ବିଲୟ ହେଲା ସମାଲୋଚନା ଓ ବିରୋଧର ଯୁଗ: ସୌମ୍ୟଙ୍କ ବିଜେଡି ଯୋଗଦାନ ପରିପ୍ରେକ୍ଷୀରେ

0
5

ଭୁବନେଶ୍ୱର, (ଓଟି): ଗଣତାନ୍ତ୍ରିକ ରାଜନୀତିରେ “ଚେକ୍‍ ଆଣ୍ଡ ବାଲାନ୍ସ’ ଏକ ଅପରିହାର୍ଯ୍ୟ ତତ୍ତ୍ୱ; ନହେଲେ ତାହା ଏକଚ୍ଛତ୍ରବାଦ ବା ଅରାଜକତାରେ ପରିଣତ ହୁଏ । ସମ୍ବିଧାନ ନିର୍ମାତାମାନେ ଏହାକୁ ଅନୁଭବ କରି ଗଣମାଧ୍ୟମକୁ ସମ୍ବିଧାନ ବାହାରେ ରଖିଥିଲେ । ଏହା ଯେ ଶାସନ ବ୍ୟବସ୍ଥାକୁ ବାହାରୁ ସମାଲୋଚନା କରିବ ଏବଂ ଆବଶ୍ୟକ ଲୋକ ପାଖରେ ଶାସନକୁ ପହଞ୍ଚାଇବା ଲାଗି କ୍ଷମତାଧାରୀଙ୍କ ଆଖି ଖୋଲିବ ସେଇ ବିଶ୍ୱାସ ଜାହିର କରାଯାଇଥିଲା । ଏହି ୭୦ ବର୍ଷ ଭିତରେ କିନ୍ତୁ ପରିସ୍ଥିତିରେ ପରିବର୍ତ୍ତନ ହୋଇଛି । ଗଣମାଧ୍ୟମ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି । ରାଜନେତାମାନେ ଗଣମାଧ୍ୟମ ପରିଚାଳନା କରିବାର ଧାରାଟି ବଦଳି ଗଣମାଧ୍ୟମ ବ୍ୟବସାୟୀଙ୍କୁ ରାଜନେତା କରାଇଛି ।
ଓଡ଼ିଶାକୁ ଏକ କ୍ଷେତ୍ର ଭାବେ ଗ୍ରହଣ କରି ଏ ବିଷୟରେ ଏକ ସୂକ୍ଷ୍ମ ଆଲୋଚନା କରାଯାଉ ।

ଓଡ଼ିଶାରେ ଯେ ଗଣମାଧ୍ୟମ ବା ମିଡିଆ ରାଜନୀତିରେ ଅଙ୍ଗ ନଥିଲା ତାହା କେହି ସ୍ୱୀକାର କରିବେ ନାହିଁ । କିନ୍ତୁ ସ୍ୱାଧୀନତା ପୂର୍ବରୁ ଏବଂ ୯୦ ଦଶକ ଯାଏ ରାଜ୍ୟର ପ୍ରତିଟି ମିଡିଆ ଏକ ନିର୍ଦ୍ଦିଷ୍ଟ ବିଚାରଧାରା ଉପରେ ଆଧାରିତ ଥିଲେ । କିଏ କଂଗ୍ରେସ ବିଚାର ଧାରା ତ କିଏ ଅଣ କଂଗ୍ରେସ ଆଉ କିଏ ବାମପନ୍ଥୀ ବିଚାରଧାରାରେ ନିଜର ସମ୍ବାଦ ପରିବେଷଣ କରୁଥିଲେ ବା ଅନୁଶୀଳନ କରୁଥିଲେ । ସେଥିପାଇଁ ରାଜ୍ୟରେ ଶାସନକୁ ଚେକ୍‍ ଦେବା ପାଇଁ ଗଣମାଧ୍ୟମ ସକ୍ଷମ ଥିଲା । ସେମାନେ ନିଜକୁ ପକ୍ଷଭୁକ୍ତ ବୋଲି କହୁଥିଲେ । ଅର୍ଥାତ୍‍ ନିରପେକ୍ଷ କହି ପକ୍ଷପାତୀ କରୁନଥିଲେ ।

୯୦ ଦଶକ ପରେ ଅର୍ଥାତ୍‍ ଅର୍ଥନୀତିର ଉଦାରୀକରଣ ପରେ ଓଡ଼ିଶାରେ ଯେଉଁ କେତୋଟି ଗଣମାଧ୍ୟମ ପ୍ରଭାବ ବିସ୍ତାର କଲେ ସେଗୁଡ଼ିକ ଭିତରେ ସମାଜ, ଧରିତ୍ରୀ, ସମ୍ବାଦ, ସମୟ, ପ୍ରଗତିବାଦୀ ନିକଟରେ ପ୍ରମେୟ, ନିତିଦିନ ଅଗ୍ରଣୀ ଛାପା ମିଡିଆ ଭାବେ ଗ୍ରହଣୀୟ । ଟିଭି ନ୍ୟୁଜ୍‍ ପ୍ରସାରଣ କ୍ଷେତ୍ରରେ ଓଟିଭି ହିଁ ଏକମାତ୍ର ପ୍ରଭାବଶାଳୀ ଗଣମାଧ୍ୟମ ହୋଇଥିବା ବେଳେ କନକ ଟିଭି ଏବଂ ନ୍ୟୁଜ୍‍ ସେଭେନ୍‍ ନିକଟରେ କିଛି ଲୋକଙ୍କୁ କିଛି ସମୟ ପାଇଁ ପ୍ରଭାବିତ କରିବାରେ ଭୂମିକା ଗ୍ରହଣ କରିଆସିଛନ୍ତି ।

ଛାପା ଗଣମାଧ୍ୟମ କ୍ଷେତ୍ରରେ ଧରିତ୍ରୀ ବିଜୁ ଜନତା ଦଳ କ୍ଷମତାକୁ
ଆସିବା ପୂର୍ବରୁ ସରକାରଙ୍କ ସମାଲୋଚକ ଭାବେ ଗଣାଯାଉଥିଲା । କିନ୍ତୁ ବିଜେଡି କ୍ଷମତାକୁ
ଆସିବା ପରେ ଏହାଙ୍କ ମାଲିକ ତଥା ସମ୍ପାଦକ ବିଜେଡିର ଅଙ୍ଗ ହେଲେ । ସେହିଦିନଠାରୁ ଏହା ବିଜେଡି ପକ୍ଷଭୁକ୍ତ ହେଲା । ମଝିରେ କିଛିଦିନ ନବୀନଙ୍କୁ ସମାଲୋଚନା କରିଥିଲେ ମଧ୍ୟ ସିଧାସଳଖ ନବୀନଙ୍କୁ ଆଉ କେବେ ସମାଲୋଚନା କରିବା ଗଣମାଧ୍ୟମରେ କେବେ ଦେଖାଯାଇ ନାହିଁ । ଅର୍ଥାତ୍‍ ୪ଟଙ୍କା ଦେଇ ଖବରକାଗଜ କିଣୁଥିବା ପାଠକ ପାଖରେ ତାଙ୍କର ସମ୍ପାଦକଙ୍କ ସାଂସଦ ପଦଟି ଅଧିକ ଗୁୁରୁତ୍ୱପୂର୍ଣ୍ଣ ହୋଇ ରହିଛି । ଏଠି ଯେ ଧରିତ୍ରୀ ଭଳି ସଂସ୍ଥା ପରିଚାଳନା ପାଇଁ ସରକାରୀ ବିଜ୍ଞାପନର ଆବଶ୍ୟକତା ରହିଛି ତାହା ଆଲୋଚନା କରିବା ମୁର୍ଖାମୀ ହେବ ବୋଲି ଆମେ ଅନୁଭବ କରୁଛୁ । ଅଳ୍ପ ବହୁତେ ପାଠକ ଏହାକୁ ଅନୁଭବ କରିଥିବାରୁ ଧରିତ୍ରୀର ବିକଳ୍ପ ଭାବେ ଲୋକେ ପ୍ରମେୟ ଏବଂ ଅନ୍ୟ ଖବରକାଗଜକୁ ଗ୍ରହଣ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ଦ୍ୱିତୀୟରେ, ସମାଜ କଥା । ଗଲା କିଛିବର୍ଷ ହେଲା ସମାଜରେ ପରିଚାଳନା ମଣ୍ଡଳୀର ପରିବର୍ତ୍ତନ ପରେ ସମାଜ ଯେ, ସରକାରୀ ଯୋଜନା, କାର୍ଯ୍ୟକ୍ରମର ମୁଖପତ୍ର ଏହାକୁ ଆଉ ବ୍ୟାଖ୍ୟା କରିବା ଅନାବଶ୍ୟକ । କାରଣ ଯେତେବେଳେ ଯାହା ସରକାରୀ କାର୍ଯ୍ୟକ୍ରମ ଆୟୋଜନ ହୁଏ ସମାଜରେ ଏହାର ବିଶାଳ ଆଲେଖ୍ୟ ପ୍ରକାଶ ପାଏ କିନ୍ତୁ ତାହା ଯେ, ଆଡେ୍‍ଭୋଟୋରିଆଲ୍‍ ସେ ବିଷୟରେ ପାଠକଙ୍କୁ କୁହାଯାଏ ନାହିଁ । ୪/୫ଟଙ୍କା ଦେଇ ଖବରକାଗଜ କିଣୁଥିବା ଜଣେ ପାଠକ ପାଖରେ ଏତେ ସାମର୍ଥ ନଥାଏ ଯେ, ସେ ଏହାକୁ ନେଇ କାହାକୁ କହିବ ବା ସମାଲୋଚନା କରିବ । ପୁଣି ଏହି ଗଣମାଧ୍ୟମଗୁଡ଼ିକର ସମ୍ୱଳ ଓ ପ୍ରସାରଣ ଏତେ ବିଶାଳ ଯେ, ତାହା ପ୍ରକାଶ କରିବା ସମ୍ଭବ ନୁହେଁ । ଏଣୁ ପାଠକ ଏହାକୁ ସମାଜର ସାମ୍ବାଦିକ ଟିଏ ଲେଖିଛି ବୋଲି ଭାବି ପଢ଼ିବାକୁ ବାଧ୍ୟ । ଏହା କୌଣସି ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ନୁହେଁ । ଏକ ଟ୍ରଷ୍ଟର ଅଂହଶ ବିଶେଷ । ଏଠାରେ ଆମେ “ଚେକ୍‍ ଆଣ୍ଡ ବାଲାନ୍ସ’ ତତ୍ତ୍ୱ ଖୋଜିବା ଆବଶ୍ୟକ ନୁହେଁ । ପ୍ରଶ୍ନ ଉଠୁଥିବ ଆଧୁନିକ ସମାଜର ନାୟକ ତଥା ଓଡ଼ିଶାରେ ପ୍ରଫେସନାଲ୍‍ ଜର୍ଣ୍ଣାଲିଜିମ୍‍ର ଜନକ ଭାବେ ଆମେ ଯାହାଙ୍କୁ ଗଣୁ ଅର୍ଥାତ୍‍ ଡ. ରାଧାନାଥ ରଥ ମଧ୍ୟ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ସଦସ୍ୟ ତଥା ମନ୍ତ୍ରୀ ବି ଥିଲେ । ଏଣୁ ସେତେବେଳେ ସମାଜ ଭଲ ଥିଲା ଏବେ ସେଥିରୁ ଚ୍ୟୁତ ହେଲା ବୋଲି କେମିତି କହିବା? ଯେଉଁମାନେ ଏହି ପ୍ରଶ୍ନ ପଚାରିବେ ସେମାନେ ଜାଣିବା ଦରକାର ଯେ, ସେତେବେଳେ ଏହି ଖବରକାଗଜ ଏକ ପକ୍ଷଭୁକ୍ତ ଥିଲା । ପାଠକ ଜାଣୁଥିଲେ ଯେ ଏହା ଏକ ନିର୍ଦ୍ଦିଷ୍ଟ ପକ୍ଷକୁ ଆଣିଥାଇପାରେ । କିନ୍ତୁ ଏବେ ପାଠକ ଖବର ନାଁରେ ବିଜ୍ଞାପନ ପଢ଼ି କୁୁଆଡ଼େ ଏ କାଗଜର ଗତି ତାହା ଜାଣିବା ସମ୍ଭବ ନୁହେଁ ।

ପ୍ରଗତିବାଦୀ ଓ ସମୟ ଯେଉଁ ଦଳୀୟ ଭିତ୍ତିଭୂମିରେ ଗଢ଼ା ହୋଇଥିଲେ ସେମାନଙ୍କ ସ୍ଥିତି ଆଉ ଓଡ଼ିଶାରେ ନାହିଁ । ଏଣୁ ଏ ଦୁଇ ଖବରକାଗଜ ସ୍ଥିତି ପାଇଁ ସଂଗ୍ରାମ କରିବା ସ୍ୱଭାବିକ । କିନ୍ତୁ ଏଠାରେ ଆମେ ବ୍ୟବସାୟ ନାଁରେ ପକ୍ଷଭୁକ୍ତ ହେବା ନୀତି ଲକ୍ଷ୍ୟ କରୁନାହୁଁ । ନୂଆକରି ପ୍ରକାଶ ପାଉଥିବା ନିତିଦିନ ଯଦିଓ ସରକାରଙ୍କ ବିଜ୍ଞାପନ ନୀତିରେ ସାମିଲ୍‍ ହୋଇ ନାହିଁ କିନ୍ତୁ ତାହାର ରାଜନୀତିକ ପୃଷ୍ଠାଟିର ପ୍ରକାଶନ ବନ୍ଦ କରାଯିବା ବ୍ୟବସ୍ଥା ଓ ଚାପ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଏବେ ସମ୍ବାଦ’ କଥା । କଂଗ୍ରେସ ଭିତ୍ତିଭୂମି ଓ ପରିବାରରେ ଗଢା ଏ କାଗଜ ଦୀର୍ଘ ୩୪ବର୍ଷ ହେଲା ଏକ ବ୍ୟବସ୍ଥା ବିରୋଧୀ କାଗଜ ଭାବେ ଗଣାଯାଏ । କେହି କେହି ଏହା ଅତ୍ୟଧିକ ନକରାତ୍ମକ ଆଚରଣ କହିଲେ ମଧ୍ୟ କାଗଜଟି ଯେ ଏକ ନିର୍ଦ୍ଦିଷ୍ଟ ପକ୍ଷର ତାହା ସ୍ପଷ୍ଟ ଥିଲା । କିନ୍ତୁ ଏହାର ସମ୍ପାଦକ ତଥା ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଯୋଗଦାନ ସ୍ପଷ୍ଟ ହେବା ଦିନଠାରୁ ଏହା ମଧ୍ୟ ଏକ “ଶଙ୍କରୀକୃତ’ ବା ଇଂରାଜୀରେ ହାଇବ୍ରିଡ୍‍ ଚିନ୍ତାଧାରା ଆପଣାଇଥିବା ସ୍ପଷ୍ଟ ହୋଇଛି । ଆଉ ଯେ, ସମାଲୋଚନା ଏହି କାଗଜରେ ନାହିଁ ବରଂ ଯାହା ସମାଲୋଚନା ହେବା କଥା ତାହା ପ୍ରୋତ୍ସାହନରେ ପରିଣତ ହୋଇଛି ତାହା କହିବା ସ୍ପଷ୍ଟ । କନକ ଟିଭି’ ର ସ୍ଥିତି ମଧ୍ୟ ସେଇଆ ।

ଓଟିଭି ଗଢ଼ା ହେବା ଦିନରୁ ବାଲାନ୍ସ ନାଁରେ ବ୍ୟବସ୍ଥା ପକ୍ଷଭୁକ୍ତ ହୋଇ ଚାଲିଥିଲା । କମ୍ପାନୀର ବ୍ୟବସାୟ ଏବଂ ରାଜନୀତିକ ସ୍ଥିତି ଏହାକୁ ସ୍ପଷ୍ଟ କରୁଥିଲା । ହେଲେ ଯେଉଁ ଦିନଠାରୁ ନବୀନଙ୍କ ସହ ଏହାର ଅଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତଙ୍କ ମନୋମାଳିନ୍ୟ ହୋଇଛି ସେବେଠାରୁ ଏହି ଚ୍ୟାନେଲ୍‍ ମଧ୍ୟ ନିଜ ସ୍ଥିତିକୁ ସ୍ପଷ୍ଟ କରିବାରେ ସମର୍ଥ ହୋଇପାରି ନାହିଁ ।

ଆମେ ଏଠାରେ ମିଡିଆର ପକ୍ଷଭୁକ୍ତିକୁ ସମାଲୋଚନା କରୁନାହିଁ । କୌଣସି ଏକ ନିର୍ଦ୍ଦିଷ୍ଟ ପକ୍ଷଭୁକ୍ତି ପାଠକ ବା ଦର୍ଶକଙ୍କୁ ତାଙ୍କ ଚିନ୍ତାଧାରାକୁ ଶାଣିତ କରିବାରେ ସହାୟକ ହୋଇଥାଏ । ଯଦି ପାଠକ ଏହାର ବିପକ୍ଷରେ କିଛି ମନ୍ତବ୍ୟ ବା ସମାଲୋଚନା ବା ଆଲେଖ୍ୟ ପଢ଼ିବାକୁ ଚାହେଁ ତେବେ ତାହାର ବିକଳ୍ପ ସେ ଖୋଜିପାରେ । କିନ୍ତୁ ମାଲିକମାନଙ୍କ ସ୍ୱାର୍ଥରେ ପାଠକ ବା ଦର୍ଶକଙ୍କୁ ବିଭ୍ରାନ୍ତ କରିବା କ’ଣ ଗ୍ରହଣୀୟ?