ତୃତୀୟ ମହଲା ନାଁରେ ଓଡ଼ିଆ ଅଧିକାରୀଙ୍କ ମାଡ଼: ସୂଚନା ଲୋସମ୍ପର୍କ ବିଭାଗ ବାଟବଣା, ଶାଗ ମାଛ ରେଟିଂରେ ଆକାଶ ଉଚ୍ଚା ବିଜ୍ଞାପନ

ଭୁବନେଶ୍ୱର, (ଓଟି): କିଏ ମାନୁ ବା ନମାନୁ ଓଡ଼ିଶା ସରକାରରେ ମନ୍ତ୍ରୀମାନେ ଯେ ପ୍ରଭାବଶୂନ୍ୟ ଓ ମସ୍ତିଷ୍କ/ସ୍ୱାଭିମାନଶୂନ୍ୟ ତାହା ପୁଣିଥରେ ସ୍ପଷ୍ଟ ହୋଇଛି । ତୃତୀୟ ମହଲାର ଆଳ ଦେଖାଇ କିଛି କନିଷ୍ଠ ସଚିବ ମଧ୍ୟ ଜଣେ କ୍ୟାବିନେଟ୍‍ ମନ୍ତ୍ରୀ ଯିଏ ତିନୋଟି ବିଭାଗ ସମ୍ଭାଳିଛନ୍ତି ତାଙ୍କୁ ଧମକାଇବାକୁ ପଛାଉ ନାହାନ୍ତି । ଆଉ ତାଙ୍କରିି ଧମକରେ ମନ୍ତ୍ରୀ ବି ଅସହାୟ ହୋଇ ସଚିବଙ୍କ ପରୋକ୍ଷ ଚାପକୁ କାର୍ଯ୍ୟକାରୀ କରିବାକୁ ବାଧ୍ୟ ହେଉଛନ୍ତି- ତେଣିକି ତାହା ଆଇନ ସିଦ୍ଧ ନହେଉନା କାହିଁକି । ଏମିତି ଏକ ଅଭିଯୋଗ ପୁଣିଥରେ ଆସିଛି ସୂଚନା ଓ ଲୋକସମ୍ପର୍କ ତଥା ଆଇନ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ କ୍ଷେତ୍ରରେ । ଯୁବ ମନ୍ତ୍ରୀ ହିସାବରେ ସୋଶାଲ୍‍ ମିଡିଆରେ ସେ ଯେଉଁ ଚର୍ଚ୍ଚା ସୃଷ୍ଟି କରୁଛନ୍ତି ତାହା ଯେ, ମିଛ ଛଇ ତାହା ଏଥିରୁ ପ୍ରମାଣିତ ହେଉଛି । ପୁଣି ଯେଉଁ କନିଷ୍ଠ ସଚିବଙ୍କ ଚାପରେ ସେ ଚେପା ହୋଇଛନ୍ତି ସେ କୌଣସି ଅଣ ଓଡ଼ିଆ ସଚିବ ନୁହନ୍ତି , ବରଂଜଣେ ଓଡ଼ିଆ ଅଧିକାରୀ । ଅର୍ଥାତ୍‍ ଆମେ ଅଣ ଓଡ଼ିଆ ଅଧିକାରୀ ଭିକେ ପାଣ୍ଡିୟାନ୍‍ଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଗଣମାଧ୍ୟମର ପ୍ରତିନିଧିମାନେ ଜାଣିବା ଉଚିତ ଯେ, ଏଠାରେ ଓଡ଼ିଆ ଅଧିକାରୀମାନେ ହିଁ ଆମ ଭିତରେ ବିଭାଜନ କରୁଛନ୍ତି ।

କଥା ହେଉଛି ଓଡ଼ିଶାରେ ୱେବ୍‍ ମିଡିଆ ତାଲିକାଭୁକ୍ତିକରଣକୁ ନେଇ । ଭାରତ ସରକାରଙ୍କ ନିୟମାବଳୀକୁ ଜଳାଞ୍ଜଳି ଦେଇ   ନିର୍ଦ୍ଦିଷ୍ଟ ୱେବ୍‍ସାଇଟ୍‍ର ମାଲିକ ତଥା ସଂସ୍ଥାଙ୍କୁ ତୁଷ୍ଟକରାଇବା ଲକ୍ଷ୍ୟରେ ସରକାର ଏକ ନିୟମକୁ ସ୍ୱୀକୃତି ଦେଇଛନ୍ତି । ଏହା ବଳରେ ସମ୍ପୃକ୍ତ ୱେବ୍‍ସାଇଟ୍‍କୁ ସପ୍ତାହକ ପାଇଁ ଗୋଟିଏ ବିଜ୍ଞାପନ ପିଛା ୭୨ ହଜାରରୁ ଏକ ଲକ୍ଷ ଟଙ୍କା ଯାଏ ସରକାର ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଥିବା ଶୁଣାଯାଉଛି । ମାସକୁ ଏହି  ପରିମାଣ ୧୦ ଲକ୍ଷ ଟଙ୍କାରୁ କମ୍‍ ହେବ ନାହିଁ ।

ଭାରତର କୌଣସି ରାଜ୍ୟରେ ବା ଜାତୀୟ ସ୍ତରରେ ଏମିତି ଟଙ୍କା ବାଣ୍ଟିବା ବିଜ୍ଞାପନ ନୀତି ତିଆରି ହୋଇ ନାହିଁ । ଯେଉଁଠାରେ ଭାରତ ସରକାର ସର୍ବନିମ୍ନ ୨.୫ ଲକ୍ଷ ଭିଜିଟର୍‍ ଆସୁଥିବା ସାଇଟ୍‍କୁ ବିଜ୍ଞାପନ ଦେବା ପାଇଁ ତାଲିକାଭୁକ୍ତି କରୁଛନ୍ତି, ତାହା ପୁଣି ପାଇଲଟ୍‍ ପ୍ରକଳ୍ପ ଭିତ୍ତିରେ ସେଠାରେ ଓଡ଼ିଶା ସରକାର ଏକ ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କୁ ଟଙ୍କା ବାଣ୍ଟିବାଲାଗି ତାହାକୁ ୩୦ ହଜାର ଭିଜିଟର ସଂଖ୍ୟାକୁ ଖସାଇଛନ୍ତି । ପ୍ରଶ୍ନ ଉଠୁଛି ସମାନ ଭାଷାରେ ଏବଂ ଦେଶ ବିଦେଶର ନ୍ୟୁଜ୍‍କୁ ପ୍ରସାରଣ କରୁଥିବା ଏହି ୱେବ୍‍ସାଇଟ୍‍ ଭାରତ ସରକାରଙ୍କ ପାଖରେ ଅଯୋଗ୍ୟ ହେଉଥିବାବେଳେ ଓଡ଼ିଶାରେ କାହିଁକି ଅନୁକମ୍ପା ପାଇବ? ଏହି ଅନୁକମ୍ପା ସରକାରଙ୍କ ଅହେତୁକ ଅନୁକମ୍ପା ନୁହେଁକି?

ପୁଣି ଭାରତ ସରକାର ଯେଉଁ ୱେବ୍‍ ବିଜ୍ଞାପନ ନୀତି ପ୍ରଣୟନ କରିଛନ୍ତି ତାହା କ୍ଲିକ୍‍ ଟୁ ରେଟ ଅଫ୍‍ ଇମ୍ପ୍ରେସନ୍‍ ( ସିଟିପିଆଇ) ଭିତ୍ତିକ ବୋଲି କୁହାଯାଇଛି । ଅର୍ଥାତ୍‍ ଭାରତ ସରକାର ଯେଉଁ ବିଜ୍ଞାପନ ଦେଉଛନ୍ତି ତାହାରି ଉପରେ ଭିଜିଟରଙ୍କ ଯେଉଁ କ୍ଲକ୍‍ ହେବ ସେହି ଅନୁସାରେ ଅର୍ଥ ଦିଆଯିବ । ଏହି ନୀତିକୁ ଭାରତର ନୁହେଁ ପୃଥିବୀର ସମସ୍ତ ବିଜ୍ଞାପନ ଏଜେନ୍ସୀ ଗ୍ରହଣ କରିଛନ୍ତି । ଆମାଜନ୍‍, ଫ୍ଲିପ୍‍କାର୍ଟ, ଡେଲିହଣ୍ଟ, ନ୍ୟୁଜ୍‍ ପଏଣ୍ଟ, ଗୁଗୁଲ୍‍ ଆଡ୍‍ଭର୍ଟାଇଜ୍‍ମେଣ୍ଟ ସମସ୍ତେ ଗ୍ରହଣ କରୁଥିବା ବେଳେ ଓଡ଼ିଶା ସରକାର କାହିଁକି ନିଜସ୍ୱ ଏକ ନୀତି ପ୍ରଣୟନ କଲେ? ଅପରପକ୍ଷେ ଏହି କୋହଳ ନୀତି ଓଡ଼ିଆ ଭାଷାଭାଷୀ ସାଇଟ୍‍ଗୁଡ଼ିକ ପାଇଁ ବି ନୁହେଁ । ଯଦି ଏହା ଓଡ଼ିଆ ଭାଷାଭାଷୀ ସାଇଟ୍‍ ପାଇଁ ହୋଇଥାଆନ୍ତା ହୁଏତ ତାହା ଭାଷାକୁ ପ୍ରୋତ୍ସାହନ ଦେବା ଲାଗି ଉଦ୍ଦିଷ୍ଟ ବୋଲି କୁହାଯାଇଥାଆନ୍ତା । ପୁଣି ଯେଉଁ ସରକାର ଭାଷାର ପ୍ରୋତ୍ସାହନ ପାଇଁ ଗୁଗୁଲ୍‍ ସହ କୋଟି କୋଟି ଟଙ୍କା ଦେୟରେ ପାର୍ଟନର ହୋଇପାରୁଛନ୍ତି ତାହାଙ୍କ ପାଇଁ ଏହା ଏକ ସକରାତ୍ମକ ପଦକ୍ଷେପ ବୋଲି କୁହାଯାଆନ୍ତା । କାରଣ ବିନା କଣ୍ଟେଣ୍ଟ ବା ଲେଖନୀରେ ସେ ପ୍ରୋତ୍ସାହନର ମୂଲ୍ୟ କିଛି ନାହିଁ । ହେଲେ ଇଂରାଜୀ ଭାଷାରେ ଯାହାଙ୍କ ପାଇଁ ସାରା ବିଶ୍ୱ ଏକ କାନ୍‍ଭାସ୍‍ ସେଠାରେ କାହିଁକି ଏଭଳି ଏକ ଅତି କୋହଳ- ଶାଗମାଛ ନୀତି ଆପଣାଗଲା? ସରକାର ଅର୍ଥ କ’ଣ ଲୋକଙ୍କ ଟିକସ ଅର୍ଥ ନୁହେଁ କି? ନା ସମ୍ପୃକ୍ତ ସାମ୍ବାଦିକ ଓ ସଂସ୍ଥା ସରକାରୀ ଦଳର କିଛି ବଡ଼ କାମରେ ଭାଗୀଦାର ରହିଛନ୍ତି?

ଏ ବିଷୟରେ ଆମେ ଏକ ପ୍ରଶ୍ନ ଓଡ଼ିଶା ସରକାରଙ୍କୁ ପଚାରିଥିଲୁ । ଏହାଛଡ଼ା କିଛି ଓଡ଼ିଆ ଭାଷାରେ ୱେବ୍‍ ମିଡିଆ ଚଳାଉଥିବା “ଓଡ଼ିଆ’ ସାମ୍ବାଦିକ ମୁଖ୍ୟ ଶାସନ ସଚିବ, ବିଭାଗୀୟ ନିର୍ଦ୍ଦେଶକ, ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଉପଯୁକ୍ତ ତଥ୍ୟ ଉପସ୍ଥାପନ କରିବା ପାଇଁ ଏକ ସମୟ ମାଗିଥିଲେ । ପ୍ରାଥମିକ ତଥ୍ୟ ଉପସ୍ଥାପନ କରି ଆବେଦନ ମଧ୍ୟ କରିଥିଲେ । ମୁଖ୍ୟଶାସନ ସଚିବ ଏହି ଆବେଦନ ଭିତ୍ତିକ ଚିଠିକୁ ଆଲୋଚନା ପାଇଁ ସମ୍ପୃକ୍ତ ବିଭାଗ ଅର୍ଥାତ୍‍ ସୂଚନା ଲୋକସମ୍ପର୍କ ବିଭାଗକୁ ପଠାଇଥିଲେ । ସମ୍ପୃକ୍ତ ମନ୍ତ୍ରୀ ଏ ବାବଦରେ ନିର୍ଦ୍ଦେଶକ, ସଚିବ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ପ୍ରାରମ୍ଭିକଭାବେ ଏ ବାବଦରେ ଅଧିକ ଆଲୋଚନା ଆବଶ୍ୟକ ଏବଂ କୌଣସି ଗୋଟିଏ ମିଡିଆ ପାଇଁ ନୀତିକୁ ପ୍ରଣୟନ କରିବା ଠିକ୍‍ ନୁହେଁ ବୋଲି କହିଥିଲେ ।

ହେଲେ ଆବେଦନକାରୀଙ୍କୁ ନିଜ ପକ୍ଷ ରଖିବାକୁ କୁହାଗଲା ନାହିଁ ।
ସେମାନଙ୍କ ସହ କୌଣସି ଆଲୋଚନା ସରକାରୀ ଭାବେ କରାଗଲା ନାହିଁ ।
ସଚିବ ଓ ନିର୍ଦ୍ଦେଶକଙ୍କ ଆଗରେ ମନ୍ତ୍ରୀଙ୍କ ଦୃଢ଼ୋକ୍ତି ପାଣିରେ ଗାର ହୋଇଗଲା ।

୧୫ ଦିନ ଫାଇଲ୍‍ ସେମିତି ପଡ଼ି ରହିଲାପରେ ମନ୍ତ୍ରୀ ଯେଉଁ ଫାଇଲରେ ଅଧିକ ଆଲୋଚନା ପାଇଁ ଆହ୍ୱାନ କରିଥିଲେ ତାହାକୁ ଦସ୍ତଖତ କରିବାକୁ ବାଧ୍ୟ ହେଲେ । ଏବେ ପ୍ରଶ୍ନ ଉଠୁଛି ଏହାଠୁ ବଳି ଶ୍ରେୟସ୍କର କାର୍ଯ୍ୟ ଯୁବମନ୍ତ୍ରୀ ପ୍ରତାପ ଜେନା ଆଉ କ’ଣ ବା କରିପାରି ଥାଆନ୍ତେ?

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply