କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ
BIGtheme.net http://bigtheme.net/ecommerce/opencart OpenCart Templates

ଦେଢମାସ ହେଲା ସରକାରଙ୍କୁ ମିଳୁନାହାନ୍ତି ନୂଆ ଡ୍ରଗ୍ସ କଣ୍ଟ୍ରୋଲର

ଭୁବନେଶ୍ୱର,(ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ପରେ ଅକ୍ଟୋବର ୩ ତାରିଖ ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନ୍ନଦା ଶଙ୍କର ଦାସଙ୍କୁ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଭାବେ ନିଯୁକ୍ତି କରାଯିବା ଘେନି ନିର୍ଦେଶନାମା ପ୍ରକାଶ କଲା। ହେଲେ ଏହାର କେଇ ମିନିଟ‍୍‌ ପରେ ଶ୍ରୀ ଦାସଙ୍କୁ କାର୍ଯ୍ୟରେ ଯୋଗ ନଦେବାପାଇଁ କୁହାଗଲା। ଅଲିଖିତ ନିର୍ଦେଶ ଆସିଲା ଅନ୍ନଦାଙ୍କ ବଦଳରେ ଆଉ ଜଣଙ୍କ ନାଁ ବାଛ। ସେବେଠାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀଲାଗି ଲୋକ ଖୋଜୁଛନ୍ତି।

ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଢମାସ ମଧ୍ୟରେ ପ୍ରାର୍ଥୀ ନପାଇବା ଏବେ ଆାଲୋଚନାର ବିଷୟବସ୍ତୁ ପାଲଟିଛି। କାହା ଚାପରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବଦଳିଗଲା ଓ କାହିଁକି ନୂଆ ଡ୍ରଗ୍ସ କଣ୍ଟ୍ରୋଲର ମିଳୁନାହାନ୍ତି ତାହାକୁ ନେଇ ଚର୍ଚ୍ଚା। ଏଭଳି ଘଟଣାରେ ସରକାରଙ୍କ ଅପାରଗତା ପଦାରେ ପଡୁଥିବାବେଳେ ଜଣେ ବ୍ୟକ୍ତିଙ୍କ ସ୍ୱାର୍ଥପାଇଁ ଏଭଳି ଖେଳ ଚାଲିଛି ବୋଲି କୁହାଯାଉଛି। ଏଥିପାଇଁ ସମସ୍ତଙ୍କ ଅଙ୍ଗୁଳି ଉଠୁଛି ବର୍ତ୍ତମାନ ଡ୍ରଗ୍ସ କଣ୍ଟ୍ରୋଲର ଦାୟିତ୍ୱରେ ଥିବା ହୃଶିକେଶ ମହାପାତ୍ରଙ୍କ ଆଡକୁ। ୨୦୧୨ ମସିହାରୁ ଶ୍ରୀ ମହାପାତ୍ର ଅତିରିକ୍ତ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳୁଛନ୍ତି। ଆଉ ସାତମାସ ପରେ ସିଏ ଅବସର ଗ୍ରହଣ କରିବେ। ତେଣୁ ଏଭଳି ଏକ ପଦବୀରୁ ହଟିବାକୁ ସେ ଚାହୁଁନାହାନ୍ତି। ତାଙ୍କ ବିରୁଦ୍ଧରେ ନାଇଡୁ କମିଶନ ଦେଇଥିବା ପ୍ରତିକୂଳ ଟିପ୍ପଣୀ ଓ ଭିଜିଲାନ୍ସର ଚଢଉପରେ ବି ଶ୍ରୀ ମହାପାତ୍ର ଏଭଳି ଏକ ଗୁରୁତ୍ୱପୂର୍ଣର୍ ପଦବୀରେ ରହିଥିବାରୁ ତାଙ୍କପାଇଁ ଏଭଳି ସୁଯୋଗ ସୃଷ୍ଟି କରାଯାଉଥିବା କୁହାଯାଉଛି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୨୦୧୨ ମସିହାରେ ଘଟିଥିବା ବିଷାକ୍ତ ଔଷଧମୃତ୍ୟୁ ଘଟଣାରେ କଟକ ଜିଲ୍ଲାରେ ୨୯ ଜଣଙ୍କ ଜୀବନ ଯିବାପରେ ମଦମୃତ୍ୟୁ ଆଶଙ୍କାରେ ତତ୍କାଳୀନ ଅବକାରୀ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଇସ୍ତଫା ଦେବା ସହିତ ଡ୍ରଗ୍ସ କଣ୍ଟ୍ରୋଲର ଥିବା ଅନ୍ନଦା ଶଙ୍କର ଦାସଙ୍କୁ ତାଙ୍କ ପଦବୀରୁ ହଟାଇ ଦିଆଯାଇଥିଲା। ୨୦୧୨ ମସିହା ଫେବୃୟାରୀ ୧୪ ତାରିଖରୁ ସରକାର ତତ୍କାଳୀନ ଅତିରିକ୍ତ ଡ୍ରଗ୍ସ କଣ୍ଟ୍ରୋଲର ଶ୍ରୀ ମହାପାତ୍ରଙ୍କୁ ରାଜ୍ୟର ଡ୍ରଗ୍ସ କଣ୍ଟ୍ରୋଲର ଦାୟିତ୍ୱ ଦେଇଛନ୍ତି। ସେତେବେଳେ ଶ୍ରୀ ମହାପାତ୍ର ଡ୍ରଗ୍ସ କଣ୍ଟ୍ରୋଲର ଦପ୍ତରର ଗୁଇନ୍ଦା ଦାୟିତ୍ୱ ତୁଲାଉଥିଲେ। ପରେ ଏହି ଘଟଣାର ନ୍ୟାୟିକ ତଦନ୍ତ ହୋଇଥିଲା। ବିଚାରପତି ଏ.ଏସ‍୍‌.ନାଇଡୁ ଘଟଣାର ତଦନ୍ତକରି ରିପୋର୍ଟ ଦେଇଥିବାବେଳେ ତାହା ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଛି। ରିପୋର୍ଟରେ ଶ୍ରୀ ନାଇଡୁ ଘଟଣାଟି ବିଷାକ୍ତ ଔଷଧ ଜନିତ ବୋଲି ଦର୍ଶାଇବା ସହିତ ଏଥିପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଦପ୍ତରର ଗୁଇନ୍ଦା ଅଧିକାରୀଙ୍କ ଆଡକୁ ଅଙ୍ଗୁଳି ନିର୍ଦେଶ କରିଛନ୍ତି। ହେଲେ ସରକାର ସେତେବେଳେ ଗୁଇନ୍ଦା ଦାୟିତ୍ୱରେ ଥିବା ଶ୍ରୀ ମହାପାତ୍ରଙ୍କୁ ତାଙ୍କ ପଦରୁ ହଟାଇଲେ ନାହିଁ। ଏହା ଭିତରେ ଶ୍ରୀ ମହାପାତ୍ରଙ୍କ ଦପ୍ତର ଓ ଘର ଉପରେ ଭିଜିଲାନ୍ସ ଚଢଉ କରିଥିଲା।

କୌଣସି ଅଦୃଶ୍ୟ କାରଣ ଯୋଗୁଁ ରାଜ୍ୟର ଚାରି ଚାରି ଜଣ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଦାମୋଦର ରାଉତ, ଅତନୁ ସବ୍ୟସାଚୀ ନାୟକ ଓ ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଶ୍ରୀ ମହାପାତ୍ରଙ୍କୁ ଅତିରିକ୍ତ ଭାବେ ଡ୍ରଗ୍ସ କଣ୍ଟ୍ରୋଲର ଦାୟିତ୍ୱରେ ରଖିବାବୁ ଚାହିଁଛନ୍ତି। ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇବାପରେ ସରକାର ସ୍ଥାୟୀ ଡ୍ରଗ୍ସ କଣ୍ଟ୍ରୋଲର ନିଯୁକ୍ତିଲାଗି ପ୍ରକ୍ରିୟା ଆରମ୍ଭ କରିବା ସହିତ ଶ୍ରୀ ଦାସଙ୍କୁ ନିଯୁକ୍ତି ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ଏଥିରେ ମୋହର ମାରିଥିଲେ। ହେଲେ କୌଣସି ଅକୁହା କାରଣ ଯୋଗୁଁ ଏହାକୁ ରାତାରାତି ଅଟକାଇ ଦିଆଗଲା। ବିଭାଗକୁ କୁହାଗଲା ଅନ୍ନଦାଙ୍କ ବଦଳରେ ନୂଆ ନାଁ ପଠାଅ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନର ଅସ୍ଥାୟୀ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଅବସର ପର୍ଯ୍ୟନ୍ତ ତାଙ୍କ ପଦବୀରେ କୌଣସି ପ୍ରକାରେ ରଖିବାଲାଗି ଏଭଳି ନାଟକ ଚାଲିଛି। ଯଦି ସେ ଏହି ପଦବୀରୁ ହଟିବେ ତେବେ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ପୁଣି ଫାଇଲ‍୍‌ ଖୋଲିବ। ବିଭାଗୀୟ ମନ୍ତ୍ରୀ ମଧ୍ୟ ଏଭଳି ଘଟଣାକୁ ଏକ ପ୍ରକାର ନିରବ ସମର୍ଥନ ଦେଉଛନ୍ତି। ଏହି ସୂଚନା ଅନୁଯାୟୀ ଶ୍ରୀ ଦାସଙ୍କ କାର୍ଯ୍ୟକାଳ ଆଉ ପ୍ରାୟ ଦେଢବର୍ଷ ରହିଛି। ଯେହେତୁ ଡ୍ରଗ୍ସ କଣ୍ଟ୍ରୋଲର ପଦବୀଟି କ୍ୟାଡରଭୁକ୍ତ ନୁହେଁ ତେଣୁ ଶ୍ରୀ ମହାପାତ୍ରଙ୍କ ଅବସର ପରେ ଶ୍ରୀ ଦାସ ଏହି ପଦବୀକୁ ଯିବେ। ସେତେଦିନ ପର୍ଯ୍ୟନ୍ତ ଡ୍ରଗ୍ସ କଣ୍ଟ୍ରୋଲର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ଠିକାରେ ଚଳାଇ ନେବାପାଇଁ ଏଭଳି ପ୍ରାର୍ଥୀଖୋଜା ଚାଲିଛି। ଏହି ଘଟଣାକୁ ଆଗାମୀ ବିଧାନସଭା ଅଧିବେଶନରେ ଉଠାଇବାଲାଗି ବିରୋଧିଦଳର କିଛି ବିଧାୟକ ସଜବାଜ ହେଉଥିବା ଜଣାଯାଇଛି।

About admin

Check Also

କେମିତି ହେଲା ‘କ୍ରୀସମାସ’ଶବ୍ଦର ଉତ୍ପତ୍ତି

ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ସାରା ବିଶ୍ୱରେ କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଉଛି । ଦୁଇଟି ଭିନ୍ନ ଶବ୍ଦ ‘କ୍ରୀସ୍’ ...

Leave a Reply

Your email address will not be published. Required fields are marked *

   Update :