଦ ମାନଙ୍କର ବଳିଦାନ ପାଇଁ ସଂସଦ ନତମସ୍ତକ । ଚୀନ ଦ୍ୱାରା ଭାରତ ଉପରେ ଆକ୍ରମଣ ପରେ ଉତ୍ପନ୍ନ ହୋଇଥିବା ସଙ୍କଟ ତଥା ଜରୁରୀକାଳୀନ ସ୍ଥିତିରେ ଭାରତୀୟ ଜନସାଧାରଣଙ୍କ ଧୈର୍ଯ୍ୟର ସହିତ ସକ୍ରିୟ ସହଯୋଗ ଦେଇଥିବାରୁ ତାଙ୍କୁ ସଂସଦ ଜନସାଧାରଣଙ୍କର ପ୍ରଶଂସା କରୁଛି । ଭାରତର ସ୍ୱାଧୀନତାର ରକ୍ଷା ପାଇଁ ଲୋକ ମାନଙ୍କ ମନରେ ପୁଣି ଥରେ ଏକତା ଓ ତ୍ୟାଗର ବହ୍ନି ପ୍ରଜ୍ୱଳିତ ହୋଇଛି ।

ବିଦେଶୀ ଆକ୍ରମଣର ପ୍ରତିରୋଧ ବେଳେ ଆମ ସଂଘର୍ଷ ସମୟରେ ଅନେକ ମିତ୍ର ରାଷ୍ଟ୍ର ଆମକୁ ସହଯୋଗ ପ୍ରଦାନ କରିଛନ୍ତି । ସେମାନଙ୍କର ନୈତିକ ଓ ସହାନୁଭୁତିକ ସମ୍ବେଦନା ପାଇଁ ଭାରତ ସେମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ।

ଭାରତୀୟ ସଂସଦ ଆଶା ଓ ବିଶ୍ୱାସର ସହିତ ପ୍ରତିଜ୍ଞା କରୁଛି ଯେ ଭାରତର ପବିତ୍ର ଭୂମିରୁ ଆକ୍ରମଣକାରୀଙ୍କୁ ବାହାର କରି ସାରିବା ପରେ ହିଁ ଆମେ ଶାନ୍ତିରେ ନିଶ୍ୱାସ ନେବୁ । ଏହି କାର୍ୟ ପାଇଁ ଆମକୁ କେତେ ସମୟ ଲାଗୁ ବା କାହିଁକି ବା ଏହି କାର୍ୟ ପାଇଁ ଆମକୁ କେତେ ମୂଲ୍ୟ ଦେବାକୁ ପଡୁ ନା କାହିଁକି ଏଇଥି ପାଇଁ ଆମେ ପ୍ରସ୍ତୁତ ଅଛୁ । ”

(୧୯୬୨ ମସିହାରେ ଭାରତୀୟ ସଂସଦରେ ଗୃହୀତ ହୋଇଥିବା ସଂକଳ୍ପ ପ୍ରସ୍ତାବ)

ଭାରତୀୟ ସଂସଦ ଦ୍ୱାରା ଏହି ପ୍ରସ୍ତାବ ଗୃହୀତ ହେବାର ୫୫ ବର୍ଷ ବିତି ଗଲାଣି । ଏହି ଦୀର୍ଘ ସମୟ ବିତି ଯାଇଥିଲେ ସୁଦ୍ଧା ଭାରତ ଚୀନ ଠାରୁ ଭାରତୀୟ ଭୂୂମିକୁ ମୁକୁଳାଇବାର କୌଣସି ସାର୍ଥକ ପ୍ରୟାସ କରି ନାହିଁ । ଏହି ସଂକଳ୍ପ ଭାରତୀୟ ଜନସାଧାରଣଙ୍କର ସଂକଳ୍ପ । ତେଣୁ ସଂସଦରେ ବସିଥିବା ଲୋକ ମାନଙ୍କୁ ଏହି ସଂକଳ୍ପକୁ ମନେ ପକାଇବା ପାଇଁ ଏହା ହେଉଛି ସଠିକ ସମୟ ।

ସୌଜନ୍ୟ: ସମନ୍ୱୟ ନନ୍ଦଙ୍କ ଫେସ‍୍‌ବୁକ ପୃଷ୍ଟାରୁ

About admin

Check Also

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ...

Leave a Reply

Your email address will not be published. Required fields are marked *

   Update :