ଚା’ ବ୍ୟବସାୟୀ ଏବଂ ସମାଜସେବୀ ଡି ପ୍ରକାଶ ରାଓଙ୍କ ସହ ସାକ୍ଷାତକାର : “ମଲା ପରେ ମୋର କ୍ରିୟାକର୍ମ ନ ହେଉ”

0
21

ତାଙ୍କୁ ଚା’ ଦୋକାନୀ ବୋଲି କହିଲେ କମ୍ ହେବ; କିନ୍ତୁ ସେହି ପରିଚୟରେ ସେ ବଞ୍ଚିବାକୁ ଅଧିକ ପସନ୍ଦ କରନ୍ତି; କର୍ମରେ ସେ ଭଗବାନଙ୍କୁ ଦେଖନ୍ତି  ସକାଳୁ ଖୋର୍ଦ୍ଧା ଗାମୁଛାଟିଏ କାନ୍ଧରେ ପକାଇ ବାହାରି ଆସନ୍ତି ବକ୍ସିବଜାର ଛକରେ ଥିବା ସେଇ ଚା’ ଦୋକାନକୁ । ଲୋକଙ୍କୁ ଆବଶ୍ୟକ ଅନୁସାରେ ଚା’ ଦିଅନ୍ତି । ଯଦି କିଏ ଚା’ ନପିଏ ତେବେ ତାଙ୍କ ପାଇଁ ଲେମ୍ବୁରସର ପଣା । ଆପଣ କେବେ ବି ଭୁଲିବେନି ସେ ଚର୍ଚ୍ଚାକୁ । କାରଣ ତା’ ଭିତରେ ଥାଏ ଅସରନ୍ତି ଶ୍ରଦ୍ଧା, ଭଲପାଇବା ଓ ଆତ୍ମୀୟତା । ସେଇଥିପାଇଁ ତ ଖୋଦ୍ ପ୍ରଧାନମନ୍ତ୍ରୀ ବି ଆକୃଷ୍ଟ ହୋଇ ନିକଟରେ ଚାଲିଆସିଥିଲେ ତାଙ୍କ ନିକଟକୁ । ସମାଜସେବା ପାଇଁ କୌଣସି ଅନ୍ତର୍ଜାତୀୟ ସମ୍ମାନ ସେ ପାଇ ନାହାନ୍ତି; କିନ୍ତୁ ଏ କ୍ଷେତ୍ରର ବିଶେଷ ନାମଧାରୀଙ୍କ ଭିତରେ ସେ କେବେ ବି ପଛରେ ପଡ଼ିବେ ନାହିିଁ । ଉପସ୍ଥାପନ କରୁଛୁ ସେଇ ଆଦର୍ଶ ଚା’ ଦୋକାନୀ ତଥା ସମାଜସେବୀ ଡି.ପ୍ରକାଶ ରାଓଙ୍କ ସହ କଥାବାର୍ତ୍ତାର କିୟଦଂଶ ।

ଆପଣଙ୍କ ସମ୍ବନ୍ଧରେ ଅନେକ ସମୟରେ ବହୁତ କିଛି ରିପୋର୍ଟ ପ୍ରକାଶ ପାଇଛି । ନିକଟରେ ପ୍ରଧାନମନ୍ତ୍ରୀ ଆପଣଙ୍କୁ ଭେଟିବା ଗଣମାଧ୍ୟମରେ ଗୁରୁତ୍ୱ ପାଇଛି । ଆପଣଙ୍କୁ ତାହା କି ଅନୁଭୂତି ଦେଇଛି?

 

[toggle title=“ଡି. ପ୍ରକାଶ ରାଓ, ଚା’ ଦୋକାନୀ ” state=”open”]ଜନ୍ମ:୧୧ନଭେମ୍ବର ୧୯୫୮ ବାପା: ଡି, କ୍ରିଷ୍ଣମୂର୍ତ୍ତି ମା’: ଡି. ଲକ୍ଷ୍ମୀ ପରିବାର: ଡି. ବିଜୟଲକ୍ଷ୍ମୀ ( ପତ୍ନୀ), ହରିପ୍ରିୟା ଓ ଭାନୁପ୍ରିୟା (୨ ଝିଅ) ପେସା: ଚା’ ଦୋକାନୀ ନିଶା: ସମାଜସେବା [/toggle]

ଗଲା ଚାରି ପାଞ୍ଚ ଦିନ ଭିତରେ ଏକ ପରିବର୍ତ୍ତନ ମୁଁ ଲୋକଙ୍କ ପାଖରେ ଅନୁଭବ କରୁଛି । ଆଗରୁ ସେମାନେ ମୋତେ କହୁଥିଲେ ଏ ଚା’ ଦୋକାନୀ ଚା’ କପେ ଆଣିଲୁ, ଆଜି ସେମାନେ ମୋତେ ‘ରାଓ ବାବୁ’ ବୋଲି କହୁଛନ୍ତି । ମୋଦିଜୀଙ୍କ ଆସିବା ପରେ ମୋତେ ଯେଉଁମାନେ ଜାଣି ନଥିଲେ ସେମାନେ ମୋତେ ଜାଣିବା ଆରମ୍ଭ କରିଲେଣି । ଏହା ମୋ ଅନ୍ତରର କଥା ଥିଲା ଯେ, ମୋତେ ଲୋକେ ଟିକେ ସମ୍ମାନର ସହ ଡାକନ୍ତୁ । କିନ୍ତୁ ଚା’ ଦୋକାନୀ ହୋଇଥିବାରୁ ତାହା ହେଉ ନଥିଲା । ବିଶେଷକରି ଯୁବାପିଢ଼ିର ପିଲାମାନେ ଏବେ ଅନୁଭବ କଲେଣି ଯେ, ଆମେ ଯେଉଁ ଚା’ କପଟେ ପିଉଛୁ ତାହା ଅନ୍ୟ କାହାର ସେବାରେ ଲାଗୁଛି । ଏଣୁ ସେମାନେ ଆଉ ପଇସା ଦେବାକୁ ହେଳା କରୁନାହାନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଆସିବା ନିର୍ବାଚନକୁ ଆଖି ଆଗରେ ରଖି ହୋଇଥିଲା କି?

ନା, ଏ ଗସ୍ତରେ କୌଣସି ରାଜନୀତିକ ଅଭିସନ୍ଧି ଥିବା ଭଳି ମନେ ହେଉ ନାହିଁ । ତାଙ୍କର ଆସିବାଟା ଏକ ମଣିଷ ପଣିଆ ଥିଲା ।

ଆପଣ ଚା’ ଦୋକାନକୁ ନିଜର ପାରମ୍ପରିକ ବ୍ୟବସାୟ ଭାବେ ଗ୍ରହଣ କଲେ । ସେ ଭିତରେ ସମାଜ ସେବା ପ୍ରତି ଆଗ୍ରହ କାହିଁକି ହେଲା?

ଏହା ମୋ ଜୀବନରେ ଏକ ଭିନ୍ନ ମୋଡ଼ର ବିଷୟ । ପିଲାଟି ବେଳୁ ଭଲ ପାଠପଢ଼ୁଥିଲି, ସ୍କଲାରସିପ ପାଉଥିଲି । କିନ୍ତୁ ବାପା ଚା’ ଦୋକାନର ଦାୟିତ୍ୱ ଦେଲେ । ଆଉ ସେଇ ଚା’ ଦୋକାନରୁ ପରିବାର ପୋଷଣ ଆରମ୍ଭ ହେଲା । କିନ୍ତୁ ମନ ଭିତରେ ସେଇ ଫୁଟବଲ ଖେଳାଳି ଓ ଭଲ ପାଠପଢ଼ିବାର ସ୍ୱପ୍ନ ରହି ଆସିଥିଲା। ସେଥିଲାଗି ଏଇ ବସ୍ତିପିଲାଙ୍କୁ ପାଠପଢ଼ିବାର ଏକ ସୁଯୋଗ ଦେବା ଲଗି ଉଦ୍ୟମ କଲି । ଏହାଛଡ଼ା ମୁଁ ୨୦୦ରୁ ଅଧିକ ଥର ରକ୍ତଦାନ କରିଛି । ଏହାର ବି କାରଣ ସେମିତି କିଛି ରହିଛି । ରୋଗରେ ଥିବାବେଳେ କେହି ଜଣେ ମୋତେ ରକ୍ତ ଦେଇଥିଲେ, ସେଥିଲାଗି ମୋ ଜୀବନ ବଞ୍ଚିଯାଇଥିଲା । ସେ ଋଣ ଶୁଝାଇବା ଲାଗି ମୁଁ ଚାହିଁଛି । ସବୁଦିନ କଟକ ବଡ଼ ମେଡିକାଲକୁ ଦୋକାନ ସରିଲା ପରେ ଚାଲିଯାଏ । କାହାକୁ ଗରମ ପାଣି ଦରକାର, କାହାର ରକ୍ତ ଦରକାର, ଆଟେଣ୍ଡାଣ୍ଟ କାହାର ଆବଶ୍ୟକ ସବୁ ବୁଝେ । ଆବଶ୍ୟକ ସମୟରେ ତାଙ୍କୁ ସହାୟତା ବି କରେ ।

ଆପଣ କହନ୍ତି ‘ମୁଁ ଭଲ ପାଠ ପଢ଼ୁଥିଲି ପଢ଼ି ପାରିଲି ନାହିଁ । ଭଲ ଖେଳୁଥିଲି ଖେଳିପାରିଲି ନାହିଁ’ । ସେହି ଆକାଂକ୍ଷାକୁ ଏହି ପିଲାଙ୍କ ଭିତେରେ ଦେଖିବାକୁ ଚାହିଁଛନ୍ତି । ଦାରିଦ୍ର୍ୟ କ’ଣ ଆପଣଙ୍କ ଆଗରେ ପ୍ରତିବନ୍ଧକ ହୋଇଥିଲା?

୪୩ ବର୍ଷ ତଳର କଥା । ମୋର ସୁଷୁମ୍ନା କାଣ୍ଡରେ ଏକ ଟ୍ୟୁମର ହୋଇଗଲା । ମୁଁ ଚାଲିପାରିଲି ନାହିଁ । ଅଣ୍ଟାରୁ ତଳକୁ ବଧିରା ହୋଇଗଲା । ଏମିତି ଏକ ସମୟରେ ମୁଁ ହସ୍ପିଟାଲ୍ ଭିତରେ ଜୀବନକୁ ଅନୁଭବ କରୁଥିଲି । ବାପା ମୂଲ ଲାଗୁଥିଲେ ଆଉ ମା’ କାହା ଘରେ ବାସନ ମାଜୁଥିଲେ । ସେ ସମୟରେ ଚିକିତ୍ସା ପାଇଁ ସମ୍ବଳ ବା ଆସିବ କୁଆଡ଼ୁ? ସେତେବେଳେ ମୋର ମାଗଣା ଅପରେସନ୍ କରିଥିଲେ ଏସସିବି ମେଡିକାଲର ଡାକ୍ତରମାନେ । ମୋର ରକ୍ତ ଦରକାର ହୋଇଥିଲା । ମୁଁ ଜାଣିନି କିନ୍ତୁ କେହି ଜଣେ ମୋତେ ରକ୍ତ ଦେଇଥିବାରୁ ମୁଁ ନୂଆ ଜୀବନକୁ ଦେଖିପାରିଲି । ସେଥିଲାଗି ମୁଁ ନିୟମିତ ରକ୍ତଦାନ କରେ । ଆଜିବି କାହାର ରକ୍ତ ଦରକାର ହେଲେ ମୁଁ ଅନ୍ୟମାନଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କରେ । ୬ ମାସ ପରେ ମୁଁ ନୂଆ ଜୀବନ ପାଇଲି । ତା’ପରେ ଜୀବିକା ସହ ସଂଗ୍ରାମ ଚାଲିଲା । ବାପାଙ୍କ ଚା’ ଦୋକାନକୁ ଆଗକୁ ବଢ଼ାଇନେବାକୁ ଉଚିତ ଭାବିଲି । ଆଜିକୁ ୫୪ ବର୍ଷ ହେଲା ଏହି ଚା’ ଦୋକାନ ଚାଲିଛି ।

ସ୍କୁଲ୍?

୨୦୦୦ ମସିହା ବେଳକୁ ଏଠାରେ ସ୍କୁଲଟିଏ ଆରମ୍ଭ ହେଲା । ଏହାକୁ ସ୍କୁଲ୍ କହିବା ଅପେକ୍ଷା ମନ୍ଦିର କହିଲେ ଭଲ ହେବ । ନାଳ କଡ଼ରେ ଯଦିଓ ଅଛି କିନ୍ତୁ ଏଠାରେ ଆପଣ ସବୁ କିଛି ପାଇବେ । ଏଠାରେ ଏ ବସ୍ତିର ୭୦ରୁ ଅଧିକ ପିଲା ପଢ଼ୁଛନ୍ତି । ଗ୍ରୀଷ୍ମ ଛୁଟି ଯଦିଓ ଚାଲିଛି କିନ୍ତୁ ପାଠ ପଢ଼ା ବନ୍ଦ ନାହିଁ । ସ୍କୁଲର ଗୁରୁମାମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି, ଏ ପିଲାମାନଙ୍କୁ ଭଲ ମଣିଷ ଭାବେ ଗଢ଼ି ତୋଳିବା ଲାଗି ।

କିନ୍ତୁ ଖର୍ଚ୍ଚ କେମିତି ତୁଲାଉଛନ୍ତି?

ଦୋକାନରେ ଯାହା ବି ଆୟ ହୁଏ, ସେଥିରୁ ପ୍ରଥମେ ୩୦୦ଟଙ୍କା ଦିନକୁ ମୁଁ ଶିକ୍ଷୟିତ୍ରୀଙ୍କ ଦରମା ବାବଦକୁ ରଖିଦିଏ । ତା’ ପର କଥା ଘର ଖର୍ଚ୍ଚ ବା ଅନ୍ୟ କାମ । ପିଲାଙ୍କୁ ଏ ମନ୍ଦିରକୁ ଆକୃଷ୍ଟ କରିବା ପାଇଁ ଏବେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହୋଇଗଲାଣି; କିନ୍ତୁ ପ୍ରଥମରୁ ତାହା ନଥିଲା । ହେଲେ ପିଲାଙ୍କୁ ପାଠପଢ଼ାକୁ ଆଣିବାକୁ ହେଲେ କ’ଣ ଗୋଟିଏ ତ ଉତ୍ସାହ ମିଳିବା ଦରକାର। ସେହି କ୍ରମରେ ମୁଁ ୧୦୦ ମିଲି ଲିଟର କ୍ଷୀର ଆଉ ଗୋଟିଏ ଭଙ୍ଗା ବିସ୍କୁଟ୍ ପ୍ରତି ପିଲାଙ୍କ ପାଇଁ ଦୋକାନରୁ ଯୋଗାଡ଼ କରିନିଏ। ଏବେ କିଛିଦିନ ହେଲା ଜିଲ୍ଲା ପ୍ରଶାସନ ତଥା ସେତେବେଳର ଜିଲ୍ଲାପାଳ ଗିରିଶ୍ ଏସ୍ଏନଙ୍କ ସହାୟତାରେ ପିଲାଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରାଯାଇଛି । ଏହାଛଡ଼ା କିଛି ବଦାନ୍ୟ ଲୋକ ବି ସହାୟତା କରୁଛନ୍ତି । ଏଇଠି ସେମାନଙ୍କ ପାଇଁ ରୋଷେଇ ହୁଏ । ଖାଇବାକୁ ଦିଆଯାଏ ଆଉ ପାଠ ପଢ଼ିବାକୁ । ତାଙ୍କରିି ସମୟରେ ସ୍କୁଲ୍ ପାଇଁ ଚେୟାର ବେଞ୍ଚ୍ ବ୍ୟବସ୍ଥା ହୋଇପାରିଥିଲା । କେହି ଜଣେ ପିଲାଙ୍କ ପାଇଁ ପାଣି ଫିଲ୍ଟର ‘କେଣ୍ଟ୍’ ଲଗାଇ ଦେଲେ ।

ଏବେ ତ ଆପଣଙ୍କ ଏହି ନିଶାକୁ ଅନେକେ ପ୍ରଶଂସା କରୁଛନ୍ତି, କିନ୍ତୁ ଏହି ଉଦ୍ୟମ ପାଇଁ ନିଜ ପରିବାରର ସହାୟତା ଏକ ପ୍ରକାର ଆବଶ୍ୟକତା ହୋଇପଡ଼େ, ଆପଣଙ୍କୁ ପରିବାର ସହାୟତା କେମିତି କରିଛି?

ଅନେକ । ମୋ ଦୁଇ ଝିଅ ତ ମୋ ପାଇଁ ଗର୍ବ କରନ୍ତି । ଅମିତାଭ୍ ବଚ୍ଚନ ତାଙ୍କର ନାତୁଣୀ ଜନ୍ମ ହେତୁ ଦୁଃଖ କରୁଥାଇପାରନ୍ତି; କିନ୍ତୁ ମୁଁ ମୋ ଦୁଇ ଝିଅଙ୍କ ପାଇଁ ବେଶ୍ ଗର୍ବିତ । ସେମାନେ ମୋତେ ନେଇ ଗର୍ବ କରନ୍ତି । ଗୋଟିଏ ଝିଅ ବାହା ହୋଇଛି ଏବେ ଆଉ ଗୋଟିଏ ଝିଅ ଅଷ୍ଟ୍ରେଲିଆରେ ପାଠ ପଢ଼ୁଛି । ଚା’ ଦୋକାନୀର ଝିଅ ଅଷ୍ଟ୍ରେଲିଆରେ ପଢ଼ୁଛି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ମୋତେ ଗର୍ବ ଲାଗୁଛି ।

ପତ୍ନୀ?

ପ୍ରଥମେ ପ୍ରଥମେ ମୋ ଉପରେ ସେ ରାଗୁଥିଲେ । କିନ୍ତୁ ପରେ ଏହା ତାଙ୍କର ଦେହସୁହା ହୋଇଗଲା । ଅପସନ୍ଦ କଲେ ବି କିଛି କହିଲେ ନାହିଁ । କିନ୍ତୁ ତାଙ୍କ ମନରେ ଥାଏ ଯେ, ଏ ସମସ୍ତଙ୍କ ପାଇଁ ଯାହାସବୁ କରୁଛ ସେମାନେ ଅସମୟରେ ସହାୟ ହେବେ ନାହିଁ । ହାତଗୋଡ଼ ଚଳିବା ବନ୍ଦ ହୋଇଗଲେ ସବୁ ଦୂରେଇଯିବେ । କେବଳ ପାଖରେ ମୁଁ ହିଁ ଥିବି… ତାହା ସତ । କିନ୍ତୁ ଭଗବାନ ସେବାର ସୁଯୋଗ ଦେଇଛନ୍ତି କାହିଁକି ଛାଡ଼ିବା?

ଏହିଠାରେ ସ୍କୁଲ୍ କରିବା ପାଇଁ କାହିଁକି ଚିନ୍ତା କଲେ?

କଟକ ସହରକୁ ସେବା ଦିଅନ୍ତି ଏଇ ବସ୍ତି ବାସିନ୍ଦାମାନେ । କିନ୍ତୁ ସେମାନଙ୍କ ଜୀବନଶୈଳୀ ବାବଦରେ କେହି ଚିନ୍ତା କରନ୍ତି ନାହିଁ। ସରକାର ବି କେବେ ଏ ବିଷୟରେ ଚିନ୍ତା କରି ନାହାନ୍ତି ତାଙ୍କ ପିଲାଙ୍କ କଥା କେହି ଭାବନ୍ତି ନାହିଁ। ପାଣି ଟିକେ ସୁବିଧା ନ ଥିଲା । ଆଜିବି ନାଳକୁ ଝାଡ଼ା ଫେରି ଯାଉଛନ୍ତି । ଏଇ ନାଳ କଡ଼ରେ ଆଜି ଯେଉଁଠି ବସି ଆମେ କଥା ହେଉଛୁ ତାହା ଏକ ଅଳିଆଗଦା ଥିଲା । ବସ୍ତି ପିଲାମାନେ ଜୁଆ ଖେଳୁଥିଲେ । ଅନେକ ଅନୀତିକ କାମ ଏଠାରେ ହେଉଥିଲା । ଆଜି ସ୍କୁଲ୍ ହେଲାପରେ ତାହା ଆଉ ନାହିଁ । ଏ ସ୍କୁଲ୍ ଏକ ମନ୍ଦିରରେ ପରିଣତ ହୋଇଛି । ୧୮ ବର୍ଷ ହେଲା ଏହା ମଣିଷ ତିଆରି କରୁଛି । ପ୍ରଥମରୁ ଅନେକ ଏହାକୁ ବିରୋଧ କରୁଥିଲେ କିନ୍ତୁ ଏବେ ଆଉ ତାହା ନାହିଁ ।

ଏବେ ତ ମଳମୂତ୍ର ମୁକ୍ତ ସହର ବୋଲି କୁହାଯାଉଛି । ପାଇଖାନା ପାଇଁ ସହାୟତା ମିଳୁଛି କିନ୍ତୁ ଖୋଲା ଶୌଚମୁକ୍ତ ସହର କଟକ ହୋଇପାରି ନାହିଁ?

କେଉଁଠି ହେଇଛି ତାହା ଜଣା ନାହିଁ । କିନ୍ତୁ ଏଠାରେ ଲୋକେ ନାଳରେ ଶୌଚ ଯାଉଛନ୍ତି । ଏହା ଲୋକଙ୍କ ଅଭ୍ୟାସ ହୋଇପାରେ । ହେଲେ ଅନେକ ସମୟରେ ସରକାରୀ ଘୋଷଣାସବୁ ଲୋକଙ୍କ ପାଖରେ ପହଞ୍ଚିପାରେ ନାହିଁ। ଏହା ତାହାର ନମୁନା ।

ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କ ପାଇଁ ସ୍ଥାୟୀ ବାସିନ୍ଦା ବ୍ୟବସ୍ଥା କରୁଛନ୍ତି, ପଟ୍ଟା ଦେବେ ତଥା ସେହି ସ୍ଥାନରେ ଘର ଯୋଗାଇବା ପାଇଁ ଯୋଜନା କରିଛନ୍ତି, ଆପଣଙ୍କ ଆଶା ରହିଛି?

କଟକ ହେଉଛି ବସ୍ତିର ସହର । ଏମିତି ଅନେକ ଘୋଷଣା ହୋଇଛି । କିନ୍ତୁ ଉଚ୍ଛେଦର ଭୟ ରହିଛି । ଆଜି ମୋ ଘରକୁ ଯଦି ଉଚ୍ଛେଦ କରାଯାଏ କାଲି ମୁଁ ଦାଣ୍ଡର ଭିକାରି ହୋଇଯିବି ।

ଆପଣଙ୍କ ବାବଦରେ କିଛି କହନ୍ତୁ, କଟକ କେମିତି ଆସିବା ହେଲା, ପୁଣି ବସ୍ତିରେ ରହଣୀ…?

ମୋ ଅଣ ଜେଜେବାପାଙ୍କ ସମୟରୁ ଆମେ କଟକର ବାସିନ୍ଦା । ତାଙ୍କ ନାଁ ଡି. ଆପାଲସ୍ୱାମୀ । ଆନ୍ଧ୍ର ପ୍ରଦେଶର କାକିନାଡ଼ାରୁ ସେ ଏଠାକୁ ଆସିଥିଲେ । ଜେଜେ ବାପା ଡି. ଆଦି ନାରାୟଣ ସ୍ୱାମୀ ସେତେବେଳେ ମଧୁସୂଦନ ଦାସଙ୍କ ଡାହାଣ ହାତ ଭାବେ ଅତି ବିଶ୍ୱସ୍ତ ବ୍ୟକ୍ତି ଭାବେ କାର୍ଯ୍ୟ କରୁଥିଲେ । ଉତ୍କଳ ଟ୍ୟାନେରୀର ସେ ପରିଚାଳକ ଥିଲେ । ସବୁ କିଛି ବୁଝୁଥିଲେ । ତାଙ୍କ ପୁଅ ହେଲେ ମୋ ବାପା ଡି. କ୍ରିଷ୍ଣମୂର୍ତ୍ତି । ଜଣେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଫେରନ୍ତା । ଜାପାନ ବିରୋଧରେ ବର୍ମାରେ ରହି ବ୍ରିଟିଶ୍ ଇଣ୍ଡିଆର ସୈନିକ ଭାବେ କାର୍ଯ୍ୟ କରୁଥିଲେ । ଏହା ପୂର୍ବରୁ ସେ କଟକରୁ ପ୍ରକାଶିତ ଏକ ଖବରକାଗଜରେ କମ୍ପୋଜିଟର ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଯେତେବେଳେ ଯୁଦ୍ଧରୁ ଫେରୁ ଆସିଲେ ସେତେବେଳେ ଅବସ୍ଥା ସାଂଘାତିକ ହୋଇଯାଇଥିଲା । କାମ ସନ୍ଧାନରେ ଏଣେ ତେଣେ ବୁଲିଲେ । ଅନେକଙ୍କୁ ଅନୁରୋଧ କରିଛନ୍ତି କାମ ପାଇଁ । କିଛିଦିନ ପାଇଁ ଜାହାଜର ୱେଲଡର ଭାବେ କାର୍ଯ୍ୟ କରିଛନ୍ତି । କିନ୍ତୁ ସେ ଶିଳ୍ପ ବନ୍ଦ ହୋଇଯିବାରୁ ସେ ନିଜର କର୍ମ ହରାଇଲେ । ଏହା ପରେ ଯେଉଁ ଖବରକାଗଜରେ କାମ କରୁଥିଲେ ସେଠାରେ ମଧ୍ୟ କମ୍ପୋଜିଟର କାର୍ଯ୍ୟ ପାଇବା ପାଇଁ ସମ୍ପାଦକଙ୍କୁ ଦେଖା କଲେ। ହେଲେ କାନ୍ଧରେ ହାତ ମାରିଦେଇ ବାପାଙ୍କୁ ଫେରାଇଦେଲେ ସମ୍ପୃକ୍ତ ସମ୍ପାଦକ । ଆଉ ସେଇଠୁ ଆରମ୍ଭ ହେଲା ଜୀବନ ପାଇଁ ସଂଗ୍ରାମର ଆଉ ଏକ ଅଭିଯାନ । ସେ ସମୟରେ କଟକରେ ତାଳଚେର ରାଜାଙ୍କ ସହ ଦଖା ହେଲା ବାପାଙ୍କର । ସେ ୫ ଟଙ୍କା ଦେଇ ବ୍ୟବସାୟ ଆରମ୍ଭ କରିବାକୁ କହିଲେ । ସେହି ୫ଟଙ୍କା ଜମାପୁଞ୍ଜିରେ ଖୋଲିଲା ଚା’ ଦୋକାନ ଯାହା ଏବେ ଆପଣ ଦେଖୁଛନ୍ତି ତାହା ୫୪ ବର୍ଷର ଦୋକାନ ।

ମୋର ଶୈଶବ ହଜିଗଲା । କୈଶୋର କ’ଣ ମୁଁ ଜାଣିନି । କିନ୍ତୁ ଆଜି ଯେତେବେଳେ ମୋତେ ଦେଖି ଜଣେ ଅସାମାଜିକ ଲୋକ ପରିବର୍ତ୍ତନ ହୋଇପାରୁଛି, ବିଶ୍ୱର ତୁଙ୍ଗନେତା ଆଜି ଧୂଳି ଝାଡ଼ିଦେଇ ମୋତେ ପାଖରେ ବସାଇ କହୁଛନ୍ତି- ‘ରାଓସାହାବ୍ ଆପକୋ ମିଲନେ ଆୟେ ହେଁ । ଆପ୍ ଆଇଏ ବୈଠିୟେ’। ଏହାଠୁ ବଳି ଗୌରବର କଥା ଆଉ କେଉଁଠି ଅଛି?

 

ଆପଣକେବେ ଭାବିଥିଲେ ପ୍ରଧାନମନ୍ତ୍ରୀ ଆସିବେ?

ସ୍ୱପ୍ନରେ କେବେ ଭାବି ନଥିଲି । କିନ୍ତୁ ସତ୍କର୍ମର ଫଳ ମିଳିବ ବୋଲି ଭାବିଥିଲି । ଆଜି ସେ ବାସ୍ନା ଦିଲ୍ଲୀରେ ପହଞ୍ଚିଛି । କାଲି ତାହା ବିଶ୍ୱର କୋଣେ କୋଣେ ପହଞ୍ଚିବ ମୋର ବିଶ୍ୱାସ ହୋଇଛି ।

କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କିଛି ଏମିତି ହାତ ଲମ୍ବିଛି, ସୌହାର୍ଦ୍ଦ୍ୟ ଆପଣ ପାଇଛନ୍ତି?

ଆପଣ ତ ମନର କଥାଟିଏ ପଚାରିଦେଲେ । ସରକାରୀ ଜାଗାଟିରେ ଘରଟିଏ କରିଛି । ୧୯୭୮ ମସିହାରୁ ବାପା ଯୁଦ୍ଧ ଫେରନ୍ତା ହେତୁ କିଛି ସହାୟତା ପାଇଁ ଜାଗା ଖଣ୍ଡିଏ ମାଗିଥିଲେ ତାହା ଆଜି ଯାଏ ମିଳିଲା ନାହିଁ ।

ମାତ୍ର ୪୨ ଟଙ୍କା ମୋ ପାଖରେ ନଥିଲା ବୋଲି ମୁଁ ମ୍ୟାଟ୍ରିକ୍ ପରୀକ୍ଷାରେ ଫର୍ମ ଫିଲ୍ଅପ୍ କରିପାରି ନଥିଲି । ଆଜି ସେଇ ବସ୍ତିପିଲାମାନେ ଯେତେବେଳେ କଲେଜ ଯାଉଛନ୍ତି ତାଙ୍କୁ ଦେଖି ମନ କୁଣ୍ଢେମୋଟ ହୋଇଯାଉଛି । ମୁଁ ସେମାନଙ୍କ ଭିତରେ ନିଜକୁ ଦେଖୁଛି ।

 

ପ୍ରଧାନମନ୍ତ୍ରୀ ମୋଦି ବି ନିଜକୁ ଜଣେ ଚା’ ବିକାଳିର ପରିଚୟ ଦିଅନ୍ତି । ଆପଣ କେବେ ଆଜ୍ଞା ରାଜନୀତିକୁ ଆସିବା ପାଇଁ ଚାହିଁବେ?

ଦେଖନ୍ତୁ, ଏହା ଏକ ସ୍ୱତନ୍ତ୍ର ପ୍ରଶ୍ନ । ଏହାର ଉତ୍ତରରେ କହିବି, ମଣିଷ ଯେତେବେଳେ ଥକିଯାଏ, ଏପଟ ସେପଟ ସେପଟ ଏପଟ କରି ଆଉ ବାଟ ପାଏନି ସେତେବେଳେ ଏକ ଆଶ୍ରୟ ଚାହେଁ । ବୋଧହୁଏ ସେହି ଆଶ୍ରୟର ନା ରାଜନୀତି ହୋଇପାରେ । ରାଜନୀତି ମାଧ୍ୟମରେ ଆପଣ ସେବା କରିପାରିବେ, କିନ୍ତୁ ସେଠାକୁ ଚାଲିଗଲା ପରେ ସେ ଜଣେ ନୂତନ ଭାବମୂର୍ତ୍ତିର ମଣିଷ ହୋଇଯାଉଛି । ସେ କେଉଁଠୁ ଆସିଛି ତାହା ଭୁଲି ଯାଉଛି । ଆଜି ପର୍ଯ୍ୟନ୍ତ ମୁଁ ଜୀବନରେ କେବେ ଥକି ନାହିଁ । ଏଯାଏ ମୁଁ ରକ୍ତଦାନ କରୁଛି । ସ୍ୱାସ୍ଥ୍ୟଯଦି ଭଲ ରହେ ତେବେ ଆସନ୍ତା ୫ବର୍ଷ ବି ମୁଁ ରକ୍ତ ଦେଇପାରିବି । ମୁଁ ଚାହୁଁଛି ଭଗବାନ ମୋତେ ଏକ ପରିପୂର୍ଣ୍ଣ ଜୀବନ ଜୀଇଁବାକୁ ଦିଅନ୍ତୁ । ମୁଁ ମରିଗଲା ପରେ ମୋର କୌଣସି କ୍ରିୟାକର୍ମ ନହେଉ । ମୋର ଅସ୍ଥି ପିଲାଙ୍କ ପାଠ ପଢ଼ିବା ପାଇଁ ଏସସିବିକୁ ଯାଉ, ଯେଉଁ ମେଡିକାଲ୍ ମୋତେ ଜୀବନ ଦେଇଛି ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

ନିତିଦିନରେ ପ୍ରକାଶିତ

Loading...