ନାଟ୍ୟକାର ଅନନ୍ତ ମହାପାତ୍ରଙ୍କ ସହ ସାକ୍ଷାତକାର: “ନାଟକ ପେସାଦାର ହୋଇପାରିବ’

ଉପନ୍ୟାସଟିଏ ଯେ, ମାଇକ୍ ଆଗରେ କଥା କହିବ ଆଉ ତାକୁ ଲୋକେ ଶୁଣିବେ, କେହି କେବେ ଏହା କଳ୍ପନା କରି ନଥିଲେ । ଏମିତିକି ତାକୁ ଜୀବନ ଦେଉଥିବା ଲେଖକଟିଏ ବି । ୭୦ ଦଶକରେ ଯେତେବେଳେ ରେଡିଓ ଆମ ପାଇଁ ଜ୍ଞାନ, ଆମୋଦ ପ୍ରମୋଦ ଓ ହସଖୁସିର ଖୋରାକି ଆଣୁଥିଲା ସେତେବେଳେ ସେ ଏହାକୁ ବାସ୍ତ ରୂପ ଦେବାକୁ ଚାହିଁଲେ । ଆଉ ସଙ୍ଗେସଙ୍ଗେ ପହଞ୍ଚିଲେ ଖ୍ୟାତନାମା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ପାଖରେ । “ଅମୃତର ସନ୍ତାନ”କୁ ନେଇ ରେଡିଓ ସିରିଜ୍ ପ୍ରସ୍ତୁତ କରିବାର ପ୍ରସ୍ତାବ ଦେଲେ । ଗୋପୀନାଥ ବାବୁ ପ୍ରଥମେ ଏହାକୁ ଗ୍ରହଣ କରିପାରି ନଥିଲେ ସତ କିନ୍ତୁ ୩୦ ବର୍ଷ ହେଲା ନିଜର ପ୍ରଭାବଶାଳୀ କଣ୍ଠସ୍ୱରର ଯାଦୁରେ ଶ୍ରୋତାଙ୍କୁ ବାନ୍ଧି ପରିଥିବା ଏହି ୪୨ ବର୍ଷୀୟ ପ୍ରତିଭାଙ୍କୁ ସେ ମନା କରିପାରିଲେନି । ଫଳରେ ‘ଅମୃତର ସନ୍ତାନ’ କଥା କହିପାରିଲା ରେଡିଓରେ । ଯଦିଓ କଟକରେ ରେଡିଓ ଷ୍ଟେସନ୍ ଆରମ୍ଭରୁ ସେ ବେତାର ନାଟକରେ ଅଭିନୟ ସହ ମଞ୍ଚ, ସିନେମା ଓ ଟିଭିରେ ନୂଆ ପରିକଳ୍ପନାକୁ ବାସ୍ତବ ରୂପ ଦେଇଥିବା ସେହି ଦୃଢ଼ମନା, ସୃଜନଶୀଳ ଅନନ୍ତ ମହାପାତ୍ରଙ୍କ ସହ କଥାବାର୍ତ୍ତା ।
—–

 

ଜନ୍ମ: ୦୫ ଜୁନ୍ ୧୯୩୬ ବାପା: ଜଷ୍ଟିସ୍ ହରିହର ମହାପାତ୍ର ମା’: ହରିପ୍ରିୟା ମହାପାତ୍ର ଅଭିନୟ: ବେତାର ନାଟକ, ଚଳଚ୍ଚିତ୍ର, ମଞ୍ଚ ନାଟକ, ଟିଭି ସିରିଏଲ୍ ସଂପୃକ୍ତ ଥିଏଟର ଗ୍ରୁପ୍: ସୃଜନୀ, ନାଟ୍ୟ ଶୋଧ ସଂସ୍ଥାନ, ଉକ୍ରଳ ରଙ୍ଗମଞ୍ଚ, ଥିଏଟର୍ ଇନ୍ ମୋସନ୍ ସିନେମା ସ୍କ୍ରିନ୍ପ୍ଲେ ଓ ନିର୍ଦ୍ଦେଶନା: ମାମୁ ବିଚାରକ ସଦସ୍ୟ: ଜାତୀୟ ଫିଲ୍ମ ପୁରସ୍କାର, ସେନ୍ସର ବୋର୍ଡ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ଫିଲ୍ମ ଡେଭେଲପ୍ମେଣ୍ଟ କର୍ପୋରେସନ୍, ଆକାଶବାଣୀ ଡ୍ରାମା ସ୍କ୍ରିପ୍ଟ କମ୍ପିଟିସନ୍, ଆକାଶବାଣୀ ସମ୍ମାନ, ପ୍ରତିଷ୍ଠା: ଟ୍ରାଭେଲ୍ ଏଜେଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶାର ପ୍ରତିଷ୍ଠାତା ସଭାପତି, ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ୍ ସଭାପତି, ଇନ୍ଟାକ୍ ଆବାହକ, ସଙ୍ଗୀତ ନାଟକ ଏକାଡେମୀ ଥିଏଟର୍ ଏକ୍ସପର୍ଟ, କଲିକତାସ୍ଥିତ ରିଫ୍ଟର ଅଧ୍ୟକ୍ଷ ।

 

 

ଆପଣ ଜଣେ ଜଣାଶୁଣା ନାଟ୍ୟକାର । ରେଡିଓରୁ ମଞ୍ଚ ଆଡ଼କୁ ଆପଣଙ୍କ ଯାତ୍ରା କେମିତି ହେଲା ?   

ପୂର୍ବରୁ ଅନେକ ନାଟ୍ୟ ଗୋଷ୍ଠୀ ନାଟକ ପରିବେଷଣ କରୁଥିଲେ । କିନ୍ତୁ ସେମାନଙ୍କ କିଛି ଉଦ୍ଦେଶ୍ୟ ନଥିଲା କି ସାମାଜିକ ଦାୟିତ୍ୱବୋଧ ନଥିଲା । ତା’ରି ବିରୋଧରେ ମୁଁ ୧୯୬୪ ମସିହାରେ ସୃଜନୀ ନାଟ୍ୟ ଗୋଷ୍ଠୀ ଗଠନ କଲି । ଏଥିରେ ଅଙ୍ଗୀକାରବଦ୍ଧ ନାଟକ କଲି । ନବନାଟ୍ୟ ଆନ୍ଦୋଳନର ଏହା ଲକ୍ଷ୍ୟ  ।

ମୋର ଧାରଣା କୌଣସି ନାଟ୍ୟ ସଂସ୍ଥାର ଅଙ୍ଗୀକାରବଦ୍ଧତା ନାହିଁ । ଯଦି ଥାଆନ୍ତା ତେବେ ସେମାନେ ପେସାଦାର କାହିଁକି ହେଉ ନାହାନ୍ତି । ମୁଁ ୨୫୫ ରାତି ମାଣିକ ଯୋଡ଼ି ନାଟକ ଚଳାଇଥିଲି । ତେବେ ଏବେ କାହିଁକି ହେବ ନାହିଁ । ଯେଉଁମାନେ କହୁଛନ୍ତି ବର୍ତ୍ତମାନ ସମୟରେ ଅନେକ ମିଡିଆ ଆସିଲାଣି ଆଉ ତାହାକୁ ପ୍ରତିଦ୍ୱନ୍ଦ୍ୱିତା କରିବା ଅସମ୍ଭବ ତାହା ସମ୍ପୂର୍ଣ୍ଣ ଭୁଲ । ଏହା ଆମ ଅଯୋଗ୍ୟପଣିଆ ଛଡ଼ା ଆଉ କିଛି ନୁହେଁ ।

 

କିନ୍ତୁ ପରେ ଉକ୍ରଳ ରଙ୍ଗମଞ୍ଚ ଟ୍ରଷ୍ଟ ଆଉ ଥିଏଟର୍ ଅନ୍ ହୁଇଲ୍ ଗଠନ କରି ପେସାଦାର ନାଟକକୁ ଫେରିଲେ କାହିଁକି?

ଓଡ଼ିଶାରେ ପେସାଦାର ନାଟକ ପାଇଁ ଅନେକ ସୁଯୋଗ ରହିଛି । ଅନ୍ୟ କୌଣସି ରାଜ୍ୟରେ ଏପରି ସୁଯୋଗ ନାହିଁ । କାଁ ଭାଁ କେଉଁଠି ନାଟକ ପରିବେଷଣ ହେଉଥିବା ବେଳେ ଓଡ଼ିଶାରେ ନିୟମିତ ଭାବେ ନାଟକ ପରିବେଷଣର ଇତିହାସ ରହିଛି । ୧୯୩୯ ମସିହାରୁ ଆରମ୍ଭ ହୋଇଥିବା ‘ଓଡ଼ିଶା ଥିଏଟର’ର କଥାକୁ ଯଦି ଉଦାହରଣ ଭାବେ ନେବା ତେବେ ଏହା ସପ୍ତାହକୁ ତିନି ଚାରି ଦିନ ନାଟକ ନିୟମିତ ପରିବେଷଣ କରି ଦର୍ଶକଙ୍କୁ ଆକୃଷ୍ଟ କରୁଥିଲା । ମୁଁ ସେହି ଧାରାକୁ ଧରିବାକୁ ଯାଇ ଏଭଳି ନାଟକ ପ୍ରସ୍ତୁତ କରିବାକୁ ଚାହିଁଲି ଯାହା ସାମାଜିକ ଦାୟିତ୍ୱ ତୁଲାଇବା ସହ ଲୋକଙ୍କ ପାଖରେ କିଛି ବାର୍ତ୍ତା ପହଞ୍ଚାଇ ପାରିବ ।

 

ନାଟକକୁ ପେସା ଭାବେ ଗ୍ରହଣ କରିବା କ’ଣ ସମ୍ଭବ?

ମୁଁ ସେଇଥିପାଇଁ କହିଥିଲି ଅସମ୍ଭବକୁ ସମ୍ଭବ ସେହି ବ୍ୟକ୍ତି କରିପାରିବ ଯିଏ ଅଙ୍ଗୀକାରବଦ୍ଧ ଓ ନିଷ୍ଠାରେ ରହିବ । ସେଇଥିପାଇଁ ୫ ବର୍ଷକାଳ ମୁଁ ନାଟକ କରିଥିଲି । ଏହାପରେ ଲୋକେ ନାଟକ ଦେଖିବାକୁ ଟିକେଟ୍ କରୁଥିଲେ । କିନ୍ତୁ ମୁଁ ଯେତେବେଳେ ସାମାଜିକ ପରିସ୍ଥିତିକୁ ନେଇ ‘ସେଇ ତିନିଜଣ’ ନାଟକ କଲି ସେତେବେଳେ ମୋ ଷ୍ଟେଜ୍ ଲିଜ୍ ବାତିଲ୍ କରାଗଲା । ଫଳରେ ନାଟକ ପରିବେଷଣ ବନ୍ଦ ହୋଇଗଲା । ଏହା ଅସହିଷ୍ଣୁତାର ଏକ ଉଦାହରଣ ।

 

ଅନେକ ସମୟରେ କୁହାଯାଏ ନାଟକ ଦର୍ଶକ ଭାବେ କିଛି ନିର୍ଦ୍ଦିଷ୍ଟ ଶ୍ରେଣୀକୁ ଟାର୍ଗେଟ୍ କରିଥାଏ । ଏହାର ଦର୍ଶକ ସବୁ ଶ୍ରେଣୀର ନୁହନ୍ତି । ଆପଣଙ୍କ ମତରେ ନାଟକ ଶ୍ରେଣୀଭିତ୍ତିକ ଦର୍ଶକଙ୍କ ପାଇଁ ନା ସର୍ବସାଧାରଣଙ୍କ ପାଇଁ?

ନାଟକ ସର୍ବସାଧାରଣଙ୍କ ପାଇଁ ହେବା ଉଚିତ । କୌଣସି ନିର୍ଦ୍ଦିଷ୍ଟ ବର୍ଗକୁ ଟାର୍ଗେଟ୍ କରିବା ଉଚିତ ନୁହେଁ । ଯଦି ଏହା ହେଉଛି ତେବେ ତାହା ଆମ ଅଯୋଗ୍ୟତା ।

 

ଆପଣ କେବେ କୌଣସି ସମ୍ମାନ ସମ୍ବର୍ଦ୍ଧନା ଉତ୍ସବକୁ ଯାଆନ୍ତି ନାହିଁ । ଏମିତି କେଉଁଠୁ ପୁରସ୍କାର ମଧ୍ୟ ଗ୍ରହଣ କରନ୍ତି ନାହିଁ କାହିଁକି?

ମୁଁ ଭାବୁଛି ପୁରସ୍କାର ଆପଣଙ୍କୁ କେବେ ଭିନ୍ନ କରିପାରିବ ନାହିଁ ବରଂ ପୁରସ୍କାର ନ ନେଲେ ବୋଧହୁଏ ଆପଣ କିଛି ଭିନ୍ନ ହୋଇପାରିବେ । ସେଇଥିପାଇଁ ମୁଁ ପୁରସ୍କାର ଗ୍ରହଣ କରେ ନାହିଁ ।

 

ଆପଣ ଓଡ଼ିଶାରେ ଟ୍ରାଭେଲ୍ ଏଜେନ୍ସୀ କରିଥିଲେ । ଅନେକ ପର୍ଯ୍ୟଟକଙ୍କୁ ଓଡ଼ିଶା ବୁଲାଇଛନ୍ତି । ପର୍ଯ୍ୟଟନର ବିକାଶ ଲାଗି କି କି ପଦକ୍ଷେପ ନେବା ଆବଶ୍ୟକ?

ପ୍ରଥମେ ଭିତ୍ତିଭୂମି ତିଆରି ହେବା ଦରକାର । ପ୍ରଚାର ପାଇଁ ଅର୍ଥ ନିବେଶ ହେବା ପରିବର୍ତ୍ତେ ସରକାର ମୂଳ ଆବଶ୍ୟକତାକୁ ଅନୁଧ୍ୟାନ କରିବା ଦରକାର । ଏଯାଏଁ ଲିଙ୍ଗରାଜ ମନ୍ଦିର ପାଖରେ ଶୌଚାଳୟଟିଏ ହୋଇପାରିଲା ନାହିଁ । ସରକାର ଏବେ ଭାବୁଛନ୍ତି ଏ କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ କରିବେ । ଏହାକଲେ ପର୍ଯ୍ୟଟନ ଆଉ ସାଧାରଣ ଲୋକଙ୍କର ପାଇଁ ହୋଇ ରହିବ ନାହିଁ । ବରଂ ଅତିଧନୀ ଓ ଧନୀ ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ ହୋଇଯିବ । ଏଥିରୁ ଦୂରେଇ ରହିବା ଦରକାର ।

 

 

ମୁଁ ଜଣେ କଳାକାର । କିନ୍ତୁ ଏଭଳି ଷ୍ଟାଟସ୍ରେ ବଞ୍ଚୁଛି ବୋଲି ସମସ୍ତେ ଭାବନ୍ତି ମୋର କିଛି ଅଭାବ ଅସୁବିଧା ନାହିଁ । କିନ୍ତୁ ନାଟକ କରିବାର ନିଶାରେ ମୁଁ କାବୁଲିବାଲାଠୁ ୩୬ ପ୍ରତିଶତ ସୁଧରେ ଧାର ଆଣି ନାଟକରେ ଲଗାଇଥିଲି । ପରେ ସେହି ନାଟକରୁ ପଇସା ଉଠାଇ ମୁଁ ସେ କରଜ ସୁଝିଛି । ଅର୍ଥାତ୍ ନାଟକ ଦେଇପାରିବ ବୋଲି ଯେଉଁ ବିଶ୍ୱାସ ନେଇ ମୁଁ ଆରମ୍ଭ କରିଥିଲି ସେ ବିଶ୍ୱାସ ଏବେବି ରହିଛି ।

 

ଅସହିଷ୍ଣୁତା ବଢ଼ିଥିବା ଅନେକ ଲୋକ କହୁଛନ୍ତି ।  ଆପଣ କେବେ ଅନୁଭବ କରିଛନ୍ତି ଏପରି ଅସହିଷ୍ଣୁ ବାତାବରଣ?

ଆଗରୁ ଅସହିଷ୍ଣୁ ବାତାବରଣ ଭାରତବର୍ଷରେ ବା ଓଡ଼ିଶାରେ ନଥିଲା । ଯଦି ଥାଆନ୍ତା ତେବେ ମୋ ଭଳି ଜଣେ ସାମନ୍ତ ବ୍ରାହ୍ମଣ ପରିବାରର ଦାୟାଦ ଯାହାଙ୍କ ମୁକ୍ତି ମଣ୍ଡପରେ ବସିବାର ସୁଯୋଗ ଥିଲା ସେ ଜଣେ ଖ୍ରୀଷ୍ଟିୟାନ୍ ଝିଅକୁ ୧୯୬୧ ମସିହାରେ ବାହା ହୋଇପାରି ନଥାନ୍ତା । ସେତେବେଳେ ଖବରକାଗଜରେ ଯଦିଓ ଏ ବିଷୟରେ ଖବର ବାହାରିଥିଲା କିନ୍ତୁ କୌଣସି ଲୋକ କେବେ ଆକ୍ଷେପ କରି ନଥିଲେ । ଆଜି କିନ୍ତୁ ଲୋକେ ଏ ବିଷୟକୁ ନେଇ ଆକ୍ଷେପ କରୁଛନ୍ତି । ଅନ୍ୟ ଧର୍ମ ସହ ମୋର କୌଣସି ସମ୍ପର୍କ ଅଛି କି ନାହିଁ ତାହା ଅସହିଷ୍ଣୁତାରୁ ଜଣାପଡ଼ିବା ଉଚିତ ନୁହେଁ ବରଂ ସହିଷ୍ଣୁତାରୁ ବିଚାର କରିବା ଉଚିତ । ଆମେ ଅନେକ ଉଦାହରଣ ସନାତନ ଧର୍ମ ବାବଦରେ ଦେଉଛୁ କିନ୍ତୁ କେବେ କହୁନୁ ଏହା ଆମକୁ ସହିଷ୍ଣୁତା ହିଁ ଶିଖାଉଛି ବୋଲି ।

 

ଅସହିଷ୍ଣୁତାକୁ ରାଜନୀତିର ଏକ ଅଙ୍ଗ ବୋଲି କୁହାଯାଉଛି । ଜାତୀୟସ୍ତରରେ ଅନୁପମ୍ ଖେର ଏବଂ ଓଡ଼ିଶାରେ ମନୋଜ ଦାସ ମଧ୍ୟ ଲେଖକ ଓ କବିଙ୍କ ଏ ବାବଦରେ ପୁରସ୍କାର ଫେରାଇବାକୁ ସମାଲୋଚନା କରିଛନ୍ତି । ଆପଣଙ୍କ ମତ କ’ଣ ରହିବ?

ମୁଁ ତ ଆଶ୍ଚର୍ଯ୍ୟ ହେଉଛି ମନୋଜ୍ ଏମିତି କାହିଁକି କହିଲେ? ଏବେ ସାମାଜିକ ଦାୟିତ୍ୱ ଆଉ ସଚେତନ ନାଗରିକଙ୍କ ଉପରେ ନାହିଁ । ସବୁ କିଛି ରାଜନୀତିକ ଲୋକମାନେ ଲୁଣ୍ଠନ କରି ନେଲେଣି । ସେମାନଙ୍କ ସଫଳତା କ’ଣ, ସାମାଜିକ ସ୍ଥିତି କ’ଣ ଯେ ସେମାନେ ଏହି ଦାୟିତ୍ୱକୁ ନେଇପାରିବେ? କେବଳ ରାଜନୀତିର ପ୍ରବେଶ ଯୋଗୁ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇଛି । ୧୯୫୨ ମସିହାରେ ପ୍ରଥମ ସଂସଦରେ ୪୮ ପ୍ରତିଶତ ଆଇନଜୀବୀ ଥିଲେ, ୨୨ ପ୍ରତିଶତ ଡାକ୍ତର ଥିଲେ । ଏଣୁତେଣୁ ଲୋକ କେହି ସେଥିରେ ନଥିଲେ । ଏଣୁ ନିଷ୍ପତ୍ତି ନେବା ପୂର୍ବରୁ ଉଚିତ ଆଲୋଚନା ହେଉଥିଲା । ସାମାଜିକ ଦାୟିତ୍ୱକୁ ସେମାନେ ବୁଝୁଥିଲେ । ଏବେ ପରିସ୍ଥତି ଓଲଟା ହୋଇଛି ।

 

କିନ୍ତୁ ଗଣତନ୍ତ୍ରରେ ତ ସବୁ ବର୍ଗର ଲୋକଙ୍କ ଯୋଗଦାନକୁ ଗୁରୁତ୍ୱ ଦିଆଯାଏ । ସେଇଥିପାଇଁ ଆମେ ପ୍ରତି ବର୍ଗକୁ ସଶକ୍ତ କରିବାକୁ ଚାହୁଁଛୁ । କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ କେମିତି ଗୁରୁତ୍ୱ ଦିଆଯାଇ ପାରିବ?

ମୁଁ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ହାତରେ କ୍ଷମତାକୁ ଠୁଳ କରିବା କଥା କହୁ ନାହିଁ । ବର୍ତ୍ତମାନ ଯେଉଁ ଡାକ୍ତର ଏବଂ ଆଇନଜୀବୀ ଅଛନ୍ତି ସେମାନଙ୍କ ଅବସ୍ଥା କ’ଣ । ସେମାନଙ୍କ ନୈତିକ ସ୍ଥିତିରେ ଏତେ ଅଧୋଗତି ଘଟିଛି ଯେ, ଆମେ ତାଙ୍କୁ ସାମାଜିକ ଦାୟିତ୍ୱ ମଧ୍ୟ ଦେଇ ପାରିବା ନାହିଁ ।

 

ତା’ ହେଲେ ଶାସନ କିଏ କରିବ?

ମୋର ନିଜସ୍ୱ ଚିନ୍ତନ କହୁଛି, ଏ ପରିସ୍ଥିତିର ପରିବର୍ତ୍ତନ ଦିନେ ନା ଦିନେ ହେବ । ଗୋଟିଏ ଘଡ଼ିରେ ଯେମିତି ଘଣ୍ଟା କଣ୍ଟାଟି ବୁଲୁଛି ସେମିତି ଭାରତର ସାମାଜିକ ସ୍ଥିତି ବଦଳୁଛି । ଏବେ ସେ ଘଡ଼ିରେ ସାଢ଼େ ଛଅଟା ବାଜିଛି । ଅର୍ଥାତ୍ ବାରଟାରୁ ଏହି କଣ୍ଟା ଦ୍ୱୟ ସାଢ଼େ ଛଅଟାରେ ପହଞ୍ଚିଛନ୍ତି । ମୋର ଦୃଢ଼ ବିଶ୍ୱାସ ଦିନେ ଏ ଦୁଇଟି କଣ୍ଟା ପୁଣିଥରେ ୧୨ଟା ସ୍ଥାନରେ ପହଞ୍ଚିବେ । ଏହାର କାରଣ ହେଉଛି ଆମେ ସେ ବିଷୟରେ ଆଜି ଆଲୋଚନା କରୁଛୁ ।

 

ତା’ମାନେ ଆମେ ଅଧୋପତନର ଶେଷ ସୀମାରେ ପହଞ୍ଚିଛୁ?

ନିଶ୍ଚିତ ଭାବେ । ଆମେ ଆଜି ସେଇଥିପାଇଁ ଅସହିଷ୍ଣୁତା କଥା ଉଠାଉଛୁ । ସାମାଜିକ ଦାୟିତ୍ୱବୋଧ ବିଷୟରେ ଆଲୋଚନା କରୁଛୁ ।

 

କିନ୍ତୁ ଗୋଟିଏ ପ୍ରଶ୍ନ ଉଠୁଛି ଏ ଅସହିଷ୍ଣୁତା ଯାହା ଆମେ ବଢ଼ିଛି ବୋଲି କହୁଛୁ ଏହା କ’ଣ ସତରେ ୮ ମାସ ଭିତରେ ବଢ଼ିଯାଇଛି?

ସଂସ୍କୃତି ବା ସାମାଜିକ ବ୍ୟବସ୍ଥା ଗୋଟିଏ ରାତିରେ ବଦଳି ଯାଏ ବୋଲି ଭାବିବା ଉଚିତ ନୁହେଁ । ବର୍ଷ ବର୍ଷ ଲାଗି ଏହି ସଂସ୍କୃତି ତିଆରି ହୋଇଛି । ଠିକ୍ ସେହିଭଳି ଆଜି ଯେଉଁ ଅଧୋପତନ କଥା ଆମେ ହେଉଛୁ ତାହା ମଧ୍ୟ ଅନେକ ବର୍ଷ ହେଲା ଚାଲିଛି । କିନ୍ତୁ ମୋତେ ଲାଗୁଛି ଭାରତରେ ଏହା ବହୁତ ଜଲ୍ଦି ଘଟୁଛି ।

 

 

 

ମୋର ପ୍ରଥମ ନାଟକ ଯେତେବେଳେ ମଞ୍ଚସ୍ଥ ହୋଇଥିଲା ସେତେବେଳେ ‘କଳିଙ୍ଗ’ର ସମ୍ପାଦକ ସୁରେନ୍ଦ୍ର ମହାନ୍ତି ଏକ ସମ୍ପାଦକୀୟ ଲେଖିଥିଲେ । ତାହାର ଧାଡ଼ିଗୁଡ଼ିକ ଏବେ ବି ମୋର ମନେ ଅଛି । ତାହା ଥିଲା “ଯଦି ଏମିତି ନାଟକ ବର୍ଷକୁ ଗୋଟିଏ ହେବ ତା ହେଲେ ଓଡ଼ିଶା ନାଟକ ପରମ୍ପରାରେ ନୂତନତ୍ୱ ସୃଷ୍ଟି ହେବ” । ୧୯୬୪ ମସିହାରେ ସୁରେନ୍ଦ୍ର ମହାନ୍ତିଙ୍କ ଭଳି ସମ୍ପାଦକ ମନୋରଞ୍ଜନ ଦାସ ଏବଂ ଅନନ୍ତ ମହାପାତ୍ରଙ୍କ ଭଳି ନାଟ୍ୟକାରଙ୍କ କୃତିକୁ ସମୀକ୍ଷା କରି ଏତେ ପ୍ରଶଂସା କରିଥିଲେ । ଆଜି ଆଉ ସେମିତି ସମୀକ୍ଷା ହେଉ ନାହିଁ । କେହି କେବେ କାହା କୃତିକୁ ପ୍ରଶଂସା କରୁନାହାନ୍ତି । ଏହା ଏକ ନ୍ୟୂନ ମନୋଭାବର ପରିଚୟ । ଯାହାକୁ ମଧୁସୂଦନ ଦାସ ଆରମ୍ଭ କରିଥିଲେ ।

 

ଅସହିଷ୍ଣୁତା ପ୍ରସଙ୍ଗରେ ଲେଖକ ଓ ବୁଦ୍ଧିଜୀବୀମାନେ ପୁରସ୍କାର ଫେରାଇବା ଦ୍ୱାରା ସରକାରଙ୍କ ଉପରେ କିଛି ପ୍ରଭାବ ପକାଇବ?

ନା, ବିଲ୍କୁଲ୍ ନୁହେଁ ବରଂ ସେମାନଙ୍କୁ ଏହା ଆଉ ଏକ ସୁଯୋଗ ଦେବ । ଆମ ସମାଜରେ ଆଉ ଏକ ଫାଟ ସୃଷ୍ଟି କରିବା ଲାଗି ସେମାନେ ଲାଗିଛନ୍ତି । ଆଉ ଏହାର ସୁଯୋଗ ନେଇ ସେମାନେ କହିବେ ଏଥିରେ କାହାର ଦୋଷ ନାହିଁ, ଏହା ଏକ ସାମାଜିକ ପରିବର୍ତ୍ତନ ଚକ୍ର । ଏହାକୁ ନିନ୍ଦା କରି ଲେଖକଟିଏ ପୁରସ୍କାର ଫେରାଉଛି ।

 

କିନ୍ତୁ ନିଜସ୍ୱ ଚିନ୍ତାଧାରାରେ ସୃଷ୍ଟି ଲେଖା ବା ନାଟକ ମାଧ୍ୟମରେ ସେ ପ୍ରତିବାଦ ଜଣାଇପାରି ଥାଆନ୍ତେ?

ମୋଟେ ନୁହେଁ । ଗୋଟିଏ ସାମାଜିକ ପରିବର୍ତ୍ତନରେ ଗୋଟିଏ ଲେଖା ବା ନାଟକ କି ଫିଲ୍ମର ମୂଲ୍ୟ କ’ଣ । ଯେତେବେଳେ ଏକ ସାମାଜିକ ପରିବର୍ତ୍ତନ ଆସିବାକୁ ଯାଉଛି ତାହା ଏମିତି ସବୁ ଘଟଣା ଦେଇ ହିଁ ଆସିବ ।

 

ଏହାଦ୍ୱାରା ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହେବ?

ନିଶ୍ଚୟ ହେବ । ମଣିଷ ମନରେ ଦି’ଟା ଭାବ ରହିଛି । ଗୋଟିଏ ଭାବନା ଚାହ÷ୁଁଛି ମୋ ମନରେ ଶାନ୍ତି ରହୁ, ସଦ୍ଭାବ ରହୁ । ଅନ୍ୟ ଭାବଟି ଈର୍ଷା କରୁଛି । ଏହି ଭାବ ହିଁ ଦଙ୍ଗା ସୃଷ୍ଟି କରିପାରେ ।

 

ଓଡ଼ିଶାରେ ଅସହିଷ୍ଣୁତା କଥାକୁ ଆପଣ କେମିତି ଭାବୁଛନ୍ତି । 

ବର୍ତ୍ତମାନ ସାରା ଭାରତବର୍ଷରେ ମନ ଭିତରେ ଯେଉଁ ଗ୍ଲାନି ଆସୁଛି ସେ ବିଷୟକୁ କହୁଛନ୍ତି । ଯଦି ଏ ବିଷୟରେ ସୃଜନଶୀଳ ବ୍ୟକ୍ତିମାନେ ବସି କିଛି ନିଷ୍ପତ୍ତି ନେଇ ଥାଆନ୍ତେ ତେବେ ଆଜି ଏ ଘଟଣା ଏତେ ଉଗ୍ର ରୂପ ନେଇ ନଥାନ୍ତା । କିନ୍ତୁ ତାହା ନହୋଇ ରାଜନୀତିକ ହସ୍ତକ୍ଷେପ ହେଲା ।

 

 

About admin

Check Also

ରବିବାର ପ୍ରଦେଶ କଂଗ୍ରେସ ଇଲେକ୍ସନ୍ କମିଟି ବୈଠକ

ଭୁବନେଶ୍ୱର,(ଓଟି): ଆସନ୍ତାକାଲି ଠାରୁ ପ୍ରଦେଶ କଂଗ୍ରେସର ୩ ଦିନିଆ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସର ଓଡିଶା ପ୍ରଭାରୀ …

Leave a Reply