ପୋଷ୍ଟମାଷ୍ଟର ଫେରାର:ଚିନ୍ତାରେ ଜମାକାରୀ

କଣିପଡ଼ା ସବଳଙ୍ଗ ଡାକଘରେ ଲକ୍ଷାଧିକ ଦୁର୍ନୀତି 

ଡେରାବିଶ,(ଓଟି):  ବିଭିନ୍ନ  ଚିଟଫଣ୍ଡ ସଂସ୍ଥା ଦ୍ୱାରା ଜମାକାରୀ ପ୍ରତାରିତ ହେଲାପରେ ଗରିବ ଜମାକାରୀମାନେ ନିଜର କଷ୍ଟାର୍ଜିତ ଅର୍ଥ ସୁରକ୍ଷିତ ଭାବେ ପରିଚିତ ଡାକଘର ସଞ୍ଚୟ ଉପରେ ଭରସା କରିଥିଲେ । ମାତ୍ର ଏବେ ଏହା ମଧ୍ୟ ଅସୁରକ୍ଷିତ ଦେଖିବାକୁ ମିଳୁଛି । ପୋଷ୍ଟମାଷ୍ଟର ଜମାକାରୀଙ୍କ ଅର୍ଥ ଲୁଟ୍ କରି ଫେରାର୍ ହୋଇ ଯାଉଥିବା ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି । ଏହାର ଜ୍ୱଳନ୍ତ ଉଦାହରଣ ଏବେ ଡେରାବିଶ ଥାନା ଅନ୍ତର୍ଗତ ପଲେଇ ପଞ୍ଚାୟତର ସବଳଙ୍ଗକଣିପଡ଼ା ଡାକଘରକୁ ଦେଖିଲେ ଜଣାପଡ଼ୁଛି ।

ପୋଷ୍ଟମାଷ୍ଟର ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ନେଇ ଫେରାର୍ ହୋଇଯାଇଛନ୍ତି । ଏନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ହେଉଥିବା ବେଳେ ଗରିବ ଜମାକାରୀ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି । ନିଜର ଜମା ଅର୍ଥ ଫେରସ୍ତ ପାଇବାର ଆଶଙ୍କା କ୍ଷୀଣ ଥିବାରୁ ମାନସିକ ଭାବେ ଦୁର୍ବଳ ହେବାରେ ଲାଗିଛନ୍ତି । ସୂଚନା ମୁତାବକ, ଗତବର୍ଷ ଏହି ପଞ୍ଚାୟତରେ ଥିବା ପଲେଇ ସମବାୟ ସମିତିର ମିନିବ୍ୟାଙ୍କରେ ଜମାକାରୀଙ୍କ କୋଟିଏ ଟଙ୍କା ହଡ଼ପ ଅଭିଯୋଗ ହୋଇଥିଲା । ଏହାର ତଦନ୍ତକୁ ବିଳମ୍ବିତ କରି କିଛି ଜମାକାରୀଙ୍କୁ ଟଙ୍କା ବିନା ସୁଧରେ ଫେରସ୍ତ କରାଯାଇଥିବା ବେଳେ ଏବେ ମଧ୍ୟ ବହୁ ଜମାକାରୀ ନିଜ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି । ଘଟଣାକୁ ଜମାକାରୀ ଭୂଲି ପାରି ନଥିବା ବେଳେ ଡେରାବିଶ ବ୍ଲକ୍ ପଲେଇ ପଞ୍ଚାୟତ କଣିପଡ଼ା ସବଳଙ୍ଗ ଗ୍ରାମରେ ଥିବା ଡାକଘରର ପୋଷ୍ଟମାଷ୍ଟର୍ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ କରି ନେଇଛନ୍ତି ।

ଏହି ଡାକଘରେ କାର୍ଯ୍ୟରତ ଥିବା ସବଳଙ୍ଗ ଗ୍ରାମର ଅଚ୍ୟୁତାନନ୍ଦ କର ଜମାକାରୀଙ୍କ ଠାରୁ ଟଙ୍କା ରଖିବା ସମୟରେ ଜମାକାରୀଙ୍କ ପାସ୍ ବହି ନିଜ ପାଖରେ ରଖୁଥିଲେ । ତେବେ ବୁଧବାର ଅଚ୍ୟୁତାନନ୍ଦଙ୍କୁ କେତେକ ଜମାକାରୀ ଫୋନ୍ରେ ଯୋଗାଯୋଗ କରି ବିଫଳ ହେବା ପରେ ତାଙ୍କ ଘରକୁ ଯାଇଥିଲେ । ମାତ୍ର ସେ ୩/୪ଦିନ ହେବ କେଉଁଆଡ଼େ ପଳାଇ ଯାଇଥିବା ପରିବାର ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ । ଶେଷରେ ନିରାଶ ହୋଇ କେତେକ ଜମାକାରୀ କେନ୍ଦ୍ରାପଡ଼ା ସାଉଥ ସବଡ଼ିଭିଜନ୍ ଇନ୍ସପେକ୍ଟରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଇନ୍ସପେକ୍ଟରଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଓଭରସିୟର୍ ରବିନ୍ଦ୍ରନାଥ ସାହୁ ସମ୍ପୃକ୍ତ ଡାକଘରକୁ ଆସି ଗୁରୁବାର ଠାରୁ ଜମାକାରୀଙ୍କ ଖାତା ଯାଞ୍ଚ କରିବା ସହ ଏହି ଡାକଘରେ ସହକାରୀ ଭାବେ କାର୍ଯ୍ୟରତ ଥିବା ଡମ୍ବରୁଧର ବେହେରାଙ୍କୁ ଦାୟିତ୍ୱ ଅର୍ପଣ କରିଥିବା ଜଣାପଡ଼ିଛି ।

ତେବେ ପୋଷ୍ଟମାଷ୍ଟର୍ଙ୍କ ଏଭଳି କଳା କାରନାମା ପ୍ରଚାରିତ ହେବାପରେ ଗୁରୁବାର ଶତାଧିକ ଜମାକାରୀ ଏହି ଡାକଘରେ ଭିଡ଼ ଜମାଇଥିଲେ । ଗ୍ରାମର ଜମାକାରୀ ଧନଞ୍ଜୟ ସାହୁ ତାଙ୍କ ପରିବାରର ୩୫ ହଜାର ଟଙ୍କା ଜମା କରିଥିବା ବେଳେ ଜମାଖାତାରେ ଏହି ଅର୍ଥ ସଂକ୍ରାନ୍ତରେ କିଛି ଉଲ୍ଲେଖ ନଥିବା ସେ ସୂଚନା ଦେଇଛନ୍ତି । ସେହିପରି ଗ୍ରାମର ନଗେନ୍ଦ୍ର ସାମଲ, ଭାଗ୍ୟବତୀ ଦାସ, ହେମାନନ୍ଦ ଦାସ, ଲକ୍ଷ୍ମୀପ୍ରିୟା ଦାସ, ହେମଲତା ଦାସ, ଅନୁୱାରୀ ବେଗମ୍ ପ୍ରମୁଖ ଜମାକାରୀ ସେମାନଙ୍କ ଜମା ସମ୍ପର୍କରେ ଜାଣିବା ପାଇଁ ଡାକଘରକୁ ଆସିଥିଲେ ମଧ୍ୟ ସେମାନଙ୍କର ଖାତା ସମ୍ପୃକ୍ତ ପୋଷ୍ଟମାଷ୍ଟରଙ୍କ ନିକଟରେ ଥିବାରୁ ଏ ସମ୍ପର୍କରେ ଦାୟିତ୍ୱରେ ଥିବା ସହକାରୀ ଡମ୍ବରୁ କୌଣସି ତଥ୍ୟ ଦେଇପାରି ନଥିଲେ । ବର୍ତମାନ ବ୍ୟାଙ୍କ, ପୋଷ୍ଟ ଅଫିସ୍ ଓ ଅନ୍ୟାନ୍ୟ ସମସ୍ତ ଅର୍ଥ କାରବାର ସଂସ୍ଥାକୁ କମ୍ପ୍ୟୁଟରୀକରଣ କରାଯାଉଥିବା ବେଳେ ଏହି ଡାକଘରେ ଜମାକାରୀ ବିଶ୍ୱାସରେ ନିଜର ଜମାଖାତାକୁ ବି ପୋଷ୍ଟମାଷ୍ଟରଙ୍କ ଜିମାରେ ରଖିଥାନ୍ତି । ଏବେ ପୋଷ୍ଟମାଷ୍ଟର୍ ଫେରାର ହୋଇଯାଇଥିବା ବେଳେ ଜମାକାରୀମାନେ ନିରାଶ ହୋଇ ଘରକୁ ଫେରିଛନ୍ତି । ଏନେଇ ଖୁବଶୀଘ୍ର ଆଇନର ଆଶ୍ରୟ ନେବାକୁ ସମ୍ପୃକ୍ତ ଜମାକାରୀ ସୂଚନା ଦେଇଛନ୍ତି ।

 

About admin

Check Also

ବର୍ଷା ଆସିଲେ ଡ୍ରେନ୍‍ ଚିନ୍ତା: ବିଡିଏ କହିଲା ତଳିଆ ଅଞ୍ଚଳରେ ଏଣିକି କୋଠା ଅନୁମତିରେ ହେବ କଟକଣା

ଭୁବନେଶ୍ୱର, (ଓଟି): ସହର ଜବର ଦଖଲ ଓ ବିଲ୍‍ଡରଙ୍କ ପ୍ରତି ଗୋଡ଼ାଣିଆ ଥିବା ଭୁବନେଶ୍ୱର ଉନ୍ନୟନ ନିଗମ ( ବିଡିଏ)ର …

Leave a Reply