ଦେଶରେ ୧% ଜଙ୍ଗଲ ବୃଦ୍ଧି ପାଇଛି

ଓଡ଼ିଶା ସମେତ ୫ ରାଜ୍ୟରେ ଉଲ୍ଲେଖନୀୟ ଅଗ୍ରଗତି

ନୂଆଦିଲ୍ଲୀ: ଭାରତରେ ଜଙ୍ଗଲ ଓ ବୃକ୍ଷର ସଂଖ୍ୟା ୨ ବର୍ଷ ମଧ୍ୟରେ ୧% ଅର୍ଥାତ୍ ୮,୦୨୧ ବର୍ଗ କି.ମି. ବୃଦ୍ଧି ପାଇଥିବା ‘ଦ ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ’ (ଆଇଏସ୍ଏଫ୍ଆର୍)-୨୦୧୭ରେ ଉଲ୍ଲେଖ କରାଯାଇଛି । ୨୦୧୫ ତୁଳନାରେ ଏହି ବୃଦ୍ଧି ପାଇଛି । ୫ ରାଜ୍ୟରେ ସର୍ବାଧିକ ଜଙ୍ଗଲ ବୃଦ୍ଧି ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେଥିମଧ୍ୟରେ ଓଡିଶାର ସ୍ଥାନ ରହିଛି । ୨ ବର୍ଷ ମଧ୍ୟରେ ଓଡିଶାରେ ୮୮୫ ବର୍ଗ କି.ମି. ଜଙ୍ଗଲ ପରିସୀମା ବୃଦ୍ଧି ପାଇଥିବାବେଳେ ଆନ୍ଧ୍ରରେ ୨୧୪୧, କର୍ଣ୍ଣାଟକରେ ୧୧୦୧, କେରଳରେ ୧୦୪୩ ଓ ତେଲେଙ୍ଗାନାରେ ୫୬୫ ବର୍ଗ କି.ମି. ଜଙ୍ଗଲ ବୃଦ୍ଧି ପାଇଛି ।

ଏହି ରିପୋର୍ଟକୁ ଉନ୍ମୋଚନ କରି ପରିବେଶ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଓ ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଯେ ବିଶ୍ୱରେ ଜଙ୍ଗଲ ହ୍ରାସ ପାଉଥିବାବେଳେ ଭାରତରେ ଏହା ବୃଦ୍ଧି ପାଇବା ଏକ ଶୁଭ ଲକ୍ଷଣ । ଦେଶରେ ୭,୦୮,୨୭୩ ବର୍ଗ କି.ମି. ଜଙ୍ଗଲ ପରିମିତ ଅଞ୍ଚଳ ରହିଛି । ଯାହା ସମଗ୍ର ଦେଶର ଭୌଗୋଳିକ ପରିସୀମାର ୨୧.୫୪% । ଜଙ୍ଗଲ ଓ ଗଛ ଲାଗିଥିବା ଅଞ୍ଚଳ ହେଉଛି ୮,୦୨,୦୮୮ ବର୍ଗ କି.ମି. । ଯାହା ସମ୍ପୂର୍ଣ୍ଣ ଭୌଗୋଳିକ ପରିସୀମାର ୨୪.୩୯% । ଘଞ୍ଚ ଜଙ୍ଗଲ ମଧ୍ୟ ୨୦୧୫ ତୁଳନାରେ ୧.୩୬% ବୃଦ୍ଧି ପାଇଛି । ୨୦୧୫ରେ ତୁଳନାରେ ୮,୦୨୧ ବର୍ଗ କି.ମି. ଜଙ୍ଗଲ ଓ ଗଛ ଅଞ୍ଚଳ ଦେଶରେ ବୃଦ୍ଧି ପାଇଛି । ୬,୭୭୮ ବର୍ଗ କି.ମି. ଜଙ୍ଗଲ ଥିଲାବେଳେ ୧,୨୪୩ ବର୍ଗ କି.ମି.ରେ ବନୀକରଣ କରାଯାଇଛି । ଜଙ୍ଗଲ ବୃଦ୍ଧି ହେବା ଏକ ଉତ୍ସାହଜନକ । ପରିବେଶ ଉପରେ ଏହାର ଭଲ ପ୍ରଭାବ ପଡିବ ।

ଏହା ବାୟୁମଣ୍ଡଳରୁ ଅତ୍ୟଧିକ କାର୍ବନ ଡାଇଅକ୍ସାଇଡ୍କୁ ଗ୍ରହଣ କରିପାରିବ । ମଧ୍ୟପ୍ରଦେଶରେ ଦେଶର ସର୍ବାଧିକ ଜଙ୍ଗଲ ଅଞ୍ଚଳ ୭୭,୪୧୪ ବର୍ଗ କି.ମି. ରହିଛି । ଏହାପଛକୁ ଅରୁଣାଚଳ ପ୍ରଦେଶରେ ୬୬,୯୬୪ ଓ ଛତିଶଗଡରେ ୫୫,୫୪୭ ବର୍ଗ କି.ମି. । ଭୌଗୋଳିକ ପରିସୀମା ଅନୁଯାୟୀ, ଲକ୍ଷାଦ୍ୱୀପରେ ୯୦.୩୩%, ମିଜୋରାମରେ ୮୬.୨୭%, ଆଣ୍ଡାମନ ଓ ନିକୋବରରେ ୮୧.୭୩% ରହିଛି । ୨୦୧୯ ଆଇଏସ୍ଏଫ୍ଆର୍ ରିପୋର୍ଟ ପ୍ରସ୍ତୁତି ଲାଗି ପଦକ୍ଷେପ ନିଆଯାଇଛି । ଏହି ସର୍ଭେ ପ୍ରଥମ ଥର ପାଇଁ ଜଳ ଉତ୍ସକୁ ନେଇ ଆକଳନ କରାଯାଇଛି । ଜଳ ଉତ୍ସଗୁଡିକରେ ଗତ ୧୦ ବର୍ଷ ମଧ୍ୟରେ ଜଙ୍ଗଲ ଅଞ୍ଚଳ ୨୬୪୭ ବର୍ଗ କି.ମି. ବଢିଛି । ଏ କ୍ଷେତ୍ରରେ ମହାରାଷ୍ଟ୍ର ସର୍ବାଗ୍ରେ ଥିବାବେଳେ ଗୁଜରାଟ ଓ ମଧ୍ୟପ୍ରଦେଶ ତା ପଛକୁ ରହିଛନ୍ତି । ତେବେ ପ୍ରାୟ ସବୁ ରାଜ୍ୟରେ ଜଳ ଉତ୍ସଗୁଡିକରେ ଜଙ୍ଗଲ ବୃଦ୍ଧି ହୋଇଛି ।

ମିଜୋରାମରେ ୫୩୧ ବର୍ଗ କି.ମି., ନାଗାଲାଣ୍ଡରେ ୪୫୦ ବର୍ଗ କି.ମି., ଅରୁଣାଚଳ ପ୍ରଦେଶରେ ୧୯୦ ବର୍ଗ କି.ମି., ତ୍ରିପୁରାରେ ୧୬୪ ବର୍ଗ କି.ମି., ମେଘାଳୟରେ ୧୧୬ ବର୍ଗ କି.ମି. ଜଙ୍ଗଲ ହ୍ରାସ ପାଇଛି । ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ସର୍ବାଧିକ ଜଙ୍ଗଲ ଅଞ୍ଚଳ ରହିଛି । ଏହା ହ୍ରାସ ହେବାର ପ୍ରମୁଖ କାରଣ ହେଉଛି, ଚାଷ, ଜଙ୍ଗଲ ଜମିର କିଷମ ପରିବର୍ତ୍ତନ, ବିକାଶ କାର୍ଯ୍ୟ, ଜଙ୍ଗଲ ଅଞ୍ଚଳ ଜଳମଗ୍ନ ହେବା, କୃଷିର ସମ୍ପ୍ରସାରଣ ଓ ପ୍ରାକୃତି ବିପର୍ଯ୍ୟୟ । ବର୍ତ୍ତମାନର ଆକଳନ ଅନୁଯାୟୀ ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୩୩% ଜଙ୍ଗଲ ଅଞ୍ଚଳ ରହିଛି । ସମଗ୍ର ବିଶ୍ୱରେ ଭାରତ ଜଙ୍ଗଲ ବୃଦ୍ଧିରେ ୧୦ମ ସ୍ଥାନରେ ରହିଛି । ଖାଦ୍ୟ ଓ କୃଷି ସଂଗଠନର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦେଶର ୧୦ ବୃହତ ଜଙ୍ଗଲ ଅଞ୍ଚଳ ମଧ୍ୟରେ ଭାରତର ସ୍ଥାନ ୮ରେ ରହିଛି ।

About admin

Check Also

ପେଟ୍ରୋଲ ଓ ଡିଜେଲ ଉପରୁ ଶୁଳ୍କ ହ୍ରାସ ପାଇବନି : ଜେଟଲି

ଭୁବନେଶ୍ୱର,(ଓଟି): ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କରେ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ …

Leave a Reply