ବିକାଶର ଦୋଛକିରେ ଶୁଆକାଠି

0
3

ହରିଚନ୍ଦନପୁର,(ଓଟି):  ଗରିବ ଆଦିବାସୀଙ୍କର ବିକାଶ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ମଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କଥା ସରକାର ଡିଣ୍ଡିମ ପିଟୁଥିବା ବେଳେ ଏବେ ବି ଅନେକ ଆଦିବାସୀ ଅଧ୍ୟୁଷିତ ଗାଁ ରହିଛି ଯେଉଁଠି କି ବିକାଶର ପାଦଚିହ୍ନ ପଡିନାହିଁ । ଦାରିଦ୍ର୍ୟର କଷାଘାତରେ ପେଷି ହୋଇ ଅତି ଦୟନୀୟ ସ୍ଥିତିରେ ଲୋକେ କାଳାତିପାତ କରୁଥିବା ବେଳେ କାଗଜପତ୍ରରେ କିନ୍ତୁ ସବୁ ଠିକ୍ଠାକ ଅଛି ବୋଲି ଜଣାପଡିଛି । ସରକାରଙ୍କ ସମସ୍ତ ଯୋଜନା ଏଠି ଫେଲ୍ ମାରିଛି । ବିକାଶର ଦୋଛକିରେ ସଢୁଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ପଞ୍ଚାୟତର ଶୁଆକାଠି ଗାଁ ।

ଜଙ୍ଗଲ ପରିବେଷ୍ଟିତ ଏହି ଗାଁ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ବିକାଶର ମୁଖ୍ୟ ଧାରାରେ ସାମିଲ ହୋଇପାରିନାହିଁ। ରେବଣାପଳାଶପାଳ, ଟାଙ୍ଗିରିଆପାଳ, ଗୌଣିଘଷା ଆଦି ପଞ୍ଚାୟତର କିଛି ଅଂଶକୁ ନେଇ ଗଠିତ ଗାଁ କିନ୍ତୁ ସରକାରୀ କାଗଜପତ୍ରରେ ଟାଙ୍ଗିରିଆପାଳ ପଞ୍ଚାୟତରେ ରହିଛି ବୋଲି ଜଣାପଡିଛି । ଲୋକଙ୍କ ଦୁଃଖ ହେଲା ବଗିରା ନଦୀ । ଦୀର୍ଘ ବର୍ଷ ହେବ ଏହି ନଦୀରେ ଏକ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା । ବିଭାଗୀୟ ଅଧିକାରୀ ଏବଂ ରାଜନେତାଙ୍କ ଆନ୍ତରିକତାର ଅଭାବରୁ ପୋଲ ନିର୍ମାଣରେ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ସରିପାରୁ ନାହିଁ । ଗାଁ ଲୋକେ ଅତି ବିପଦ ସଙ୍କୁଳ ସ୍ଥିତିରେ କାଠ ପୋଲ ସାହାଯ୍ୟରେ ପାରି ହେଉଛନ୍ତି । କେତେ ବେଳେ ଯେ କଣ ଘଟିବ ତାହା କହିବା ମୁସ୍କିଲ । ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଗାଁକୁ ଦୁଇ ବର୍ଷ ପୂର୍ବରୁ ବିଦ୍ୟୁତ୍ ସେବା ଯୋଗାଇଥିଲେ । କିନ୍ତୁ ସେବା ମାତ୍ର ୬ ମାସ ଚାଲିଲା । ପରେ ଟ୍ରାନ୍ସଫର୍ମର ପୋଡିଯିବାରୁ ବିଦ୍ୟୁତ୍ ସେବାବନ୍ଦ । ଚାରିଆଡେ ଜଙ୍ଗଲ ଥିବାରୁ ବନ୍ୟ ଜନ୍ତୁଙ୍କର ଭୟ ନେଇ ରାତିରେ ଲୋକେ ଶୋଇପାରନ୍ତି ନାହିଁ।

ପ୍ରକାଶ ଯେ, ରାଜାବସା, ବଙ୍ଗାଚାପଲ, ମଇଁଷିଗୋଠ, ବଡସାହି ଆଦି ୪ ସାହି ରହିଛି । ଯୋଗାଯୋଗର ସୁବିଧା ନ ଥିବାରୁ କାହାର ସ୍ୱାସ୍ଥ୍ୟବସ୍ଥା ଖରାପ ହେଲେ ପାଖାପାଖି ୪ କିଲୋମିଟର ଭାଲିଆପାଳ ଛକ ପର୍ଯ୍ୟନ୍ତ ଖଟିଆରେ ବୋହି ନେଇ ସେଠାରୁ ଗାଡି ସାହାଯ୍ୟରେ ଭଗାମୁଣ୍ଡା କିମ୍ବା ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡିଥାଏ । ଏହି ୪ କିଲୋମିଟର ମଧ୍ୟରେ ବଗିରାନଦୀର ଅର୍ଦ୍ଧ ନିର୍ମିତ ପୋଲକୁ ପାର ହେବା ପାଇଁ ଜୀବନକୁ ବାଜି ଲଗାଇବାକୁ ପଡିଥାଏ । ସ୍ଥାନୀୟ ଲୋକଙ୍କ କହିବା କଥା ସ୍ୱାସ୍ଥ୍ୟାବସ୍ଥା ଖରାପ କାରଣରୁ ଗାଁରୁ ଲୋକଙ୍କୁ ଖଟିଆରେ ବୋହି ନେବା ବେଳେ ଡାକ୍ତରଖାନାରେ ପହଁଚିବା ପୂର୍ବରୁ ୪/୫ ଜଣଙ୍କ ମୃତ୍ୟୁ ବି ହୋଇଛି । ତେବେ ସବୁଠାରୁ ଅତି ଦୁଃଖର ବିଷୟ ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସାମଗ୍ରୀ ଆଣିବାକୁ ୨୫ କିଲୋମିଟର ଦୂର ଟାଙ୍ଗିରିଆପାଳ ପଞ୍ଚାୟତକୁ ଯିବାକୁ ପଡିଥାଏ ।

ବୃଦ୍ଧ, ବୃଦ୍ଧା, ଅସହାୟ ବିଧବା, ଭିନ୍ନକ୍ଷମଙ୍କୁ ଭତ୍ତା ପାଇଁ ବି ୨୫ କିଲୋମିଟର ଦୂରକୁ ଯିବାକୁ ପଡିଥାଏ । ଚାଉଳ, କିରୋସିନ ପାଇଁ ଏହି ଗାଁର ଲୋକଙ୍କୁ ଟାଙ୍ଗିରିଆପାଳ ପର୍ଯ୍ୟନ୍ତ ଗାଡି ଭଡା କରି ଯିବାକୁ ପଡିଥାଏ ଏବଂ ସେଠାରୁ ଫେରିବା ବେଳେ ଗୌଣିଘଷାରୁ ସେମାନେ ନିଜ ନିଜର ସାମଗ୍ରୀକୁ ଆଣିବାକୁ ପଡେ । ସବୁ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୟନୀୟ ସ୍ଥିତିରେ ଜୀବନ ଜୀବିକା ନିର୍ବାହ କରୁଛନ୍ତି ଗ୍ରାମବାସୀ । ସମସ୍ୟାକୁ ନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଯାଇ ଅଭିଯୋଗ କରିଥିଲେ ବି କେବଳ ଆଶ୍ୱାସନା ହିଁ ମିଳିଛି ।

 

Loading...