ବିମୁଦ୍ରୀକରଣକୁ ବର୍ଷେ : ରାଜ୍ୟବ୍ୟାପି କଳା ଦିବସ ପାଳିଲା କଂଗ୍ରେସ

0
7

ଭୁୁବନେଶ୍ୱର, (ଓଟି): ଗତବର୍ଷ କେନ୍ଦ୍ରର ବିଜେପି ସରକାର ନେଇଥିବା ବିମୁଦ୍ରୀକରଣ ପଦକ୍ଷେପକୁ ବିରୋଧ କରି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବୁଧବାର କଳା ଦିବସ ଭାବେ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଦଳ ପକ୍ଷରୁ ରାଜ୍ୟର ସମସ୍ତ ୩୩ ଟି ସାଂଗଠନିକ ଜିଲ୍ଲାରେ ବିମୁଦ୍ରୀକରଣ ବିରୁଦ୍ଧରେ ର୍ୟାଲି ଏବଂ ମହମବତୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ।

ଭୁବନେଶ୍ୱର ଠାରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ରାମମନ୍ଦିର ଏବଂ ହାଉସିଂବୋର୍ଡ ଦେଇ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କଂଗ୍ରେସ କର୍ମୀମାନେ ପ୍ଲାକାର୍ଡ ଓ ବ୍ୟାନର ପ୍ରଦର୍ଶନ କରି ବିମୁଦ୍ରୀକରଣ ଏବଂ ବିଜେପି ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ । ଉପସ୍ଥିତ କର୍ମୀ ଏବଂ ଜନସାଧାରଣଙ୍କୁ ଉଦବୋଧନ ଦେଇ ପିସିସି ସଭାପତି ଶ୍ରୀ ହରିଚନ୍ଦନ କହିଥିଲେ ଯେ ବିମୁଦ୍ରୀକରଣ ନିଷ୍ପତି ଦେଶର ଅର୍ଥନୀତିକୁ ରସାତଳଗାମୀ କରିଛି । ଦେଶରେ ବ୍ୟବସାୟ ଓ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି । ମାତ୍ର ଅମ୍ୱାନୀ ଓ ଆଦାନୀ ଭଳି ବଡ ବଡ କମ୍ପାନୀ ମାନେ ମୋଦି ସରକାର ସହାୟତାରେ ଅଶେଷ ଲାଭବାନ ହୋଇଛନ୍ତି । ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଗରୀବ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେଏହି ନିଷ୍ପତିକୁ କଂଗ୍ରେସ ଦଳ ପ୍ରତିଦିନ ବିରୋଧ କରିବ । ଏହି ସଭାରେ ଯୋଗ ଦେଇ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ବିକେ ହରିପ୍ରସାଦ କହିଲେ ଯେ ବିମୁଦ୍ରୀକରଣ ନିଷ୍ପତି ଦେଶର ଗରୀବ , ଖଟିଖିଆ ଓ ଦିନ ମଜୁରିଆଙ୍କ ପାଇଁ ଅସହ୍ୟ ଦୁଃଖର ଦିନ ଆଣିଦେଇଛି । ଦେଶରେ ସନ୍ତ୍ରାସବାଦ ବୃଦ୍ଧି ପାଇଛି। କଳାଧନ ଫେରି ଆସିବାତ ଦୂରର କଥା ୨ହଜାର ଟଙ୍କିଆ ନୋଟ‌୍‍ ପ୍ରଚଳନ ଦ୍ୱାରା କଳାଧନ ହୁହୁ ହୋଇ ବଢି ଚାଲିଛି । ଯାହା ବିଜେପି ଦଳ ଓ ସେମାନଙ୍କ ସମର୍ଥକ ମାନଙ୍କୁ ଖୁବ‌୍‍ ସୁହାଇଛି ।

ଅନ୍ୟପକ୍ଷରେ ବିମୁଦ୍ରୀକରଣ ଯୋଗୁଁ ବ୍ୟାଙ୍କ ସମ୍ମୁଖରେ ଧାଡି ବାନ୍ଧିଥିବା ସମୟରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସ୍ମୃତିରେ ସଂଧ୍ୟାରେ ମାଷ୍ଟର କ୍ୟାଣ୍ଟିନ‌୍‍ ଛକ ଠାରେ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯାଇଥଲା ।

Loading...